From Wikipedia, the free encyclopedia
ସାର୍କଏଡୋସିସ୍, ଅନ୍ୟ ନାମ ସାର୍କଏଡ୍, ଏକ ରୋଗ ଯେଉଁଥିରେ ପ୍ରଦାହକାରୀ କୋଷ ଏକ ପିଣ୍ଡୁଳା ଆକାର ଧାରଣ କରିଥାଏ ଓ ତାକୁ ଗ୍ରାନୁଲୋମା କୁହାଯାଏ ।[1] ସାଧାରଣତଃ ଏହି ରୋଗ ଫୁସଫୁସ, ଚର୍ମ ଓ ଲସିକା ଗ୍ରନ୍ଥିରେ ଆରମ୍ଭ ହୁଏ । ଏହା ଚକ୍ଷୁ, ଯକୃତ, ହୃତ୍ପିଣ୍ଡ ଓ ମସ୍ତିଷ୍କକୁ ମଧ୍ୟ ଆକ୍ରମଣ କରିପାରେ । ଅଧିକନ୍ତୁ ଯେ କୋଣସି ଅଙ୍ଗ ଆକ୍ରାନ୍ତ ହୋଇପାରେ । ଆକ୍ରାନ୍ତ ଅଙ୍ଗ ଉପରେ ଲକ୍ଷଣ ନିର୍ଭର କରେ । ଅଧିକାଂଶ ସମୟରେ କୌଣସି ଲକ୍ଷଣ ନ ଥାଏ ବା ସାମାନ୍ୟ ଲକ୍ଷଣ ଥାଏ ।[1] ଫୁସଫୁସ ଆକ୍ରାନ୍ତ ହେଲେ ସଁସଁ ଶ୍ୱାସ ଶବ୍ଦ, କାଶ, ଛୋଟ ଶ୍ୱାସ କ୍ରିୟା ବା ଛାତି ଯନ୍ତ୍ରଣା ହୁଏ ।[2] କେତେକ ଲୋକଙ୍କର ଲୋଫଗ୍ରେନ ସିଣ୍ଡ୍ରୋମ ଥାଏ ଯେଉଁଥିରେ ଜ୍ୱର, ବଡ଼ ଲସିକା ଗ୍ରନ୍ଥି, ଗଣ୍ଠି ପ୍ରଦାହ ହୁଏ ଓ ଏରିଦେମା ନୋଡୋସମ୍ ନାମକ ରାସ୍ ବାହାରେ । [1]
ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।.[1] ସଂକ୍ରମଣ ବା ଜେନେଟିକ ସଂବେଦନଶୀଳ ଲୋକର ରାସାୟନିକ ଦ୍ରବ୍ୟ ସଂସ୍ପର୍ଶ ଏକ ଟ୍ରିଗର ଭଳି ଇମ୍ମ୍ୟୁନିଟି ପ୍ରତିକ୍ରିୟାକୁ ସଜାଗ କରିବା ଯୋଗୁ ଏହି ରୋଗ ହେବା ଅନେକ ବିଶ୍ୱାସ କରନ୍ତି ।.[3][4] ପରିବାରରେ ଏହି ରୋଗ ଥିଲେ ଅନ୍ୟ ସଭ୍ୟଙ୍କର ରୋଗ ସଙ୍କଟ ଅଧିକ ରହେ ।[5] ଲକ୍ଷଣ ଓ ଚିହ୍ନ ଦେଖି ବାୟୋପ୍ସି ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । ଫୁସଫୁସ ମୂଳରେ ବୃଦ୍ଧି ପ୍ରାପ୍ତ ଲସିକା ଗ୍ରନ୍ଥି ଥିଲେ ଓ ସାଧାରଣ ପାରାଥାଇରଏଡ ହରମୋନ ସ୍ତର ଥାଇ ରକ୍ତ କ୍ୟାଲସିୟମ ସ୍ତର ଅଧିକ ଥିଲେ ଏହି ରୋଗ ଥିବା ଯୁକ୍ତି ଯୁକ୍ତ ମନେହୁଏ । ଯକ୍ଷ୍ମା ଭଳି ସମାନ ଲକ୍ଷଣ ଥିବା ରୋଗମାନଙ୍କୁ ପ୍ରଥମେ ପରୀକ୍ଷା କରି ଦୂର କରିବା ପରେ ଏହି ରୋଗ ନିର୍ଣ୍ଣୟ ସମ୍ଭବ ହୁଏ ।[6]
