From Wikipedia, the free encyclopedia
ଲାଉଡଙ୍କିଆ ସାପ (ଈଂରାଜୀରେ Green Vine Snake ଓ ଜୀବବିଜ୍ଞାନ ନାମ Ahaetulla nasuta) ଦେଖିବାକୁ ଅତ୍ୟନ୍ତ ପତଳା ଓ ସବୁଜ ରଙ୍ଗର । ଏହି ସାପ ସାଧାରଣତଃ ଗଛ, ଲତାରେ ବାସ କରେ ଓ ନିଜର ଛଳାବରଣ ଯୋଗୁଁ ଅତି ସହଜରେ ପରିଦୃଷ୍ଟ ହୁଏନାହିଁ । ଏହି ସାପର ଆଉ ଏକ ଈଂରାଜୀ ନାମ ହେଉଛି long-nosed whip snake (ଗୋଜିଆମୁହାଁ ବେତ ସାପ)। ଓଡ଼ିଶାରେ କେହି କେହି ଏହାକୁ କାଣ୍ଡ ନାଗ ବୋଲି ମଧ୍ୟ କୁହନ୍ତି । ଭାରତ, ଶ୍ରୀଲଙ୍କା, ବଙ୍ଗଳାଦେଶ, ବ୍ରହ୍ମଦେଶ, ଥାଇଲ୍ୟାଣ୍ଡ, କ୍ୟାମ୍ବୋଡ଼ିଆ ଓ ଭିଏତ୍ନାମ ଆଦି ଦେଶରେ ଏହି ପ୍ରଜାତିର ସାପ ବହୁ ସଂଖ୍ୟାରେ ଦେଖିବାକୁ ମିଳନ୍ତି ।
ଲାଉଡଙ୍କିଆ ସାପ ବା କାଣ୍ଡ ନାଗ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଶ୍ରେଣୀ: | ରେପ୍ଟିଲିଆ |
Order: | Squamata |
Suborder: | Serpentes |
Family: | Colubridae |
Genus: | Ahaetulla |
ଜାତି: | A. nasuta |
ବାଇନୋମିଆଲ ନାମ | |
Ahaetulla nasuta (ଲାସେପିଡ୍, ୧୭୮୯) | |
Synonyms | |
Dryophis nasuta |
କେନ୍ଦ୍ରୀୟ ଓ ଦକ୍ଷିଣ ଆମେରିକାରେ ପରିଲକ୍ଷିତ ହେଉଥିବା ଲାଉଡଙ୍କିଆ ସାପ ଏହାଠାରୁ ଭିନ୍ନ ପ୍ରଜାତିର । ସେହି ସାପକୁ ମଧ୍ୟ ଈଂରାଜୀରେ "green vine snake" କୁହାଯାଏ କିନ୍ତୁ ତାହାର ଜୀବବିଜ୍ଞାନ ନାମଟି ହେଲା Oxybelis fulgidus ।
ଓଡ଼ିଶାରେ ଲାଉଡଙ୍କିଆ ସାପର ଏକ ଅନ୍ୟ ଉପ-ପ୍ରଜାତି ମଧ୍ୟ ଦେଖାଯିବା ବିଷୟ ପ୍ରକାଶ ପାଇଛି ଯାହାକୁ ବିଚିତ୍ର ଲାଉଡଙ୍କିଆ ସାପ ବୋଲି ସ୍ଥାନୀୟ ଲୋକେ କୁହନ୍ତି । ଏହି ଉପପ୍ରଜାତିର ମାଈମାନେ ମାଟିଆ ଓ ଅଣ୍ଡିରାମାନେ ସାଗୁଆ ରଙ୍ଗର ହୋଇଥାନ୍ତି । ଏହି ସାପର ମୁଣ୍ଡରେ ଏକ ଛୋଟ ମଣ୍ଡଳାକାର ଚିହ୍ନ ରହିଥାଏ । [1] ଏହି ଉପପ୍ରଜାତିକୁ Ahaetulla nasuta anomala ବା Ahaetulla anomala ବୋଲି ମଧ୍ୟ କୁହାଯାଇଥାଏ ।
