From Wikipedia, the free encyclopedia
ଜାଞ୍ଜିବର କଲରାପତ୍ରିଆ ବାଘ (ଈଂରାଜୀରେ Zanzibar leopard) ଏକ ପ୍ରଜାତିର ଆଫ୍ରିକୀୟ କଲରାପତରିଆ ବାଘ । ଆଫ୍ରିକାର ତାଞ୍ଜାନିଆ ଦେଶ ନିକଟରେ ଥିବା ଜାଞ୍ଜିବର ତ୍ରିକୋଣଭୂମିସ୍ଥିତ ଦ୍ୱୀପପୁଞ୍ଜର ଉଙ୍ଗୁଜା ଦ୍ୱୀପରେ ଏହି ଜୀବ ଦେଖାଯାଏ । ଏହି କଲରାପତ୍ରିଆ ବାଘ ଉଙ୍ଗୁଜା ଦ୍ୱୀପର ସର୍ବବୃହତ ମାଂସଭୋଜୀ ଜୀବ ଏବଂ ଖାଦ୍ୟ ଶୃଙ୍ଖଳର ଶୀର୍ଷତମ ଜୀବ । ସ୍ଥାନୀୟ ଶିକାରୀମାନଙ୍କ ଉପଦ୍ରବ ଯୋଗୁଁ ୨୦୦୮ ମସିହା ବେଳକୁ ଏହି ଜୀବ ସମ୍ପୂର୍ଣ୍ଣ ବିଲୋପ ପାଇଯାଇଥିଲା ବୋଲି ଆଶଙ୍କା କରାଯାଉଥିଲା ।[2] ବିଂଶ ଶତାବ୍ଦୀରେ ସହରୀକରଣ ଫଳରେ ମନୁଷ୍ୟ ଓ କଲରାପତରିଆ ବାଘ ଅନେକ ସମୟରେ ମୁହାଁମୁହିଁ ହେବା ଭଳି ପରିସ୍ଥିତି ଉପୁଜୁଥିଲା ଓ ଏହି ଜୀବଙ୍କୁ ହିଂସ୍ର ଓ କ୍ରୁର ବୋଲି ବିବେଚନା କରାଯାଇ ବହୁ ସଂଖ୍ୟାରେ ଶିକାର କରାଗଲା । ୧୯୯୦ ଦଶନ୍ଧିର ମଧ୍ୟଭାଗରେ ଏହି ପ୍ରଜାତିର ସଂରକ୍ଷଣ ପାଇଁ ଏକ ପ୍ରକଳ୍ପ ଆରମ୍ଭ ହୋଇଥିଲା କିନ୍ତୁ ବନ୍ୟପ୍ରାଣୀ ଗବେଷକମାନେ ଏହି କଲରାପତ୍ରିଆ ଉପ-ପ୍ରଜାତିର ପୁନରୁଦ୍ଧାରକୁ ନେଇ ବିଶେଷ ଆଶାବାଦୀ ନଥିବାରୁ ପ୍ରକଳ୍ପକୁ ବନ୍ଦ କରିଦିଆଗଲା ।[3] କିନ୍ତୁ ୨୦୧୮ ମସିହାରେ କ୍ୟାମେରା ଟ୍ରାପ୍ର ବ୍ୟବହାର କରି କରାଯାଇଥିବା ଏକ ସର୍ବେକ୍ଷଣରେ ସମାନ ପ୍ରକାରର ଏକ କଲରାପତ୍ରିଆ ବାଘର ଚିତ୍ର ଦେଖାଯାଇଥିବାରୁ ଏହି କଲରାପତରିଆ ବାଘର ସ୍ଥିତି ଓ ସଂରକ୍ଷଣକୁ ନେଇ ନୂଆ ଆଶା ଜାଗି ଉଠିଥିଲା, ତେବେ ଏହି ଉପ-ପ୍ରଜାତି ବିଷୟରେ କୌଣସି ବିଶେଷ ତଥ୍ୟ ହସ୍ତଗତ ହୋଇପାରିନାହିଁ ।[4]
ଜାଞ୍ଜିବର କଲରାପତ୍ରିଆ ବାଘ | |
---|---|
ଜାଞ୍ଜିବର ସଂଗ୍ରହାଳୟରେ ରଖାଯାଇଥିବା ଏକ ନମୁନା । ନଡ଼ାକୁଟା ଇତ୍ୟାଦିର ଛାଞ୍ଚ ଉପରେ ଏକ ଜାଞ୍ଜିବର କଲରାପତ୍ରିଆର ଚମଡ଼ା ଚଢ଼ାଇ ଏପରି ନମୁନା ପ୍ରସ୍ତୁତ କରାଯାଇଛି । | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଗୋଷ୍ଠୀ: | ମାମାଲିଆଫୋର୍ମ୍ସ |
ଶ୍ରେଣୀ: | ମାମାଲିଆ |
ବର୍ଗ: | କାର୍ନିଭୋରା |
Suborder: | Feliformia |
Family: | Felidae |
Genus: | Panthera |
ଜାତି: | P. pardus |
ଉପଜାତି: | P. p. pardus (କାର୍ଲ୍ ଲିନାୟସ୍, ୧୭୫୮) |
ଟ୍ରାଇନୋମିଆଲ ନାମ | |
Panthera pardus pardus (କାର୍ଲ୍ ଲିନାୟସ୍, ୧୭୫୮) | |
Synonyms | |
ପ୍ୟାନ୍ଥେରା ପାର୍ଡସ୍ ଆଡେର୍ସି[1] |
ରେଜିନାଲ୍ଡ୍ ଇନ୍ନେସ୍ ପୋକକ୍ ଜାଞ୍ଜିବର କଲରାପତ୍ରିଆ ବାଘକୁ କଲରାପତରିଆର ଏକ ଉପ-ପ୍ରଜାତି ବୋଲି ଗଣନା କରି ଏହାକୁ ୧୯୩୨ ମସିହାରେ ପ୍ୟାନ୍ଥେରା ପାର୍ଡସ୍ ଆଡେର୍ସି (Panthera pardus adersi) ବୋଲି ନାମିତ କରିଥିଲେ ।[1] ୧୯୯୬ ମସିହାରେ ଏହି ଜୀବକୁ ପୁଣି ପ୍ୟାନ୍ଥେରା ପାର୍ଡସ୍ ପାର୍ଡସ୍ ଶ୍ରେଣୀରେ ଅବସ୍ଥାପିତ କରାଗଲା ।[5][6]
ଜାଞ୍ଜିବର ସର୍ଭେଲାଇନ୍ ଗେନେଟ୍, ଜାଞ୍ଜିବର ଲାଲ୍ କୋଲୋବସ୍ ପରି ପ୍ରାଣୀଙ୍କ ବିବର୍ତ୍ତନ ଓ ଜାଞ୍ଜିବର କଲରାପତ୍ରିଆ ବାଘର ବିବର୍ତ୍ତନ ଇତିହାସ ପ୍ରାୟ ସମାନ୍ତରାଳ (ଏକା ପ୍ରକାରର) । ହିମଯୁଗର ଶେଷ ବେଳକୁ ସମୁଦ୍ରପତନ ବଢ଼ିବାକୁ ଲାଗିଲା ଓ ଉଙ୍ଗୁଜା ଦ୍ୱୀପ ଆଫ୍ରିକାର ମୂଳ ଭୂପୃଷ୍ଠରୁ ବିଚ୍ଛିନ୍ନ ହୋଇଗଲା । ସେହି ସମୟରେ ଏହି ଜୀବମାନେ ଆଫ୍ରିକାର ସମାନ ପ୍ରକାରର ପ୍ରଜାତିଙ୍କଠାରୁ ବିଚ୍ଛିନ୍ନ ଓ ସ୍ୱତନ୍ତ୍ର ଭାବେ ବିବର୍ତ୍ତିତ ହୋଇଥିବା ଅନୁମାନ କରାଯାଏ । ସ୍ଥାନୀୟ ପରିବେଶରେ ଖାପଖୁଆଇବା ପାଇଁ ଏହି ଜୀବର ଆକାର ଅନ୍ୟ କଲରାପତରିଆଙ୍କଠାରୁ ଛୋଟ ଓ ଏହାର କଲରାପତ୍ର ଦାଗ ମଧ୍ୟ ଚିତାବାଘର ଦାଗ ପରି ହୋଇଗଲା ।[7][8]
