From Wikipedia, the free encyclopedia
ସେରେବ୍ରାଲ ପାଲ୍ସି (ଇଂରାଜୀରେ cerebral palsy), ସ୍ୱଳ୍ପରେ ସି.ପି. (CP) କେତେଗୁଡ଼ିଏ ଚଳନ ସମସ୍ୟାଭିତ୍ତିକ ରୋଗମାନଙ୍କର ଏକ ଦଳ ଯାହା ପ୍ରାକ୍-ଶୈଶବ କାଳରେ ଦେଖାଯାଏ । ବିଭିନ୍ନ ଲୋକଙ୍କ ମଧ୍ୟରେ ଲକ୍ଷଣମାନଙ୍କର ଭିନ୍ନତା ଦେଖାଯାଏ । ପୁନଃ ପୁନଃ ଦେଖାଯାଉଥିବା ଲକ୍ଷଣଗୁଡ଼ିକ; ସମନ୍ୱୟ ଅସୁବିଧା, ସୁଦୃଢ଼ ମାଂସପେଶୀ (spastic), ଦୁର୍ବଳ ମାଂସପେଶୀ, କହିବା ତଥା ଗିଳିବାରେ ଅସୁବିଧା ଓ କମ୍ପନ । ଏହା ବ୍ୟତୀତ ସ୍ପର୍ଶ, ଦୃଷ୍ଟି ଓ ଶ୍ରବଣ ସମସ୍ୟା ରହିପାରେ । ଅନେକ ସମୟରେ ସିପି ଛୁଆ ଗଡ଼ିବା, ବସିବା, ଘୁଷୁରିବା ଓ ଚାଲିବା ଆଦି ଅନ୍ୟ ପିଲାଙ୍କ ଭଳି କରିପାରନ୍ତି ନାହିଁ । ଚିନ୍ତା ଶକ୍ତି ତଥା ବୋଧ ଶକ୍ତିର ଅଭାବ ଓ ବାତ ମାରିବା ଅସୁବିଧା ପ୍ରାୟ ଏକ ତୃତୀୟାଂଶ କେସ୍ରେ ଦେଖାଯାଏ । ଲକ୍ଷଣଗୁଡ଼ିକ ପ୍ରଥମ କିଛି ବର୍ଷରେ ଦେଖାଗଲେ ମଧ୍ୟ ପରେ ଏହି ରୋଗ ଅଧିକ କ୍ଷତି କରେ ନାହିଁ । [1]
ମସ୍ତିଷ୍କର ଯେଉଁ ଅଂଶ ଶରୀରର ଚଳନ, ଭାରସାମ୍ୟ ଓ ସଂସ୍ଥିତିକୁ ନିୟନ୍ତ୍ରଣ କରେ ତାହାର ଗଠନ ଅସ୍ୱାଭାବିକ ହେଲେ ବା ଏହା ଆଘାତପ୍ରାପ୍ତ ହେଲେ ସେରେବ୍ରାଲ ପାଲ୍ସି ରୋଗ ହୁଏ । [2][1] ଅଧିକାଂଶ ସମସ୍ୟା ଗର୍ଭାବସ୍ଥାରେ ହୁଏ; କିନ୍ତୁ ଏହା ଜନ୍ମ ସମୟରେ ବା ଏହାର କିଛି ସମୟ ପରେ ମଧ୍ୟ ହେବ ସମ୍ଭବ । ଅନେକ ସମୟରେ କାରଣ ଅଜଣା ଥାଏ । ଅପକ୍ୱ ଜନ୍ମ, ଯାଆଁଳା ଜନ୍ମ; କେତେକ ସଂକ୍ରମଣ ଯଥା ଟକ୍ସୋପ୍ଲାଜ୍ମୋସିସ, ଜର୍ମାନ ମିଳିମିଳା ବା ରୁବେଲା, ଗର୍ଭାବସ୍ଥାରେ ମିଥାଇଲ ମର୍କରୀ ସଂସ୍ପର୍ଶ ଓ ଜୀବନର ପ୍ରଥମ କିଛି ବର୍ଷ ଭିତରେ ମୁଣ୍ଡ ଆଘାତ ଇତ୍ୟାଦି ଏହି ରୋଗର ସଙ୍କଟମୟ ଅବସ୍ଥା ସୃଷ୍ଟି କରେ । [1] ଜେନେଟି୍ ଦୋଷ ୨ % କେସ୍ରେ ଥାଏ । [3] ନିର୍ଦ୍ଦିଷ୍ଟ କେତେକ ସମସ୍ୟାକୁ ନେଇ କେତେକ ଉପ-ଟାଇପ ବର୍ଗୀକରଣ କରାଯାଇଥାଏ, ଉଦାହରଣ ସ୍ୱରୁପ ଅନମନୀୟ ମାଂସପେଶୀ (spastic cerebral palsy), ଅସମନ୍ୱୟ (ataxic cerebral palsy) ଓ କେତେକ ଛଟପଟ ହେବାଭଳି ଚଳନ (athetoid cerebral palsy) । ସମୟକ୍ରମେ ପିଲାର ବିକାଶ ଦେଖି ରୋଗ ନିର୍ଣ୍ଣୟ କରାଯାଏ । ରକ୍ତ ପରୀକ୍ଷା ଓ ମେଡିକାଲ ଇମେଜିଙ୍ଗ କରି ଅନ୍ୟ ସମ୍ଭାବ୍ୟ ରୋଗମାନଙ୍କଠାରୁ ଅଲଗା କରାଯାଏ । [1]
