From Wikipedia, the free encyclopedia
ଭାରତର ସାମ୍ବିଧାନିକ ବ୍ୟବସ୍ଥାରେ ରାଷ୍ଟ୍ରପତି ଭାରତର ମୁଖ୍ୟ ନ୍ୟାୟାଧୀଶ ତଥା ଅନ୍ୟ ବରିଷ୍ଠ ନ୍ୟାୟାଧୀଶଙ୍କ ପରାମର୍ଶ କ୍ରମେ ଭାରତର ଉଚ୍ଚତମ ନ୍ୟାୟାଳୟ ତଥା ରାଜ୍ୟଗୁଡିକର ଉଚ୍ଚ ନ୍ୟାୟାଳୟ ଗୁଡିକରେ ବିଚାରପତି ନିଯୁକ୍ତି ତଥା ବଦଳି କରିବେ । ଏହି ଆଧାରରେ ପ୍ରାରମ୍ଭିକ ଅବସ୍ଥାରେ କେନ୍ଦ୍ର କ୍ୟାବିନେଟଦ୍ୱାରା ସୁପାରିଶ କରାଯାଇଥିବା ତାଲିକାରୁ ବିଚାରପତିମାନଙ୍କ ନିଯୁକ୍ତି କରାଯାଉଥିଲା । ତେବେ S. P. Gupta v. Union of India ମାମଲାରେ ଉଚ୍ଚତମ ନ୍ୟାୟାଳୟ "ପରମର୍ଶ" ଶବ୍ଦର ବ୍ୟାଖ୍ୟା କରିବାକୁ ଯାଇ ଏହା ମାତ୍ର ସହମତି ନୁହେଁ; ଏହା ନ୍ୟାୟପୂର୍ଣ୍ଣ ବିଚାରର ଅଭିବ୍ୟକ୍ତି ବୋଲି ରାୟ ପ୍ରଦାନ କରିଥିଲେ । କିନ୍ତୁ ୧୯୯୩ ମସିହାର ଆଉ ଏକ ଫଇସଲା ପରେ ଏକ ନୂତନ ବ୍ୟବସ୍ଥାର ସୂତ୍ରପାତ ହେଲା ଯାହାକି କଲିଜିୟମ ବ୍ୟବସ୍ଥା ନାମରେ ପରିଚିତ । ୧୯୯୮ ମସିହାର ଆଉ ଏକ ଫଇସଲା ଏହି ବ୍ୟବସ୍ଥାକୁ ନ୍ୟାୟୀକ ତଥା ବୈଧ ଦର୍ଶାଇବା ଫଳରେ ଏହି ତିନି ମାମଲାର ଫଇସଲା ହିଁ କଲିଜିୟମ ବ୍ୟବସ୍ଥାର ମୂଳାଧାର ରୂପେ ଗୃହୀତ ହେଲା । ଅନ୍ୟ ପକ୍ଷରେ ଏହି ତିନି ଫଇସଲା ନ୍ୟାୟାଧୀଶଙ୍କ (ନିଯୁକ୍ତି ସମ୍ବନ୍ଧିତ) ତିନି ମାମଲା ନାମରେ ଖ୍ୟାତ ହେଲା ।
ବର୍ତ୍ତମାନ ଭାରତର ନ୍ୟାୟୀକ ବ୍ୟବସ୍ଥାରେ ଉଚ୍ଚତମ ତଥା ଉଚ୍ଚ ନ୍ୟାୟାଳୟଗୁଡିକରେ ବିଚାରପତିଙ୍କ ନିଯୁକ୍ତି ନିମିତ୍ତ କଲିଜିୟମ ବ୍ୟବସ୍ଥାର ପ୍ରଚଳନ ଅଛି । କଲିଜିୟମ ଅର୍ଥାତ ଉଚ୍ଚତମ ଅଦାଲତର ମୁଖ୍ୟ ନ୍ୟାୟାଧୀଶ ଏବଂ ଅନ୍ୟ ଚାରିଜଣ ବରିଷ୍ଠ ବିଚାରପତିଙ୍କୁ ନେଇ ଗଠିତ ଏକ କମିଟିଦ୍ୱାରା ସୁପାରିଶ କରାଯାଇଥିବା ତାଲିକାରୁ ଭାରତର ରାଷ୍ଟ୍ରପତି ବିଚାରପତିମାନଙ୍କର ନିଯୁକ୍ତି କରିଥାଆନ୍ତି । ଏହି ପ୍ରକ୍ରିୟା ଉଚ୍ଚତମ ନ୍ୟାୟାଳୟର ନିମ୍ନ ତିନିଗୋଟି ଫଇସଲା ଉପରେ ଆଧାରିତ । ଏହା ମଧ୍ୟ ତିନି ନ୍ୟାୟାଧୀଶଙ୍କ ମାମଲା ବା Three Judges' Cases ନାମରେ ବେଶ ଜଣାଶୁଣା ।