ଜାଞ୍ଜିବର କଲରାପତ୍ରିଆ ବାଘର ପରିସ୍ଥିତିକ ବ୍ୟବହାର ସମ୍ପର୍କରେ ବହୁତ କମ୍ ତଥ୍ୟ ଜଣାଯାଇପାରିଛି ।[9] ଜଙ୍ଗଲରେ ସ୍ୱାଧୀନ ଭାବେ ରହୁଥିବା ଜାଞ୍ଜିବର କଲରାପତ୍ରିଆ ବାଘଙ୍କ ବିଷୟରେ ଅଦ୍ୟାବଧି କୌଣସି ବଡ଼ ଧରଣର ଗବେଷଣା କରାଯାଇ ପାରିନାହିଁ । ୧୯୮୦ ଦଶନ୍ଧିର ପ୍ରଥମ ଭାଗରେ ଶେଷ ଥର ପାଇଁ ଏକ ଜୀବନ୍ତ ଜାଞ୍ଜିବର କଲରାପତ୍ରିଆ ବାଘକୁ ଦେଖାଯାଇଥିଲା ।[10] ଏହି କାରଣରୁ ଜାଞ୍ଜିବର କଲରାପତ୍ରିଆ ବାଘ ସମ୍ପୂର୍ଣ୍ଣ ବିଲୁପ୍ତ ବା ଲୁପ୍ତପ୍ରାୟ ବୋଲି ଅଧିକାଂଶ ଜୀବବିଜ୍ଞାନୀ ମତ ପୋଷଣ କରିଥିଲେ ।[3]
ବିଭିନ୍ନ ସଂଗ୍ରହାଳୟରେ ଏହି ଜୀବର ସମୁଦାୟ ୬ଟି ଛାଲ (ଚମଡ଼ା) ରହିଛି । ଲଣ୍ଡନର ପ୍ରାକୃତିକ ଇତିହାସ ସଂଗ୍ରହାଳୟ ଓ ଜାଞ୍ଜିବର ସଂଗ୍ରହାଳୟରେ ଦୁଇଟି ନମୁନା ରହିଛି । ଜାଞ୍ଜିବର ସଂଗ୍ରହାଳୟର ନମୁନାଟିର ଚମଡ଼ାର ଦାଗ କ୍ଷୀଣ ହେବାକୁ ଲାଗିଲାଣି ।[2] ତେବେ ଜାଞ୍ଜିବର ସରକାରଙ୍କ ପରିସଂଖ୍ୟାନ ଅନୁଯାୟୀ ୧୯୯୦ ଦଶନ୍ଧିର ମଧ୍ୟଭାଗ ପର୍ଯ୍ୟନ୍ତ ଏହି ଜୀବଙ୍କର ଶିକାର କରାଯାଉଥିଲା ଏବଂ ଏହି ଜୀବଟି ଗୃହପାଳିତ ପଶୁଙ୍କ ଶିକାର କରୁଥିବାର ଅଭିଯୋଗ ଉଙ୍ଗୁଜା ଦ୍ୱୀପର ଅଧିବାସୀମାନେ କରିଆସୁଛନ୍ତି ।[11]
ଡାହାଣୀମାନେ ଏହି କଲରାପତ୍ରିଆ ବାଘଙ୍କୁ ପୋଷି ରଖିଥାନ୍ତି, ମନୁଷ୍ୟଙ୍କୁ କ୍ଷତି ପହଞ୍ଚାଇବା ବା ହଇରାଣ କରିବା ଉଦ୍ଦେଶ୍ୟରେ ଏମାନଙ୍କୁ ଛାଡ଼ନ୍ତି ବୋଲି ରହିଥିବା ଅନ୍ଧବିଶ୍ୱାସ ଓ ଗୁଜବ ଗ୍ରାମୀଣ ଜାଞ୍ଜିବର ଲୋକକଥାରେ ପ୍ରତିଫଳିତ ହୋଇଆସୁଛି । ତାହା ସହିତ ଏହି ପ୍ରାଣୀମାନେ କିପରି ଡାହାଣୀମାନଙ୍କଦ୍ୱାରା ପୋଷାଯାନ୍ତି, ପ୍ରଶିକ୍ଷଣ ଲାଭ କରନ୍ତି, ରୂପ ବଦଳାନ୍ତି ଓ ନିଜ ଦୁରାଚାରୀ ମାଲିକର ଆଦେଶ ପାଳନ ପାଇଁ କିପରି ପ୍ରେରିତ ହୁଅନ୍ତି ଇତ୍ୟାଦିକୁ ନେଇ ଅନେକ କାଳ୍ପନିକ ବିଶ୍ୱାସ ତଥା ଲୋକକଥା ରହିଛି । ନିଜର ଅଲଗା ପ୍ରକାରର ରୂପ ପାଇଁ ଓ ଚାଷଜମି ଆଖପାଖରେ ବିଚରଣ କରି ଏହି ଜୀବମାନେ ସ୍ଥାନୀୟ ଚାଷୀ ଓ ଅନ୍ୟ ଲୋକଙ୍କ ଆକ୍ରୋଶର ଶିକାର ହୁଅନ୍ତି ।[12]