ଲାଉଡଙ୍କିଆ ସାପ ଦିବାଚର ଓ ଅଳ୍ପ ବିଷଯୁକ୍ତ । ଏହି ସାପ ମୁଖ୍ୟତଃ ବେଙ୍ଗ, ଝିଟିପିଟି ଓ ଏଣ୍ଡୁଅ ପରି ଜୀବଙ୍କୁ ଆହାର ଭାବରେ ଗ୍ରହଣ କରେ । ଏହି ସାପର ଦୃଷ୍ଟିଶକ୍ତି ଏକ ଦୂରବିକ୍ଷଣ ଯନ୍ତ୍ର ପରି । ଅନ୍ୟ ସାପମାନଙ୍କ ସହିତ ତୁଳନା କଲେ ଏମାନେ ଖୁବ୍ ମନ୍ଥର । ତେବେ ବୁଦା, ବାଡ଼ ଓ ଗଛଡାଳରେ ଏମାନଙ୍କ ଛଳାବରଣ ଧରିବା ପ୍ରାୟ ଅସମ୍ଭବ । ଶିକାର ସମୟରେ ବେଗ ନୁହଁ ବରଂ ଏହି ଛଳାବରଣ ହିଁ ଏମାନଙ୍କ ମୁଖ୍ୟ ଅସ୍ତ୍ର । ରାଗିଗଲେ ବା ସତର୍କ ହୋଇଗଲେ ଏହି ସାପ ନିଜ ଶରୀରକୁ ଟିକିଏ ପ୍ରସାରିତ କରିଦିଏ ବା ଫୁଲାଇ ଦିଏ । ସେହି ସମୟରେ ଏହା ଶରୀରରେ ରହିଥିବା ଧଳା ଟୋପ ଟୋପ କାତି ବା ଦାଗ ସ୍ପଷ୍ଟ ଭାବେ ଦିଶେ । ବିପଦ ବା ଶତ୍ରୁ ଦିଗକୁ ଚାହିଁ ଏହି ସାପ ନିଜ ପାଟିକୁ ପୁରା ପୁରି ଖୋଲି ବଡ଼ ଆଁ କରି ତାହାକୁ ଡରାଇବାକୁ ଚେଷ୍ଟା କରେ ।
ଲାଉଡଙ୍କିଆ ସାପର ସିଂହଳୀ ନାମ ଅହୈତୁଲା ଶବ୍ଦର ଅର୍ଥ ହେଲା "ଆଖି ଖୋଳି ବା ତାଡ଼ି ନେବା ଲୋକ" । ତାମିଲ୍ ଓ ଅନ୍ୟ କିଛି ଭାରତୀୟ ଭାଷାରେ ମଧ୍ୟ ଏହି ସାପର ନାମ ସମାନ ଅର୍ଥସୂଚକ । ଡାଳରେ ଲୁଚିଥିବା ଲାଉଡଙ୍କିଆ ସାପ ନିକଟକୁ ହାତ ନେଲେ ବା ଧରିବାକୁ ଚେଷ୍ଟା କଲେ ସେ ଦନାଇ ଚାହିଁ ରହିଥାଏ ଏବଂ ଆଖିକୁ ଡେଇଁ କାମୁଡ଼ିବାକୁ ଚେଷ୍ଟା କରେ ବୋଲି ଏପରି ନାମକରଣ ହୋଇଛି ।[2] ଅନେକ ମଣିଷ ଏହି ସାପର କାମୁଡ଼ା ଯୋଗୁଁ ନିଜ ଦୃଷ୍ଟିଶକ୍ତି ହରାଇଥିବାର ନଜୀର ରହିଛି ।
ଲାଉଡଙ୍କିଆ ସାପର ଶାବକ ନିଜ ମା'ର ଦେହ ଭିତରେ ବଢ଼ିଥାଏ ଓ ତା'ପରେ ମା' ତାହାକୁ ଜନ୍ମ ଦିଏ । ଅନ୍ୟ ସାପମାନେ ମା' ଦେଇଥିବା ଅଣ୍ଡାରୁ ଫୁଟି ଜନ୍ମ ହୋଇଥାନ୍ତି । ଲାଉଡଙ୍କିଆ ସାପର ଅଣ୍ଡା ପ୍ରକୋଷ୍ଠରେ ଅଣ୍ଡା ଫୁଟି ସାପ ଜନ୍ମ ନିଏ ଓ ମା'ର ପେଟ ଭିତରେ ବଢ଼ୁଥାଏ । ଲାଉଡଙ୍କିଆ ସାପ ନିଜର ଗର୍ଭଧାରଣକୁ ବହୁ ସମୟ ପର୍ଯ୍ୟନ୍ତ ବିଳମ୍ବ କରାଇପାରେ । ଲଣ୍ଡନ ଚିଡ଼ିଆଖାନାରେ ଥିବା ଏକ ମାଈ ଲାଉଡଙ୍କିଆ ସାପକୁ ମିଳନ ପରେ ୧୮୮୫ ଅଗଷ୍ଟ ମାସରେ ଅଲଗା ଏକାକୀ ଭାବେ ରଖାଯାଇଥିଲା ଓ ଏହି ସାପଟି ୧୮୮୮ ମସିହା ଅଗଷ୍ଟ ମାସରେ ନିଜ ଶାବକକୁ ଜନ୍ମ ଦେଇଥିଲା ।[3]
