ମାନବ କ୍ଷୁଦ୍ର ଅନ୍ତନଳୀରେ ଜୀବାଣୁ ଭିବ୍ରିଓ କଲେରିର କେତେକ ପ୍ରଜାତିଦ୍ୱାରା ହେଉଥିବା ରୋଗ From Wikipedia, the free encyclopedia
କଲେରା ମାନବ କ୍ଷୁଦ୍ର ଅନ୍ତନଳୀରେ ଜୀବାଣୁ ଭିବ୍ରିଓ କଲେରିର କେତେକ ପ୍ରଜାତିଦ୍ୱାରା ହେଉଥିବା ରୋଗର ନାମ । [1] ଓଡ଼ିଆରେ ଏହାକୁ ବିସୂଚିକା, ଓଲାଉଠା, ମହାମାରୀ ଓ ହଇଜା ନାମ ମଧ୍ୟ ଦିଆଯାଇଛି । ଏହାର ଲକ୍ଷଣ: ସାମାନ୍ୟରୁ ଗମ୍ଭୀର ଧରଣର ହୋଇପାରେ, କିଛି ବି ନ ହୋଇପାରେ । [2] ସ୍ୱାଭାବିକ ଲକ୍ଷଣ ମଧ୍ୟରେ ବହୁତ ପରିମାଣର ପାଣିଭଳି ତରଳ ଝାଡ଼ା କିଛି ଦିନ ହୁଏ । [3] ବାନ୍ତି ଓ ମାଂସପେଶୀ କ୍ରାମ୍ପ ହୋଇପାରେ । [2] ଅତ୍ୟଧିକ ତରଳ ଝାଡ଼ା ହେଲେ କିଛି ଘଣ୍ଟା ମଧ୍ୟରେ ଗମ୍ଭୀର ନିର୍ଜଳନ ଓ ଇଲେକ୍ଟ୍ରୋଲାଇଟ ଅସନ୍ତୁଳନ ହୁଏ । [3] ଏହାଦ୍ୱାରା ଆଖି କୋଟରଗତ ହୁଏ, ଚର୍ମ ଥଣ୍ଡା ହୁଏ ତଥା ଇଲାସ୍ଟିସିଟି କମିଯାଏ ଏବଂ ହାତ ଓ ପାଦର ଚର୍ମ କୁଞ୍ଚିତ ହୋଇଯାଏ । [4] ନିର୍ଜଳନ ଯୋଗୁ ଚର୍ମ ନୀଳ ହୋଇଯାଏ ଯାହାକୁ ସ୍ୟାନୋସିସ (cyanosis) କୁହାଯାଏ । [5] ଜୀବାଣୁ ପ୍ରବେଶ ପରଠାରୁ ୨ ଘଣ୍ଟାରୁ ୫ ଦିନ ମଧ୍ୟରେ ଲକ୍ଷଣ ପ୍ରକାଶ ପାଏ । [2]
ଅନେକ ପ୍ରକାର ଭିବ୍ରିଓ କଲେରି ଜୀବାଣୁର ପ୍ରଜାତିଦ୍ୱାରା କଲେରା ରୋଗ ହୁଏ; କେତେକ ପ୍ରଜାତି ଅନ୍ୟ ପ୍ରଜାତି ଅପେକ୍ଷା ଗମ୍ଭୀର ଧରଣର ରୋଗ କରନ୍ତି । ଅଧିକାଂଶ କ୍ଷେତ୍ରରେ ଜଳ ଓ ଖାଦ୍ୟରେ ଜୀବାଣୁ ମିଶ୍ରିତ ମଳ ଅପମିଶ୍ରିତ ଥିଲେ ଏହି ରୋଗ ବ୍ୟାପେ । [3] ଉତ୍ତମରୁପେ ରନ୍ଧାଯାଇନଥିବା ସାମୁଦ୍ରିକ ଖାଦ୍ୟ ଏହି ରୋଗର ସାଧାରଣ ଉତ୍ସ । [6] ମାନବ ଏକମାତ୍ର ପ୍ରାଣୀ ଯାହାକୁ ଏହି ରୋଗ ହୁଏ । ଅପରିଚ୍ଛନତା, ଅଶୁଦ୍ଧ ପାନୀୟ ଜଳ ଓ ଦାରିଦ୍ର୍ୟ ଯୋଗୁ ଏହି ରୋଗ ସଙ୍କଟ ସୃଷ୍ଟି ହୁଏ । ମଳ ପରୀକ୍ଷା କରି ଏହି ରୋଗ ନିର୍ଣ୍ଣୟ କରାଯାଏ । [3] ଶୀଘ୍ର ନିର୍ଣ୍ଣୟ ନିମନ୍ତେ ଡିପସ୍ଟକ ପରୀକ୍ଷା ମିଳୁଛି କିନ୍ତୁ ଏହା ସଠିକ ନୁହେଁ । [7]
ଉନ୍ନତ ପରିଚ୍ଛନ୍ନତା ଓ ବିଶୁଦ୍ଧ ଜଳ ଯୋଗାଣଦ୍ୱାରା ଏହି ରୋଗ ପ୍ରତିରୋଧ କରାଯାଇପାରିବ । [4] କଲେରା ଟିକା ପାଟିରେ ଦିଆହୋଇଥିଲେ ପ୍ରାୟ ୬ମାସ ଧରି ସୁରକ୍ଷା ଦିଏ । ଏହାଦ୍ୱାରା ତରଳ ଝାଡ଼ା କରାଉଥିବା ଅନ୍ୟ ଏକ ଜୀବାଣୁ ଇ. କୋଲାଇଠାରୁ ମଧ୍ୟ ରକ୍ଷା ମିଳିଥାଏ । ଏହାର ପ୍ରାଥମିଲ ଚିକିତ୍ସା: ପାଟିରେ ତରଳ ପଦାର୍ଥ ସହିତ ସାମାନ୍ୟ ମିଠା ଓ ଲୁଣିଆ ଦ୍ରବଣ ଦେଇ ପୁନର୍ଜଳନ (rehydration) କରାଯାଏ । [3] ପେଜ ଓ ତୋରାଣି ଆଦି ଦେବାକୁ ପସନ୍ଦ କରାଯାଏ । [3] ପିଲାମାନଙ୍କୁ ଜିଙ୍କ ସପ୍ଲିମେଣ୍ଟ ଦେଲେ ଉପକାର ହୁଏ । [8] ଗମ୍ଭୀର ସମସ୍ୟା ଜନକ କଲେରା ଥିଲେ ଶୀରାମାଧ୍ୟମ ତରଳ ପଦାର୍ଥ ଯେପରିକି ରିଙ୍ଗର ଲାକ୍ଟେଟ ଦରକାର ହୁଏ ଓ ଆଣ୍ଟିବାୟୋଟିକ ଉପକାରୀ ହୁଏ । ଜୀବାଣୁ ପ୍ରଜାତି ନିମନ୍ତେ ପରୀକ୍ଷା କରି ନିର୍ଦ୍ଦିଷ୍ଟ ଆଣ୍ଟିବାୟୋଟିକ ଦିଆଯାଇପାରେ । [2]
ସାରା ପୃଥିବୀରେ ଏକ ହିସାବ ଅନୁସାରେ ୩ରୁ ୫ ନିୟୁତ ଲୋକଙ୍କୁ ଏହି ରୋଗ ଆକ୍ରମଣ କରେ ଓ ସନ ୨୦୧୦ରେ ଏହା ଯୋଗୁ ୫୮,୦୦୦ରୁ ୧,୩୦,୦୦୦ ମୃତ୍ୟୁ ହୋଇଥିଲା । [3][9] ଏହି ରୋଗକୁ ପାଣ୍ଡେମିକ (ବ୍ୟାପକ ମଡ଼କ ଯାହା ସର୍ବଦା ବିସ୍ତୃତ ସ୍ଥାନରେ ହୁଏ) ଆକାରରେ ବର୍ଗୀକରଣ କରାଯାଇଛି; ଏହା ବିକଶିତ ଦେଶମାନଙ୍କରେ କ୍ୱଚିତ ଦେଖାଯାଉଛି । ପିଲାମାନେ ଅଧିକ ରୋଗ ଭୋଗନ୍ତି । [3][10] କଲେରା ଉଭୟ ଏପିଡେମିକ ଓ ଏଣ୍ଡେମିକ ଆକାରରେ ଦେଖାଯାଏ । ଆଫ୍ରିକା ଓ ଦକ୍ଷିଣ-ପୂର୍ବ ଏସିଆରେ ଏହାର ସଙ୍କଟ ପ୍ରଚଳିତ ଅଛି । ସାଧାରଣତଃ ୫ % ରୋଗୀ ମୃତ୍ୟୁମୂଖରେ ପତିତ ହୁଅନ୍ତି କିନ୍ତୁ ଚିକିତ୍ସା ସୁବିଧା ନ ଥିବା ସ୍ଥାନମାନଙ୍କରେ ମୃତ୍ୟୁ ହାର ୫ % ହୋଇପାରେ । [3] ଖ୍ରୀ:ପୂ; ୫ମ ଶତାବ୍ଦୀରେ ଏହି ରୋଗ ହେଉଥିବାର ବର୍ଣ୍ଣନା ସଂସ୍କୃତରେ ଅଛି । [4] ଜନ ସ୍ନୋ ସନ ୧୮୪୯ରୁ ୧୮୫୪ ମଧ୍ୟରେ ଏହି ରୋଗକୁ ଅନୁଶୀଳନ କରି ଲିପିବଦ୍ଧ କରିଛନ୍ତି ଯାହା ଯୋଗୁ ରୋଗାନୁଶୀଳନରେ ଉଲ୍ଲେଖନୀୟ ଅଗ୍ରଗତି ହୋଇପାରିଛି । [4][11]
କଲେରାର ପ୍ରାଥମିକ ଲକ୍ଷଣ : - ଯନ୍ତ୍ରଣା ବିହୀନ ପାଣି ଭଳି ଅତ୍ୟଧିକ ତରଳ ଝାଡ଼ା ଓ ବାନ୍ତି । ସଂକ୍ରମିତ ଖାଦ୍ୟ ଖାଇବାର ଅଧା ଦିନଠାରୁ ୫ ଦିନ ମଧ୍ୟରେ କଲେରା ଲକ୍ଷଣ ଆରମ୍ଭ ହୋଇଯାଏ[12] । ଓଡ଼ିଆରେ ଚାଉଳ ଧୁଆ ପାଣି ଭଳି ଝାଡ଼ା ହେବା ବର୍ଣ୍ଣନା କରାଯାଇଥାଏ ଓ ମାଛ ଭଳି ଗନ୍ଧ ହୁଏ । ୧୦ରୁ ୨୦ ଲିଟର ତରଳ ଝାଡ଼ା ଗୋଟିଏ ଦିନରେ ହୋଇପାରେ ଓ ଏହାର ପରିଣତି ଭୟାବହ ହୁଏ । ଗୋଟିଏ ରୋଗୀଠାରୁ ୩ରୁ ୧୦୦ ଲୋକ ସଂକ୍ରମିତ ହେବା ସମ୍ଭାବନା ଥାଏ କିନ୍ତୁ ଏମାନେ ଲକ୍ଷଣ ବିହୀନ ରହନ୍ତି[13] । ଅତ୍ୟଧିକ ଜଳାଭାବ ଯୋଗୁ ରୋଗୀର ଚମ ନୀଳ- ପାଉଁଶିଆ ଦେଖାଯାଏ, ତେଣୁ ଏହାକୁ 'ନୀଳ ମୃତ୍ୟୁ' ଡାକ ନାମ ଦିଆ ଯାଇଛି[14] ।
ଅତ୍ୟଧିକ ଝାଡ଼ା ଚିକିତ୍ସା ନ କଲେ ନିର୍ଜଳନ ଓ ଅଣୁ ଅସନ୍ତୁଳନ ହୁଏ ।
