From Wikipedia, the free encyclopedia
ପାକସ୍ଥଳୀ ଘାଆ ବା ପିୟୁଡି, (ଇଂରାଜୀରେ Peptic ulcer disease or PUD, peptic ulcer or stomach ulcer), କହିଲେ ପାକସ୍ଥଳୀ ବା ଅନ୍ତନଳୀର ପ୍ରଥମ ଭାଗ ବା ଏସୋଫେଗସର ନିମ୍ନ ଭାଗର ଅନ୍ତଃସ୍ତରରେ ହେଉଥିବା ଘାଆକୁ ବୁଝାଏ ।[1][2] ପାକସ୍ଥଳୀର ଘାଆକୁ ଗ୍ୟାସ୍ଟ୍ରିକ ଅଲ୍ସର, ଅନ୍ତନଳୀର ପ୍ରଥମ ଭାଗରେ ହେଉଥିବା ଘାଆକୁ ଡୁଓଡେନାଲ ଅଲ୍ସର କୁହାଯାଏ । ଏହାର ସବୁଠାରୁ ସାଧାରଣ ଲକ୍ଷଣ ହେଲା ପେଟର ଉପର ମଝି ଭାଗରେ ଯନ୍ତ୍ରଣା ହେତୁ ନିଦ୍ରାଭଙ୍ଗ ହୁଏ ଓ ଏହି ଯନ୍ତ୍ରଣା କିଛି ଖାଦ୍ୟ ଖାଇଲେ ଉପଶମ ହୁଏ । ଏହି ଯନ୍ତ୍ରଣାକୁ ରୋଗୀ 'ପୋଡ଼ାଜଳା' ବା 'ସାମାନ୍ୟ କଷ୍ଟ' ହେଉଛି ବୋଲି ବର୍ଣ୍ଣନା କରେ । ଢ଼କାର ମାରିବା, ବାନ୍ତି ହେବା, ଓଜନ ହ୍ରାସ ଓ ଅରୁଚି ଇତ୍ୟାଦି ଏହି ରୋଗର ଅନ୍ୟାନ୍ୟ ଲକ୍ଷଣ । ବୟସ ବୃଦ୍ଧି ହୋଇଥିବା ଲୋକଙ୍କ ମଧ୍ୟରୁ ଏକ ତୃତୀୟାଂଶ ଲୋକଙ୍କର କୌଣସି ଲକ୍ଷଣ ନ ଥାଏ ।[1] ଏହି ରୋଗ ଜଟିଳ ହେଲେ ପାକସ୍ଥଳୀ-ଅନ୍ତନଳୀରୁ ରକ୍ତସ୍ରାବ, ପାକସ୍ଥଳୀ-ଅନ୍ତନଳୀରେ ଛିଦ୍ର ଓ ପାକସ୍ଥଳୀ ସଙ୍କୋଚନ ହେତୁ ଖାଦ୍ୟର ଅଗ୍ରଗତି ବାଧାପ୍ରାପ୍ତ ହୁଏ । ଏହି ରୋଗୀଙ୍କ ମଧ୍ୟରୁ ୧୫ % ଲୋକଙ୍କର ରକ୍ତସ୍ରାବ ହୁଏ ।[3]
ଏହି ରୋଗର ମୂଖ୍ୟ କାରଣ ହେଉଛି ହେଲିକୋବ୍ୟାକ୍ଟର ପାଇଲୋରି ଜୀବାଣୁ ଓ ସ୍ଟିରଏଡ ବିହୀନ ଆଣ୍ଟିଇନଫ୍ଲାମେଟରି ଔଷଧ (ଏନ.ଏସ.ଆଇ.ଡି.)[1] ଅନ୍ୟାନ୍ୟ ସାଧାରଣ କାରଣ ମଧ୍ୟରେ ଧୂମ୍ରପାନ। ସାଂଘାତିକ ରୋଗର ଚାପ, ବେସେଟ ରୋଗ (Behcet disease), ଜୋଲିଞ୍ଜର-ଏଲିସନ ସିଣ୍ଡ୍ରୋମ, କ୍ରୋନ ରୋଗ, ଓ ଯକୃତ ସିରୋସିସ ।[1][4] ବୟସ୍କ ଲୋକଙ୍କର ଅଧିକ ଏନ.ଏସ.ଆଇ.