From Wikipedia, the free encyclopedia
ଭାରତୀୟ କୋକିଶିଆଳ ବା ଭାରତୀୟ କୋକିଶିଆଳୀ (ଇଂରାଜୀରେ Bengal fox ବା Indian fox, ଜୀବବିଜ୍ଞାନ ନାମ Vulpes bengalensis) ଭାରତୀୟ ଉପମହାଦେଶରେ ଦେଖାଯାଉଥିବା ସ୍ଥାନୀୟ କୋକିଶିଆଳ ପ୍ରଜାତି । ଏହି ପ୍ରଜାତି ଉତ୍ତରରେ ହିମାଳୟ ପର୍ବତମାଳା ପାଦଦେଶସ୍ଥ ନେପାଳର ତେରାଇ ଅଞ୍ଚଳରୁ ନେଇ ଦକ୍ଷିଣ-ଭାରତ ପର୍ଯ୍ୟନ୍ତ[2] ଓ ପଶ୍ଚିମରେ ଦକ୍ଷିଣ ଓ ପୂର୍ବ ପାକିସ୍ତାନରୁ ପୂର୍ବ-ଭାରତ ଓ ଦକ୍ଷିଣ-ପୂର୍ବ ବଙ୍ଗଳାଦେଶ ପର୍ଯ୍ୟନ୍ତ ଦେଖିବାକୁ ମିଳନ୍ତି ।[3][4][5]
ଭାରତୀୟ କୋକିଶିଆଳ | |
---|---|
କଚ୍ଛ ଲବଣମରୁର ଏକ କୋକିଶିଆଳ | |
Conservation status | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଗୋଷ୍ଠୀ: | ମାମାଲିଆଫୋର୍ମ୍ସ |
ଶ୍ରେଣୀ: | ମାମାଲିଆ |
ଗଣ: | କାର୍ନିଭୋରା |
ବଂଶ: | କାନିଡେ |
Genus: | Vulpes |
ଜାତି: | V. bengalensis |
ବାଇନୋମିଆଲ ନାମ | |
Vulpes bengalensis (ଜର୍ଜ୍ ଶ, ୧୮୦୦) | |
ଭାରତୀୟ କୋକିଶିଆଳର ଭୌଗୋଳିକ ବ୍ୟାପ୍ତି | |
Synonyms | |
କ୍ୟାନିସ୍ କୋକ୍ରି (Canis kokree) |
ଭାରତୀୟ କୋକିଶିଆଳ ଆକାରରେ ଏକ କ୍ଷୁଦ୍ର ଜନ୍ତୁ । ଏହାର ମୁହଁଟି ଗୋଜିଆ ହୋଇ ଆଗକୁ ବାହାରିଥାଏ; ଏହାର କାନ ଦୁଇଟି ଲମ୍ବା ଓ ଗୋଜିଆ; ଏହାର ଲାଞ୍ଜଟି ଘନ ଲୋମଶ ଏବଂ ଲାଞ୍ଜର ଦୈର୍ଘ୍ୟ ମୁଣ୍ଡରୁ ନିତମ୍ବ ପର୍ଯ୍ୟନ୍ତ ଶରୀରର ଦୈର୍ଘ୍ୟର ଶତକଡ଼ା ୫୦-୬୦ ପ୍ରତିଶତ । ଏହାର ଶରୀରର ଛାଲ ଭିନ୍ନ ଭିନ୍ନ ରଙ୍ଗର ହୋଇପାରେ, କିନ୍ତୁ ଅଧିକାଂଶ କୋକିଶିଆଳଙ୍କ ଶରୀରର ରଙ୍ଗ ପାଉଁଶିଆ ବା ଅବସନ୍ନ ରଙ୍ଗର ହୋଇଥାଏ । ଏହାର ଗୋଡ଼ଗୁଡ଼ିକ ମାଟିଆ ବା ନାଲିମିଶା ମାଟିଆ ରଙ୍ଗର ହୋଇଥାଏ । ଗାଠନିକ ସୌନ୍ଦର୍ଯ୍ୟ ଦୃଷ୍ଟିକୋଣରୁ ଉତ୍ତର ଗୋଲାର୍ଦ୍ଧରେ ଦେଖାଯାଉଥିବା ନାଲି କୋକିଶିଆଳ ଅପେକ୍ଷା ଭାରତୀୟ କୋକିଶିଆଳ ଉନ୍ନତତର ।