ପ୍ରଥମ ମାମଲାଟିରେ ମୁଖ୍ୟତଃ ଉଚ୍ଚତମ ତଥା ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ବଦଳି ନିମନ୍ତେ ଥିବା ବ୍ୟବସ୍ଥା ବା ଆଇନର ତର୍ଜମା କରାଯାଇଛି । ଆବେଦନକାରୀ S. P. Guptaଙ୍କଦ୍ୱାରା ଦାୟର ଏହି ମାମଲାରେ (ପ୍ରଥମ ନ୍ୟାୟାଧୀଶଙ୍କ ମାମଲା-"S. P. Gupta v. Union of India") ଆବେଦନକାରୀ ଦୁଇଜଣ ବିଚାରପତିଙ୍କ ବଦଳି ବିରୁଦ୍ଧରେ ସରକାରଙ୍କ ମତକୁ ବିରୋଧ କରିବା ସହ ଏ ସମ୍ପର୍କିତ ସରକାରୀ ଚିଠିପତ୍ର/ନଥିକୁ ସାର୍ବଜନୀନ କରିବାକୁ ପ୍ରାର୍ଥନା କରିଥିଲେ । ତେବେ ଉଚ୍ଚତମ ନ୍ୟାୟାଳୟ ଏ ସମ୍ପର୍କିତ ସମସ୍ତ ତଥ୍ୟ ଯେ କୌଣସି ଭାରତୀୟ ନାଗରିକର ଜାଣିବାର ଅଧିକାର ଅଛି ବୋଲି ତାଙ୍କ ରାୟରେ କହିବା ସହ "ପରାମର୍ଶ" ଶବ୍ଦର ବ୍ୟାଖ୍ୟା କରିବାକୁ ଯାଇ ଏହା ମାତ୍ର ସହମତି ନୁହେଁ; ଏହା ନ୍ୟାୟପୂର୍ଣ୍ଣ ବିଚାରର ଅଭିବ୍ୟକ୍ତି ବୋଲି ରାୟ ପ୍ରଦାନ କରିଥିଲେ ।[4]
ଭାରତୀୟ ସମ୍ବିଧାନର ଧାରା ୨୨୨ରେ ଥିବା ପରାମର୍ଶ (consultation)ର ସବିଶେଷ ବ୍ୟାଖ୍ୟା କରିବାକୁ ଯାଇ ଉଚ୍ଚତମ ନ୍ୟାୟାଳୟ ଉପରୋକ୍ତ ରାୟର ପାରା ୮୫୦(୪)ରେ ଉଲ୍ଲେଖ କରିଛନ୍ତି:
ଦ୍ୱିତୀୟ ମାମଲାଟି (Writ Petition (civil) 1303 of 1987) ଉଚ୍ଚତମ ନ୍ୟାୟାଳୟର Supreme Court Advocates-on-Record Associationଦ୍ୱାରା ଦାୟର ହୋଇଥିଲା ଯେଉଁଥିରେ ଉଚ୍ଚତମ ନ୍ୟାୟାଳୟ ପ୍ରଥମ ମାମଲାର ରାୟକୁ ବଦଳାଇ ପରାମର୍ଶ ବେଳେ ମୁଖ୍ୟ ନ୍ୟାୟାଧୀଶ ଅନ୍ୟ ବରିଷ୍ଠ ବିଚାରପତିଙ୍କ ସହମତି ଲୋଡିବା କଥା ସ୍ପଷ୍ଟ କଲେ । ଉଚ୍ଚତମ ନ୍ୟାୟାଳୟର ଏକ ନଅଜଣିଆ ଖଣ୍ଡପୀଠ ଉପରୋକ୍ତ ରାୟର ଅନୁଚ୍ଛେଦ ୫୩୮ରେ ଉଲ୍ଲେଖ କରିଛନ୍ତି କି:
