From Wikipedia, the free encyclopedia
କର୍ଣ୍ଣ ମହାଭାରତର ଜଣେ ଚରିତ୍ର ।
କୁନ୍ତୀ କୁମାରୀ ଥିବା ଅବସ୍ଥାରେ ସୂର୍ଯ୍ୟଙ୍କ ଔରସରେ ନିଜ କର୍ଣ୍ଣ (କାନ) ବାଟେ କର୍ଣ୍ଣଙ୍କୁ ଜନ୍ମ ଦେଇଥିବାରୁ ତାଙ୍କର ଏପରି ନାମକରଣ କରାଯାଇଥିଲା । ମହାଭାରତର ଅନ୍ୟତମ ଶ୍ରେଷ୍ଠ ଯୋଦ୍ଧା; ମହାଦାନୀ ଭାବରେ ସୁପରିଚିତ କର୍ଣ୍ଣଙ୍କ ବାଲ୍ୟାବସ୍ଥାର ନାମ ଥିଲା ବସୁଷେଣ ।
ଦିବ୍ୟକବଚ ଓ କୁଣ୍ଡଳ ଥିଲା ଜନ୍ମଜାତ । କୁଣ୍ଡଳ ଓ କବଚ ହେତୁ ମୃତ୍ୟୁ ତାଙ୍କୁ ସ୍ପର୍ଶ କରିବା କଠିନ ଥିଲା । କର୍ଣ୍ଣଙ୍କ ଭଳି ମୃତ୍ୟୁଞ୍ଜୟୀ ଯୋଦ୍ଧା କୌରବଙ୍କ ସପକ୍ଷରେ ଥିବାରୁ ପାଣ୍ଡବମାନଙ୍କର ଚିନ୍ତା ବଢ଼ି ଯାଇଥିଲା । ଧର୍ମରାଜ ଯୁଧିଷ୍ଠିର ଇନ୍ଦ୍ରଙ୍କୁ ଆପଣା ଚିନ୍ତା ସମ୍ପର୍କରେ ଜଣାଇଲେ । ଇନ୍ଦ୍ର ଆଶ୍ୱାସନା ଦେଇ ନିଶ୍ଚିତ ରହିବାକୁ ଉପଦେଶ ଦେଲେ । ଆସନ୍ନ ଯୁଦ୍ଧର ପରିଣାମ ସମ୍ପର୍କରେ ଅନେକ ବେଳଯାଏ ଭାବିଭାବି ଶୋଇପଡ଼ିଥାନ୍ତି କର୍ଣ୍ଣ । ହଠାତ୍ ରାତିରେ ଏକ ସ୍ୱପ୍ନ ଦେଖିଲେ- ଜଣେ ତେଜୋଦୀପ୍ତ ବ୍ରାହ୍ମଣ ତାଙ୍କ ସମ୍ମୁଖରେ ଉଭା ହୋଇ କହୁଛନ୍ତି "ବସୁଷେଣ! ମୁଁ ତୁମଠାରୁ ଏକ ସତ୍ୟବଚନ ଚାହୁଁଛି । ତୁମେ ମୋତେ କଥା ଦିଅ, ଯଦି କୌଣସି ବ୍ରାହ୍ମଣ ତୁମକୁ କବଚକୁଣ୍ଡଳ ମାଗନ୍ତି ତା'ହେଲେ ତାଙ୍କୁ ମନା କରିଦେବ ।' ଶ୍ରେଷ୍ଠଦାନୀ କର୍ଣ୍ଣଙ୍କ ଉତ୍ତର ଥିଲା- "କାହିଁକି? ଯାହା ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ ଏବେ ତାହା ସମ୍ଭବ ହେବ କିପରି? ଜଣେ ବ୍ରାହ୍ମଣ ମୋତେ ଦାନ ମାଗିବେ, ଆଉ ମୁଁ ତାହା, ଅସ୍ୱୀକାର କରିବି? ନା, ଏହା କେବେ ସମ୍ଭବ ନୁହେଁ, ପ୍ରାଣ ଚାଲିଗଲେ ମଧ୍ୟ ।' ସ୍ୱପ୍ନରେ ବ୍ରାହ୍ମଣ କହିଲେ- "ପୁତ୍ର! ମୁଁ ତୁମର ପିତା ସୂର୍ଯ୍ୟଦେବ । ଦେବରାଜ ଇନ୍ଦ୍ର ପାଣ୍ଡବମାନଙ୍କର ସୁରକ୍ଷା ନିମନ୍ତେ ଛଦ୍ମବେଶ ଧାରଣ କରି ତୁମ ନିକଟକୁ ଆସିବେ । କବଚକୁଣ୍ଡଳ ନେଇ ତୁମକୁ ସମ୍ପୂର୍ଣ୍ଣ ଶକ୍ତିହୀନ କରିବାକୁ ଚାହୁଁଛନ୍ତି, ମୋର କଥା ମାନ ବସୁଷେଣ ।' ନମ୍ରତା ସହକାରେ କର୍ଣ୍ଣ କହିଲେ- ଇନ୍ଦ୍ର ହୁଅନ୍ତୁ ଅଥବା ଯେ କେହି ଆସନ୍ତୁ ମୋ ନିକଟକୁ କେହି ମାଗିବା ଉଦେ୍ଧଶ୍ୟରେ ଆସିଲେ ପ୍ରାଣଭୟରେ ତାଙ୍କୁ ନିରାଶ କରିବା, ଦାନ ଦେବାକୁ କୁଣ୍ଠିତ ହେବାଭଳି ନିନ୍ଦନୀୟ କାର୍ଯ୍ୟ ମୁଁ କରିପାରିବି ନାହିଁ କେବେ, ଏହା କଲେ ମୋର ନାମରେ କଳଙ୍କ ଲାଗିଯିବ । ଏହଶୁଣି ହାର ମାନିଥିଲେ ସୂର୍ଯ୍ୟଦେବ । ଠିକ୍ ଏହାର ପରଦିନ ହଠାତ୍ କାନରେ ବାଜିଲା- "ଭିକ୍ଷାଂ ଦେହି, ଭବତ୍ ଭିକ୍ଷାଂ ଦେହି', ମୁହଁ ଫେରାଇ ଚାହିଁଲେ କର୍ଣ୍ଣ, ଜଣେ ଅତି ଦୀନ ଅଥଚ ସୁଦର୍ଶନ ବ୍ରାହ୍ମଣ ଦଣ୍ଡାୟମାନ ଥିଲେ ସମ୍ମୁଖରେ । କର୍ଣ୍ଣଙ୍କ ଆତିଥ୍ୟ ସ୍ୱୀକାର କରି କହିଥିଲେ- "କିଛି ମାଗିବାକୁ ଆସିଛି । ଯଦି ସତ୍ୟ କରିବ ତା' ହେଲେ ଅବଶ୍ୟ ମାଗିବି ।' କର୍ଣ୍ଣଙ୍କ ଉତ୍ତର ଥିଲା- "ବସୁଷେଣ ଜୀବନରେ କୌଣସି ଭିକ୍ଷୁଙ୍କୁ ନିରାଶ କରିନାହିଁ । ଆପଣ ଯାହା ଇଚ୍ଛା ମାଗିପାରନ୍ତି ।' ବେଶ କୌଶଳରେ ବ୍ରାହ୍ମଣ କର୍ଣ୍ଣଙ୍କୁ ଏଭଳି ଦାନ ମାଗିଥିଲେ ଯାହା ଥିଲା ଜଣେ ବୀରର ଶ୍ରେଷ୍ଠ ଭୂଷଣ, ଜଣେ ଦୁର୍ଜୟ ଯୋଦ୍ଧାଙ୍କୁ ପ୍ରତିହତ କରିବାପାଇଁ ପର୍ଯ୍ୟାପ୍ତ-ଶରୀରରେ ଥିବା କବଚ ଓ କୁଣ୍ଡଳ । ତରବାରୀ ସାହାଯ୍ୟରେ ନିଜ ଶରୀର କ୍ଷତାକ୍ତ କରି କବଚ ଓ କୁଣ୍ଡଳ ଦେଇଥିଲେ ବ୍ରାହ୍ମଣଙ୍କୁ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.