ସିନ୍ଧୁ ନଦୀ
ଏସିଆର ନଦୀ / From Wikipedia, the free encyclopedia
ସିନ୍ଧୁ ନଦୀ(ଇଂରାଜୀରେ Indus River) ଏସିଆ ମହାଦେଶର ଦୀର୍ଘତମ ନଦୀମାନଙ୍କ ମଧ୍ୟରୁ ଅନ୍ୟତମ । ତିବ୍ବତ ମାଳଭୂମିରେ ମାନସରୋବର ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରୁ ଏହି ନଦୀର ଉତ୍ପତ୍ତି । ନିଜ ଉତ୍ପତ୍ତିସ୍ଥଳରୁ ବାହାରି ଏହି ନଦୀ ଲଦାଖ ଅଞ୍ଚଳ ଅତିକ୍ରମ କରି ଗିଲ୍ଗିଟ୍-ବାଲ୍ଟିସ୍ତାନରେ ହିନ୍ଦୁକୁଶ ପର୍ବତମାଳାର ଉପତ୍ୟକାରେ ପ୍ରବେଶ କରିଛି । ତାହା ପରେ ଏହା ଦକ୍ଷିଣମୁଖୀ ହୋଇ ପାକିସ୍ତାନରେ ପ୍ରବାହିତ ହୋଇ ବନ୍ଦର ନଗରୀ କରାଚୀ ନିକଟରେ ଆରବ ସାଗର ସହିତ ସମ୍ମିଳିତ ହୋଇଛି ।[1][2] ସିନ୍ଧୁ ନଦୀ ପାକିସ୍ତାନର ଦୀର୍ଘତମ ନଦୀ ଓ ଏହାକୁ ପାକିସ୍ତାନର ଜାତୀୟ ନଦୀ ବୋଲି କୁହାଯାଏ ।[3]
ସିନ୍ଧୁ ନଦୀ | |
---|---|
Other name(s) | ଇଣ୍ଡସ୍ ରିଭର୍ (ଇଂରାଜୀ) |
ଦେଶ | ଚୀନ, ଭାରତ, ପାକିସ୍ତାନ |
ରାଜ୍ୟ | ଲଦାଖ, ପାକିସ୍ତାନର ପଞ୍ଜାବ, ଖାଇବର୍ ପଖ୍ତୁନ୍ଖ୍ୱା, ସିନ୍ଧ, ଗିଲ୍ଗିଟ୍-ବାଲ୍ଟିସ୍ତାନ, ତିବ୍ବତ |
ସହର ଓ ନଗର | ଲେହ, ସ୍କାର୍ଦୁ, ଦାସୁ, ବେଶମ୍, ଠାକୋଟ୍, ସ୍ୱାବି, ଡେରା ଇସ୍ମାଇଲ୍ ଖାନ, ସୁକ୍କୁର୍, ପାକିସ୍ତାନର ହାଇଦ୍ରାବାଦ |
Basin | |
Main source | ତିବ୍ବତୀୟ ମାଳଭୂମି |
River mouth | ସିନ୍ଧୁ ନଦୀ ତ୍ରିକୋଣଭୂମି (ମୁଖ୍ୟ), କୋରି କ୍ରିକ୍ (ଦ୍ୱିତୀୟ) ୦ ମିଟର୍ 23°59′40″N 67°25′51″E |
Basin size | ୧୧,୬୫,୦୦୦ ବର୍ଗ କିଲୋମିଟର୍ |
Physical characteristics | |
Length | ୩୧୮୦ କିଲୋମିଟର୍ |
Discharge |
|
Features | |
Tributaries |
|
ସିନ୍ଧୁ ନଦୀର ଅବବାହିକା ୧୧,୬୫,୦୦୦ ବର୍ଗ କିଲୋମିଟର୍ ଅଞ୍ଚଳରେ ବ୍ୟାପ୍ତ । ଏହାର ବାର୍ଷିକ ପ୍ରବାହ ହାରାହାରି ୨୪୩ ଘନ କିଲୋମିଟର୍ ଯାହା ନୀଳ ନଦୀର ବାର୍ଷିକ ପ୍ରବାହର ୨ ଗୁଣ ଓ ୟୁଫ୍ରେଟିସ୍-ଟାଇଗ୍ରିସ୍ ନଦୀର ମିଳିତ ପ୍ରବାହର ୩ ଗୁଣ । ଏହି କାରଣରୁ ଜଳ ନିଷ୍କାସନ ହାର ଦେଖିଲେ ସିନ୍ଧୁ ନଦୀକୁ ବିଶ୍ୱର ବୃହତ୍ତମ ନଦୀମାନଙ୍କ ଶ୍ରେଣୀରେ ଗଣନା କରାଯାଇପାରେ ।