ନିର୍ଜଳନ ଲକ୍ଷଣ : - କମ୍ ରକ୍ତ ଚାପ, ଜଳ କମିଯିବା ଯୋଗୁ ଚମ କୁଞିତ ହୋଇଯାଏ, ଆଖି କୋଟର ଭଳି ହୁଏ ଓ ନାଡ଼ିର ଗତି ତୀବ୍ର ହୋଇଯାଏ ।
କଲେରା ରୋଗୀର ମଳରୁ ଜୀବାଣୁ ବାହାରି ଖାଦ୍ୟ ଓ ଜଳକୁ ପ୍ରଦୂଷିତ କରନ୍ତି[3] । ପୋଖରୀ, ନଈ ପାଣିରେ ରୋଗୀର ଲୁଗାପଟା ଧୋଇବାଦ୍ୱାରା ଜଳ ପ୍ରଦୂଷିତ ହୁଏ । ଏହି ଜୀବାଣୁ ପ୍ରକୃତିରେ ମଧ୍ୟ ବଞ୍ଚି ରହନ୍ତି ।
ଜଣେ ସୁସ୍ଥ ଲୋକ ୧୦୦ ନିୟୁତ ଜୀବାଣୁ ଖାଇଲେ କଲେରା ରୋଗ ହୁଏ । ଲୋକର ପାକସ୍ଥଳୀରେ ଔଷଧ ଖାଇବା ଯୋଗୁ ଏସିଡ ପରିମାଣ କମ ଥିଲେ ଅଲ୍ପ ଜୀବାଣୁଦ୍ୱାରା ରୋଗ ହୋଇପାରେ । ଦୁଇରୁ ଚାରି ବର୍ଷ ବୟଷର ପିଲାଙ୍କୁ ଏ ରୋଗ ଅଧିକ ହୁଏ । ଟା ଇପ 'ଓ' ରକ୍ତ ଗ୍ରୁପ ଥିବା ଲୋକର ମଧ୍ୟ ରୋଗ ସମ୍ଭାବନା ଅଧିକ ଥାଏ[15] । ଏଡସ୍ ଓ ଅପପୁଷ୍ଟି ଭୋଗୁଥିବା ଲୋକର କଲେରା ଅଧିକ ହୁଏ[16] । ଏହା ବ୍ୟତୀତ ଯେ କୌଣସି ଲୋକକୁ ମଧ୍ୟ ରୋଗ ହୋଇପାରେ ଓ ତାହାର ଝାଡ଼ାର ପରିମାଣ ଉପରେ ରୋଗର ଭୟାବହତା ନିର୍ଭର କରେ ।
ବିକଶୀତ ଦେଶମାନଙ୍କରେ ସମୁଦ୍ରି ଖାଦ୍ୟ ଖାଇବାଦ୍ୱାରା ଓ ବିକାଶଶୀଳ ଦେଶମାନଙ୍କରେ ସଂକ୍ରମିତ ଜଳଦ୍ୱାରା କଲେରା ବ୍ୟାପେ । ମଣିଷ ଛଡ଼ା ସେଲ ଫିସ (Shellfish) ଓ ପ୍ଲାନ୍କଟନ (:en:Plankton|]]) ଜୀବଙ୍କୁ କଲେରା ହୁଏ ।
ଜଣେ ଲୋକକୁ କଲେରା ରୋଗ ହେବା ନିମନ୍ତେ ଆଉ ଜଣେ କଲେରା ରୋଗୀ ଦାୟୀ । ରୋଗୀର ମଳଦ୍ୱାରା ଖାଦ୍ୟ ଓ ଜଳ ଉତ୍ସ ପ୍ରଦୂଷିତ ହୁଏ ଓ ତାହାଦ୍ୱାରା ଆଉ ଜଣେ ଲୋକକୁ ରୋଗ ଡିଏଁ[17] । ପ୍ରଦୂଷିତ ଜଳ ଓ ଖାଦ୍ୟ ଖାଇବାଦ୍ୱାରା ସୁସ୍ଥ ଲୋକ ଦେହକୁ ଜୀବାଣୁ ଯାଏ ଓ ରୋଗ ହୁଏ । ସିଧା ସଳଖ ରୋଗୀଠାରୁ କଲେରା ଡିଏଁ ନାହିଁ ବା ଅତି କ୍ୱଚିତ ଡିଏଁ ।