ଡି. ଔଷଧ ସେବନ ଯୋଗୁ ଘାଆ ହୁଏ । ସ୍ୱାଭାବିକ ଭାବେ ଏହାର ଲକ୍ଷଣ ଉପସ୍ଥାପନ ଯୋଗୁ ରୋଗ ନିର୍ଣ୍ଣୟ କରାଯାଏ ଯାହା ଏଣ୍ଡୋସ୍କୋପି କିମ୍ବା ବେରିଅମ ସ୍ୱାଲୋ ପରୀକ୍ଷା କରି ନିଧାର୍ଯ୍ୟ କରାଯାଏ । ଏଚ. ପାଇଲୋରି ଜୀବାଣୁ ଉପସ୍ଥିତି ନିମନ୍ତେ ରକ୍ତରେ ଆଣ୍ଟିବଡି, ୟୁରିଆ ବ୍ରେଥ ପରୀକ୍ଷା, ମଳରେ ଜୀବାଣୁ ଉପସ୍ଥିତି ନିମନ୍ତେ ପରୀକ୍ଷା କିମ୍ବା ବାୟୋପ୍ସି କରାଯାଏ । ସମାନ ଲକ୍ଷଣ ଦେଖାଉଥିବା ଅନ୍ୟ ରୋଗମାନଙ୍କର ନାମ ପାକସ୍ଥଳୀ କର୍କଟ, କରୋନାରୀ ହୃଦରୋଗ, ପାକସ୍ଥଳୀ ପ୍ରଦାହ ଓ ପିତ୍ତକୋଷରେ ଲିଥିଆସିସ ।[1]
ଏହି ରୋଗ ସୃଷ୍ଟିରେ ଖାଦ୍ୟ କୌଣସି ଭୂମିକା ନେଇ ନ ଥାଏ ।[5] ଏହି ରୋଗ ସୃଷ୍ଟିକାରୀ କାରକ ଯଥା ଧୂମ୍ରପାନ, ଏନ.ଏସ.ଆଇ.ଡି. ଓ ମଦ୍ୟପାନ ବନ୍ଦ କରିବାକୁ ଉପଦେଶ ଦିଆଯାଏ ଓ ପାକସ୍ଥଳୀରୁ ଏସିଡ ସ୍ରାବ କମେଇବା ନିମନ୍ତେ ଔଷଧ ଦିଆଯାଏ । ଏସିଡ କମେଇବା ନିମନ୍ତେ ପ୍ରୋଟିନ ପମ୍ପ ଇନହିବିଟର (ପିପିଆଇ) କିମ୍ବା ଏଚ୨ ବ୍ଲକର ଔଷଧ ୪ ସପ୍ତାହ ନିମନ୍ତେ ପ୍ରଥମେ ଦିଆଯାଏ ।[1] ଆମୋକ୍ସିସିଲିନ ସହିତ କ୍ଲାରିଥ୍ରୋମାଇସିନ ଓ ଗୋଟିଏ ପିପିଆଇ ଦିଆଯାଏ । ଆଣ୍ଟିବାୟୋଟିକ ପ୍ରତିରୋଧ ବୃଦ୍ଧି ହେବା ଯୋଗୁ ଏହି ଚିକିତ୍ସା ସର୍ବଦା ଫଳପ୍ରଦ ହେଉନାହିଁ ।[6] ଏଣ୍ଡୋସ୍କୋପିଦ୍ୱାରା ରକ୍ରସ୍ରାବ ଚିକିତ୍ସା କରାଯାଏ, ଏହା ସଫଳ ନ ହେଲେ ଅପରେଶନ କରାଯାଏ ।[3]
ସମୁଦାୟ ଜନସଂଖ୍ୟାର ୪ % ଲୋକ ଏହି ରୋଗଗ୍ରସ୍ତ ଅଟନ୍ତି ।[7] ସନ ୧୯୯୦ରେ ଏହି ରୋଗ ମୃତ୍ୟୁ ୩୨୭,୦୦୦ ଥିଲା ବେଳେ ସନ ୨୦୧୩ରେ ଏହା କମିଯାଏ ୩୦୧,୦୦୦ ହୋଇଥିଲା ।[8] ପେପ୍ଟକ ଅଲ୍ସର ଛିଦ୍ର ରୋଗ ଇଂଲଣ୍ଡର ରାଜକୁମାରୀ ହେନରିଏଟଙ୍କୁ ହୋଇଥିବା ବର୍ଣ୍ଣନା ପ୍ରଥମେ ୧୬୭୦ରେ ପ୍ରକାଶ ପାଇଥିଲା ।[3] ୧୯୮୧ ମସିହାରେ ବାରି ମାର୍ସାଲ ଓ ରବିନ ୱାରେନ ପ୍ରଥମେ ଏଚ ପାଇଲୋରି ଆବିଷ୍କାର କରଥିଲେ ।[6]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.