ମାତାମାନଙ୍କୁ ଟିକା ଦେଇ ଓ ଉନ୍ନତ ଶିଶୁ ନିରାପଦ ବ୍ୟବସ୍ଥା ଗ୍ରହଣ କରି, ମୁଣ୍ଡ ଆଘାତ ନିରୋଧ କରି ଆଂଶିକ ଭାବରେ ସି.ପି. ରୋଗର ପ୍ରତିରୋଧ କରିହୁଏ । ସି.ପି. ଆରୋଗ୍ୟସାଧ୍ୟ ନୁହେଁ; ତଥାପି ଆଧାର ଚିକିତ୍ସା, ଔଷଧ ଓ ଅପରେଶନଦ୍ୱାରା ସାହାଯ୍ୟ ମିଳେ । ଭୌତିକ ଓ ବାକ୍ଶକ୍ତି ଚିକିତ୍ସା ମଧ୍ୟ ଆବଶ୍ୟକ । ଡାୟାଜେପାମ, ବାକ୍ଲୋଫେନ, ବୋଟୁଲିନମ୍ ଟକ୍ସିନ ଇତ୍ୟାଦି ଔଷଧ ଦେଲେ ମାଂସପେଶୀ କାଠିନ୍ୟ ଦୂର ହୋଇପାରେ । ଅପରେଶନ କରି ମାଂସପେଶୀ ଲମ୍ବା କରାଯାଏ ଓ ଅତି-ସକ୍ରିୟ ସ୍ନାୟୁ କାଟିଦିଆଯାଏ । ଅନେକ ସମୟରେ ବ୍ରେସ୍ ଓ ଅନ୍ୟ ସାହାଯ୍ୟକାରୀ ବ୍ୟବସ୍ଥା ଅବଲମ୍ବନ କରାଯାଏ । କେତେକ ପିଲା ଉଚିତ୍ ଚିକିତ୍ସା ନେଇ ପ୍ରାୟ ସାଧାରଣ ବୟସ୍କ ଜୀବନ ଯାପନ କରୁଛନ୍ତି । ଅଲ୍ଟର୍ନେଟିଭ୍ ମେଡିସିନ୍ ଅନେକ ସମୟରେ ବ୍ୟବହାର କରାଯାଉଛି । [1]
ପିଲାମାନଙ୍କର ଚଳପ୍ରଚଳ ଅବ୍ୟବସ୍ଥା ସମ୍ବନ୍ଧିତ ରୋଗମାନଙ୍କ ମଧ୍ୟରେ ସି.ପି. ଅତି ସାଧାରଣ ।[4] ଜିବନ୍ତ ଜନ୍ମିତ ଶିଶୁଙ୍କ ମଧ୍ୟରେ ଏହାର ସଂଖ୍ୟା ପ୍ରାୟ ୨.୧ % ।[5] ଆଦିମ କାଳରୁ ଏହି ସି.ପି. ରୋଗ ମନୁଷ୍ୟଙ୍କୁ ଆକ୍ରମଣ କରିଆସିଛି । ଖ୍ରୀ:ପୂ: ୫ମ ଶତାବ୍ଦୀରେ ହିପୋକ୍ରାଟିସ୍ ପ୍ରଥମେ ଏହ ବିଷୟରେ ଲେଖିଥିଲେ । ଏହା ବିଷୟରେ ସବିଶେଷ ଭାବରେ ୧୯ତମ ଶତାବ୍ଦୀରେ ଉଇଲିଅମ ଜନ ଲିଟ୍ଲ୍ ବର୍ଣ୍ଣନା କରିଥିଲେ । [6] ସ୍ଟେମ ସେଲ୍ ଥେରାପି ସହ ଅନେକ ସଂଖ୍ୟକ ଚିକିତ୍ସା ଏହି ରୋଗ ନିମନ୍ତେ ପରୀକ୍ଷା ନିରୀକ୍ଷା କରାଯାଉଛି । ଯାହାହେଉ, ଆହୁରି ଅନେକ ଗବେଷଣା ଏହାର ଉପକାରୀତା ଓ ବିପଦଶୂନ୍ୟତା ଜାଣିବା ନିମନ୍ତେ ଆବଶ୍ୟକ । [1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.