ଅଧିକାଂଶ ଜୀବାଣୁ ଖାଦ୍ୟ ସାଥିରେ ପାକସ୍ଥଳୀକୁ ଯିବା ପରେ ସେଠାରେ ଥିବା ଅମ୍ଳରେ (Acid) ବଞ୍ଚି ପାରନ୍ତି ନାହିଁ[18] । ଅଳ୍ପ କେତେକ ଜୀବାଣୁ ସେମାନଙ୍କ ଶକ୍ତି ଓ ଖାଦ୍ୟ ସଞ୍ଚୟ କରି ପାକସ୍ଥଳୀ ପାର ହୋଇ ଯାଆନ୍ତି । ଏହି ତିଷ୍ଠି ରହିଥିବା ଭିବ୍ରିଓ କଲେରି କ୍ଷୁଦ୍ର ଅନ୍ତ ନଳୀରେ ପହଞ୍ଚି ତାହା ଭିତରେ ଫମ୍ପା ସିଲିଣ୍ଡର ଭଳି ଫ୍ଳାଜେଲିନ (କର୍କ ସ୍କ୍ରୁ ଆକାର) ସୃଷ୍ଟି କରେ ଓ ତାହା ମଧ୍ୟରୁ ଫ୍ଲାଜେଲା ତିଆରି କରି ତାହା ସାହାଯ୍ୟରେ ଅନ୍ତ ନଳୀର ମ୍ୟୁକୋସା ଭିତରେ ପ୍ରବେଶ କରେ ।
ଥରେ ମ୍ୟୁକୋସାରେ ପ୍ରବେଶ କରିବା ପରେ ଫ୍ଲାଜେଲା ଅନାବଶ୍ୟକ ହୁଏ । ଜୀବାଣୁ ମ୍ୟୁକୋସା ଭିତରେ ପଶି ବିଷାକ୍ତ (Toxin) ପଦାର୍ଥ ତିଆରି କରେ ଯାହାର ପ୍ରତିକ୍ରିୟା ଫଳରେ ପାଣି ଭଳି ତରଳ ଝାଡ଼ା ହୁଏ । ଏହି ଝାଡ଼ା ସହ ନୂଆ ସୃଷ୍ଟି ହୋଇଥିବା ଜୀବାଣୁ ବାହାରି ଜଳ ଉତ୍ସରେ (ଯେଉଁଠାରୁ ଲୋକମାନେ ପାଣି ନେଇ ପିଅନ୍ତି) ମିଶି ସୁସ୍ଥ ଲୋକକୁ ଆକ୍ରମଣ କରେ ।
କଲେରା ଜୀବାଣୁ ଉପସ୍ଥିତି ଶୀଘ୍ର ଜାଣିବା ନିମନ୍ତେ ଗୋଟିଏ ଡିପ ଟେଷ୍ଟ (Dip Test) କରାଯାଏ । ପରୀକ୍ଷାରେ ପଜିଟିଭ ହେଲେ ଜୀବାଣୁର ଆଣ୍ଟିବାୟୋଟିକ୍ ସମ୍ବେଦନଶୀଳତା ପରୀକ୍ଷା କରାଯାଏ । ବ୍ୟାପକ ରୋଗ ହେଉଥିବା ବେଳେ ଲକ୍ଷଣ ଦେଖି ଚିକିତ୍ସା କରାଯାଏ, ପରୀକ୍ଷା ନିମନ୍ତେ ଅପେକ୍ଷା କରାଯାଏ ନାହିଁ ।