" ଏହିଭଳିଭାବେ ପ୍ରାଥମିକତାର ପ୍ରଶ୍ନକୁ ନେଇ ମୋ ରାୟ ଏହି ଯେ ଉଚ୍ଚତମ ନ୍ୟାୟାଳୟର ବିଚାରପତିମାନଙ୍କ ନିଯୁକ୍ତି ସମ୍ପର୍କରେ ଭାରତର ମୁଖ୍ୟ ନ୍ୟାୟାଧୀଶଙ୍କ ଭୂମିକା ହେଉଛି ପ୍ରାରମ୍ଭିକ, ଅଦ୍ୱିତୀୟ ତଥା ଅନିବାର୍ଯ୍ୟ । ତେବେ ଏ ସମ୍ପର୍କିତ ପରାମର୍ଶରେ ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ମଧ୍ୟରେ ପରସ୍ପର ସହଭାଗିତା ଏଭଳି ରହିବା ଉଚିତ ଯେପରିକି ଗୋଟିଏ ପକ୍ଷର ଇଚ୍ଛା ବିରୁଦ୍ଧରେ ଅନ୍ୟ ପକ୍ଷ ବାଧ୍ୟବାଧକତା ଜାହିର କରାଯାଇ ପାରିବ ନାହିଁ ..........................................."
ସମ୍ବିଧାନର ଧାରା ୧୪୩ ପ୍ରକାରେ ଭାରତର ରାଷ୍ଟ୍ରପତି କୌଣସି ଆଇନର ନିର୍ଦ୍ଦିଷ୍ଟ ବ୍ୟାଖ୍ୟା ସମ୍ବନ୍ଧରେ ସ୍ପଷ୍ଟିକରଣ ବା ମତ ରଖିବା ନିମନ୍ତେ ଉକ୍ତ ବିଷୟକୁ ଉଲ୍ଲେଖ କରିପାରିବେ । ଏହିଭଳି ଏକ ଉଲ୍ଲେଖର ଶୁଣାଣି କରି ତୃତୀୟ ମାମଲାରେ (In Re: Under Article 143(1) Of The ... vs Unknown on 28 October, 1998) ଉଚ୍ଚତମ ନ୍ୟାୟାଳୟ ଦ୍ୱିତୀୟ ମାମଲାର ରାୟକୁ ପୁନଃ ପ୍ରତିଷ୍ଠା କରାଇ ଏହାର ଏକ ବିଶଦ ବ୍ୟାଖ୍ୟା କରିଛନ୍ତି । ଏହି ରାୟ ବଳରେ ସ୍ପଷ୍ଟ କରାଗଲା ଯେ ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଉଚ୍ଚତମ ନ୍ୟାୟାଳୟର ଅନ୍ୟ ଚାରିଜଣ ବରିଷ୍ଠ ବିଚାରପରିଙ୍କ ସହ ପରାମର୍ଶ କରିବେ ଏବଂ ଅତି କମରେ ଯଦି ଦୁଇଜଣ ବିଚାରପତି ଅସହମତି ପ୍ରକାଶ କରନ୍ତି ତେବେ ସେହି ନାମ ସୁପାରିଶ କରାଯିବ ନାହିଁ । ଉପରୋକ୍ତ ମାମଲାର ଅନୁଚ୍ଛେଦ଼ ୪୭.୧ରେ ଉଚ୍ଚତମ ନ୍ୟାୟାଳୟ ଦର୍ଶାଇଛନ୍ତି:
ତୃତୀୟ ମାମଲାରେ ଉଚ୍ଚ ନ୍ୟାୟାଳୟ ଏବଂ ଉଚ୍ଚତମ ନ୍ୟାୟାଲୟରେ ବିଚାରପତିଙ୍କ ନିଯୁକ୍ତି ସମ୍ବନ୍ଧୀୟ ବ୍ୟବସ୍ଥା ବର୍ତ୍ତମାନ କଲିଜିୟମ ବ୍ୟବସ୍ଥା ଭାବେ ପ୍ରଚଳିତ ।[5]
କେବଳ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ଅଭାବରୁ କଲେଜିୟମ ବ୍ୟବସ୍ଥାକୁ କେବଳ ସରକାରଙ୍କଦ୍ୱାରା ନୁହେଁ, ନାଗରିକ ସମାଜଦ୍ୱାରା ମଧ୍ୟ ଅନେକ ସମାଲୋଚନାର ସାମନା କରିବାକୁ ହୋଇଥିଲା ।
ପରବର୍ତ୍ତୀ ସମୟରେ ଭାରତ ସରକାର କଲିଜିୟମ୍ ବ୍ୟବସ୍ଥାରେ ସୁଧାର ଆଣିବା ଉଦ୍ଦେଶ୍ୟରେ ସମ୍ବିଧାନର ୯୯ତମ ସଂଶୋଧନଦ୍ୱାରା ରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗ (National Judicial Appointments Commission (NJAC) Act) ବିଲ ସଂସଦରେ ଆଗତ କରିଥିଲେ । ଏହି ବିଲ ସଂସଦର ଉଭୟ ଗୃହରେ ପାରିତ ହେବାପରେ ୩୧ ଡିସେମ୍ବର ୨୦୧୪ରେ ରାଷ୍ଟ୍ରପତିଙ୍କ ସମ୍ମତି ଲାଭ କରି ଆଇନରେ ପରିଣତ ହେଲା । ତେବେ ଭାରତର ଉଚ୍ଚତମ ନ୍ୟାୟାଳୟ ଏହି ଅଧିନିୟମକୁ ଅସାମ୍ବିଧାନିକ ଦର୍ଶାଇ ୨୦୧୬ ମସିହାରେ ଖାରଜ କରିଦେବା ପରେ ବର୍ତ୍ତମାନ ପୁଣି କଲିଜିୟମ ବ୍ୟବସ୍ଥା ବଳବତ୍ତର ରହିଛି ।[6]
କେତେକଙ୍କ ମତରେ ଏହା ହେଉଛି ନ୍ୟାୟାଧୀଶଙ୍କ ନିଯୁକ୍ତି ସମ୍ପର୍କିତ ଚତୁର୍ଥ ମାମଲା ।[7] ଉପରୋକ୍ତ ମାମଲାରେ ଉଚ୍ଚତମ ନ୍ୟାୟାଳୟର ପାଞ୍ଚଜଣିଆ ଖଣ୍ଡପୀଠ ଏହାର ଶୂଣାଣି କରିଥିଲେ ଏବଂ ପ୍ରତ୍ୟେକ ବିଚାରପତି ନିଜର ରାୟ ପ୍ରଦାନ କରିବାପରେ ୪:୧ ବହୁମତରେ ଉକ୍ତ ଖଣ୍ଡପୀଠ ରାଷ୍ଟ୍ରୀୟ ନ୍ୟାୟୀକ ନିଯୁକ୍ତି ଆୟୋଗ ଅଧିନିୟମକୁକୁ ଅସାମ୍ବିଧାନିକ ଦର୍ଶାଇ ରଦ୍ଦ କରିଦେଇଥିଲେ । ବିଚାରପତି ଆଦର୍ଶ କୁମାର ଗୋଏଲ ତାଙ୍କ ରାୟର ଅନୁଚ୍ଛେଦ ୨୩ରେ ଉଲ୍ଲେଖ କରିଥିବା କିୟଦଂଶ ହେଉଛି ଏହିଭଳି[8] :
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.