ଆଟୋପିକ ଡର୍ମାଟାଇଟିସ
From Wikipedia, the free encyclopedia
ଆଟୋପିକ ଡର୍ମାଟାଇଟିସ (ଏଡି), ବା ଆଟୋପିକ ଏକଜିମା, ଏକ ପ୍ରକାର ଚର୍ମ ପ୍ରଦାହ ରୋଗ । ଏହି ରୋଗରେ ଚମ ଗଲୁ ହୁଏ, ଲାଲ ଦେଖାଯାଏ, ଫୁଲିଯାଏ ଓ ଚମ ଫାଟିଯାଏ । ପ୍ରଭାବିତ ସ୍ଥାନରୁ ପରିସ୍କାର ତରଳ ପଦାର୍ଥ ବାହାରେ ଓ ସମୟକ୍ରମେ ଏହି ଚର୍ମ ମୋଟା ହୋଇଯାଏ । [1] ପିଲାଦିନେ ଏ ରୋଗ ଆରମ୍ଭ ହୁଏ ଓ ସମୟକ୍ରମେ ପରିବର୍ତ୍ତିତ ହୁଏ । [1][2] ଏକ ବର୍ଷ ବୟସରୁ କମ ପିଲାଙ୍କର ଦେହର ବଡ଼ ଭାଗ ପ୍ରଭାବିତ ହୋଇପାରେ । ବୟସ ବଢ଼ିଲେ ଆଣ୍ଠୁ ପଛପଟ ଓ କହୁଣୀ ସାମନାପାଖରେ ରାସ ହୁଏ । ଯୁବକମାନଙ୍କର ହାତ ଓ ପାଦରେ ରୋଗ ହୁଏ । [2] କୁଣ୍ଡେଇଲେ ଲକ୍ଷଣ ଖରାପ ଆଡ଼କୁ ଯାଏ ଓ ପରିଶେଷରେ ଚର୍ମ ସଂକ୍ରମଣ ହୁଏ । ଏହି ରୋଗୀମାନଙ୍କର ଆଲର୍ଜିକ ନାକ ପ୍ରଦାହ ବା ଆଜମା ହୋଇପାରେ । [1]
ଆଟୋପିକ ଡର୍ମାଟାଇଟିସ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Dermatology |
ଆଇସିଡ଼ି-୧୦ | L20. |
ଆଇସିଡ଼ି-୯-ସିଏମ୍ | 691.8 |
ଓଏମ୍ଆଇଏମ୍ | 603165 |
ରୋଗ ଡାଟାବେସ | 4113 |
ମେଡ଼ିସିନ-ପ୍ଲସ | 000853 |
ଇ-ମେଡ଼ିସିନ | emerg/130 derm/38 ped/2567 oph/479 |
MeSH | D003876 |
ଏହାର କାରଣ ଜଣାଯାଇ ନ ଥିଲେ ମଧ୍ୟ ଜେନେଟିକ, ପରିବେଶ ପ୍ରଭାବ, ଚର୍ମର ପରମିଏବିଲିଟି ଅସୁବିଧା ଓ ଇମ୍ମ୍ୟୁନ ସିସ୍ଟମ ଅପକର୍ମ ଥିବା ବିଶ୍ୱାସ କରାଯାଏ । [1][2] ଯମଜ ପିଲାଙ୍କ ମଧ୍ୟରୁ ଜଣକର ରୋଗ ଥିଲେ ଆଉ ଜଣକର ଏହି ରୋଗ ହେବା ସମ୍ଭାବନା ୮୫ % ଥାଏ । [3] ସହରରେ ଓ ଶୁଷ୍ଲ ଜଳବାୟୁରେ ଅବସ୍ଥାନ କରୁଥିବା ଲୋକଙ୍କର ଅଧିକ ରୋଗ ହୁଏ । ବାରମ୍ବାର ହାତ ଧୋଇବା ଓ ରାସାୟନିକ ଦ୍ରବ୍ୟ ପ୍ରଭାବ ଏହି