ଅନେକ ଲୋକ ବିନା ଚିକିତ୍ସାରେ କିଛି ବର୍ଷ ମଧ୍ୟରେ ଆରୋଗ୍ୟ ଲାଭ କରନ୍ତି ।[1][7] କେତେକ ଲୋକଙ୍କର ରୋଗ ଦୀର୍ଘକାଳ ଧରି ରହେ ବା ସାଂଘାତିକ ହୋଇଯାଏ ।[7] ଆଇବୁପ୍ରୋଫେନ ଭଳି ପ୍ରଦାହରୋଧୀ ଔଷଧ ଦେଲେ କେତେକ ରୋଗୀ ଉପକୃତ ହୁଅନ୍ତି ।[8] ଅଧିକ ସମସ୍ୟା ଥିଲେ ସ୍ଟିରଏଡ ଦିଆଯାଏ । ସ୍ଟିରଏଡର ପାର୍ଶ୍ୱ ପ୍ରତିକ୍ରିୟା କମ କରିବାକୁ ବେଳେ ବେଳେ ମେଥୋଟ୍ରେକସେଟ, କ୍ଳୋରୋକୁଇନ ବା ଆଜାଥାୟୋପ୍ରିନ ଦିଆଯାଏ । [9] ୧ରୁ ୭ % ମୃତ୍ୟୁ ସଙ୍କଟ ଅଛି । [7] ପୂର୍ବରୁ ଏହି ରୋଗ ଥିବା ଲୋକର ଆଉଥରେ ରୋଗ ହେବା ସମ୍ଭାବନା ୫%ରୁ କମ ଥାଏ ।[1]
ସନ ୨୦୧୩ରେ ସାରା ପୃଥିବୀରେ ସାର୍କଏଡୋସିସ୍ ଓ ଇଣ୍ଟରସ୍ଟିସିଆଲ ଲଙ୍ଗସ୍ ଡିଜିଜ୍ ରୋଗ ୫୯୫,୦୦୦ ଲୋକଙ୍କୁ ଆକ୍ରମଣ କରିଥିଲା । [10] ଏହି ଦୁଇ ରୋଗ ଯୋଗୁ ୪୭୧,୦୦୦ ଲୋକ ମୃତ୍ୟୁବରଣ କରିଥିଲେ ।[11] ସ୍କାଣ୍ଡିନେଭିଆ ଲୋକଙ୍କୁ ଏହି ରୋଗ ଅଧିକ ଆକ୍ରମଣ କରୁଥିଲେ ମଧ୍ୟ ସାରା ବିଶ୍ୱରେ ଏହା ଦେଖାଯାଏ । ଯୁକ୍ତରାଷ୍ଟ୍ର ଆମେରିକାର ଗୋରା ଲୋକ ଅପେକ୍ଷା କଳା ଲୋକ ଅଧିକ ଆକ୍ରାନ୍ତ ହୁଅନ୍ତି ।[12] ଏହି ରୋଗ ୨୦ରୁ ୫୦ ବର୍ଷ ବୟସ ମଧ୍ୟରେ ହୁଏ ।[5] ପୁରୁଷଙ୍କ ଅପେକ୍ଷା ଅଧିକ ମହିଳାମାନଙ୍କୁ ରୋଗ ଅଧିକ ହୁଏ ।[5] ସନ ୧୮୭୭ରେ ଜୋନାଥନ ହଚିନ୍ସନ୍ ନାମକ ଏକ ଇଂରେଜ ଡାକ୍ତର ଏକ ଯନ୍ତ୍ରଣାଦାୟକ ପିଣ୍ଡୁଳାକୁ ସାର୍କଏଡୋସିସ୍ ଭାବରେ ବର୍ଣ୍ଣନା କରିଥିଲେ । [13]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.