[6] ଭାରତୀୟ କୋକିଶିଆଳର ଲାଞ୍ଜଟି ଅତି ଝଙ୍କାଳିଆ ଭାବେ ଲୋମଶ ଏବଂ ଏହାର ଶେଷ ଭାଗଟି କଳା ରଙ୍ଗର । ନାଲି କୋକିଶିଆଳ ଓ ଭାରତୀୟ କୋକିଶିଆଳଙ୍କ ଲାଞ୍ଜ ମଧ୍ୟରେ ଏହା ଏକ ମୁଖ୍ୟ ତଫାତ । ଭାରତୀୟ କୋକିଶିଆଳର କାନ ପଛପଟ ଗାଢ଼ ମାଟିଆ ରଙ୍ଗର ଏବଂ ଏହା ଉପରେ କଳା ରଙ୍ଗର ପଟିଦାଗ ରହିଥାଏ । ଏହାର ନାସାଗ୍ର ଲୋମହୀନ ଏବଂ ଓଠଟି କଳା । ମୁହଁର ଗୋଜିଆ ଅଂଶ ଓ ଆଖି ପାଖ ଅଂଶରେ କଳା ରଙ୍ଗର ଅଳ୍ପ ଲୋମ ରହିଥାଏ । କାନର ରଙ୍ଗ ମୁଣ୍ଡର ପଶ୍ଚାତ ଭାଗର ରଙ୍ଗ ପରି କିମ୍ବା ତାହାଠାରୁ ଅଳ୍ପ ଗାଢ଼ ହୋଇପାରେ । ନାଲି କୋକିଶିଆଳ ପରି ଭାରତୀୟ କୋକିଶିଆଳଙ୍କ କାନ ପଛରେ କଳା ଦାଗ ନଥାଏ । ଯଦିଓ ସ୍ଥାନ ଓ ସମୟାନୁସାରେ ଏମାନଙ୍କ ଛାଲର ରଙ୍ଗରେ ବିଭିନ୍ନତା ଦେଖାଯାଏ, ତଥାପି ଏମାନଙ୍କ ରଙ୍ଗ ପାଉଁଶିଆ ବା ଫିକା ମାଟିଆ ରଙ୍ଗର ହୋଇଥାଏ । ମୁଣ୍ଡକୁ ମିଶାଇ ଭାରତୀୟ କୋକିଶିଆଳର ଶରୀରର ଦୈର୍ଘ୍ୟ ୪୬ ସେଣ୍ଟିମିଟର (୧୮ ଇଞ୍ଚ) ଏବଂ ଏହାର ଲାଞ୍ଜର ଦୈର୍ଘ୍ୟ ପ୍ରାୟ ୨୫ ସେଣ୍ଟିମିଟର (୧୦ ଇଞ୍ଚ) । ଏମାନଙ୍କ ଓଜନ ହାରାହାରି ୨.୩-୪.୧ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇଥାଏ ।[3]
ଭାରତୀୟ ଉପମହାଦେଶରେ କପାଳର ଆକାରର ଭିନ୍ନତା ଯୋଗୁଁ ଭଲପେସ୍ ପ୍ରଜାତି, କ୍ୟାନିସ୍ ଓ ଚୁଅନ୍ ପ୍ରଜାତିଠାରୁ ସହଜରେ ବାରି ହୋଇପଡ଼ନ୍ତି । କୋକିଶିଆଳମାନଙ୍କ ଗୋଜିଆ ମୁଖାଗ୍ର ହାଡ଼ ଅବତଳ ହୋଇଥିବା ବେଳେ ଅନ୍ୟ କ୍ୟାନିଡ୍ ଶ୍ୱାନ ପ୍ରଜାତିର ଜୀବଙ୍କ କ୍ଷେତ୍ରରେ ଏହି ହାଡ଼ଟି ଉତ୍ତଳ । କୋକିଶିଆଳମାନଙ୍କ ଶ୍ୱାନଦାନ୍ତ ଅପେକ୍ଷାକୃତ ଲମ୍ବା ।[7]
