ଏକ ଅତ୍ୟଧିକ ସଂକ୍ରାମକ ରୋଗ (contagious) ବା ଛୁଆଁ ରୋଗ ଯାହା ଭାରିସେଲା ଜୋସ୍ଟର ଭୁତାଣୁଦ୍ୱାରା ହୁଏ ଓ ରୋଗୀ ସଂସ୍ପର୍ଶର From Wikipedia, the free encyclopedia
ହାଡ଼ଫୁଟି, (ଇଂରାଜୀରେ chickenpox ବା varicella), ଏକ ଅତ୍ୟଧିକ ସଂକ୍ରାମକ ରୋଗ (contagious) ବା ଛୁଆଁ ରୋଗ ଯାହା ଭାରିସେଲା ଜୋସ୍ଟର ଭୁତାଣୁଦ୍ୱାରା ହୁଏ ଓ ରୋଗୀ ସଂସ୍ପର୍ଶରେ ଆସିଲେ ହୁଏ । [1] ଏହି ରୋଗର ବିଶେଷତା ହେଲା ଛୋଟ ଛୋଟ ଗଲୁକାରୀ ଫୋଟକା (small blisters) ହୋଇ ଅବଶେଷରେ ତା ଉପରେ ବକଳା ହୁଏ । [2] ଏହା ମୁହଁ, ଛାତି ଓ ପିଠିରେ ଆରମ୍ଭ ହୋଇ ଦେହା ସାରା ମାଡ଼ିଯାଏ । [2] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଜ୍ୱର, ଥକ୍କାଣ ଓ ମୁଣ୍ଡବଥା ହୁଏ । [2] ଏହି ଲକ୍ଷଣ ଗୁଡ଼ିକ ୫ରୁ ୧୦ ଦିନ ପର୍ଯ୍ୟନ୍ତ ରହେ । [2] ରୋଗ ଜଟିଳ ହେଲେ ନିମୋନିଆ, ଏନ୍କେଫାଲାଇଟିସ କିମ୍ବା ଚର୍ମରେ ଜୀବାଣୁ ସଂକ୍ରମଣ ହୁଏ । [3] ପିଲାଙ୍କ ଅପେକ୍ଷା ବଡ଼ମାନଙ୍କୁ ଏହି ରୋଗ ଅଧିକ ମାରାତ୍ମକ ହୁଏ । [4] ଭୁତାଣୁ ସଂସ୍ପର୍ଶରେ ଆସିବାର ୧୦ରୁ ୨୦ ଦିନ ପରେ ଲକ୍ଷଣ ଆରମ୍ଭ ହୁଏ । [5]
Chickenpox | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ସଂକ୍ରାମକ ରୋଗ[*], pediatrics[*] |
ଆଇସିଡ଼ି-୧୦ | B01. |
ଆଇସିଡ଼ି-୯-ସିଏମ୍ | 052 |
ରୋଗ ଡାଟାବେସ | 29118 |
ମେଡ଼ିସିନ-ପ୍ଲସ | 001592 |
ଇ-ମେଡ଼ିସିନ | ped/2385 derm/74, emerg/367 |
Patient UK | ହାଡ଼ଫୁଟି |
MeSH | C02.256.466.175 |
