ବାଲ୍ମୀକି ପ୍ରଣୀତ ରାମଚରିତ ବର୍ଣ୍ଣନାତ୍ମକ ସଂସ୍କୃତ ମହାକାବ୍ୟ From Wikipedia, the free encyclopedia
ରାମାୟଣ ବାଲ୍ମୀକି ପ୍ରଣୀତ ରାମଚରିତ ବର୍ଣ୍ଣନାତ୍ମକ ସଂସ୍କୃତ ମହାକାବ୍ୟ ।
ବାଲ୍ମୀକିକୃତ ରାମାୟଣ ୭କାଣ୍ଡରେ (ଭାଗରେ) ବିଭକ୍ତ ।
ସରଜୁ ନଦୀ କୂଳରେ ଅବସ୍ଥିତ ଅଯୋଧ୍ୟା ନଗରୀ ହେଉଛି କୋଶଳ ରାଜ୍ୟର ରାଜଧାନୀ । କୋଶଳ ନରେଶ ରାଜା ଦଶରଥଙ୍କ ରାଜତ୍ୱ କାଳରେ ପ୍ରଜାଗଣ ଅତ୍ୟନ୍ତ ସୁଖରେ କାଳାତିପାତ କରୁଥିଲେ । ରାଜା ଦଶରଥଙ୍କ ତିନି ରାଣୀ ଥିଲେ କୌଶଲ୍ୟା, କୈକେୟୀ ଏବଂ ସୁମିତ୍ରା ।
ବହୁଦିନ ଧରି ରାଜା ଅପୁତ୍ରିକ ଥିଲେ । ତେଣୁ ଋଷି ବଶିଷ୍ଠଙ୍କ ପରାମର୍ଶକ୍ରମେ ଋଶ୍ୟଷୃଙ୍ଗ ମୁନୀଙ୍କୁ ନିମନ୍ତ୍ରଣ କରି ତାଙ୍କରିଦ୍ୱାରା ପୁତ୍ର-କାମେଷ୍ଟି ଯଜ୍ଞର ଆୟୋଜନ କଲେ[1] ।
ପୁତ୍ର-କାମେଷ୍ଟି ଯଜ୍ଞର ଫଳ ସ୍ୱରୁପ ପ୍ରଥମେ ରାଣୀ କୌଶଲ୍ୟାଙ୍କ ଗର୍ଭରେ ରାମ, ରାଣୀ କୈକେୟୀଙ୍କ ଗର୍ଭରେ ଭରତ ଏବଂ ସୁମିତ୍ରାଙ୍କ ଗର୍ଭରେ ଲକ୍ଷ୍ମଣ ଓ ଶତୃଘ୍ନ ଜନ୍ମ ଗ୍ରହଣ କଲେ[2] । ପୁରାଣ କହେ, ରାକ୍ଷସରୂପି ରାବଣ ଦେବଗଣଙ୍କୁ ଅତ୍ୟାଚାର କରୁଥିଲା ଏବଂ ରାବଣର ମୃତ୍ୟୁ ମାନବଦ୍ୱାରା ନିଶ୍ଚିତ ଥିଲା । ତେଣୁ ରାବଣ ବଧ ନିମନ୍ତେ ମର୍ତ୍ତ୍ୟରେ ମାନବ ଅବତାର ଧାରଣ କରିବାକୁ ଭଗବାନ ବିଷ୍ଣୁ ଇଚ୍ଛା ପ୍ରକଟ କରନ୍ତେ, ତାଙ୍କରି ଅଂଶରୁ ଭଗବାନଙ୍କ ଗୁଣ ସଂପନ୍ନ ଚାରିପୁଅ ଦଶରଥଙ୍କ କୋଳ ମଣ୍ଡନ କଲେ । ସମୟକ୍ରମେ ଚାରିପୁଅ ଶାସ୍ତ୍ର ଅଧ୍ୟୟନ ସହ ଶସ୍ତ୍ର ବିଦ୍ୟାରେ ନିପୁଣତା ହାସଲ କଲେ । ରାମଙ୍କୁ ହୋଇଥାଏ ୧୬ ବର୍ଷ ବୟସ । ଋଷି ବିଶ୍ୱାମିତ୍ର ଦିନେ ରାଜା ଦଶରଥଙ୍କ ଦରବାରକୁ ଆସିଲେ । ବଣରେ ଯଜ୍ଞନଷ୍ଟ କରୁଥିବା ଅସୁର ଗଣଙ୍କୁ ନିପାତ କରିବା ପାଇଁ ସହାୟତା ସ୍ୱରୂପ ସେ ରାଜା ଦଶରଥଙ୍କୁ ପୁତ୍ର ରାମଙ୍କୁ ମାଗିଲେ । ଭ୍ରାତା ଲକ୍ଷ୍ମଣ ରାମଙ୍କୁ ଅନୁସରଣ କରିବାକୁ ଇଚ୍ଛା ପ୍ରକଟ କରନ୍ତେ ରାଜାଙ୍କ ସମ୍ମତି କ୍ରମେ ଋଷି ରାମ ଓ ଲକ୍ଷ୍ମଣଙ୍କୁ ଧରି ବଣକୁ ଚାଲିଗଲେ । ସମୟ କ୍ରମେ ରାମ ଓ ଲକ୍ଷ୍ମଣ ଋଷି ବିଶ୍ୱାମିତ୍ରଙ୍କଠାରୁ ବହୁ ଶସ୍ତ୍ର ବିଦ୍ୟା ସହିତ ବିଭିନ୍ନ ଦୈବୀ ଅସ୍ତ୍ର ମଧ୍ୟ ଲାଭ କଲେ ଏବଂ ଋଷିଙ୍କ ହୋମରେ ବିଘ୍ନ ସୃଷ୍ଟି କରୁଥିବା ଅସୁରମାନଙ୍କୁ ନିପାତ କରିବାକୁ ଲାଗିଲେ ।
