![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/4/4f/Angelou_at_Clinton_inauguration_%2528cropped_2%2529.jpg/640px-Angelou_at_Clinton_inauguration_%2528cropped_2%2529.jpg&w=640&q=50)
ମାୟା ଏଞ୍ଜେଲୋ
From Wikipedia, the free encyclopedia
ମାୟା ଏଞ୍ଜେଲୋ (/ˈændʒəloʊ/ (listen);[1][2] (ଜନ୍ମ: ୪ ଅପ୍ରେଲ ୧୯୨୮), ଜଣେ ଆମେରିକୀୟ କବି, ଗାୟିକା, ଐତିହାସିକ ଏବଂ ମାନବାଧିକାର କାର୍ଯ୍ୟକର୍ତ୍ତା ଥିଲେ । ଜନ୍ମବେଳେ ତାଙ୍କର ନାମ ଥିଲା ମାରଗୁଏରାଇଟ୍ ଅନିଇ ଜନ୍ସନ୍ । ସେ ସାତଟି ଆତ୍ମକଥା, ତିନୋଟି ପ୍ରବନ୍ଧ ବହି, ଅନେକ କବିତା ବହି ରଚନା କରିଥିଲେ । ତା' ସହିତ ସେ ଅନେକ ନାଟକ, କଥାଚିତ୍ର ଏବଂ ଦୂରଦର୍ଶନମାନଙ୍କରେ ବିଭିନ୍ନ କାର୍ଯ୍ୟକ୍ରମରେ ୫୦ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଥିଲେ । ସେ ଅନେକ ପୁରସ୍କାର ପାଇଥିଲେ ଏବଂ ୫୦ରୁ ଅଧିକ ସମ୍ମାନଜନକ ଉପାଧି ପାଇଥିଲେ ।[3] ମାୟାଙ୍କର ରଚିତ ସାତୋଟି ଆତ୍ମକଥା ବହି ତାଙ୍କୁ ସବୁଠାରୁ ଅଧିକ ଲୋକପ୍ରିୟ କରାଇଥିଲା । ଏହି ବହିଗୁଡ଼ିକରେ ସେ ତାଙ୍କର ପିଲାଦିନର ଅଭିଜ୍ଞତାରୁ ବଡ଼ ହେବା ପର୍ଯ୍ୟନ୍ତ ସମସ୍ତ କଥା ଉଲ୍ଲେଖ କରିଥିଲେ । ୧୯୬୯ରେ ପ୍ରକାଶ ପାଇଥିବା ଏହି ସାତୋଟି ବହିର ପ୍ରଥମ ଭାଗଟି ଆଇ ନୋ ହ୍ୱାଏ ଦ କେଜ୍ଡ୍ ବାର୍ଡ଼ ସିଙ୍ଗ୍ସ୍ ବହିରେ ସେ ତାଙ୍କ ପିଲାଦିନରୁ ୧୭ ବର୍ଷ ବୟସ ପର୍ଯ୍ୟନ୍ତ କାହାଣୀ ବର୍ଣ୍ଣନା କରିଥିଲେ ଏବଂ ତାଙ୍କର ଆନ୍ତର୍ଜାତୀୟ ମାନ୍ୟତା ଏବଂ ପ୍ରଶଂସା ବିଷୟରେ କିଞ୍ଚିତ୍ ଉଲ୍ଲେଖ କରିଥିଲେ ।
ମାୟା ଏଞ୍ଜେଲୋ | |
---|---|
![]() ଜାନୁଆରୀ ୧୯୯୩ରେ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ଙ୍କ ପଦବୀଗ୍ରହଣ ସଭାରେ ମାୟାଙ୍କର କବିତାପାଠ | |