ହାଡ଼ଫୁଟି ଏକ ବାୟୁବାହିତ ରୋଗ ଯାହା ରୋଗୀର କାଶ ଓ ଛିଙ୍କଦ୍ୱାରା ସହଜରେ ବିସ୍ତାର ଲାଭ କରେ । [5] ଫୋଟକା ବା ରାସ ବାହାରିବାର ୨ ଦିନ ପୂର୍ବରୁ ଏହା ବ୍ୟାପିଯାଏ ଓ ସବୁ ଫୋଟକା ବକଳା ହୋଇସାରିବା ପର୍ଯ୍ୟନ୍ତ ସଂକ୍ରାମକ ହୋଇ ରହେ । [5] ଫୋଟକାକୁ ଛୁଇଁଲେ ମଧ୍ୟ ଏହା ବ୍ୟାପିଯାଏ । [5] ହର୍ପିସ ଜୋସ୍ଟର ରୋଗୀ ହାଡ଼ଫୁଟି ରୋଗକୁ ଫୋଟକା ଇମ୍ମୁନିଟି ନ ଥିବା ଲୋକଙ୍କୁ ବ୍ୟାପିବାରେ ସାହାଯ୍ୟ କରନ୍ତି । [5] ରୋଗୀର ଲକ୍ଷଣ ଦେଖି ସାଧାରଣତଃ ରୋଗ ନିର୍ଣ୍ଣୟ କରାଯାଏ; [6] ଯଦିଓ ଅସାଧାରଣ କେଶରେ ବକଳା ବା ଫୋଟକା ତରଳ ପଦାର୍ଥ ନେଇ ପଲିମରେଜ୍ ଚେନ ରିଆକ୍ସନ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ । [4] ରୋଗୀର ଇମ୍ମ୍ୟୁନିଟି ଅବସ୍ଥ ଯାଞ୍ଚ କରିବା ନିମନ୍ତେ ଆଣ୍ଟିବଡି ପରୀକ୍ଷା କରାଯାଏ । [4] ଏହି ରୋଗ ସାଧାରଣତଃ ଲୋକଙ୍କୁ ଥରେ ମାତ୍ର ହୁଏ ।
ହାଡ଼ଫୁଟି ଟିକା ଦେବା ଫଳରେ ରୋଗ ସଂଖ୍ୟା ଓ ଜଟିଳତା କମିଯାଇଛି । [7] ଟିକାଦ୍ୱାରା ଏହି ରୋଗରୁ ୭୦ରୁ ୯୦ % ଲୋକ ଉପକୃତ ହେଉଛନ୍ତି । [4] ପିଲାମାନଙ୍କୁ ନିୟମିତ ହାଡ଼ଫୁଟି ଟିକା ଦେବାକୁ ଅନେକ ଦେଶରେ ସୁପାରିସ କରାଯାଏ ।[8] ରୋଗୀ ସଂସ୍ପର୍ଶରେ ଆସିବାର ୩ ଦିନ ମଧ୍ୟରେ ପିଲାମାନେ ଟିକା ନେଲେ ଫଳାଫଳ ଉନ୍ନତି କରେ । [9] ରୋଗ ହୋଇସାରିବା ପରେ ଗଲୁରୁ ରକ୍ଷା ପାଇବା ନିମନ୍ତେ କାଲାମିନ ଲୋସନ ଲଗେଇବାକୁ ଦିଆଯାଏ, ନଖ କାଟି ଛୋଟ କରିବାକୁ ଉପଦେଶ ଦିଆଯାଏ ଯାହା ଫଳରେ କୁଣ୍ଡେଇଲେ ଆଘାର ହେବ ନାହିଁ, ଜ୍ୱର ହେଲେ ଆସେଟାମିନୋଫେନ ବା ପାରାସେଟାମୋଲ ଦିଆଯାଏ । [5] ରୋଗ ଜଟିଳ ହେବା ଆଶଙ୍କା ଥିଲେ ଆସାଇକ୍ଲୋଭିର ଭଳି ଭୁତାଣୁରୋଧୀ ଔଷଧ ଦିଆଯାଏ । [5]
ପୃଥିବୀର ସବୁ ସ୍ଥାନରେ ହାଡ଼ଫୁଟି ହୁଏ । [4] ନିୟମିତ ଟିକା ଦିଆଯିବା ପୂର୍ବରୁ ପ୍ରତି ବର୍ଷ ଜନ୍ମ ହେଉଥିବା ପିଲା ସଂଖ୍ୟା ସଙ୍ଗେ ହାଡ଼ଫୁଟି ରୋଗୀ ସଂଖ୍ୟା ସମାନ ରହୁଥିଲା । [4] ଆମେରିକାରେ ଟିକା ଦିଆଯିବା ପରେ ଏହି ରୋଗ ସଂକ୍ରମଣ ୯୦% କମିଯାଇଛି । [4] ପୃଥିବୀରେ ସନ ୧୯୯୦ରେ ଏହି ରୋଗମୃତ୍ୟୁ ସଂଖ୍ୟା ୮୯୦୦ ହୋଇଥିବା ବେଳେ ସନ ୨୦୧୩ରେ ଏହା କମିଯାଇ ୭,୦୦୦ ମାତ୍ର ହୋଇଥିଲେ । [10] ପ୍ରତି ୬୦,୦୦୦ ରୋଗୀ ମଧ୍ୟରୁ ଜଣେ ମୃତ୍ୟୁ ବରଣ କରୁଥିଲା । [4] ଊନବିଂଶ ଶତାବ୍ଦୀର ଶେଷ ଭାଗ ପର୍ଯ୍ୟନ୍ତ ଏହି ରୋଗ ବସନ୍ତ ରୋଗଠାରୁ ଅଲଗା ବୋଲି ଜଣା ନ ଥିଲା । [4] ସନ ୧୮୮୮ରେ ହର୍ପିସ ଜୋସ୍ଟର ସହ ଏହାର ସମ୍ପର୍କ ନିରୂପଣ କରାଯାଇ ଥିଲା । [4] ସନ ୧୬୮୪ରେ ପ୍ରଥମେ ଚିକେନପକ୍ସ ବା ହାଡ଼ଫୁଟି ନାମରେ ଏହି ରୋଗ ଲିପିବଦ୍ଧ ହୋଇଥିଲା । [11] ଏହି ନାମ କାହିଁକି ବ୍ୟବହୃତ ହୋଇଥିଲା ତାହା ଜଣାନାହିଁ, ବୋଧହୁଏ ରୋଗ ଅପେକ୍ଷାକୃତ ମୃଦୁ ହୋଇଥିବାରୁ ଏହାର ନାମ ସାଥୀରେ ଚିକେନ ଯୋଡ଼ି ଦିଆଯାଇଥିଲା । [11]
ହାଡ଼ଫୁଟି ହେବା ପୂର୍ବରୁ କିଛି ପ୍ରାକ୍ ଲକ୍ଷଣ (prodromal symptom) ଦେଖାଯାଏ । କିଶୋର ଓ ବୟସ୍କମାନଙ୍କଠାର ଭୋକ ଲାଗେନି, ବାନ୍ତି ବାନ୍ତି ଲାଗେ, ମାଂସପେଶୀରେ ଯନ୍ତ୍ରଣା ହୁଏ ଓ ମୁଣ୍ଡବଥା ହୁଏ । ପରେ ପରେ ରାସ୍ କିମ୍ବା ପାଟି ଘାଆ, ଘୋଳାବିନ୍ଧା ଓ ସାମାନ୍ୟ ଜ୍ୱର ହୁଏ । ପିଲାମାନଙ୍କର ପ୍ରାକ ଲକ୍ଷଣ ଲେଖାଯାଏ ନାହିଁ । ମୁହଁରେ, ମୁଣ୍ଡରେ, ଦେହରେ, ଅବୟବର ଉପର ଅଂଶରେ ଛୋଟ ଲାଲ ଦାଗ ଆକାରରେ ରାସ୍ ଦେଖାଯାଏ । ୧୦ରୁ ୧୨ ଘଣ୍ଟା ମଧ୍ୟରେ ଏହା ଫୁଲିଯାଇ ଫୋଟକା ଓ ପୂଜପୂର୍ଣ୍ଣ ହୋଇଯାଏ । ଏହା ପରେ ଏହା ଫୁଲା ସ୍ଥାନରେ ଗୋଟିଏ ଛୋଟ ଗାତ (umbilicton) ହୁଏ ଓ ଖୋଳପା ତିଆରି ହୁଏ [12][13]।
ପାପୁଲି, ପାଦତଳ ଓ ଯୌନାଙ୍ଗରେ ଫୋଟକା ହୋଇପାରେ । ଫୋଟକା ହେବା ବେଳେ ବହୁତ କୁଣ୍ଡେଇ ହୁଏ । ପାଟିରେ ଓ ଟନ୍ସିଲ ସ୍ଥାନରେ ଛୋଟ ଛୋଟ ଘାଆ ଦେଖାଯାଏ ଯାହା ବାହାରେ ରାସ୍ ହେବା ପୂର୍ବରୁ ଦେଖାଯାଏ । ରୋଗପୁଷ୍ଟି ସମୟ - ୧୦ରୁ ୨୧ ଦିନ । ବୟସ୍କମାନଙ୍କ ଦେହରେ ବିସ୍ତାରିତ ରାସ ହୁଏ ଓ ଅଧିକ ଜ୍ୱର ହୁଏ । ଏହା ସହ ଜଟିଳ ଭାରିସେଲା ନିମୋନିଆ ମଧ୍ୟ ହୁଏ [12]।
ଲକ୍ଷଣ ଦେଖାଯିବା ଦୁଇ ଦିନ ପୂର୍ବରୁ ନାକରୁ ଭୁତାଣୁଯୁକ୍ତ ପାଣି ବହେ ଓ ରୋଗୀ ସଂକ୍ରମଣକ୍ଷମ ହୋଇଯାଏ । ଏହି ଅବସ୍ଥା ପାଚିବା ଓ ଶୁଖିଲା ଖୋଳପା ହେବା ନିମନ୍ତେ ପ୍ରାୟ ୪/୫ ଦିନ ଲାଗେ । ଏହା ପରେ ନାକରୁ ବାହାରୁଥିବା ପାଣି ଜୀବାଣୁମୁକ୍ତ ହୋଇଯାଏ ।
ଏହି ରୋଗ ଆରୋଗ୍ୟ ହେବା ନିମନ୍ତେ କୌଣସି ଔଷଧ ନାହିଁ । ଏହାର ଲକ୍ଷଣ ଅନୁସାରେ ଚିକିତ୍ସା କରାଯାଏ । ଦେହର ଇମ୍ମ୍ୟୁନିଟି ରୋଗକୁ ଦବେଇବା ସମୟରେ ଲକ୍ଷଣ ଉପସମ ନିମନ୍ତେ ଔଷଧ ଦିଆଯାଏ । ରୋଗ ନ ଡେଇଁବା ନିମନ୍ତେ ରୋଗୀକୁ ବାହାରକୁ ଯିବାକୁ ବାରଣ କରି ଘରେ ରଖାଯାଏ । ରୋଗୀର ନଖ କାଟିଦିଆଯାଏ ବା ଦସ୍ତାନା ପିନ୍ଧେଇ ଦିଆଯାଏ; ଫଳରେ କୁଣ୍ଡେଇବା ସମ୍ଭବ ହୁଏ ନାହିଁ ଓ ଅନ୍ୟ ଜୀବାଣୁ ସଂକ୍ରମଣ ହୋଇପାରେ ନାହିଁ ।
ରୋଗ ୨ ସପ୍ତାହରେ ଭଲ ହୋଇଯାଏ, କିନ୍ତୁ ସେହି ସମୟରେ ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ଆବଶ୍ୟକ ହୁଏ[14] । ବେଳେ ବେଳେ ଭଲ ହେବାକୁ ମାସେ ସମୟ ଲାଗେ କିନ୍ତୁ ସଂକ୍ରମଣ କ୍ଷମତା ୧୫ ଦିନ ପରେ ରହେନାହିଁ [15]।
