ସୁନ୍ଦରବନ ଜାତୀୟ ଉଦ୍ୟାନ
From Wikipedia, the free encyclopedia
ସୁନ୍ଦରବନ ଜାତୀୟ ଉଦ୍ୟାନ ଏକ ଜାତୀୟ ଉଦ୍ୟାନ, ବ୍ୟାଘ୍ର ଅଭୟାରଣ୍ୟ ଓ ସଂରକ୍ଷିତ ଜୈବଗୋଲକ । ଭାରତର ପଶ୍ଚିମବଙ୍ଗ ରାଜ୍ୟରେ ଏହି ଜାତୀୟ ଉଦ୍ୟାନ ଅବସ୍ଥିତ । ଗାଙ୍ଗେୟ ତ୍ରିକୋଣଭୂମିରେ ଭାରତ ଓ ବଙ୍ଗଳାଦେଶ ମଧ୍ୟରେ ବ୍ୟାପ୍ତ ସୁନ୍ଦରବନ ଜଙ୍ଗଲର ଭାରତୀୟ ଅଂଶରେ ଏହି ଜାତୀୟ ଉଦ୍ୟାନ ପ୍ରତିଷ୍ଠା କରାଯାଇଛି । ସୀମାରେଖାର ଆର ପାର୍ଶ୍ୱରେ ବଙ୍ଗଳାଦେଶର ସୁନ୍ଦରବନ ସଂରକ୍ଷିତ ଜଙ୍ଗଲ ରହିଛି । ଗାଙ୍ଗେୟ ତ୍ରିକୋଣଭୂମି ଲୁଣା ଜଙ୍ଗଲରେ ଭର୍ତ୍ତି । ବାଘଙ୍କ ପାଇଁ ସ୍ଥାପିତ ସର୍ବବୃହତ ଅଭୟାରଣ୍ୟ ହେଉଛ ସୁନ୍ଦରବନ ।
ସୁନ୍ଦରବନ ଜାତୀୟ ଉଦ୍ୟାନ | |
---|---|
ସୁନ୍ଦରବନ ବ୍ୟାଘ୍ର ଅଭୟାରଣ୍ୟ | |
IUCN Category II (National Park) | |
ଭାରତ ମାନଚିତ୍ରରେ ସୁନ୍ଦରବନର ଅବସ୍ଥିତି | |
ଅବସ୍ଥାନ | ପଶ୍ଚିମବଙ୍ଗ, ଭାରତ |
ପାଖ ସହର | କୋଲକାତାNearest city: କୋଲକାତା |
ଦିଗବାରେଣି | 21°56′42″N 88°53′45″E |
କ୍ଷେତ୍ରଫଳ | ୧୩୩୦.୧୨ ବର୍ଗ କି.ମି. |
ସ୍ଥାପିତ | ୧୯୮୪ Established: ୧୯୮୪ |
ପରିଚାଳନା | ଭାରତ ସରକାର |
ଅନେକ ପ୍ରଜାତିର ପକ୍ଷୀ, ସରୀସୃପ, ଅମେରୁଦଣ୍ଡୀ ଜୀବ ସୁନ୍ଦରବନରେ ବସବାସ କରନ୍ତି । ଏଠାରେ ଅନେକ ବଉଳା କୁମ୍ଭୀର ମଧ୍ୟ ରହିଛନ୍ତି । ସୁନ୍ଦରବନକୁ ୧୯୭୩ ମସିହାରେ ଏକ ବ୍ୟାଘ୍ର ଅଭୟାରଣ୍ୟର କୋର୍ ଅଞ୍ଚଳ ଓ ୧୯୭୭ ମସିହାରେ ବନ୍ୟପ୍ରାଣୀ ଅଭୟାରଣ୍ୟ ବୋଲି ଅଭିହିତ କରାଗଲା । ୧୯୮୪ ମସିହା ମଇ ୪ ତାରିଖରେ ଜାତୀୟ ଉଦ୍ୟାନ ଘୋଷିତ ହେବା ପରେ ୧୯୮୭ ମସିହାରେ ଏହାକୁ UNESCO ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ମିଳିଲା । [1][2] ୨୦୦୧ ମସିହାରୁ ଏହାକୁ “ସଂରକ୍ଷିତ ଜୈବମଣ୍ଡଳର ବିଶ୍ୱ ନେଟୱର୍କ୍” (World Network of Biosphere Reserve) ବୋଲି କୁହାଯାଉଛି ।
ବହୁ ପୂର୍ବରୁ ୧୮୬୯ ମସିହାରେ ସୁନ୍ଦରବନର ପ୍ରଥମ ପରିଚାଳନା ବିଭାଗ ଗଠନ ହୋଇଥିଲା । ୧୮୭୫ ମସିହାରେ ଏଠାକାର ଲୁଣା ଜଙ୍ଗଲର ଅଧିକାଂଶ ଭାଗ ଆଇନ ଅନୁଯାୟୀ ସଂରକ୍ଷିତ କରାଗଲା (ବନ କାନୁନ୍, ୧୮୬୫ Act VIII) । ସୁନ୍ଦରବନର ଅନ୍ୟ ସାଧାରଣ ଜଙ୍ଗଲକୁ ୧୮୭୬ ମସିହାରେ ଆଇନ୍ ପରିସରକୁ ଅଣାଯାଇ ବନ ବିଭାଗର ଅଧୀନରେ ରଖାଗଲା । ବନ ବିଭାଗ ପରିଚାଳନା ପାଇଁ ୧୮୭୯ ମସିହାରେ ବଙ୍ଗଳାଦେଶର ଖୁଲନାଠାରେ ଏକ ମୁଖ୍ୟ କାର୍ଯ୍ୟାଳୟ ସ୍ଥାପନ ହେଲା ।[3][4]
୧୯୧୧ ମସିହାରେ ଏହାକୁ ଏକ ବିରାଟ ଅବ୍ୟବହୃତ ଅଞ୍ଚଳ ବୋଲି କୁହାଗଲା ଓ ଏହାକୁ ଜନଗଣନାରେ ସାମିଲ କରାଯାଇନଥିଲା । ସେହି ସମୟରେ ସୁନ୍ଦରବନର ଏହି ଅଂଶ ହୁଗୁଳି ନଦୀର ମୁହାଣରୁ ମେଘନା ନଦୀର ମୁହାଣ ପର୍ଯ୍ୟନ୍ତ ୧୬୫ ମାଇଲ୍ ଲମ୍ବା ଥିଲା ଓ ୨୪ ପ୍ରଗଣା, ଖୁଲନା ଓ ବାକେରଗଞ୍ଜ ଜିଲ୍ଲାର ସୀମାରେ ରହିଥିଲା । ପାଣିକୁ ମିଶାଇ ସମଗ୍ର ଅଞ୍ଚଳର କ୍ଷେତ୍ରଫଳ ୬୫୨୬ ବର୍ଗ ମାଇଲ୍ ଥିଲା । ଜଳ ପ୍ଳାବିତ ଏହି ଜଙ୍ଗଲରେ ବାଘ ଓ ଅନ୍ୟ ପ୍ରାଣୀ ବହୁମାତ୍ରାରେ ରହିଥିଲେ । ସ୍ଥାନେ ସ୍ଥାନେ ନଦୀ ଓ ସରୁ ସ୍ରୋତମାନଙ୍କଦ୍ୱାରା ଏହି ଅଞ୍ଚଳ ବିଖଣ୍ଡିତ । ଏଠାରେ ଡଙ୍ଗା ସାହାଯ୍ୟରେ ଗମନାଗମନ ପାଇଁ ଏହି ସବୁ ସରୁ ନଦୀ ଓ ସ୍ରୋତ ସହାୟକ ହୋଇଥାନ୍ତି । ତ୍ରିକୋଣଭୂମିର ଅଧିକାଂଶ ଭାଗ ବଙ୍ଗଳାଦେଶର ଅଂଶ ।