ଜଣ୍ଡିସ୍
From Wikipedia, the free encyclopedia
ଜଣ୍ଡିସ୍ ବା କାମଳ (ଇଂରାଜୀ ଭାଷାରେ Jaundice, ଅନ୍ୟ ଇଂରାଜୀ ନାମ icterus[1]) ରୋଗରେ ଚର୍ମ ଓ ଚକ୍ଷୁର ଶ୍ୱେତପଟଳରେ (whites of the eyes) ହଳଦିଆ ବା ଶାଗୁଆ ବର୍ଣ୍ଣକଣା ଜମାହୋଇଯାଏ; ରକ୍ତରେ ଅଧିକ ବିଲିରୁବିନ (high bilirubin levels) ସ୍ତର ରହିବା ଯୋଗୁ ଏହି ପରିବର୍ତ୍ତନ ହୁଏ ।[2][3] ଏହି ରୋଗରେ ସାଧାରଣତଃ ଗଲୁ ହୁଏ । [4] ମଳ (feces) ଫିକା ଓ ପରିସ୍ରା ଗାଢ଼ ଦେଖାଯାଏ ।[5] ଅର୍ଦ୍ଧେକ ନବଜାତ ଶିଶୁଙ୍କ ଜନ୍ମର ପ୍ରଥମ ସପ୍ତାହରେ ନବଜାତ କାମଳ (Jaundice in babies) ରୋଗ ହୁଏ କିନ୍ତୁ ଅଧିକାଂଶ କେଶ୍ରେ ଏହା ଏକ ସମସ୍ୟା ନୁହେଁ ।[2][3] ବିଲିରୁବିନ ସ୍ତର ଅତି ଅଧିକ ଓ ବହୁତ ସମୟ ଧରି ରହିଲେ ମସ୍ତିଷ୍କ କ୍ଷତିଗ୍ରସ୍ତ ହୋଇପାରେ ଯାହାକୁ କେର୍ନିକ୍ଟେରସ (kernicterus) କୁହାଯାଏ ।[6]
କାମଳର ବିଭିନ୍ନ କାରଣମାନ ଅଣସାଂଘାତିକରୁ ସମ୍ଭାବ୍ୟ ଘାତକ ହୋଇପାରନ୍ତି ।[7] ସାଧାରଣତଃ ରକ୍ତର ବିଲିରୁବିନ ସ୍ତର ୧ମିଗ୍ରା (୧୭ମା:ମୋ:)/ଡେ:ଲି:ରୁ କମ୍ ଥାଏ; ଓ ଏହି ସ୍ତର ୨-୩ମିଗ୍ରା/ଡେ:ଲି: (୩୪-୫୧ ମା:ମୋଲ/ଲି)ରୁ ଅଧିକ ହେଲେ ଜଣ୍ଡିସ୍ ହୁଏ ।[8][5] ବିଲିରୁବିନ ଦୁଇ ପ୍ରକାର ଥାଏ; କଞ୍ଜୁଗେଟେଡ (ପ୍ରତ୍ୟକ୍ଷ) ଓ ଅନ୍କଞ୍ଜୁଗେଟେଡ (ପରୋକ୍ଷ) ବିଲିରୁବିନ ।[9] ପରିସ୍ରାରେ ବିଲିରୁବିନ ମିଳିଲେ କଞ୍ଜୁଗେଟେଡ ବିଲିରୁବିନ ଥିବା ନିଶ୍ଚିତ ହୋଇଯାଏ ।[10] କାମଳ ବ୍ୟତୀତ ଚର୍ମ ହଳଦିଆ କରୁଥିବା ଅନ୍ୟାନ୍ୟ କାରଣ: ବହୁତ ପରିମାଣର କାରୋଟିନ ଜାତୀୟ ଖାଦ୍ୟ (certain foods) ଖାଇ କାରୋଟିନେମିଆ (carotenemia) ହେଲେ ଓ ରିଫାମ୍ପିସିନ ଔଷଧ ଖାଇଲେ ହୁଏ ।[5]
ଅଧିକ ଅନକଞ୍ଜୁଗେଟେଡ ବିଲିରୁବିନ ହେବାର କାରଣ: ହେମୋଲାଇଟିକ ଆନିମିଆ (excess red blood cell breakdown), ବିରାଟ ଅଧଃକ୍ଷତ (large bruise), ଗିଲବର୍ଟ୍ସ ସିଣ୍ଡ୍ରୋମ (Gilbert's syndrome), ଅନେକ ଦିନର ଉପବାସ, ନବଜାତ କାମଳ ବା ଥାଇରଏଡ ସମସ୍ୟା (thyroid problems) ।[5][7] ଅଧିକ କଞ୍ଜୁଗେଟେଡ ବିଲିରୁବିନ ହେବାର କାରଣ: ସିରୋସିସ୍ ବା ହେପାଟାଇଟିସ (hepatitis), ସଂକ୍ରମଣ, ଔଷଧ (medication), ଓ ପିତ୍ତନଳୀ ଅବରୋଧ (blockage of the bile duct) ।[5] ବିକଶିତ ଦେଶମାନଙ୍କରେ ଏହା ପିତ୍ତନଳୀ ଅବରୋଧ ବା ଔଷଧ ଯୋଗୁ ହେଉଥିବା ବେଳେ ବିକାଶଶୀଳ ଦେଶମାନଙ୍କରେ ଏହା ଭୁତାଣୁ ହେପାଟାଇଟିସ (viral hepatitis), ଲେପ୍ଟୋସ୍ପାଇରୋସିସ (leptospirosis), ସଂକ୍ରମଣ, ସିସ୍ଟୋସୋମିଆସିସ ବା ମ୍ୟାଲେରିଆ ଯୋଗୁ ହୁଏ ।[5] ପିତ୍ତାସ୍ମରୀ, କର୍କଟ ରୋଗ, ବା ଅଗ୍ନାଶୟ ପ୍ରଦାହ ଯୋଗୁ ପିତ୍ତନଳୀ ଅବରୋଧ ହୁଏ ।[5] ପିତ୍ତନଳୀ ଅବରୋଧ ଚିହ୍ମଟ କରିବା ନିମନ୍ତେ ଅଲଟ୍ରାସାଉଣ୍ଡ (ultrasound) ଭଳି ମେଡିକାଲ ଇମେଜିଙ୍ଗ (Medical imaging) ଉପକାରୀ ହୁଏ ।[10]
କାମଳ ରୋଗର ଚିକିତ୍ସା ତାହାର କାରଣ ଉପରେ ନିର୍ଭର କରେ ।[11] ପିତ୍ତନଳୀ ଅବରୋଧ ହୋଇଥିଲେ ଅପରେଶନ (surgery) କରାଯାଏ ଅନ୍ୟଥା ମେଡିକାଲ ଚିକିତ୍ସା କରାଯାଏ ।[11] କୌଣସି ଔଷଧ ଯୋଗୁ ହେଉଥିଲେ ତାହା ବନ୍ଦ କରାଯାଏ, ସଂକ୍ରାମକ କାରଣ ହୋଇଥିଲେ ଉପଯୁକ୍ତ ଚିକିତ୍ସା କରାଯାଏ ।[11] ନବଜାତଙ୍କ ମଧ୍ୟରେ ବୟସ ଓ ଅପରିପକ୍ୱତା (prematurity) ଥିଲେ, ବିଲିରୁବିନ ମାତ୍ରା ୪-୨୧ ମିଗ୍ରା/ଡେ:ଲି (୬୮-୩୬୦ ମାମୋଲ/ଲି)ରୁ ଅଧିକ ଥିଲେ ଫୋଟୋଥେରାପି (phototherapy) ବା ବିନିମୟ ରକ୍ତସଞ୍ଚାର (exchanged transfusion) କରାଯାଏ ।[8] ଗଲୁ ହେଉଥିଲେ ପିତ୍ତକୋଷରୁ ପିତ୍ତ ନିସ୍କାଷନ କରାଯାଏ ବା ଉର୍ସୋଡିଓଲ (ursodeoxycholic acid) ଔଷଧ ଦିଆଯାଏ ।[4] ଜଣ୍ଡିସ ଶବ୍ଦଟି ଫରାସୀ ଶବ୍ଦ jaunisseରୁ ନିଆଯାଇଛି ଯାହାର ଅର୍ଥ ହଳଦିଆ ରୋଗ ।[12]