From Wikipedia, the free encyclopedia
ଏହି ଲେଖାଟି ଧାନକୁଟା ହେବା ଢିଙ୍କି ବାବଦରେ । ବାକି ସବୁ ବ୍ୟବହାର ପାଇଁ ଢିଙ୍କି ଓଷା ଦେଖନ୍ତୁ ।
ଢିଙ୍କି ଧାନ ଆଦି କୁଟିବା ନିମନ୍ତେ ଓଡ଼ିଶାରେ ଆଗରୁ ବ୍ୟବହାର କରାଯାଉଥିବା କାଠରେ ତିଆରି ପାଦଚାଳିତ ଏକ ଉପକରଣକୁ ବୁଝାଇଥାଏ । ଏଥିରେ ଏକ କୂଣ୍ଡରେ ଧାନ ରଖି ତାହାକୁ ପାଦଚାଳିତ କୁଟଣା ସାହାଯ୍ୟରେ କୁଟାଯାଇଥାଏ । ଏଥିରେ ଧାନ ଛଡ଼ା ଚୁଡ଼ା ମଧ୍ୟ କୁଟାଯାଇଥାଏ । ତେବେ ଧାନକୁଟା ଢିଙ୍କି, ଚୁଡ଼ାକୁଟା ଢିଙ୍କିଠାରୁ ଆକାରରେ ବଡ଼ ଓ ଓଜନିଆ ହୋଇଥାଏ । ଏହାକୁ ଲୌକିକ ବିଶ୍ୱାସ ଅନୁସାରେ ନାରଦ ଋଷିଙ୍କର ବାହନ ବୋଲି କୁହାଯାଇଥାଏ ।
ଢିଙ୍କିକୁ ମନୁଷ୍ୟ ଗୋଡ଼ଦ୍ୱାରା ଚଳାଇ ଧାନ କୁଟେ । ଢିଙ୍କି କୁଟିବା ପୁରୁଷଙ୍କୁ କୁଟାଳୀ ଓ ସ୍ତ୍ରୀମାନଙ୍କୁ କୁଟୁତୁଣୀ ବୋଲାଯାଏ । ଢିଙ୍କି ଚଳାଇବା ନିମନ୍ତେ ଅନ୍ତତଃ ଦୁଇଜଣ ଲୋକ ଦରକାର ହୋଇଥାନ୍ତି, ଜଣେ କୁଟିବା ପାଇଁ ଓ ଅନ୍ୟ ଜଣକ ଶୁଖାଇବା ପାଇଁ । ଜଣେ ବା ଦୁଇଜଣ ଲୋକ ଢିଙ୍କିଲାଞ୍ଜି ପାଖରେ ଠିଆ ହୋଇ ଗୋଟିଏ ପାଦ ତଳେ ରଖି ଆଉ ଏକ ପାଦ ଲାଞ୍ଜ ଉପରେ ରଖି ପାଦର ଭରାଦ୍ୱାରା ଲାଞ୍ଜକୁ ତଳ ଆଡ଼କୁ ମାଡ଼ିଲେ ଢିଙ୍କିର ମୁଣ୍ଡରେ ଥିବା ମୁଷଳ ଉପରକୁ ଉଠିଯାଏ ଓ ପାଦକୁ ଛାଡ଼ିଦେଲେ ଢିଙ୍କି ଭରାଣ୍ଡି ଗାତରେ ମୁଷଳଟି ଦୁଲକିନି ପଡ଼ି ଯାଏ । ଏହିପରି ଉପର୍ଯ୍ୟୁପରି ପାଦଭରାଦ୍ୱାରା ମୁଷଳକୁ ଉଠାଇବା ଓ ପକାଇ କୁଟାଯାଏ । ଢିଙ୍କିର ମୁଷଳ ଉପରକୁ ଉଠି ପୁନର୍ବାର ତଳକୁ ପଡ଼ିବା ମଧ୍ୟରେ ଯେଉଁ ଅଳ୍ପ ସମୟ ବ୍ୟବଧାନ ଥାଏ, ସେହି ସମୟରେ ଢିଙ୍କି ଭରାଣ୍ଡିରେ ଥିବା ଧାନକୁ ହାତଦ୍ୱାରା ଏପରି ସାବଧାନ ହୋଇ ଲେଉଟ ପାଉଟ କରିବାକୁ ହୁଏ ଯେ ଢିଙ୍କିର ମୁଷଳ ଭରାଣ୍ଡିରେ ପଡ଼ିବା ବେଳକୁ ହାତଟି ଭରାଣ୍ଡି ଭିତରୁ ବାହାରି ଆସି ଥାଏ । ନଚେତ ସମାଲଗା ମୁଷଳ ଥରେ କରପୃଷ୍ଟରେ ପଡ଼ିଲେ ହାତ କୁଟି ହୋଇଯିବ। ନୂଆ କରି ଶୁଖାଉଥିବା ଲୋକଙ୍କ ହାତରେ ଅନେକ ସମୟରେ ଢିଙ୍କି ପଡ଼ିଯାଏ ।
ଢିଙ୍କି କୁଟାଳିମାନେ ଗୋଟିଏ ଗୋଡ଼ରେ ତଳେ ଠିଆ ହୋଇ ଅନ୍ୟ ଗୋଡ଼ରେ ଢିଙ୍କି କୁଟିବା ଯୋଗୁଁ ସେମାନଙ୍କର ଗୋଟିଏ ଆଶ୍ରୟ ବା ଭରା ଲୋଡ଼ା ହୋଇଥାଏ । ଏଥିପାଇଁ ଚାଳରୁ ଓହଳିଥିବା ଖଣ୍ଡେ ଦଉଡ଼ିକୁ ଧରି କିମ୍ବା ଢିଙ୍କିର ପକ୍ଷୀ ଥିବା ସ୍ଥାନର ଦୁଇପାଖରେ ଦୁଇଖଣ୍ଡ ବଡ଼ ଖୁଣ୍ଟ ପୋତାଯାଇ ମନୁଷ୍ୟର ଛାତି ଉଚ୍ଚରେ ଖଣ୍ଡେ ଆଡ଼ ଧାରଣା ପଡ଼ିଥାଏ । ସେହି ଆଡ଼ ଧାରଣାକୁ ଆଶ୍ରା କରି କୁଟାଳୀ ଧାନ କୁଟନ୍ତି । ଧାନରୁ ଚାଉଳ ବାହର କରିବାକୁ ହେଲେ ଢିଙ୍କିକୁ ଆସ୍ତେ ଆସ୍ତେ କୁଟିବାକୁ ହୁଏ । ଚାଉଳ ଆଦିକୁ ଗୁଣ୍ଡା କରିବାକୁ ହେଲେ ଢିଙ୍କିକୁ ଦୁମ୍ ଦୁମ୍ କରି କୁଟିବାକୁ ହୁଏ । ରଗଡ଼ା ମୁଗକୁ କାଣ୍ଡିବାକୁ ହେଲେ ଢିଙ୍କି ପାହାର ଆଗରେ ପୁଳାଏ କୁଟା ଗୁଡ଼ାଇବାକୁ ହୁଏ ତାହାହେଲେ ଡାଲିଗୁଡ଼ିକ ଗୁଣ୍ଡା ହୋଇଯାଏ ନାହିଁ ।
ଏହା ଲମ୍ବରେ ୪-୫ ହାତ ଓ ଓସାରରେ ୧ ଫୁଟ । ଏହାର ମୁଣ୍ଡରେ ଗୋଟିଏ ପାହାର ଓ ଅଣ୍ଟାରେ ଗୋଟିଏ ପକ୍ଷ ଲାଗିଥାଏ । ଉଖୁଦଳ ଯନ୍ତ୍ରକୁ "ପାହୁରାଣୀ" କୁହାଯାଏ ।
ଢିଙ୍କି ସାହାଯ୍ୟରେ କୁଟିବା ପରଶ୍ରମ ସାପେକ୍ଷ । ଏଣୁ ଶ୍ରମ ଲାଘବ ପାଇଁ କୁଟାଳୀମାନେ ଯେଉଁ ଗୀତ ଗାଇ କାମ କରନ୍ତି ତାହାକୁ ଢିଙ୍କି ଗୀତ କହନ୍ତି ।
ଦୁଲ୍ ଦୁଲ୍ ଢିଙ୍କି ଶବଦ, ବ୍ରହ୍ମା ନ ପାଇଲେ ତା'ର ଭେଦ ଲୋ ।(ଘୋଷା)[1]
ଆମ୍ବ ଡାହି ଖଣ୍ଡ ଘୁଣ ଖାଇଲା ଲୋ, କରଞ୍ଜ ସବୁଠୁ ଟାଳ,
ଓଡ଼ିଆ ଫାରସୀ ସବୁ ମିଶାଇ ଲୋ, ସବୁ ଟାଣି ନେଲା ଲୁଣ ଲୋ ।(୧)
ନେଉଳ ନାକରେ ଫାସିଆ ହଳେ ଲୋ,ଏଣ୍ଡୁଅ ନାକରେ ଗୁଣା,
ମୂଷା ଶୋଇଅଛି ରତ୍ନ ପଲଙ୍କରେ, ମଞ୍ଜାରି ଧରେ ବିଞ୍ଚଣା ଲୋ ।(୨)
ଟୋକେଇ କଣ୍ଢେଇ ବାପଘର ଗଲେ, ଛାଞ୍ଚୁଣୀ ଜଗିଛି ଘର,
କଂସା ଥାଳି ଗଲେ ଜାତରା ଦେଖି, ମରେ କଲା ବାତଜର ଲୋ ।(୩)
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.