ରାଜା ଜନକ ହେଉଛନ୍ତି ମିଥିଳା ନରେଶ । ଦିନେ ଜମି କର୍ଷଣ କରୁ କରୁ ରାଜା ଭୂମି ତଳୁ ଝିଅଟିଏ ପାଇ ରାଜାଙ୍କର ଆନନ୍ଦର ସୀମା ରହିଲା ନାହିଁ । ଝିଅଟିକୁ ବିଧାତାଙ୍କ ବିଚିତ୍ର ଉପହାର ମନେ କରି ରାଜା ତା ନାଁ ରଖିଲେ ସୀତା । ସଂସ୍କୃତରେ ସୀତା ଶବ୍ଦର ଅର୍ଥ ଭୂମିରେ ସୃଷ୍ଟି ହୋଇଥିବା ଏକ ଫାଟ ବା ସରୁ ଗାତ । ସୀତା ଜନକ ନନ୍ଦିନୀ ଭାବେ ପାଳିତ ହେଲେ । ସୀତାଙ୍କୁ ବିବାହଯୋଗ୍ୟା ଦେଖି ରାଜା ଜନକ ଏକ ସ୍ୱୟଂବର ଆୟୋଜନ କରିବାକୁ ମନସ୍ଥ କଲେ । ସ୍ୱୟମ୍ବର ସହିତ ରାଜା ଏକ ପ୍ରତିଯୋଗିତାର ଆୟୋଜନ କଲେ । ଶିବଙ୍କ ଦୟାରୁ ରାଜା ଏକ ଧନୁ (ଶିବଧନୁ) ପ୍ରାପ୍ତ ହୋଇଥିଲେ । ରାଜା ଘୋଷଣା କଲେ, ଯେ କେହି ଶିବଧନୁର ଗୁଣରେ ତୀର ଯୋଖି ପାରିବ ତାଙ୍କୁ ହିଁ ସୀତା ପତି ରୂପେ ବରଣ କରିବେ । ଖବର ପାଇ ଋଷି ବିଶ୍ୱାମିତ୍ର ରାମ ଓ ଲକ୍ଷ୍ମଣଙ୍କୁ ଧରି ସ୍ୱୟଂବର ସ୍ଥଳରେ ପହଞ୍ଚିଲେ । ଋଷି ଜାଣିଥିଲେ ଯେ କେବଳ ରାମ ହିଁ ଶିବଧନୁରେ ଗୁଣ ଚଢ଼ାଇ ପାରିବେ । ରାମ ଯେତେବେଳେ ଶିବଧନୁରେ ଗୁଣ ଚଢ଼ାଇ ଟଂକାର କରନ୍ତେ, ଶିବଧନୁ ଭାଙ୍ଗି ଚୁରମାର ହୋଇଗଲା । ତତ୍ପରେ ସ୍ୱୟଂବରରେ ସୀତା ରାମଙ୍କୁ ବରଣ କଲେ ଏବଂ ଉର୍ମିଳା ଲକ୍ଷ୍ମଣଙ୍କୁ ବରଣ କଲେ ।
ପରବର୍ତ୍ତୀ ସମୟରେ ଭରତ ମାଣ୍ଡବୀଙ୍କୁ ଏବଂ ଶତୃଘ୍ନ ଶୃତକୀରଟିଙ୍କୁ ବିବାହ କଲେ । ଏହିପରି ଭାବରେ ରାଜା ଜନକଙ୍କ ପୁତ୍ରୀ ଓ ରାଜା ଦଶରଥଙ୍କ ପୁତ୍ରମାନଙ୍କ ବିବାହ ମହା ଆଡମ୍ବରରେ ସମାହିତ ହେବା ପରେ ସମସ୍ତେ ଅଯୋଧ୍ୟାକୁ ଫେରିଲେ । ରାମ ସୀତାଙ୍କର ବିବାହର କିଛି କାଳ ପରେ ବୃଦ୍ଧ ଦଶରଥ ରାମଙ୍କ ହାତରେ ରାଜ୍ୟଭାର ସମର୍ପି ଦେବାକୁ ଇଚ୍ଛା ପ୍ରକଟ କଲେ । ଏ ଖବର ଜାଣି କୋଶଳର ପ୍ରଜା ତଥା ରାଜାଙ୍କ ପାରିଷଦ ବୃନ୍ଦ ଅତ୍ୟନ୍ତ ଆନନ୍ଦିତ ହେଲେ । ହେଲେ ଏକଥା ଶୁଣି କୈକେୟୀଙ୍କ ଦାସୀ ମନ୍ଥରା କୈକେୟୀଙ୍କୁ କୁମନ୍ତ୍ରଣା ଦେବାକୁ ଆରମ୍ଭ କଲେ । ମନ୍ଥରା କଥାରେ କୈକେୟୀ ରାଜା ଦଶରଥଙ୍କୁ ଏକଦା ପ୍ରତିଜ୍ଞା କରିଥିବା ଦୁଇଟି ବର ପ୍ରଦାନ କରିବା ଛଳରେ ଏହି ଦୁଇ ବର ମାଗିଲେ ଯେ, ରାମ ବାର ବର୍ଷ ପାଇଁ ବନବାସ କରିବାକୁ ଯିବେ ଓ ତାଙ୍କ ପୁତ୍ର ଭରତ ରାଜା ହେବେ । ରାଜା ଦଶରଥ ଅତିଶୟ ଦୁଃଖରେ ତାଙ୍କ ସତ୍ୟ ରକ୍ଷା କଲେ ।