ରୋଗ ଲକ୍ଷଣ ଅଧିକ ଖରାପ ଦିଗକୁ ନିଏ । ମାନସିକ ଚାପ ଏହାକୁ ଗମ୍ଭୀର କଲେ ମଧ୍ୟ ଏହା କାରଣ ନୁହେଁ । ଏହା ଏକ ଛୁଆଁ ରୋଗ ନୁହେଁ । [1] ଚିହ୍ନ ଓ ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ । ଅନ୍ତିମ ରୋଗ ନିର୍ଣ୍ଣୟ ପୂର୍ବରୁ କଣ୍ଟାକ୍ଟ ଡର୍ମାଟାଇଟିସ, ସୋରିଆସିସ ଓ ସେବୋରିକ ଡର୍ମାଟାଇଟିସ ରୋଗ ଇତ୍ୟାଦି ରୋଗ ଉପସ୍ଥିତି ବର୍ଜନ କରିବାକୁ ହୁଏ । [2]
ରୋଗ ସୃଷ୍ଟିକାରୀ ଜିନିଷକୁ ଏଡ଼େଇବା, ଦୈନନ୍ଦିନ ଗାଧୋଇବା ପରେ ମଏଶ୍ଚରାଇଜିଙ୍ଗ କ୍ରିମ ଲଗେଇବା, ରୋଗ ଅଧିକ ହେଲେ ସ୍ଟିରଏଡ କ୍ରିମ ଲଗେଇବା ଓ ଗଲୁ ନିମନ୍ତେ ଆବଶ୍ୟକ ଔଷଧ ଦେଇ ଏହାର ଚିକିତ୍ସା କରାଯାଏ । [2] ଏହି ରୋଗକୁ ଗମ୍ଭୀର କରୁଥିବା ଜିନିଷ ମଧ୍ୟରେ ଉଲ୍ ପୋଷାକ, ସାବୁନ, ପରଫ୍ୟୁମ, କ୍ଲୋରିନ, ଧୂଳି ଓ ସିଗାରେଟ ଧୁଆଁ ନାମ ଉଲ୍ଲେଖଯୋଗ୍ୟ । ଫିଜିଓଥେରାପି କିଛି ଲୋକଙ୍କୁ ସାହାଯ୍ୟ କରେ । କୌଣସି ଔଷଧ କାମ ନ କଲେ ସ୍ଟିରଏଡ ବଟିକା ଦିଆଯାଇପାରେ । [1] ସଂକ୍ରମଣ ହୋଇଥିଲେ ଆଣ୍ଟିବାୟୋଟିକ ଦରକାର ହୁଏ । [2] ଖାଦ୍ୟ ଆଲର୍ଜି ଥିଲେ ଖାଦ୍ୟର ପରିବର୍ତ୍ତନ ଆବଶ୍ୟକ ହୁଏ । [1]
ଜୀବନର ଯେ କୌଣସି ସମୟରେ ୨୦% ଲୋକଙ୍କର ଆଟୋପିକ ଡର୍ମାଟାଇଟିସ ରୋଗ ହୁଏ । [1][4] ଅଳ୍ପ ବୟସର ପିଲାଙ୍କୁ (younger children) ଏହି ରୋଗ ସାଧାରଣତଃ ହୁଏ । [2] ପୁରୁଷ ଓ ମହିଳା ଉଭୟ ସମପରିମାଣରେ ରୋଗ ଭୋଗନ୍ତି । [1] ଅନେକ ଲୋକଙ୍କର ଏହା ଉପଶମ ହୋଇଯାଏ । [2] ବେଳେ ବେଳେ ଏହି ରୋଗକୁ ଏକଜିମା କହନ୍ତି ଯାହା ଏକ ବଡ଼ ଚର୍ମ ରୋଗର ଦଳର ନାମ । [1] ଏହି ରୋଗର ଅନ୍ୟ ପ୍ରତିଶବ୍ଦ: ଇନଫାଣ୍ଟାଇଲ ଏକଜିମା, ଫ୍ଲେକସୁରାଲ ଏକଜିମା, ପ୍ରୁରାଇଗୋ ବେସନିଅର, ଆଲର୍ଜିକ ଏକଜିମା ଓ ନିଉରୋଡର୍ମାଟାଇଟିସ । [5]