ଜନ୍ମ ଓ ଜନ୍ମସ୍ଥାନ | ମାରଗୁଏରାଇଟ୍ ଅନିଇ ଜନ୍ସନ୍ (1928-04-04)ଅପ୍ରେଲ ୪, ୧୯୨୮ ସେଣ୍ଟ ଲୋଇସ୍, ମିସ୍ସୌରି, ଯୁକ୍ତରାଷ୍ଟ୍ର ଆମେରିକା |
ମୃତ୍ୟୁ | ୨୮ ମଇ ୨୦୧୪(2014-05-28) (ବୟସ ୮୬) ୱାସିଙ୍ଗ୍ଟନ୍-ସଲେମ୍, ଉତ୍ତର କାଲିଫର୍ନିଆ, ଯୁକ୍ତରାଷ୍ଟ୍ର ଆମେରିକା |
ବୃତ୍ତି | ଲେଖିକା, କବି, ମାନବାଧିକାର କର୍ମକର୍ତ୍ତା |
ସମୟ | ୧୯୫୧–୨୦୧୪ |
ବିଷୟ | ଇତିହାସ, କବିତା |
ସାହିତ୍ୟ କୃତି | ଆଇ ନୋ ହ୍ୱାଏ ଦ କେଜ୍ଡ୍ ବାର୍ଡ଼ ସିଙ୍ଗ୍ସ୍ |
ଜୀବନସାଥୀ |
|
ସନ୍ତାନ | ୧ |
ୱେବସାଇଟ | |
www |
ସେ ଅନେକ କିଛିରେ କାର୍ଯ୍ୟ କରିବା ପରେ କବି ଏବଂ ଲେଖକ ହୋଇଥିଲେ । ସେ ତାଙ୍କର ଯୁବାବସ୍ଥାରେ ରୋଷେୟା, ସେକ୍ସ ୱାର୍କର୍, ରାତିରେ କ୍ଲବ୍ରେ ନୃତ୍ୟ କରିବା, ପୋର୍ଗି ଆଣ୍ଡ ବେସ୍ ଅପେରାରେ ନାଟକରେ ଅଭିନୟ କରିବା, ଦକ୍ଷିଣୀ ଖ୍ରିଷ୍ଟିଆନ ନେତୃ ସମ୍ମିଳନୀର ଆୟୋଜିକା ଏବଂ ଇଜିପ୍ଟ ଓ ଘାନାରେ ସମ୍ବାଦଦାତା ଭାବରେ କାର୍ଯ୍ୟ କରିଥିଲେ । ସେ ବିଭିନ୍ନ ଚଳଚ୍ଚିତ୍ର ତଥା ସାଧାରଣ ଗଣମାଧ୍ୟମ ଓ ଦୂରଦର୍ଶନର ଜଣେ ଅଭିନେତ୍ରୀ, ଲେଖିକା, ନିର୍ଦ୍ଦେଶିକା ଏବଂ ପ୍ରଯୋଜିକା ଭାବରେ କାର୍ଯ୍ୟ କରିଥିଲେ । ୧୯୮୨ ମସିହାରେ ତାଙ୍କୁ ଆମରିକୀୟ ପାଠ୍ୟକ୍ରମର ପ୍ରଥମ ଅଧ୍ୟାପକଙ୍କ ନାମାନୁସାରେ ଥିବା ଉପାଧୀରେ ଉତ୍ତର କାଲିଫର୍ଣ୍ଣିଆର ୱାସିଂଟନ-ସଲେମ୍ର ୱେକ୍ ଫରଷ୍ଟ ବିଶ୍ୱବିଦ୍ୟାଳୟ ନାମିତ କରିଥିଲା । ସେ ମାନବାଧିକାର ଆନ୍ଦୋଳନର ଜଣେ ନିୟମିତ ସଦସ୍ୟ ଭାବରେ ମାର୍ଟିନ୍ ଲୁଥର୍ କିଙ୍ଗ୍ ଜୁନିଅର ଏବଂ ମାଲ୍କୋଲମ୍ ଏକ୍ସଙ୍କ ସହ କାର୍ଯ୍ୟ କରିଆସୁଥିଲେ । ୯୦ ଦଶକର ଆରମ୍ଭରେ ସେ ମାତ୍ର ଗୋଟିଏ ବର୍ଷରେ ପାଖାପାଖି ୮୦ ଥର ସମ୍ମାନଜନକ ପୁରସ୍କାର ଗ୍ରହଣ କରିଥିଲେ । ୧୯୯୩ ମସିହାରେ ଆମରିକାର ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ଙ୍କର ପଦବୀଗ୍ରହଣ ସଭାରେ ମାୟା "ଓନ୍ ଦ ପଲ୍ସ ଅଫ୍ ମର୍ଣ୍ଣିଙ୍ଗ୍" କବିତା ଆବୃତି କରିଥିଲେ । ୧୯୬୧ ମସିହାରେ ରୋବର୍ଟ ଫ୍ରୋଷ୍ଟ ଜନ୍ ଏଫ୍. କେନେଡ଼ୀଙ୍କର ପଦବୀଗ୍ରହଣ ସଭାରେ ପ୍ରଥମଥର ପାଇଁ ଏହିଭଳି କବିତା ଆବୃତି କରିଥିଲେ ଏବଂ ମାୟ ୨ୟ ବ୍ୟକ୍ତି ଭାବରେ ନିମନ୍ତ୍ରିତ ହୋଇଥିଲେ ।
ଆଇ ନୋ ହ୍ୱାଏ ଦ କେଜ୍ଡ୍ ବାର୍ଡ଼ ସିଙ୍ଗ୍ସ୍ ବହିର ପ୍ରକାଶନ ପରେ ମାୟା ଏଞ୍ଜେଲୋ ସର୍ବସାଧାରଣରେ ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ବଖାଣିବା ଆରମ୍ଭ କରିଥିଲେ । ଆମରିକାରେ ଥିବା କଳାଗୋରା ଭେଦଭାବ ପାଇଁ ସେ କଳାଲୋକମାନଙ୍କର ଏବଂ ମହିଳାମାନଙ୍କର ପ୍ରବକ୍ତା ଭାବରେ ସମ୍ମାନ ପାଇଥିଲେ ଏବଂ ତାଙ୍କର ପ୍ରତ୍ୟେକ କାର୍ଯ୍ୟ ସେଠାରେ ଚାଲିଥିବା କଳା-ଗୋରା ଭେଦଭାବ ବିରୁଦ୍ଧରେ ପ୍ରତିବାଦର ସ୍ୱର ଭଳି କାର୍ଯ୍ୟ କରିଥିଲା । ତାଙ୍କର ଏହି ଭଳି କାର୍ଯ୍ୟ ପାଇଁ ସେ ବିଭିନ୍ନ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟମାନଙ୍କରେ ସାରା ବିଶ୍ୱରେ ଆଦୃତ ହୋଇଥିଲେ, ମାତ୍ର ତାଙ୍କର ଏହିଭଳି କିଛି କାର୍ଯ୍ୟ ପାଇଁ ଯୁକ୍ତରାଷ୍ଟ୍ର ଆମରିକାର କିଛି ପାଠାଗାରରେ ତାଙ୍କର ବହି ଉପରେ ପ୍ରତିବନ୍ଧ ଲଗାଇ ଦିଆଯାଇଥିଲା । ମାୟା ଏଞ୍ଜେଲୋଙ୍କର ଆତ୍ମକଥାରେ ପ୍ରକାଶ ପାଇଥିବା ସାତୋଟି କାଳ୍ପନିକ ବହି ତାଙ୍କୁ ସବୁଠାରେ ଲୋକପ୍ରିୟ କରାଇଥିଲା ଏବଂ ସମୀକ୍ଷକମାନେ ମଧ୍ୟ ଏହାକୁ ତାଙ୍କର ନିଜର କାହାଣୀ ଭାବରେ ଦର୍ଶାଇଥିଲେ । ସେ ତାଙ୍କର ଏହି ଆତ୍ମକଥାର ସାତୋଟି ବହିକୁ ଅନେକ ପ୍ରତିବନ୍ଧ ସତ୍ତ୍ୱେ ଲେଖିଥିଲେ ଏବଂ ଲେଖିବାର ଶୈଳୀକୁ ସମ୍ପୂର୍ଣ୍ଣ ବଦଳାଇଦେଇଥିଲେ । ତାଙ୍କ ରଚିତ ବହିଗୁଡ଼ିକର ପ୍ରମୁଖ ପୃଷ୍ଠଭୂମି ମୁଖ୍ଯତଃ ପରିବାର, ଯାତ୍ରା, ପରିଚୟ ଏବଂ ଜାତିବାଦ ଉପରେ ଆଧାରିତ ଥିଲା ।