From Wikipedia, the free encyclopedia
ସୌଭାଗ୍ୟ ପକ୍ଷୀ ବା ସାଧାରଣ ସୌଭାଗୀ ପକ୍ଷୀ (ଇଂରାଜୀ ଭାଷାରେ Common Iora, ଜୀବବିଜ୍ଞାନ ନାମ Aegithina tiphia) ଭାରତୀୟ ଉପମହାଦେଶ ଓ ଦକ୍ଷିଣ-ପୂର୍ବ ଏସିଆରେ ଦେଖାଯାଉଥିବା ଏକ କ୍ଷୁଦ୍ରାକୃତି ସୁନ୍ଦର କାକଳିବିଶିଷ୍ଟ ପକ୍ଷୀ । ଭୌଗୋଳିକ ଅବସ୍ଥିତି ସହ ଏମାନଙ୍କ ରଙ୍ଗରେ ବିଭିନ୍ନତା ପରିଲକ୍ଷିତ ହୁଏ ଓ ଏହି ଆଧାରରେ ଅନେକ ପକ୍ଷୀଙ୍କୁ ଉପପ୍ରଜାତି ଭାବେ ଚିହ୍ନଟ କରାଯାଉଛି । ବୁଦାଳିଆ ଓ ଘନ ଜଙ୍ଗଲରେ ବାସ କରୁଥିବା ଏହି ପକ୍ଷୀ ପ୍ରଜାତିକୁ ଏମାନଙ୍କ ଶରୀରର ରଙ୍ଗ ଓ ସୁନ୍ଦର ହୁଇସିଲ୍ ଶବ୍ଦରୁ ସହଜରେ ଠାବ କରିହେବ । ମିଳନ ଋତୁରେ ଅଣ୍ଡିରା ପକ୍ଷୀମାନେ ନିଜ ପରକୁ ଫୁଲାଇ ପ୍ରଦର୍ଶନ କରନ୍ତି ।
ସୌଭାଗ୍ୟ ପକ୍ଷୀ | |
---|---|
ସୌଭାଗ୍ୟ ପକ୍ଷୀ | |
Conservation status | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ଶ୍ରେଣୀ: | ଏଭସ |
Order: | Passeriformes |
Family: | Aegithinidae |
Genus: | Aegithina |
ଜାତି: | A. tiphia |
ବାଇନୋମିଆଲ ନାମ | |
Aegithina tiphia (କାର୍ଲ୍ ଲିନାୟସ୍, ୧୭୫୮) | |
Synonyms | |
ମୋଟେସିଲା ଟିଫିଆ (Motacilla tiphia) ଲିନାୟସ୍, ୧୭୫୮ |
ସୌଭାଗ୍ୟ ପକ୍ଷୀମାନଙ୍କ ଥଣ୍ଟ ମୁନିଆ । ଏହି ପ୍ରଜାତିର ଅଣ୍ଡିରା ଓ ମାଈମାନେ ଦେଖିବାକୁ ଅଲଗା । ଅଣ୍ଡିରାମାନଙ୍କ ଡେଣା ଓ ଲାଞ୍ଜ କଳା ରଙ୍ଗର ହୋଇଥାଏ । ମିଳନ ଋତୁରେ ଅଣ୍ଡିରା ପକ୍ଷୀମାନଙ୍କ ଟୋପି ବା ଚୂଳ ଓ ପିଠି ମଧ୍ୟ କଳା ରଙ୍ଗର ହୋଇଥାଏ । ମାଈମାନଙ୍କ ଡେଣା ସବୁଜ ରଙ୍ଗର ଓ ସେମାନଙ୍କ ଲାଞ୍ଜ ଅଲିଭ୍ ପରି ରଙ୍ଗର ହୋଇଥାଏ । ଉଭୟଙ୍କ ଶରୀରର ନିମ୍ନାଂଶ ଯଥା - ବେକ, ପେଟ ଇତ୍ୟାଦି ହଳଦିଆ ରଙ୍ଗର । ଅଣ୍ଡିରାଙ୍କ ଡେଣାରେ ଧଳା ରଙ୍ଗର ଗାର ରହିଥାଏ ଯାହା ପ୍ରଜନନ ଋତୁରେ ଅଧିକ ସ୍ପଷ୍ଟ ଦେଖାଯାଏ । ପ୍ରଜନନ ଋତୁରେ ଅଣ୍ଡିରାମାନଙ୍କ ପିଠି ପଟର କଳା ଅଂଶରେ ବିଭିନ୍ନତା ଦେଖାଯାଏ ଓ ଏହା “ମାର୍ଶାଲ୍ସ୍ ଆୟୋରା” ନାମକ ଆଉ ଏକ ସୌଭାଗ୍ୟ ପକ୍ଷୀ ପରି ଦେଖାଯିବାରୁ ମନରେ ଭ୍ରମ ସୃଷ୍ଟି ହୋଇପାରେ । ମାର୍ଶାଲ୍ସ ଆୟୋରା ପକ୍ଷୀର ଲାଞ୍ଜର ଅଗଟି ଧଳା ରଙ୍ଗର ଓ ସେଥିରୁ ଦୁଇ ପ୍ରଜାତିକୁ ଠଉରାଇହେବ ।