ବିଂଶ ଶତାବ୍ଦୀ ବେଳକୁ କ୍ରମଶଃ ବଢ଼ି ଚାଲିଥିବା ଜନସଂଖ୍ୟା ଓ କୃଷିକ୍ଷେତ୍ର ଏହି ଜୀବଙ୍କ ପ୍ରାକୃତିକ ପରିବାସ ନଷ୍ଟ କରଦେଲା, ଏମାନଙ୍କ ପ୍ରାକୃତିକ ଶିକାରଜୀବଙ୍କ ସଂଖ୍ୟା ହ୍ରାସ ପାଇଲା ଓ ମନୁଷ୍ୟଙ୍କ ସହିତ ମୁହାଁମୁହିଁ ହେବାର ସ୍ଥିତି ସୃଷ୍ଟି ହେଲା । ମନୁଷ୍ୟ ଓ କଲରାପତ୍ରିଆ ବାଘଙ୍କ ମଧ୍ୟରେ ସଂଘର୍ଷ ବଢ଼ିବାରୁ ଏମାନଙ୍କୁ ସମ୍ପୂର୍ଣ୍ଣ ନିଶ୍ଚିହ୍ନ କରିଦେବା ପାଇଁ ଏଠାକାର ଲୋକେ ଯୋଜନା କଲେ । ଯଦିଓ ଏପରି ଯୋଜନା ସ୍ଥାନୀୟ ଭାବେ କାଁଭାଁ ଗ୍ରାମରେ ଆରମ୍ଭ ହୋଇଥିଲା, ୧୯୬୪ ମସିହା ବେଳକୁ ଏହି ଅସନ୍ତୋଷ ସମଗ୍ର ଦ୍ୱୀପବ୍ୟାପୀ ଜାଞ୍ଜିବର ଆନ୍ଦୋଳନ ବୋଲାଇଲା । ତେଣୁ ଗୁଣିଆମାନଙ୍କ ନେତୃତ୍ୱରେ କଲରାପତ୍ରିଆଙ୍କୁ ମାରିବାର ଏକ ପ୍ରୟାସ ଚାଲିଲା ।[13] ବହୁ ସମୟ ଧରି ଚାଲିଥିବା ଏହି ଦମନ ଲୀଳା ଯୋଗୁଁ ବହୁ ଜାଞ୍ଜିବର କଲରାପତ୍ରିଆ ବାଘ ମଲେ ଓ ସେମାନଙ୍କ ସ୍ଥିତି ଲୁପ୍ତପ୍ରାୟ ଅବସ୍ଥାକୁ ଆସିଗଲା ।[9]
୧୯୯୦ ଦଶନ୍ଧିର ମଧ୍ୟଭାଗ ପର୍ଯ୍ୟନ୍ତ ଜାଞ୍ଜିବର କଲରାପତ୍ରିଆ ବାଘମାନଙ୍କ ଦୁର୍ଦ୍ଦଶା ପ୍ରତି ବିଶେଷ ଦୃଷ୍ଟି ଦିଆଯାଇନଥିଲା । ସେ ସମୟ ବେଳକୁ କିଛି ଅଧିକାରୀ ଓ ଗବେଷକ ଏହି ପ୍ରାଣୀକୁ ଲୁପ୍ତ ମାନ୍ୟତା ଦେବାକୁ ମତ ରଖିଥିଲେ ।[14] କଲରାପତ୍ରିଆ ବାଘଙ୍କ ସଂରକ୍ଷଣ ପାଇଁ CARE ସଂସ୍ଥାର ଆର୍ଥିକ ସହାୟତାରେ ଜୋଜାନି-ଚ୍ୱାକା ସଂରକ୍ଷଣ ପ୍ରକଳ୍ପର ଆରମ୍ଭ କରାଗଲା । କିନ୍ତୁ ଜୋଜାନି ଜଙ୍ଗଲ ଅଞ୍ଚଳରେ ଜାଞ୍ଜିବର କଲରାପତ୍ରିଆ ବାଘର ଉପସ୍ଥିତି ନେଇ କୌଣସି ପ୍ରମାଣ ନମିଳିବାରୁ ଏହି ଜୀବର ଭବିଷ୍ୟତ ନେଇ ସନ୍ଦେହ ସୃଷ୍ଟି ହେଲା ଓ ୧୯୯୭ ମସିହାରେ ପ୍ରକଳ୍ପଟିକୁ ବନ୍ଦ କରିଦିଆଗଲା ।[3]