୧୮୯୦ ମସିହାରେ ପ୍ରକାଶିତ ବୌଲେଂଗର୍ଙ୍କ ଲେଖାରେ ନିମ୍ନ ବିବରଣୀ ପ୍ରଦତ୍ତ ହୋଇଛି:[4] ମୁହଁ ଗୋଜିଆ ଓ ଛୋଟ ଥଣ୍ଟ ପରି । ଏହି ଥଣ୍ଟଟି ଏହାର ଆଖିଠାରୁ ମଧ୍ୟ ଛୋଟ ଓ ଗୋଟିଏ ରୋଷ୍ଟ୍ରାଲ୍ (rostral)ଦ୍ୱାରା ଗଠିତ । ଥଣ୍ଟ ବିନା ମୁହଁର ଗୋଜିଆ ଅଂଶର ଲମ୍ବ ଆଖିର ବ୍ୟାସର ଦୁଇଗୁଣ ପାଖାପାଖି ହେବ । ନାକ ଓ ଆଖି ମଧ୍ୟରେ କୌଣସି କାତି ନଥାଏ । ନାକପୁଡ଼ା ମଧ୍ୟବର୍ତ୍ତୀ ଓ ପ୍ରାକ୍ସମ୍ମୁଖ କାତି ପାଟିର କାତି ସହିତ ସଂଲଗ୍ନ । ଆଖିର ଆଗ ପଟକୁ ୨ଟି ଓ ପଛ ପଟକୁ ୨ଟି କାତି ରହିଥାଏ । କର୍ଣ୍ଣମୂଳ କାତି ସଂଖ୍ୟା ୧+୨ ବା ୨+୨ ହୋଇଥାଏ । ଉପର ପାଟିରେ ୮ଟି କାତି ଯାହାର ପଞ୍ଚମଟି ଉପରେ ଆଖି ରହିଥାଏ । ତଳ ପାଟିରେ ୪ଟି କାତି ରହିଥାଏ । କାତିମାନଙ୍କର ୧୫ଟି ପଂକ୍ତି ଦେଖିବାକୁ ମିଳିଥାଏ । ଏମାନଙ୍କ ଦୈର୍ଘ୍ୟ ପ୍ରାୟ ୫ ଫୁଟ୍ ପର୍ଯ୍ୟନ୍ତ ଯେଉଁଥିରୁ ଲାଞ୍ଟି ପ୍ରାୟ ୨ ଫୁଟ୍ ଲମ୍ବା ।
ଲାଉଡଙ୍କିଆ ସାପର ବିଷ କେଉଁ କେଉଁ ରସାୟନିକ ପଦାର୍ଥରେ ଗଢ଼ା ତାହା ଅଜଣା । ଏହି ସାପର ବିଷ ଅତ୍ୟନ୍ତ ଶକ୍ତିଶାଳୀ ନୁହେଁ । କିନ୍ତୁ ଏହାର ବିଷ ପ୍ରଭାବରେ ଶରୀରର ଅଙ୍ଗ ଫୁଲିଯିବା, ଶୁଳେଇ ହେବା, ଅଙ୍ଗଟି ନିଷ୍ଚେତ ହୋଇଯିବା ଇତ୍ୟାଦି ପ୍ରକାରର କ୍ଷଣସ୍ଥାୟୀ ପ୍ରଭାବ ବା ପ୍ରତିକ୍ରିୟା ଦେଖାଦେଇପାରେ । ଏହି ସାପ କାମୁଡ଼ାର ପ୍ରଭାବ ୨-୩ ଦିନ ମଧ୍ୟରେ କମିଯିବା ଦେଖାଯାଇଛି । ଯଦି ମୁଣ୍ଡ, ଆଖି ବା ଅନ୍ୟ କୌଣସି ଅତ୍ୟନ୍ତ ଜରୁରୀ ଅଙ୍ଗ ଆଖାପାଖି ଏହି ସାପ କାମୁଡ଼ିଲେ ତାହା ମରଣାନ୍ତକ ହୋଇପାରେ ଓ ଦରକାର ପଡ଼ିଲେ କଟାଯିବା ମଧ୍ୟ ଆବଶ୍ୟକ ହୋଇପଡ଼େ । ତେଣୁ ଯେ କୌଣସି ସ୍ଥାନରେ ସାପ କାମୁଡ଼ିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ । [5][6]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.