ଭାରତୀୟ କୋକିଶିଆଳ ଆର୍ଦ୍ର ଅରଣ୍ୟ ଓ ଅତ୍ୟନ୍ତ ଶୁଷ୍କ ସ୍ଥାନମାନଙ୍କ ବ୍ୟତୀତ ଭାରତୀୟ ଉପମହାଦେଶରେ ପ୍ରାୟ ସବୁ ସ୍ଥାନରେ ବ୍ୟାପ୍ତ । ଉତ୍ତରରେ ହିମାଳୟ ପର୍ବତମାଳା ଓ ଉତ୍ତର-ପଶ୍ଚିମରେ ସିନ୍ଧୁ ନଦୀ ଏମାନଙ୍କ ଭୌଗୋଳିକ ବ୍ୟାପ୍ତିକ୍ଷେତ୍ରର ସୀମା । ମୁକ୍ତ ତୃଣଭୂମି, ବୁଦାଳିଆ ବା କଣ୍ଟାଗଛ ଜଙ୍ଗଲ ଏହି ଜୀବର ମୁଖ୍ୟ ପରିବାସ । ଏମାନେ ଅତି ଢାଲୁଆ ଭୂମି ଓ ଉଚ୍ଚ ଘାସ ଥିବା ତୃଣଭୂମି ଅଞ୍ଚଳଠାରୁ ଦୂରରେ ରହନ୍ତି ।[3] ଏହି ଜୀବ ସବୁ ପ୍ରକାରର ପରିବାସରେ ଖାପଖୁଆଇ ରହିପାରେ କିନ୍ତୁ ଅଳ୍ପ ଶୁଷ୍କ, କ୍ଷୁଦ୍ର ଘାସଯୁକ୍ତ ତୃଣଭୂମିରେ ରହିବା ଅଧିକ ପସନ୍ଦ କରିଥାଏ ।[8]
ଭାରତୀୟ କୋକିଶିଆଳମାନେ ପ୍ରାୟ ଭୋର (ପାହାନ୍ତା) କିମ୍ବା ଗୋଧୂଳି ସମୟରେ ବିଚରଣ କରିଥାନ୍ତି ଓ ସକ୍ରିୟ ରହନ୍ତି । ଦିନବେଳା ସୂର୍ଯ୍ୟଙ୍କ ଉତ୍ତାପରୁ ରକ୍ଷା ପାଇବା ପାଇଁ ଏମାନେ କୌଣସି ବୁଦା ତଳେ ଅଥବା ନିଜେ ଖୋଳିଥିବା ଗାତ ଭିତରେ ଲୁଚି ରହିଥାନ୍ତି । କୋକିଶିଆଳ ଖୋଳିଥିବା ଗାତ ବଡ଼ ଓ ତାହା ମଧ୍ୟରେ ଅନେକ ଗୁଡ଼ିଏ ପ୍ରକୋଷ୍ଠ ଓ ବିପଦ ପଡ଼ିଲେ ଖସିଯିବା ପାଇଁ ଗଳାବାଟ ପ୍ରଭୃତି ମଧ୍ୟ ରହିଥାଏ । । ସୂର୍ଯ୍ୟୋଦୟ ବା ସୂର୍ଯ୍ୟାସ୍ତ ସମୟରେ ଏକ ସାମାନ୍ୟ ଉଚ୍ଚ ସ୍ଥାନରେ ବସି ଏମାନେ ଖରା ପୋଇଁବା ମଧ୍ୟ ଦେଖିବାକୁ ମିଳିଥାଏ ।[9] ଚିଡ଼ିଆଖାନାରେ ରଖାଯାଇଥିବା କୋକିଶିଆଳମାନଙ୍କ ଜୀବନକାଳ ୬-୮ ବର୍ଷ ପର୍ଯ୍ୟନ୍ତ ହୋଇଥାଏ ।[3]
ବିଭିନ୍ନ ପ୍ରକାରର ମୂଷା, ସରୀସୃପ, କଙ୍କଡ଼ା, ଊଈ, କୀଟପତଙ୍ଗ, ଛୋଟ ପକ୍ଷୀ ଓ ଫଳ ଇତ୍ୟାଦି ଭାରତୀୟ କୋକିଶିଆଳର ମୁଖ୍ୟ ଆହାର ।[10] ଶାବକମାନଙ୍କ ବର୍ଯ୍ୟବସ୍ତୁର ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଏମାନେ ଅଧିକାଂଶ ସମୟରେ ମୂଷାମାନଙ୍କୁ ମାରି ଖାଇଥାନ୍ତି ।[11] ପ୍ରକୃତରେ ଏମାନେ ଅତି ସୁବିଧାବାଦୀ ଶିକାରୀ ।[9]