କୌଣସି ଆଣ୍ଟିବାୟୋଟିକ ଦେବେ ପୂର୍ବରୁ ଝାଡ଼ା ବା ସ୍ୱାବ ନେଇ ଲାବୋରେଟରୀରେ ଜୀବାଣୁ ନିମନ୍ତେ ପରୀକ୍ଷା କରାଯାଏ । ସାଧାରଣତଃ ଭି କଲେରି ୦୧ ଜୀବାଣୁଦ୍ୱାରା କଲେରା ହୁଏ, ଭି କଲେରୀ ୦୧୩୯ଦ୍ୱାରା ମଧ୍ୟ ରୋଗ ହୁଏ ।
ବିଶେଷ ମିଡିଆରେ ଜୀବାଣୁ କଲଚର କରାଯାଏ ।
୧ ଆଲକାଲାଇନ ପେପଟୋନ ଜଳ ପି.ଏଚ ୮.୬ (Alkaline peptone water at pH 8.6)
୨ ମନସୁର ଟରୋକୋଲେଟ ଟେଲ୍ୟୁରା ଇଟ ଜଳ ପି.ଏଚ. ୯.୨ (Monsur's taurocholate tellurite peptone water at pH 9.2)
କଲେରା ଜୀବାଣୁ ଦେଖିବା ନିମନ୍ତେ ସିଧା ସଳଖ ଅଣୁବିକ୍ଷଣ ଯନ୍ତ୍ରରେ କେଖିଲେ ଜଣାପଡ଼େ ନାହିଁ । ଏନରିଚମେଣ୍ଟ ମିଡିଆରେ ରଖିବା ପରେ ଦେଖିଲେ ଜଣା ପଡ଼େ ।
କଲେରା ପ୍ରାଣ ଘାତକ ରୋଗ ହେଲେ ମଧ୍ୟ ଉପଯୁକ୍ତ ସ୍ୱାସ୍ଥ୍ୟରକ୍ଷା ଓ ବିଶୋଧନ ପ୍ରଣାଳୀ ଅବଲମ୍ବନ କରି ରୋଗକୁ ରୋକାଯାଇପାରେ। ବିକଶିତ ଦେଶମାନଙ୍କରେ ବିଶୁଦ୍ଧ ଜଳ ଯୋଗାଣ (universal advanced water treatment) ଓ ସ୍ୱାସ୍ଥ୍ୟ ସମ୍ଭନ୍ଧରେ ସଚେତନତା ହେତୁ କଲେରା ଆଉ ଭୟାବହ ରୋଗ ହୋଇ ନାହିଁ । ଆମେରିକାରେ ଶେଷଥର ନିମନ୍ତେ ୧୯୧୦-୧୧ ମସିହାରେ କଲେରା ହୋଇଥିଲା[19][20] । ନିମ୍ନରେ ପ୍ରଦତ୍ତ କେତେକ ତଥ୍ୟ ପ୍ରତି ଧ୍ୟାନ ଦେଲେ କଲେରା ରୋଗକୁ ରୋକାଯାଇ ପାରିବ ।
ସବୁ ସ୍ଥାନରେ କଲେରା ରୋଗୀ ଉପସ୍ଥିତି ପ୍ରତି ତୀକ୍ଷ୍ନ ଦୃଷ୍ଟି ରଖି ଜନ ସାଧାରଣ, ମିଡିଆ ତଥା ସରକାରୀ କଳ ସରକାରଙ୍କୁ ଜଣେଇବା ଆବଶ୍ୟକ । ଓଡ଼ିଶାରେ ବର୍ଷା ଋତୁରେ କଲେରା ପ୍ରତି ବର୍ଷ ହୁଏ । ମହାମାରୀ ହେବା ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ପ୍ରତିକାର ବ୍ୟବସ୍ଥା କରେ । ସୁତରାଂ କଲେରା ପ୍ରବଣ ଇଲାକାରେ ତୀକ୍ଷ୍ନ ନଜର ରଖିବା ଓ ଖବର ରଖିବା ନିତାନ୍ତ ଆବଶ୍ୟକ, ଯାହାଦ୍ୱାରା ଏହି ରୋଗକୁ ଭୟାବହ ହେବାରୁ ରୋକି ହେବ ।