ରାମ କିନ୍ତୁ ଧୀର ଚିତ୍ତରେ ପିତୃ-ସତ୍ୟ ପାଳନ ନିମନ୍ତେ କିଞ୍ଚିତେ ଦୁଃଖ ପ୍ରକାଶ କଲେ ନାହିଁ । ରାମଙ୍କର ଏହି ମହନୀୟତା ହିଁ ସାରା ରାମାୟଣରେ ଅନେକ ରୂପରେ ପ୍ରକାଶିତ ହୋଇଛି । ରାମଙ୍କର ଶତ ବାରଣ ସତ୍ତ୍ୱେ, ବନବାସ ବେଳେ ରାମଙ୍କର ଅନୁସରଣ କରିବା ପାଇଁ ଦେବୀ ସୀତା ଏବଂ ଭ୍ରାତା ଲକ୍ଷ୍ମଣ ଇଚ୍ଛା ପ୍ରକାଶ କଲେ । ରାମଙ୍କର ବାରଣର ଉତ୍ତରରେ ସୀତା କହନ୍ତି, ଆପଣଙ୍କ ପାଦ ଯେଉଁ ବନପ୍ରଦେଶରେ ପଡ଼ିବ ତାହା ମୋ ପାଇଁ ହେବ ଅଯୋଧ୍ୟା ଆଉ ଆପଣଙ୍କ ବିନା ଅଯୋଧ୍ୟା ମଧ୍ୟ ମୋ ପାଇଁ ନର୍କ ସଦୃଶ । ଇତି ମଧ୍ୟରେ ଭରତ, ଯିଏ କି ମାତୁଳଙ୍କ ଗୃହକୁ ବୁଲି ଯାଇଥିଲେ, ଏ ଖବର ଶୁଣି ଗଭୀର ଦୁଃଖ ପ୍ରକାଶ କଲେ । ରାଜା ହେବାର ସୁଯୋଗ ପରିତ୍ୟାଗ କରି ସେ ଭ୍ରାତା ରାମଙ୍କୁ ଦେଖା କରିବା ପାଈଁ ସେ ବନ ଗମନ କରି ରାମଙ୍କୁ ଦେଖା କଲେ । ରାମଙ୍କୁ ବହୁତ ଅନୁନୟ ବିନୟ ପୂର୍ବକ ଫେରିଆସିବାକୁ ଏବଂ ରାଜ୍ୟ ଭାର ଗ୍ରହଣ କରିବାକୁ ଆକୁଳ ପ୍ରାର୍ଥନା କଲେ । କିନ୍ତୁ ରାମ ପିତୃ-ସତ୍ୟ ପାଳନ ନିମନ୍ତେ ସମସ୍ତ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ବନବାସ ପୂର୍ବରୁ ରାଜ୍ୟକୁ ଫେରିବାକୁ ମନା କରିଦେଲେ । ତେବେ ଏକ ବିରଳ ଭ୍ରାତୃ ଭକ୍ତିର ଉଦାହରଣସ୍ୱରୂପ ଭରତ ଭ୍ରାତା ରାମଙ୍କ କଠଉ ଯୋଡିକ ମସ୍ତକରେ ଧାରଣ ପୂର୍ବକ ଫେରି ଆସିଲେ ଏବଂ ସିଂହାସନରେ ରାମଙ୍କ କଠଉ ସ୍ଥାପନ ପୂର୍ବକ ରାମଙ୍କ ପ୍ରତିନିଧି ଭାବରେ ରାଜ୍ୟ ଶାସନ କରିବାକୁ ଲାଗିଲେ ।
ପ୍ରିୟପୁତ୍ର ରାମଙ୍କର ବନବାସ ଜନିତ ବିଚ୍ଛେଦ ଦୁଃଖ ସହ୍ୟ କରି ନ ପାରି ରାଜା ଦଶରଥ ଅଚିରେ ପ୍ରାଣତ୍ୟାଗ କରନ୍ତି ।
ରାମ, ସୀତା ଏବଂ ଲକ୍ଷ୍ମଣ ଏହି ବନବାସ ସମୟରେ ଗୋଦାବରୀ ନଦୀ ତଟରେ ଗମନ କରି ପଞ୍ଚବଟୀଠାରେ ଏକ କୁଟୀର ନିର୍ମାଣ ପୂର୍ବକ ଅବସ୍ଥାନ କଲେ । ସେହି ସମୟରେ ଋଷିମାନଙ୍କର ଅନୁରୋଧ କ୍ରମେ ସେମାନେ ଅନେକ ରାକ୍ଷସଙ୍କୁ ବଧ କରିଥିଲେ । ବିରାଧ ରାକ୍ଷସ ଏମାନଙ୍କ ମଧ୍ୟରେ ପ୍ରଥମ ଥିଲା ।
ଏହି ସମୟରେ ପଞ୍ଚବଟୀଠାରେ ସୂର୍ପଣଖା, ଯିଏକି ରାବଣର ଭଗିନୀ ଥିଲା, ପହଞ୍ଚି ଲକ୍ଷ୍ମଣଙ୍କୁ ବଧ କରିବାକୁ ମାୟା ବିସ୍ତାର କରିଥିଲା । ହେଲେ ରାମଙ୍କ ଆଦେଶରେ ଲକ୍ଷ୍ମଣ ସୂର୍ପଣଖାର ନାସା ଚ୍ଛେଦନ କରିଥିଲେ । ଇତ୍ୟବସରରେ ରାମ ଓ ଲକ୍ଷ୍ମଣ ଖର, ଦୁଃଷଣ ଆଦି ଅନେକ ରାକ୍ଷସଙ୍କୁ ବଧ କରି ଋଷିମାନଙ୍କର କଷ୍ଟ ଦୂର କରିଥିଲେ । ରାବଣ ଏ ଖବର ପାଇ ରାମ ଲକ୍ଷ୍ମଣଙ୍କୁ ନିପାତ କରିବାପାଇଁ ମାରୀଚ ରାକ୍ଷସ ସହାୟତାରେ ଏକ ଯୋଜନା କଲା । ସୀତା କୁଟୀରରେ ଥିବା ବେଳେ ମାୟାବୀ ମାରୀଚ ଏକ ହେମ ହରିଣୀର ରୂପ ଧାରଣ କରି ସୀତାଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହେଲା ।
