ଭାରତ-ଚୀନ ସୀମା ବିବାଦ
From Wikipedia, the free encyclopedia
ଭାରତର ଉତ୍ତରତମ ଓ ଚୀନ ଓ ତିବ୍ୱତର ଦକ୍ଷିଣରେ ଥିବା ଭୂଖଣ୍ଡକୁ ନେଇ ଭାରତ ଓ ଚୀନ ମଧ୍ୟରେ ଅନେକ ସମୟରେ ସୀମାରେଖା ସମ୍ବନ୍ଧୀୟ ବିବାଦ ଲାଗି ରହିଛି । “ଅକ୍ସାଇ ଚୀନ” ଅଞ୍ଚଳ ଜାମ୍ମୁ ଓ କାଶ୍ମୀରର ଅଂଶ ବୋଲି ଭାରତ ଦାବୀ କରୁଥିଲା ବେଳେ ଏହି ଅଞ୍ଚଳ ଚିନ୍-ଜିଆଂଗ୍ ଅଞ୍ଚଳର ବୋଲି ଚୀନ ଦାବୀ କରୁଛି । ଅକ୍ସାଇ ଚୀନ ଅଞ୍ଚଳ ସମୁଦ୍ର ପତନଠାରୁ ବହୁତ ଉର୍ଦ୍ଧ୍ୱରେ ଓ ଏଠାରେ ମନୁଷ୍ୟ ବସବାସ କରନ୍ତି ନାହିଁ । କିନ୍ତୁ ଚୀନ ଏହି ସ୍ଥାନରେ ଜିନ୍-ଜିଆଂଗ୍ ଓ ତିବ୍ୱତକୁ ସଂଯୋଗ କରୁଥିବା ଏକ ସଡକପଥ ନିର୍ମାଣ କରିଛି ଓ ଏହି ଅଞ୍ଚଳକୁ ନିୟନ୍ତ୍ରଣ କରୁଛି । ମ୍ୟାକ୍-ମୋହନ୍ ରେଖାର ଦକ୍ଷିଣ ପାର୍ଶ୍ୱରେ ମଧ୍ୟ କିଛି କ୍ଷେତ୍ର ବିବାଦିତ । ଅରୁଣାଚଳ ପ୍ରଦେଶ ନାମକ ଭାରତୀୟ ରାଜ୍ୟ ପୂର୍ବେ ଉତ୍ତର-ପୂର୍ବ ଫ୍ରଣ୍ଟିୟର୍ ଏଜେନ୍ସି ନାମରେ ଜଣା ଥିଲା ଓ ଏହା ଚୀନର ଅଂଶ ବୋଲି ଚୀନ ଦାବୀ କରି ଆସୁଛି । ୧୯୧୪ ମସିହାରେ ସିମଳାରେ ସୀମାରେଖାକୁ ନେଇ ତତ୍କାଳୀନ ବ୍ରିଟିଶ୍ ଶାସନାଧୀନ ଭାରତ ଓ ତିବ୍ୱତ୍ ମଧ୍ୟରେ ଚୁକ୍ତି ହୋଇ ମ୍ୟାକ୍-ମୋହନ ରେଖା ନିରୂପିତ ହୋଇଥିଲା । କିନ୍ତୁ ଚୀନ ସର୍ବଦା ଏପରି କୌଣସି ଚୁକ୍ତି ହୋଇନଥିଲା ବୋଲି କହି ଏହାର ପ୍ରତ୍ୟାଖ୍ୟାନ କରିଆସୁଛି ।
ଏହି ଦୁଇଟି ବିବାଦୀୟ କ୍ଷେତ୍ରକୁ ନେଇ ଭାରତ ଓ ଚୀନ ମଧ୍ୟରେ ୧୯୬୨ ମସିହାରେ ଏକ ଯୁଦ୍ଧର ସୂତ୍ରପାତ ହୋଇଥିଲା । ପରସ୍ପର ପ୍ରତି ବିଶ୍ୱସନୀୟତାରେ ଅଭିବୃଦ୍ଧି ଓ ଦୁହିଁଙ୍କ ସମର୍ଥନରେ ନିୟନ୍ତ୍ରଣରେଖା ନିର୍ଦ୍ଧାରଣ କରି ସମସ୍ତ ବିବାଦର ସମାଧାନ ପାଇଁ ୧୯୯୬ ମସିହାରେ ଏକ ଆଲୋଚନା ହୋଇଥିଲା । ସମଗ୍ର ଅରୁଣାଚଳ ପ୍ରଦେଶ ପ୍ରକୃତରେ ଚୀନର ଅଂଶ ବୋଲି ୨୦୦୬ ମସିହାରେ ଭାରତରେ ରହିଥିବା ଚୀନର ରାଷ୍ଟ୍ରଦୂତ କହିଥିଲେ[1] ଓ ଏହା ଫଳରେ ସେଠାରେ ଉଭୟ ପକ୍ଷରୁ ନିୟୋଜିତ ସାମରିକ ବାହିନୀ ସଂଖ୍ୟାରେ ବୃଦ୍ଧି ଘଟିଲା ।[2] ଅନେକ ସମୟରେ ଉଭୟ ଦେଶ ଭାରତର ସିକ୍କିମ୍ ରାଜ୍ୟର ଉତ୍ତରୀୟ ଅଞ୍ଚଳରେ ପ୍ରାୟ ୧ କି.ମି. ଭିତରକୁ ଅପରପକ୍ଷ ଅନୁପ୍ରବେଶ କରୁଥିବାର ଅଭିଯୋଗ କରିଆସିଛନ୍ତି ।[3] ୨୦୦୯ ମସିହାରେ ଭାରତ ଏହାର ସୀମାରେଖାରେ ଅଧିକ ସୈନ୍ୟବଳ ନିୟୋଜିତ କରିବା ସମ୍ବନ୍ଧୀୟ ଘୋଷଣା କରିଥିଲା ।[4] ୨୦୧୪ ମସିହାରେ “ଏକ ଭାରତ” ନୀତିର ଆଦର କରି ଚୀନ ଭାରତ ସହିତ ସମସ୍ତ ସୀମା ବିବାଦ ସମାଧାନ କରିବା ଉଚିତ୍ ବୋଲି ଭାରତ ପ୍ରସ୍ତାବ ରଖିଥିଲା । [5][6]