କୋକିଶିଆଳମାନେ ବିଭିନ୍ନ ପ୍ରକାରର ଡାକଦ୍ୱାରା ଯୋଗାଯୋଗ ଓ ବାର୍ତ୍ତା ବିନିମୟ କରିଥାନ୍ତି । ଦବା ଗଳାରେ ଗର୍ଜନ କରିବା, ଦବାଗଳାରେ କିମ୍ବା ଉଚ୍ଚ ସ୍ୱରରେ ରୋଦନ କରିବା ଏବଂ ଭୁକିବା ଇତ୍ୟାଦି । ଅନ୍ୟ କିଛି ଶ୍ୱାନ ଜାତୀୟ ଜୀବଙ୍କ ପରି କୋକିଶିଆଳ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ମଳତ୍ୟାଗ କରନ୍ତି ନାହିଁ ।[9] ଦଳବଦ୍ଧ ଭାବେ ରାତିରେ କୋକିଶିଆଳ ବୋବାଇବା ମଧ୍ୟ ଶୁଣିବାକୁ ମିଳିଥାଏ ।
ଭାରତୀୟ କୋକିଶିଆଳ ପ୍ରଜାତିରେ ଏକ ଯୁଗଳ ପ୍ରାୟତଃ ନିଜର ସମ୍ପୂର୍ଣ୍ଣ ଜୀବନକାଳ ପାଇଁ ପରସ୍ପର ପ୍ରତି ଅନୁରକ୍ତ ରହିଥାନ୍ତି । କିଛି କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ଘଟିବା ମଧ୍ୟ ଦେଖାଯାଇଛି । ଶରତ ଓ ହେମନ୍ତ ଋତୁ (ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ଅକ୍ଟୋବର-ନଭେମ୍ବର ମାସ) ଏମାନଙ୍କ ମିଳନର ପ୍ରକୃଷ୍ଟ ସମୟ । ମାଈ କୋକିଶିଆଳର ଗର୍ଭଧାରଣ ସମୟ ପ୍ରାୟ ୫୦ରୁ ୬୦ ଦିନ ପର୍ଯ୍ୟନ୍ତ ହୋଇଥାଏ । ମାଈ କୋକିଶିଆଳ ଏକା ଥରକେ ୨-୪ଟି ଶାବକଙ୍କୁ ନିଜ ଗାତରେ ଜନ୍ମ ଦେଇଥାଏ । ଶାବକଙ୍କ ଲାଳନପାଳନର ଦାୟିତ୍ୱ ଉଭୟ ମାଈ ଓ ଅଣ୍ଡିରା କୋକିଶିଆଳ ମିଳିତ ଭାବେ ନିର୍ବାହ କରିଥାନ୍ତି । ୩ରୁ ୪ ମାସରେ ଶାବକମାନେ ମା’ କ୍ଷୀର ଖାଇବା ଛାଡ଼ନ୍ତି । ଜନ୍ମର ପ୍ରାରମ୍ଭିକ ମାସମାନଙ୍କରେ କୋକିଶିଆଳ ଶାବକଙ୍କ ମୃତ୍ୟୁହାର ଅଧିକ ଥିବା ଜଣାପଡ଼ିଛି ।[12] ମା’ ବ୍ୟତୀତ ଅନ୍ୟ ମାଈ କୋକିଶିଆଳମାନେ ଶାବକମାନଙ୍କ ଯତ୍ନ ନେବାର ଦୃଷ୍ଟାନ୍ତ ମଧ୍ୟ ରହିଛି ।