[4] ଲଦାଖରେ ଜାନ୍ସ୍କାର ନଦୀ ଏହାର ବାମ ତୀରର ଉପନଦୀ । ସମତଳ ଅଞ୍ଚଳକୁ ପ୍ରବେଶ କରିବା ପରେ ସିନ୍ଧୁର ବାମ ତୀରରେ ପଞ୍ଜନଦ ଏହାର ମୁଖ୍ୟ ଉପନଦୀ ଯାହା ଚେନାବ, ଝେଲମ୍, ରାୱି, ବେଆସ୍ ଓ ଶତଲେଜ୍ ନଦୀର ମିଳନରୁ ସୃଷ୍ଟ । ଡାହାଣ ତୀରରେ ମିଶୁଥିବା ଉପନଦୀମାନଙ୍କ ମଧ୍ୟରେ ଶ୍ୟୋକ୍, ଗିଲ୍ଗିଟ୍, କାବୁଲ୍, ଗୋମଲ୍ ଓ କୁର୍ରମ୍ ନଦୀ ପ୍ରଧାନ । ଏକ କ୍ଷୁଦ୍ର ପାହାଡ଼ିଆ ଝରଣା ରୂପେ ସୃଷ୍ଟ ସିନ୍ଧୁ ନଦୀ ହିମସ୍ରୋତ, ତଥା ହିମାଳୟ, କାରାକୋରମ୍ ଓ ହିନ୍ଦୁକୁଶର ନଦୀମାନଙ୍କଦ୍ୱାରା ପରିବୃଦ୍ଧ ହୋଇଛି । ଏହା ପରେ ସମତଳ ଭୂମି ତଥା ଶୁଷ୍କ ଅଞ୍ଚଳ ଦେଇ ପ୍ରବାହିତ ହେଉଛି ଯାହାଦ୍ୱାରା ସେଠାକାର ଜୈବମଣ୍ଡଳ ଓ ପରିବେଶ ପରିଚାଳିତ ହୋଇଥାନ୍ତି ।
ସିନ୍ଧୁ ଉପତ୍ୟକାର ଉତ୍ତର ପାର୍ଶ୍ୱ “ପଞ୍ଜାବ ଅଞ୍ଚଳ” ଏବଂ ନିମ୍ନାଂଶ “ସିନ୍ଧ ଅଞ୍ଚଳ” ରୂପେ ପରିଚିତ । ଏହି ଅଞ୍ଚଳରେ ବସବାସ କରିଆସିଥିବା ଅତୀତର ବିଭିନ୍ନ ସଂସ୍କୃତିରେ ସିନ୍ଧୁ ନଦୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଖ୍ରୀଷ୍ଟପୂର୍ବ ୩୦୦୦ରେ ସିନ୍ଧୁ ଉପତ୍ୟକାରେ ସିନ୍ଧୁ ସଭ୍ୟତା ଗଢ଼ି ଉଠିଥିଲା । ଏହା କାଂସ୍ୟ ଯୁଗର ଏକ ପ୍ରମୁଖ ନଗର ସଭ୍ୟତା ଭାବେ ପରିଚିତ । ଖ୍ରୀଷ୍ଟପୂର୍ବ ୨୦୦୦ ବେଳକୁ ରଚିତ ଋକବେଦରେ ପଞ୍ଜାବ ଅଞ୍ଚଳକୁ ସପ୍ତ ସିନ୍ଧୁ ବୋଲି କୁହାଯାଇଛି । ପାର୍ସୀମାନଙ୍କ ଅୱେସ୍ତାରେ ଏହି ଅଞ୍ଚଳକୁ ହପ୍ତ ହିନ୍ଦୁ ବୋଲି ଅଭିହିତ କରାଯାଇଛି । ଉଭୟ ଶବ୍ଦର ଅର୍ଥ ହେଲା ସାତ ନଦୀ । ଐତିହାସିକ ରାଜ୍ୟ ବା ସାମ୍ରାଜ୍ୟମାନଙ୍କ ମଧ୍ୟରୁ ଗାନ୍ଧାର, ରୋର ଓ ଶୌବୀର ପ୍ରଭୃତି ରାଜ୍ୟ ସିନ୍ଧୁ ଉପତ୍ୟକାରେ ଅବସ୍ଥିତ ଥିଲା । ପାରସ୍ୟର ରାଜା ଡାରିୟସ୍ ଜଣେ ଦୂତଙ୍କୁ ଖ୍ରୀଷ୍ଟପୂର୍ବ ୫୧୫ରେ ଏହି ନଦୀ ବିଷୟରେ ଅଧିକ ଜାଣିବାକୁ ପଠାଇଥିଲେ ଓ ତାହା ପରଠାରୁ ପାଶ୍ଚାତ୍ୟ ଦେଶର ଲୋକେ ସିନ୍ଧୁ ନଦୀ ବିଷୟରେ ଜାଣିବାକୁ ପାଇଲେ ।