ସୀତାଙ୍କ ଅନୁରୋଧ କ୍ରମେ ରାମ ଲକ୍ଷ୍ମଣଙ୍କୁ ସୀତାଙ୍କ ରକ୍ଷାର ଦାୟିତ୍ୱ ଦେଇ ମାୟା ମୃଗର ଅନୁସରଣପୂର୍ବକ ବନ ମଧ୍ୟକୁ ଚାଲିଗଲେ । ମାୟାବୀ ରାକ୍ଷସର ଚିତ୍କାରରେ ବିହ୍ୱଳିତ ହୋଇ ସୀତା ଲକ୍ଷଣଙ୍କୁ ରାମଙ୍କ ସହାୟତା ନିମନ୍ତେ ଯିବାକୁ କହିଲେ । ଲକ୍ଷ୍ମଣ କିନ୍ତୁ ରାକ୍ଷସ ମାୟା ବୁଝିପାରି ଦେବୀ ସୀତାଙ୍କୁ ଏକାକିନୀ ଛାଡ଼ି ଯିବାକୁ ମନା କଲେ । ହେଲେ ଦେବୀ ସୀତାଙ୍କ ଆଦେଶ କ୍ରମେ ଲକ୍ଷ୍ମଣ ଅନୋନ୍ୟପାୟ ହୋଇ ସୀତାଙ୍କୁ ଏକାକିନୀ ଛାଡ଼ି ରାମଙ୍କ ସନ୍ଧାନରେ ଚାଲିଗଲେ । ହେଲେ ଯିବା ଆଗରୁ କୁଟୀର ସମ୍ମୁଖରେ ତିନିଟି ଗାର ଟାଣି କୌଣସି ପରିସ୍ଥିତିରେ ମଧ୍ୟ ସେହି ତିନି ଗାର ନ ଡେଇଁବାକୁ ପରାମର୍ଶ ଦେଇ ଗଲେ । ସୀତାଙ୍କୁ ଏକାକିନୀ ଦେଖି ଦୁଷ୍ଟ ରାବଣ ଏକ ସନ୍ୟାସୀ ବେଶରେ କୁଟୀର ସମ୍ମୁଖରେ ହାଜର ହେଲା । ରାବଣ ମାୟାରେ ଦେବୀ ସୀତା ଭିକ୍ଷା ଦେବା ବେଳେ ସେହି ତିନି ଗାର ଡେଇଁବାକ୍ଷଣି ସେ ବଳପୂର୍ବକ ସୀତାଙ୍କୁ ହରଣ କରି ଲଙ୍କାକୁ ନେଇଗଲା । ସୀତା ହରଣର ପ୍ରଥମ ସୋପାନରେ ଜଟାୟୁ ଦେବୀ ସୀତାଙ୍କୁ ରକ୍ଷା କରିବାକୁ ଯାଇ ରାବଣ ସହ ସଂଗ୍ରାମରେ କ୍ଷତାକ୍ତ ହୋଇପଡ଼ିଲା । ଇତିମଧ୍ୟରେ ରାବଣ ସୀତାଙ୍କୁ ନେଇ ଲଙ୍କାସ୍ଥିତ ଅଶୋକ ବନରେ ରଖିଲା । ଜଟାୟୁଠାରୁ ସୀତାହରଣ ଖବର ପାଇ ରାମ ଓ ଲକ୍ଷ୍ମଣ ସୀତାଙ୍କ ସନ୍ଧାନରେ ବାହାରି ପଡ଼ିଲେ । ପଥରେ କବନ୍ଧ ନାମକ ଅସୁର ସହ ଭେଟ ହେବାପରେ କବନ୍ଧର ଅନୁରୋଧକ୍ରମେ ରାମ ଓ ଲକ୍ଷ୍ମଣ ସୁଗ୍ରୀବ ସହ ବନ୍ଧୁତା ସ୍ଥାପନ କରିବା ନିମନ୍ତେ ତାଙ୍କ ସନ୍ଧାନରେ ଚାଲିଲେ ।
ଇତି ମଧ୍ୟରେ ରାମ ଓ ଲକ୍ଷ୍ମଣ ପମ୍ପା ସରୋବର ନିକଟରେ ପହଞ୍ଚିଲେ । ପଥରେ ରାମ ଶବରୀର ଭକ୍ତିପୂର୍ଣ୍ଣ ଆତିଥ୍ୟ ଗ୍ରହଣ କରିଥିଲେ । ତତ୍ପରେ ସୁଗ୍ରୀବଙ୍କ ସନ୍ଧାନରେ ଦୁଇଭାଇ ଋଷ୍ୟମୁଖ ପର୍ବତ ଅଭିମୁଖେ ଯାତ୍ରା ଆରମ୍ଭ କଲେ । ସୁଗ୍ରୀବ ସେଠାରେ ରାମଲକ୍ଷ୍ମଣ ଦୁଇ ଭାଇଙ୍କୁ ଦେଖି ପ୍ରମାଦ ଗଣିଲା । ବାଳୀଙ୍କଦ୍ୱାରା ପ୍ରେରିତ ହୋଇ ସୁଗ୍ରୀବଙ୍କୁ ବଧ କରିବା ଉଦ୍ଦେଶ୍ୟରେ ଆସିଥାଇପାରନ୍ତି ଭାବି ଭୟଭୀତ ହେଲା । ତେବେ ସୁଗ୍ରୀବଙ୍କ ତରଫରୁ ତାଙ୍କ ମନ୍ତ୍ରୀ ହନୁମାନ ରାମ ଲକ୍ଷ୍ମଣଙ୍କୁ ଦେଖାକରି ସୁଗ୍ରୀବଙ୍କ ବିଷୟରେ କହିଲେ ଏବଂ ସୁଗ୍ରୀବଙ୍କ ସହ ରାମ ଲକ୍ଷ୍ମଣଙ୍କ ସାକ୍ଷତ କରାଇଲେ । ସେଠାରେ ବିଶ୍ରାମ ନେବାପରେ ସୁଗ୍ରୀବଙ୍କ ସହ ତାଙ୍କର ଦେଖା ହେଲା । ସୁଗ୍ରୀବଙ୍କ ଭାଇ ବାଳୀ ଇତିମଧ୍ୟରେ ସୁଗ୍ରୀବଙ୍କୁ ତଡ଼ିଦେଇ ନିଜେ କିଷ୍କିନ୍ଧ୍ୟାର ରାଜା ହୋଇଥିଲେ ଏବଂ ସୁଗ୍ରୀବଙ୍କ ସ୍ତ୍ରୀଙ୍କୁ ବଳପୂର୍ବକ ନେଇ ରାଣୀକରି ରଖିଥିଲେ । ସୁଗ୍ରୀବଙ୍କ ସହ ବନ୍ଧୁତା ସ୍ଥାପନ କଲାପରେ ରାମ ଆଶ୍ୱାସନା ଦେଲେ ଯେ ସେ ସୁଗ୍ରୀବଙ୍କୁ ତାଙ୍କ ରାଜ୍ୟ ଓ ସ୍ତ୍ରୀ ଫେରିପାଇବାରେ ସହାୟତା କରିବେ । ପ୍ରତିବଦଳରେ ସୁଗ୍ରୀବ ରାମଙ୍କୁ ସୀତାଙ୍କ ଉଦ୍ଧାରରେ ବାନର ସେନା ସହ ସାହାଯ୍ୟ କରିବାପାଇଁ ପ୍ରତିଶ୍ରୁତି ଦେଲେ । କିନ୍ତୁ ସମୟକ୍ରମେ ସୁଗ୍ରୀବ ତାଙ୍କ ପ୍ରତିଜ୍ଞା ଭୁଲିଯିବା ଦେଖି ତାରା, ସୁଗ୍ରୀବଙ୍କ ଦ୍ୱିତୀୟ ପତ୍ନୀ, ସୁଗ୍ରୀବଙ୍କୁ ଏ କଥା ମନେ ପକାଇଦେଇ ଲକ୍ଷ୍ମଣଙ୍କ କ୍ରୋଧରୁ ବଞ୍ଚିତ କରିପାରିଥିଲେ । ସୁଗ୍ରୀବ ତାଙ୍କର ସମସ୍ତ ବାନର ପାରିଷଦମାନଙ୍କୁ ଚାରି ଦିଗକୁ ପ୍ରେରଣ କରି ସୀତାଙ୍କ ସନ୍ଧାନ ନେବାକୁ ଆଦେଶ ଦେଲେ । ପୂର୍ବ, ପଶ୍ଚିମ ଏବଂ ଉତ୍ତର ଦିଗକୁ ଯାଇଥିବା ଦଳ ଖାଲି ହାତରେ ଫେରି ଆସିଲେ । ହେଲେ, ଅଙ୍ଗଦ ଓ ହନୁମାନ ଦକ୍ଷିଣ ଦିଗରୁ ସୂଚନା ଆଣିଲେ କି ସୀତାଙ୍କୁ ରାବଣ ହରଣ କରି ବେଇ ଲଙ୍କାରେ ବନ୍ଦୀ କରି ରଖିଛି[3]।
ରାମଙ୍କ ଆଦେଶମତେ ସୁଗ୍ରୀବ ବାଳୀଙ୍କୁ ଯୁଦ୍ଧ ପାଇଁ ଆମନ୍ତ୍ରଣ କଲେ । ପ୍ରଥମ ଯୁଦ୍ଧରେ ରାମ, ବାଳୀ ଓ ସୁଗ୍ରୀଙ୍କ ରୁପ ଏବଂ ଯୁଦ୍ଧ କୌଶଳରେ ଅଦ୍ଭୁତ ସାମଞ୍ଜସ୍ୟ ଦେଖି ଦ୍ୱନ୍ଦରେ ପଡ଼ିଗଲେ ଏବଂ ବାଳୀଙ୍କୁ ବଧ କରି ପାରିଲେ ନାହିଁ । ପରାଜିତ ସୁଗ୍ରୀବ ଅତ୍ୟନ୍ତ ଦୁଃଖରେ ରାମଙ୍କୁ କହିଲେ, "ପ୍ରଭୁ, ଆପଣ ଯଦି ବାଳୀ ବଧ ଚାହାଁନ୍ତିନି, ତେବେ ମୁଁ କଦାପି ବାଳୀଙ୍କୁ ଯୁଦ୍ଧପାଇଁ ଆମନ୍ତ୍ରଣ କରି ନଥାନ୍ତି" । ରାମ କିନ୍ତୁ କହିଲେ, "ତୁମ ଦୁଇ ଭାଇଙ୍କ ମଧ୍ୟରେ ଏତେ ସାମଞ୍ଜସ୍ୟ ଥିଲା ଯେ ମୁଁ ବାଳୀଙ୍କୁ ଠିକଭାବେ ଚିହ୍ନଟ କରି ପାରି ନ ଥିଲି" । ଏହା ପରେ ରାମ ଓ ଲକ୍ଷ୍ମଣ ସୁଗ୍ରୀବଙ୍କୁ ପୁଣି ବୁଝାଇ ଆଉଥରେ ଯୁଦ୍ଧରେ ଅବତ୍ତୀର୍ଣ୍ଣ ହେବା ନିମନ୍ତେ ପରାମର୍ଶ ଦେଲେ । ଏଇଥର କିନ୍ତୁ ବାଳୀଙ୍କୁ ସହଜରେ ଚିହ୍ନଟ କରିବାପାଇଁ ସୁଗ୍ରୀଙ୍କ ଗଳାରେ ଏକ ଫୁଲମାଳା ଗଳାଇଦେଲେ । ଦୁହିଁଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା । ଯୁଦ୍ଧରେ ସୁଗ୍ରୀବଙ୍କ ପରାଜୟ ନିକଟ ହେବାର ଦେଖି, ରାମ ତାଙ୍କ ପ୍ରତିଜ୍ଞା ରକ୍ଷା ପୂର୍ବକ ବାଳୀକୁ ଶରବିଦ୍ଧ କରି ବଧ କଲେ । ସୁଗ୍ରୀବକୁ କିଷ୍କିନ୍ଧ୍ୟାର ରାଜା କରି ସୀତାଙ୍କ ସନ୍ଧାନରେ ପୁଣି ବ୍ୟାପୃତ ହେଲେ ।
ସୁଗ୍ରୀବ କୃତଜ୍ଞତା ସହ ପ୍ରଭୁ ଶ୍ରୀରାମଙ୍କୁ କହିଲେ, ଏ ବିଶାଳ ବାନର ସେନା ବର୍ତ୍ତମାନ ଆପଣଙ୍କ ସେବାରେ ପ୍ରସ୍ତୁତ । ସେ ବାନର ସେନାର ଚାରିଟି ଦଳ ପ୍ରସ୍ତୁତ କରି ସେମାନଙ୍କୁ ଚାରିଦିଗକୁ ପ୍ରେରଣ କଲେ । ତତ୍ପରେ ସୁଗ୍ରୀବ ହନୁମାନଙ୍କୁ ଡାକି କହିଲେ, ହେ ବାୟୁପୁତ୍ର, ତୁମ ଅସାଧାରଣ ବୀରତ୍ୱ ଯୋଗୁଁ ରାମଚନ୍ଦ୍ରଙ୍କ ଏହି କାର୍ଯ୍ୟ ନିମିତ୍ତ ଆପଣ ହିଁ ଏକମାତ୍ର ଯୋଗ୍ୟ । ଅତଏବ ତୁମେ ପ୍ରଭୁ ରାମଙ୍କର ଏହି ସେବାରେ ନିଜକୁ ନିୟୋଜିତ କରି ଦେବୀ ସୀତାଙ୍କ ସନ୍ଧାନରେ ଯାଅ । ରାମଙ୍କ ଆଦେଶ ଅନୁସାରେ ସୁଗ୍ରୀବ ବିନତା ଏବଂ ତାଙ୍କ ଦଳଙ୍କୁ ପୂର୍ବ ଦିଗକୁ, ସୁଷେଣଙ୍କ ସହ ତାଙ୍କ ଦଳକୁ ପଶ୍ଚିମକୁ, ଶତବଳିଙ୍କୁ ଉତ୍ତର ଏବଂ ହନୁମାନ ତଥା ଅଙ୍ଗଦଙ୍କୁ ଦକ୍ଷିଣ ଦିଗକୁ ପ୍ରେରଣ କଲେ । ରାମ ତାଙ୍କ ମୁଦ୍ରିକାଟିକୁ ହନୁମାନଙ୍କ ହାତରେ ଦେଇ କହିଲେ, ସୀତାଙ୍କ ସନ୍ଧାନ କରି ଏହି ମୁଦ୍ରିକା ଦେଖାଇଲେ ସେ ଜାଣିବେ ଯେ ତୁମେ ରାମଙ୍କ ଦୂତ ଏବଂ ସୀତାଙ୍କ ସନ୍ଧାନରେ ଆସିଅଛ । ବାନରମାନେ ଚାରିଦିଦରେ ତନ୍ନ ତନ୍ନ କରି ସୀତାଙ୍କ ସନ୍ଧାନ କରିବାକୁ ଲାଗିଲେ । ହନୁମାନ ଏବଂ ଅଙ୍ଗଦ ବିନ୍ଧ୍ୟ ପର୍ବତର ସମସ୍ତ ଗୁମ୍ଫାରେ ସୀତାଙ୍କ ସନ୍ଧାନ ନେଲେ । ପଥରେ ନାଗମାତା ସୁରସା ହନୁମାନଙ୍କୁ ଭକ୍ଷଣ କରିବା ନିମିତ୍ତ ତାଙ୍କ ପଥ ଓଗାଳିଲା । ହେଲେ ହନୁମାନ ଅତି ଚତୁରତାର ସହିତ ନିଜକୁ ଅତି କ୍ଷୁଦ୍ରକାୟ କରି ତାଙ୍କ ମୁଖରେ ପ୍ରବେଶ କଲେ ଓ ହଠାତ୍ ବାହାରି ଆସିଲେ । ଏଥିରେ ସୁରସା ପ୍ରୀତ ହୋଇ ହନୁମାନଙ୍କୁ କାର୍ଯ୍ୟସିଦ୍ଧି ନିମନ୍ତେ ଆଶୀର୍ବାଦ ପ୍ରଦାନ କରିଥିଲେ । ଏଥୁଅନ୍ତେ ହନୁମାନ ସମୁଦ୍ର ଉପର ଦେଇ ଉଡ଼ିଯାଆନ୍ତେ ଲକ୍ଷ୍ୟ କଲେ ଯେ, ଏକ ରାକ୍ଷସୀ ହନୁମାନଙ୍କ ସମୁଦ୍ରରେ ପଡୁଥିବା ଛାୟାକୁ ଧରି ତାଙ୍କ ଗତିରେ ବାଧା ଉପୁଜାଉଛି । ହନୁମାନ ଏକାବେଳକେ ରାକ୍ଷସୀର ମୁଖ ଦ୍ୱାର ଦେଇ ଉଦରକୁ ପ୍ରବେଶ କରି ତାର ଉଦର ବିଦୀର୍ଣ୍ଣ କରି ବାହାରି ଆସିଲେ । ରାକ୍ଷସୀ ମୃତ୍ୟୁଲାଭ କରି ସମୁଦ୍ରମଧ୍ୟରେ ଲୀନ ହୋଇଗଲା ।