କଲେରା ରୋଗ ନ ହେବା ନିମନ୍ତେ ଅନେକ ଗୁଡ଼ିଏ ଫଳପ୍ରଦ ଓ ବିପଦମୁକ୍ତ ଟୀକା ଅଛି କିନ୍ତୁ ସେ ଗୁଡ଼ିକ ୧୦୦ % ଉପକାରୀ ନୁହେଁ । ଡୁକୋରାଲ ଟୀକା ପ୍ରଥମ ବର୍ଷ ୫୨ % ଓ ଦ୍ୱିତୀୟ ବର୍ଷ ୬୨% ଫଳପ୍ରଦ ହୁଏ । ଏହା ପାଟିରେ ଦିଆଯାଏ[21] । ଇଞ୍ଜେକସନ ଟୀକା ମଧ୍ୟ ଅଛି । ଟୀକା ଗୁଡ଼ିକ ମୂଖ୍ୟତଃ ପିଲାମାନଙ୍କୁ ଓ ଏଚ.ଆଇ.ଭି. ଥିବା ଲୋକଙ୍କୁ ଦେବା ଉଚିତ ।
ପରିସ୍କାର ଶାଢ଼ୀକୁ ୪ରୁ ୮ ଭାଙ୍ଗ କରି ତାହା ମଧ୍ୟ ଦେଇ ପାଣି ଛାଣିଲେ ଗୋଟିଏ ସାଧାରଣ ଫିଲଟର ଭଳି କାମ କରେ[22], ଏହା ଗରିବ ଲୋକମାନେ ବ୍ୟବହାର କଲେ ଭିବ୍ରିଓ କଲେରୀ ଜୀବାଣୁ ସଂଖ୍ୟା କମିଯିବ[23] । ମାଆମାନେ ମଇଳା ଶାଢ଼ୀ ବ୍ୟବହାର କଲେ ପିଲାଙ୍କୁ ଓଲଟା ରୋଗ ହେବ[24] । ସୁତରାଂ ସାବଧାନ ରହିବା ଦରକାର ।
ଡବ୍ଲ୍ୟୁ.ଏଚ.ଓ. ଉପଦେଶ ଅନୁସାରେ ତରଳ ଝାଡ଼ାର ଯେ କୌଣସି କାରଣ ଥାଉ ପଛେ ବାରମ୍ବାର ଖାଇବାଦ୍ୱାରା ଅନ୍ତ ନଳୀ ରୋଗ ଶୀଘ୍ର ଆରୋଗ୍ୟ ହୁଏ । ଶିଶୁକୁ ଝାଡ଼ା ହେଲେ ସ୍ତନ ପାନ ଚାଲୁ ରଖିବା ଆବଶ୍ୟକ । ବଡ଼ ପିଲା ଓ ବୟସ୍କମାନେ ମଧ୍ୟ ବାରମ୍ବାର ଖାଇବା ଆବଶ୍ୟକ[25] ।
ଓରାଲ ରିହାଇଡ୍ରେସନ ଥେରାପି ଗୋଟିଏ ନିରାପଦ କାର୍ଯ୍ୟକ୍ଷମ ଚିକିତ୍ସା ଯାହା ସହଜରେ କଲେରା ରୋଗୀଙ୍କୁ ଦିଆ ଯାଇପାରେ । ଗ୍ଲୁକୋଜ ଅପେକ୍ଷା ରୋରାଣି ଅଧିକ ଉପକାରୀ । ସାଂଘାତିକ ରୋଗୀଙ୍କୁ ପାଟିରେ ନ ଦେଇ ଶୀରା ବାଟ ଦେଇ ଇଞ୍ଜେକସନଦ୍ୱାରା ଗ୍ଲୁକିଜ ସାଲାଇନ ଓ ରିଙ୍ଗର ଲାକ୍ଟେଟ ଦିଆଯାଏ[26] । ରୋଗ ଭଲ ହେବା ପାର୍ଯ୍ୟନ୍ତ ଏହା ଦିଆଯାଏ । ପ୍ରଥମ ୨ ବା ଚାରି ଘଣ୍ଟା ମଧ୍ୟରେ ଦେହ ଓଜନର ୧୦% ତରଳ ପଦାର୍ଥ ଦିଆଯାଏ । ବାଙ୍ଗଲା ଦେଶ ସ୍ୱାଧୀନତା ସଂଗ୍ରାମରେ ଏହି ଭଳି ଦେଇ ବହୁତ ଉପକାର ମିଳିଥିଲା[27]
।
କିଣା ଔଷଧ ମହଙ୍ଗା ହେଲେ ଘରେ ଏକ ଲିଟର ଫୁଟା ପାଣିରେ ଅଧ ଚାମଚ ଲୁଣ, ଛଅ ଚାମଚ ଚିନି ଓ କଦଳୀ ଚକଟା ମିଶେଇ ଦିଆଯାଇ ପାରେ[28] ।
ରକ୍ତରେ ଏସିଡ ମାତ୍ରା ବଢିଗଲେ ଏସିଡୋସିସ (acidosis) ନାମ ଦିଆଯାଏ, ଏଥିରେ ଉଦ୍ଜାନ ଆୟନ୍ ଅଧିକ ଥାଏ। କଲେରା ଆରମ୍ଭରେ ଏସିଡୋସିସ ଥିବାରୁ ପଟାସିୟମ ମାତ୍ରା ସାଧାରଣ ଥାଏ । ନିର୍ଜଳନ ଅବସ୍ଥାକୁ ସୁଧାରିବାକୁ ତରଳ ପଦାର୍ଥ ଦେବା ପରେ ପଟାସିୟମ ମାତ୍ରା ଦ୍ରୁତ ଗତିରେ କମିବାକୁ ଲାଗେ ।
ଆଣ୍ଟିବାୟୋଟିକ ଦିନେରୁ ତିନି ଦିନ ଦେଲେ ରୋଗ ଭୋଗ ସମୟ କମିଯାଏ ଓ ତାର ଭୟାବହତା କମିଯାଏ । ଏଥି ଯୋଗୁ ତରଳ ପଦାର୍ଥ ଦେବା ଆବଶ୍ୟକତା କମିଯାଏ । ଅନ୍ୟ ପକ୍ଷରେ ଯଥେଷ୍ଟ ତରଳ ପଦାର୍ଥ ଦେଲେ ଆଣ୍ଟିବାୟୋଟିକ ବିନା ରୋଗ ଭଲ ହୋଇଯାଏ । ଡକ୍ସିସାଇକ୍ଲିନ ଏକ ପ୍ରଥମ ଧାଡ଼ି ଚିକିତ୍ସା ଯଦିଓ କେତେକ ଭିବ୍ରିଓ ତାହାକୁ ବାଧା ଦିଅନ୍ତି । ମହାମାରୀ ସମୟରେ ସେନ୍ସିଟିଭିଟି ପରୀକ୍ଷା କଲେ ଭବିଷ୍ୟତରେ କି ଔଷଧ ଦିଆଯିବ ଜଣାପଡ଼ିଯାଏ । ଅନ୍ୟ ଔଷଧମାନଙ୍କ ମଧ୍ୟରେ କଲୋଟ୍ରାଇମୋକ୍ସାଜୋଲ, ଏରିଥ୍ରୋମାଇସିନ, ଟେଟ୍ରାସାଇକ୍ଲିନ, କ୍ଲୋରାମ୍ଫେନିକଲ, ଫ୍ୟୁରାଜୋଲିଡନ ଓ ନରଫ୍ଲୋକ୍ସାସିନ ଦିଆଯାଏ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.