ଜିଙ୍କ ଅକ୍ସାଇଡ ଥିବା କାଲାମିନ୍ ଲୋସନ କୌଣସି ଅନୁଶୀଳନଦ୍ୱାରା ପରୀକ୍ଷିତ ନ ହୋଇଥିଲେ ମଧ୍ୟ ଏହା ଏକ ବିପଦମୁକ୍ତ ଔଷଧ [16]। ଚର୍ମକୁ ପ୍ରତିଦିନ ଉଷୁମ ପାଣିଦ୍ୱାରା ଧୋଇଲେ ସେକଣ୍ଡାରି ସଂକ୍ରମଣ ରୋକି ହୁଏ[17] । କୁଣ୍ଡେଇଲେ ଅଧିକ ସେକଣ୍ଡାରି ସଂକ୍ରମଣ ସମ୍ଭାବନା ରହେ [18]।
ଜ୍ୱର ଉପଶମ ନିମନ୍ତେ ପାରାସେଟାମଲ ଦିଆଯାଏ । ଆସ୍ପିରିନ ଦେଲେ ହାଡ଼ଫୁଟି ଅଧିକ ଜଟିଳ ହୋଇ କଲିଜା ଓ ମସ୍ତିଷ୍କର ଜଟିଳ ରୋଗ ରେୟେ ସିଣ୍ଡ୍ରୋମ (Reye syndrome) ହୁଏ । ଅଧିକ ସଂକ୍ରମଣ ସମ୍ଭାବନା ଥିଲେ ରୋଗ ନିବାରଣ ନିମନ୍ତେ ଭାରିସେଲା ଜୋସ୍ଟର ଇମ୍ମୁନ ଗ୍ଲୋବ୍ୟୁଲିନ ଇଞ୍ଜେକସନ ମାଂସପେଶୀରେ ଦିଆଯାଏ [19][20]
। ବେଳେ ବେଳେ ଆଣ୍ଟିଭାଇରାଲ ଦିଆଯାଏ [21][22]।
ରାସ୍ ଆରମ୍ଭ ହେବାର ୨୪ ଘଣ୍ଟା ମଧ୍ୟରେ ଆସାକ୍ଲୋଭିର (acyclovir) ଔଷଧ ଖାଇବାକୁ ଦେଲେ ଲକ୍ଷଣ ଗୋଟିଏ ଦିନ ନିମନ୍ତେ କମିଯାଏ, କିନ୍ତୁ ଏହା ଜଟିଳ ହେବାରେ ବାଧା ଦେଇପାରେନାହିଁ [23][24]। ଏଣୁ ଆସାକ୍ଲୋଭିର ଆଜିକାଲି ଦିଆଯାଉ ନାହିଁ । ଏକ ବର୍ଷରୁ ଅଧିକ ଓ ୧୨ ବର୍ଷରୁ କମ ବୟସ ପିଲାମାନଙ୍କୁ ଆଣ୍ଟିଭାଇରାଲ ଔଷଧ ଦିଆଯାଉ ନାହିଁ ; ଏହାର କେବଳ ବ୍ୟତିକ୍ରମ ହେଉଛି ଯଦି ଅନ୍ୟ କୌଣସି ରୋଗ ଦେହରେ ଥାଇ ଜଟିଳ ହେବେ ସମ୍ଭାବନା ଥାଏ, ତାହାହେଲେ ଦିଆଯାଏ [25]।
ଆସ୍ପିରିନ ୧୬ ବର୍ଷରୁ କମ ପିଲାମାନଙ୍କୁ ଦେଲେ ରେୟେ ସିଣ୍ଡ୍ରୋମ ହେବା ସମ୍ଭାବନା ଥିବାରୁ ଦିଆଯାଏ ନାହିଁ [26]।
ଅନେକ ପିତାମାତା ଟିକା ନେବା ଅପେକ୍ଷା ହାଡ଼ଫୁଟି ହେବାକୁ ପସନ୍ଦ କରନ୍ତି, କିନ୍ତୁ ଡାକ୍ତରମାନେ ଟିକା ଦେବାକୁ ଉପଦେଶ ଦିଅନ୍ତି କାରଣ ହାଡ଼ଫୁଟି ଟିକା ଦୁର୍ବଳ ହାଡ଼ଫୁଟି ଭୁତାଣୁରୁ ତିଆରି ଓ ହାଡ଼ଫୁଟି ରୋଗ ସମୟେ ସମୟେ ବିପଦଜନକ ହୁଏ [27]।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.