ହନୁମାନ ସମୁଦ୍ର ପାର ହୋଇ ଲଙ୍କାଗଡରେ ପ୍ରବେଶ କଲେ । ଲଙ୍କାର ଅଶୋକ ବନରେ ହନୁମାନ ଦେବୀ ସୀତାଙ୍କୁ ଚିନ୍ତାଗ୍ରସ୍ତ ଦେଖି ନିଜର ପରିଚୟ ଦେଲେ ଏବଂ ମାତା ସୀତାଙ୍କୁ ସାନ୍ତ୍ୱନା ଦେଇ ଅଶୋକ ବାଟିକାକୁ ଭାଙ୍ଗିବାକୁ ଲାଗିଲେ । ପରିଶେଷରେ ସେ ଜାଣିଶୁଣି ରାବଣଙ୍କ ଅନୁଚରଙ୍କଦ୍ୱାରା ଧରାପଡ଼ିଲେ । ରାକ୍ଷସ ଅନୁଚରଙ୍କଦ୍ୱାରା ଦଣ୍ଡିତ ହୋଇ, ଅଶୋକବନ ବ୍ୟତୀତ, ସମସ୍ତ ଲଙ୍କା ଗଡରେ ନିଆଁ ଲଗାଇଦେଲେ ଏବଂ ସୀତାଙ୍କ ସନ୍ଧାନ ଦେବା ପାଇଁ ରାମଙ୍କ ନିକଟକୁ ଫେରି ଆସିଲେ ।
ଜାମ୍ବବନ୍ତଙ୍କ ଆଦେଶ ପ୍ରକାରେ ନଳ ଓ ନୀଳ ଦୁଇ ଭାଇ ବାନର ସେନା ସହାୟତାରେ ମହୋଦଧିରେ ସେତୁବନ୍ଧ ବାନ୍ଧିଲେ । ଶ୍ରୀରାମ ସେଠାରେ ଶ୍ରୀ ରାମେଶ୍ୱରଙ୍କ ସ୍ଥାପନା କରି ଭଗବାନ ଶଙ୍କରଙ୍କ ପୂଜା କଲେ ଏବଂ ସେତୁ ବନ୍ଧରେ ବାନର ସେନା ସହ ସମୁଦ୍ର ପାରି ହୋଇ ଲଙ୍କା ଗଡରେ ପ୍ରବେଶ କଲେ । ସମୁଦ୍ର ପାରି ହୋଇ ଶ୍ରୀରାମ ସେଠାରେ ଡେରା ପକାଇଲେ । ଏ କଥା ଜାଣିପାରି ରାବଣ ଅତ୍ୟନ୍ତ ବ୍ୟାକୁଳ ହୋଇଉଠିଲେ । ରାଣୀ ମନ୍ଦୋଦରୀ ରାମଙ୍କ ସଙ୍ଗେ ଶତ୍ରୁତା ନ କରିବା ପାଇଁଁ ବୁଝାଇବା ପରେ ମଧ୍ୟ ରାବଣର ଅହଂକାର ଗଲା ନାହିଁଁ । ଏପଟେ ଶ୍ରୀରାମ ନିଜର ବାନର ସେନା ସହିତ ସୁବଳୟ ପର୍ବତ ଉପରେ ଅବସ୍ଥାନ କରିବାକୁ ଲାଗିଲେ । ଅଙ୍ଗଦ ରାମଙ୍କ ଦୂତ ହୋଇ ଲଙ୍କାରେ ରାବଣଙ୍କ ପାଖକୁ ଗଲେ ଏବଂ ତାଙ୍କୁ ଶ୍ରୀରାମଙ୍କ ଶରଣ ନେବାକୁ ପରାମର୍ଶ ଦେଲେ । କିନ୍ତୁ ରାବଣ ମାନିଲେ ନାହିଁଁ । ଶାନ୍ତିର ସମସ୍ତ ପ୍ରଚେଷ୍ଟା ବିଫଳ ହୋଇଯିବା ପରେ ଯୁଦ୍ଧ ଆରମ୍ଭ ହୋଇଗଲା । ଲକ୍ଷ୍ମଣ ଏବଂ ମେଘନାଦଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ହେଲା । ଶକ୍ତିବାଣର ପ୍ରହାରରେ ଲକ୍ଷ୍ମଣ ମୁର୍ଚ୍ଛା ହୋଇଗଲେ । ତାଙ୍କର ଚିକିତ୍ସା ପାଇଁଁ ହନୁମାନ ଶୁଶେଣ ବୈଦ୍ୟଙ୍କୁ ଆଣିଲେ ଏବଂ ସଂଜୀବନୀ ଆଣିବାକୁ ଗଲେ । ଗୁପ୍ତଚରଙ୍କଠାରୁ ସଂଦେଶ ପାଇ ରାବଣ ହନୁମାନଙ୍କ କାର୍ଯ୍ୟରେ ବାଧା ଦେବା ନିମିତ୍ତ କାଳନେମୀକୁ ପ୍ରେରଣ କଲେ । କିନ୍ତୁ ହନୁମାନ କାଳନେମୀକୁ ବଦ୍ଧ କରିଦେଲେ । ଔଷଧୀ ବୃକ୍ଷ ସଂଜୀବନୀ ଚିହ୍ନଟ କରି ନ ପାରି ହନୁମାନ ପୁରା