[2] ସୌଭାଗ୍ୟ ପକ୍ଷୀଙ୍କ ଏକ ଉପପ୍ରଜାତି ହିମାଳୟ ଅଞ୍ଚଳରେ ଦେଖାଯାନ୍ତି । ଏହି ଅଞ୍ଚଳର ଉପପ୍ରଜାତିର ଅଣ୍ଡିରା ଓ ମାଈମାନେ ଦେଖିବାକୁ ପ୍ରାୟ ଏକାପରି । ଏଠାକାର ଅଣ୍ଡିରାମାନଙ୍କ ଚୂଳ ମଧ୍ୟ ଅଳ୍ପ କଳା ରଙ୍ଗର । ଉତ୍ତର-ପଶ୍ଚିମ ଭାରତରେ ଦେଖାଯାଉଥିବା ସେପ୍ଟେଣ୍ଟ୍ରିଓନାଲିସ୍ (septentrionalis) ଉପପ୍ରଜାତି ଅନ୍ୟ ଉପପ୍ରଜାତିଙ୍କ ତୁଳନାରେ ଅଧିକ ହଳଦିଆ ରଙ୍ଗର । ପ୍ରଜନନ ଋତୁରେ ଉତ୍ତର ଭାରତର ସମତଳ ଭୂମିରେ ଦେଖାଯାଉଥିବା ହୁମେଇ (humei) ପ୍ରଜାତିର ଅଣ୍ଡିରାମାନଙ୍କ ଚୂଳ କଳା ଓ ଶରୀରର ଉପରାଂଶ ଅଲିଭ୍ ରଙ୍ଗର ହୋଇଥାଏ । ଦକ୍ଷିଣ-ପଶ୍ଚିମ ଭାରତ ଓ ଶ୍ରୀଲଙ୍କାରେ ମଲ୍ଟିକଲର୍ (multicolor) ଉପପ୍ରଜାତି ଦେଖାଯାଏ ଯାହାର ଚୂଳ ଓ ଶରୀରର ଉପରାଂଶ ଅତିଶୟ କଳା ରଙ୍ଗର । ଦକ୍ଷିଣ ଭାରତର ସୌଭାଗ୍ୟ ପକ୍ଷୀମାନେ ହୁମେଇ ଓ ମଲ୍ଟିକଲର୍ ଉପପ୍ରଜାତିର ମିଶାମିଶି ରଙ୍ଗ ବହନ କରିଥାନ୍ତି । ଏମାନଙ୍କ ଶରୀରର ପଶ୍ଚାତ ଭାଗର ନିମ୍ନାଂଶ ପାଉଁଶିଆ ଓ ସବୁଜ ମିଶା ରଙ୍ଗର । ଏମାନଙ୍କୁ ପୂର୍ବେ ଡେଇନାନି (deignani) ଉପପ୍ରଜାତି ବୋଲି କୁହାଯାଉଥିଲା କିନ୍ତୁ ବର୍ତ୍ତମାନ ଏହି ନାମଟି ବ୍ରହ୍ମଦେଶୀୟ ସୌଭାଗ୍ୟ ପକ୍ଷୀ ଉପପ୍ରଜାତି ପାଇଁ ନିର୍ଦ୍ଧାରିତ ହୋଇଛି ।[2][3][4][5]
ଦକ୍ଷିଣ-ପୂର୍ବ ଏସିଆର ଅନ୍ୟ ଉପପ୍ରଜାତିମାନ ହେଲେ - ଦକ୍ଷିଣ ଚୀନ, ଉତ୍ତର ଥାଇଲ୍ୟାଣ୍ଡ ଓ ଲାଓସରେ ଦେଖାଯାଉଥିବା ଫିଲିପି (philipi), ବ୍ରହ୍ମଦେଶରେ ଦେଖାଯାଉଥିବା ଡେଇନାନି (deignani), ଦକ୍ଷିଣ ବ୍ରହ୍ମଦେଶ ଓ ସୁମାତ୍ରା ଦ୍ୱୀପଶୃଙ୍ଖଳରେ ଦେଖାଯାଉଥିବା ହୋରାଇଜୋପ୍ଟେରା (horizoptera), କାମ୍ବୋଡ଼ିଆରେ ଦେଖାଯାଉଥିବା କାମ୍ବୋଡିଆନା (cambodiana), ପଲାୱନ ଓ ଉତ୍ତର ବୋର୍ଣ୍ଣିଓରେ ଦେଖାଯାଉଥିବା ଏକାନିମିସ୍ (aeqanimis), ବୋର୍ଣ୍ଣିଓରେ ଦେଖାଯାଉଥିବା ଭିରିଡିସ୍ (viridis) ଏବଂ ଜାଭା ଓ ବାଲିରେ ଦେଖାଯାଉଥିବା ସ୍କାପ୍ୟୁଲାରିସ୍ (scapularis)।[6][7]