[9] ଦିନ ବେଳେ ଶାବକମାନେ ବୁଦାମୂଳରେ ଆଶ୍ରୟ ନେବା ଦେଖାଯାଏ, କିନ୍ତୁ ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ଉତ୍ତାପରୁ ରକ୍ଷା ପାଇବା ପାଇଁ ଶାବକମାନେ ଗାତ ଭିତରେ ଲୁଚି ରହନ୍ତି ।
ପରିବାସ କ୍ଷୟ ଭାରତୀୟ କୋକିଶିଆଳଙ୍କ ଅସ୍ଥିତ୍ୱ ପାଇଁ ଏକ ମହାନ ସଙ୍କଟ ସୃଷ୍ଟି କରିଛି । ଉଦାହରଣ ସ୍ୱରୂପ, ଦକ୍ଷିଣ ଭାରତର କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶ ରାଜ୍ୟମାନଙ୍କରେ ସମ୍ପୂର୍ଣ୍ଣ କୋକିଶିଆଳ ପରିବାସର କେବଳ ୨% ସଂରକ୍ଷିତ ଅଞ୍ଚଳର ଅନ୍ତର୍ଗତ ।[13] ଛାଲ ଓ ମାଂସ ପାଇଁ କୋକିଶିଆଳମାନଙ୍କୁ ଶିକାର କରାଯାଇଥାଏ । କୃଷିକାର୍ଯ୍ୟ, ଶିଳ୍ପୋଦ୍ୟୋଗ, ଜୈବିକ ଇନ୍ଧନ ପ୍ରସ୍ତୁତି ପାଇଁ ଏମାନଙ୍କ ତୃଣଭୂମି ପରିବାସର ଅଧିକାଂଶ ଭାଗ କ୍ଷୟପ୍ରାପ୍ତ ହୋଇଥାଏ ଓ ଏମାନଙ୍କ ସଂଖ୍ୟା ମଧ୍ୟ ବହୁ ମାତ୍ରାରେ ହ୍ରାସ ପାଇଛି । ଏହାର ଶରୀରର କିଛି ଅଂଶ ପାରମ୍ପରିକ ଔଷଧ ପ୍ରସ୍ତୁତିରେ ବ୍ୟବହୃତ ହୁଏ ଓ କିଛି ସ୍ଥାନରେ ଲୋକେ କୋକିଶିଆଳ ମାଂସ ମଧ୍ୟ ଖାଇଥାନ୍ତି । ଦକ୍ଷିଣ ଭାରତର ନାରିକୁରୁୱା ଜନଜାତି କୋକିଶିଆଳଙ୍କ ଶିକାର କରିବାର ଉଲ୍ଲେଖ ମିଳେ ।[9] ସଂକ୍ରାନ୍ତି ଉତ୍ସବ ପାଳନର ପରମ୍ପରା ପାଇଁ କର୍ଣ୍ଣାଟକରେ କିଛି ସ୍ଥାନରେ କୋକିଶିଆଳଙ୍କୁ ଫାସ ପକାଇ ଧରାଯିବା ବିଷୟର ମଧ୍ୟ ଉଲ୍ଲେଖ ମିଳେ ।[3] ଭାରତୀୟ କୋକିଶିଆଳଙ୍କ ପାଇଁ କ୍ୟାନାଇନ୍ ଡିଷ୍ଟେମ୍ପର୍ ଭୂତାଣୁ ସଂକ୍ରମଣ ଓ ଜଳାତଙ୍କ ରୋଗ ଆଉ ଏକ ବିପଦ । ଏହି ରୋଗ ସଂକ୍ରମଣ ମୁଖ୍ୟତଃ କୋକିଶିଆଳ ବାସ କରୁଥିବା ଅଞ୍ଚଳର ସ୍ଥାନୀୟ ବୁଲା କୁକୁରଙ୍କ ଯୋଗୁଁ ବ୍ୟାପିଥାଏ ।[14]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.