ଗନ୍ଧମାର୍ଦନ ପର୍ବତକୁ ଉଠାଇ ଆଣିଲେ । ପଥରେ ରାଜା ଭରତ ହନୁମାନଙ୍କୁ କେହି ଜଣେ ରାକ୍ଷସ ମନେ କରି ବାଣ ପ୍ରୟୋଗ କରି ମୁର୍ଚ୍ଛିତ କରିଦେଲେ, ହେଲେ ସତ୍ୟ ଜାଣିବା ପରେ ଆଉ ଏକ ବାଣରେ ବସାଇ ତାଙ୍କୁ ଲଙ୍କା ପଠାଇ ଦେଲେ । ଏପଟେ ଔଷଧି ଆସିବାରେ ବିଳମ୍ବ ହେବାର ଦେଖି ରାମ ପ୍ରଳାପ କରିବାକୁ ଲାଗିଲେ । ତେବେ ଠିକ ସମୟରେ ହନୁମାନ ଔଷଧି ବୃକ୍ଷ ସହ ପହଞ୍ଚି ଯିବାରେ ସୁଷେଣ ଔଷଧି ପ୍ରୟୋଗ କରି ଲକ୍ଷ୍ମଣଙ୍କୁ ସୁସ୍ଥ କରିଦେଲେ । ଇତି ମଧ୍ୟରେ ରାବଣ ଯୁଦ୍ଧ ନିମିତ୍ତ କୁମ୍ଭକର୍ଣ୍ଣଙ୍କୁ ନିଦ୍ରାରୁ ଉଠାଇଲେ । କୁମ୍ଭକର୍ଣ୍ଣ ମଧ୍ୟ ପ୍ରଥମେ ରାବଣଙ୍କୁ ରାମଙ୍କ ସହ ଯୁଦ୍ଧ ନ କରିବାକୁ ବ୍ୟର୍ଥ ପରାମର୍ଶ ଦେଲେ । ଯୁଦ୍ଧରେ କୁମ୍ଭକର୍ଣ୍ଣ ରାମଙ୍କ ହାତରେ ପରମଗତି ପ୍ରାପ୍ତ ହେଲେ । ଯୁଦ୍ଧରେ ଲକ୍ଷ୍ମଣଙ୍କ ହାତରେ ମେଘନାଦଙ୍କର ବଦ୍ଧ ହେଲା । ରାମ ଓ ରାବଣ ମଧ୍ୟରେ ଘୋର ଯୁଦ୍ଧ ହେଲା ଏବଂ ପରିଶେଷରେ ରାମଙ୍କ ହାତରେ ରାବଣଙ୍କ ନିଧନ ହେଲା ।
ବିଭୀଷଣଙ୍କୁ ଲଙ୍କାର ରାଜପଦରେ ବିଭୂଷିତ କରି, ଲକ୍ଷ୍ମଣ ଓ ବାନର ସେନାଙ୍କ ସହିତ ରାମ ପୁଷ୍ପକ ବିମାନରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କଲେ ।
ଉତ୍ତରା କାଣ୍ଡ ହେଉଛି ରାମାୟଣର ଉପସଂହାର । ସୀତା, ଲକ୍ଷ୍ମଣ ଓ ସମସ୍ତ ବାନରସେନାଙ୍କ ସହ ରାମ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କଲେ । ରାମଙ୍କ ଭବ୍ୟ ସ୍ୱାଗତ କରାଗଲା । ଭରତ ଙ୍କ ସହିତ ସମସ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳିଗଲା । ବେଦ ଓ ଶିବ ସ୍ତୁତି ଉଚ୍ଚାରଣ ସହିତ ରାମଙ୍କ ରାଜ୍ୟାଭିଷେକ ହେଲା । ରାମ ପ୍ରଜାମାନଙ୍କୁ ଉପଦେଶ ଦେଲେ ଏବଂ ପ୍ରଜାମାନେ କୃତଜ୍ଞତା ଜ୍ଞାପନ କଲେ । ଚାରି ଭାଇଙ୍କର ଦୁଇଟି ଲେଖାଏ ପୁତ୍ର ସନ୍ତାନ ହେଲା । ଆଦର୍ଶ ରାମରାଜ୍ୟ ପ୍ରତିଷ୍ଠା ହେଲା । ଉପୋରକ୍ତ କଥା ସହିତ ଗୋସ୍ୱାମୀ ତୁଳସୀଦାସ ତାଙ୍କ ଉତ୍ତରାକାଣ୍ଡରେ ଶ୍ରୀରାମ-ବଶିଷ୍ଠ ସମ୍ବାଦ, ନାରଦଙ୍କର ଅଯୋଧ୍ୟା ଆସି ରାମଚନ୍ଦ୍ରଙ୍କ ସ୍ତୁତି ଗାନ ଓ ଶିବ ପାର୍ବତୀ ସଂବାଦ, ଗରୁଡ ମୋହ, ଗରୁଡଙ୍କର କାକଭୁଷଣ୍ଡିଙ୍କଠାରୁ ରାମକଥା ଏବଂ ରାମ ମହିମା ଶ୍ରବଣ ଇତ୍ୟାଦି ବର୍ଣ୍ଣନା କରିଅଛନ୍ତି ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.