ତେବେ ସ୍ଥାନୀୟ ବନ୍ୟଜୀବ ଅଧିକାରୀ ଏହି ଜୀବ ବଞ୍ଚିଥିବାକୁ ନେଇ ଦୃଢ଼ ଆଶାବାଦୀ ଥିଲେ । କିଛି ସ୍ଥାନୀୟ ଲୋକ ଜାଞ୍ଜିବର କଲରାପତ୍ରିଆଙ୍କୁ ପୋଷା ମନାଇ ରଖିଥିବାର ଗୁଜବ ପ୍ରଚାର କରନ୍ତି ଓ ପର୍ଯ୍ୟଟକଙ୍କଠାରୁ ପଇସା ନେଇ ସେମାନଙ୍କୁ କଲରାପତ୍ରିଆ ଦେଖାଇଦେବାର ମିଛ ଦାବୀ କରନ୍ତି । ଆଜି ପର୍ଯ୍ୟନ୍ତ କୌଣସି ପୋଷା ଜାଞ୍ଜିବର କଲରାପତ୍ରିଆ ବାଘର ଦର୍ଶନ ହୋଇନାହିଁ ।[10][15][16]
ତେଣୁ ଜାଞ୍ଜିବର କଲରାପତ୍ରିଆ ବାଘ ବିଷୟରେ ପରସ୍ପର ବିରୋଧୀ ବିଭିନ୍ନ ତଥ୍ୟ ମିଳୁଥିବାରୁ ଗବେଷକମାନେ ଏହାର ସଂରକ୍ଷଣ ସ୍ଥିତିକୁ ନେଇ ଏବେ ବି ଅନିର୍ଦ୍ଦିଷ୍ଟ ଅଛନ୍ତି ।[17][18][19][20]
ଏନିମଲ୍ ପ୍ଲାନେଟ୍ ଟିଭି ଚ୍ୟାନେଲ୍ ୨୦୧୮ ମସିହାରେ ଏକ୍ସଟିଂକ୍ଟ୍ ଅର୍ ଏଲାଇଭ୍ (Extinct or Alive) ନାମକ ଏକ କାର୍ଯ୍ୟକ୍ରମର ପ୍ରଯୋଜନା କରିଥିଲେ । ଉଙ୍ଗୁଜା ଦ୍ୱୀପର ବିଭିନ୍ନ ସ୍ଥାନରେ କ୍ୟାମେରା ଟ୍ରାପ୍ ଲଗାଯାଇଥିଲା । ରେକର୍ଡ୍ କରାଯାଇଥିବା ଏକ ଭିଡ଼ିଓ ଚିତ୍ରରେ କଲରାପତ୍ରିଆ ବାଘଟିଏ ଚାଲିଯାଉଥିବା ଦେଖିବାକୁ ମିଳିଲା । ଏହି କଲରାପତ୍ରିଆ ଆଫ୍ରିକୀୟ ମୂଳ ଭୂଭାଗର କଲରାପତରିଆ ବାଘଙ୍କ ଅପେକ୍ଷା ଆକାରରେ ଛୋଟ ଓ ଏହାର କଲରାପତ୍ର ଚିହ୍ନ ମଧ୍ୟ ଛୋଟ ବୋଲି ଭଡ଼ିଓରେ ରେକର୍ଡ ହୋଇଛି । ଏହି ଜୀବଟି ପ୍ରକୃତରେ ଜାଞ୍ଜିବର କଲରାପତ୍ରିଆ ବାଘ ନା ନୁହଁ ଓ ଏମାନଙ୍କ ସଂରକ୍ଷଣର ସମ୍ଭାବ୍ୟତା ଜାଣିବା ପାଇଁ ଜାଞ୍ଜିବର କଲରାପତ୍ରିଆଙ୍କ ବିଷୟରେ ଆହୁରି ସର୍ବେକ୍ଷଣ କରାଯିବାର ଯୋଜନା କରାଯାଉଛି ।[4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.