ଛୋଟ ଛୋଟ ଗୋଷ୍ଠୀରେ ସୌଭାଗ୍ୟ ପକ୍ଷୀମାନେ ଗଛ ଡାଳରେ ବସି କୀଟପତଙ୍ଗ ଖୋଜି ଖାଇଥାନ୍ତି । ଏମାନେ ବେଳେବେଳେ ଅନ୍ୟ ପକ୍ଷୀଙ୍କ ଗହଣରେ ବସି ଖାଇବା ମଧ୍ୟ ଦେଖାଯାଏ । ହ୍ୱୀ-ଟୀ.., ଚୁର୍ର୍.., ହ୍ୱିସିଲ୍ ମାରିବା ପରି ଶବ୍ଦ, ଚଟର୍-ଚଟର୍ ହେବା ଆଦି ବିଭିନ୍ନ ପ୍ରକାରର ଶବ୍ଦ ଓ ଗୀତ ସୌଭାଗ୍ୟ ପକ୍ଷୀ ସୃଷ୍ଟି କରିଥାଏ । କଜଳପାତି ପରି ଅନ୍ୟ ଚଢ଼େଇଙ୍କ ରାବକୁ ସୌଭାଗ୍ୟ ପକ୍ଷୀ ଅନୁକରଣ କରିବା ମଧ୍ୟ ଦେଖାଯାଏ ।[8] ବର୍ଷା ଋତୁ ପରେ ମିଳନ ଋତୁ ସମୟରେ ଅଣ୍ଡିରା ସୌଭାଗ୍ୟ ପକ୍ଷୀମାନେ ନିଜ ଦେହର ପର ଫୁଲାଇ, ଆକାଶରେ ଉଠିଯାଇ ଓ ତଳକୁ କୁଣ୍ଡଳାକାର ପଥରେ ତଳକୁ ଖସି ପ୍ରଦର୍ଶନ କରନ୍ତି ଓ ମାଈମାନଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରନ୍ତି । ପ୍ରଦର୍ଶନ ସାରି ତଳକୁ ଓହ୍ଲାଇବା ପରେ ଅଣ୍ଡିରା ପକ୍ଷୀ ନିଜର ଲାଞ୍ଜର ପର ପ୍ରସାରଣ କରି ଡେଣା ବନ୍ଦ କରିଦିଏ ।[3] ଗଛ ଡାଳରେ ଥିବା ବସାରେ ମାଈ ପକ୍ଷୀ ୨-୪ଟି ସବୁଜ ମିଶା ଧଳା ରଙ୍ଗର ଅଣ୍ଡା ଦେଇଥାଏ । ଉଭୟ ମାଈ ଓ ଅଣ୍ଡିରା ପକ୍ଷୀ ଅଣ୍ଡା ଉଷୁମାଇଥାନ୍ତି ।[9] ୧୪ ଦିନରେ ଅଣ୍ଡା ଫୁଟି ସେଥିରୁ ଛୁଆ ବାହାରନ୍ତି । କାଉ, କୁମ୍ଭାଟୁଆ, ସାପ ଓ ଏଣ୍ଡୁଅ ପରି ଜୀବମାନେ ଏମାନଙ୍କ ଅଣ୍ଡା ଖାଇଦେବା ଦେଖାଯାଇଛି ।[10] କିଛି କୋଇଲି ପ୍ରଜାତିର ପକ୍ଷୀ ଏମାନଙ୍କ ବସାରେ ଅଣ୍ଡା ଦେଇ ଚାଲିଯିବା ମଧ୍ୟ ଦେଖାଯାଏ ।[11]
ସୌଭାଗ୍ୟ ପକ୍ଷୀମାନେ ବର୍ଷକୁ ଦୁଇଥର ପରଝଡ଼ା ଦେଇ ନୂଆ ପର ଧାରଣ କରନ୍ତି । ଏହି କାରଣରୁ ପରର ରଙ୍ଗକୁ ଆଧାର କରି ଏମାନଙ୍କ ଉପପ୍ରଜାତି ଚିହ୍ନଟ କରିବା ବା ଏମାନଙ୍କ ବର୍ଗୀକରଣ କରିବା ତ୍ରୁଟିପୂର୍ଣ୍ଣ ହୋଇପାରେ ।[11]
ଗୋଆରୁ ମିଳିଥିବା ଏକ ସୌଭାଗ୍ୟ ପକ୍ଷୀ ନମୁନାକୁ ହେମୋପ୍ରୋଟିୟସ୍ (Haemoproteus) ପ୍ରଜାତି H. aethiginae ବୋଲି ବର୍ଣ୍ଣନା କରାଯାଇଛି ।[12]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.