From Wikipedia, the free encyclopedia
ବାର୍ସେଲୋନା ଫୁଟବଲ କ୍ଲବ୍ ବା ଫୁଟବଲ କ୍ଲବ୍ ବାର୍ସେଲୋନା (ସ୍ପେନୀୟ ଭାଷାରେ Futbol Club Barcelona) ସ୍ପେନର ବାର୍ସେଲୋନା ସହରର ଏକ ପ୍ରସିଦ୍ଧ ଫୁଟବଲ କ୍ଲବ । ଏହି ଫୁଟବଲ କ୍ଲବ୍ ସ୍ପେନର ଲା ଲିଗା ଫୁଟବଲ ପ୍ରତିଯୋଗିତାରେ ଖେଳିଥାଏ । ଫୁଟବଲ ପ୍ରେମୀ ଓ ସମର୍ଥକମାନେ ଏହାକୁ ଆଦରରେ ବାର୍ସା, ଏଫ୍ସିବି ବା କେବଳ ବାର୍ସେଲୋନା ବୋଲି କୁହନ୍ତି ।
ପୂର୍ଣ୍ଣ ନାମ | ଫୁଟବଲ କ୍ଲବ୍ ବାର୍ସେଲୋନା | |||
---|---|---|---|---|
ଡାକ ନାମ | ବାର୍ସା ବା ବ୍ଲାଉଗ୍ରାନା | |||
କ୍ଷୁଦ୍ର ନାମ | ଏଫ୍ସିବି (FCB) | |||
ପ୍ରତିଷ୍ଠା | ୨୯-ନଭେମ୍ବର-୧୮୯୯ | |||
ଷ୍ଟାଡ଼ିୟମ୍ | କ୍ୟାମ୍ପ୍ ନୋଉ | |||
ଦର୍ଶକ କ୍ଷମତା | ୯୯,୩୫୪[1] | |||
ଅଧ୍ୟକ୍ଷ | ଚାର୍ଲସ ଟୁସକ୍ୱେଟ୍ସ୍ (ସାମୟିକ) | |||
ମୁଖ୍ୟ ପ୍ରଶିକ୍ଷକ | ରୋନାଲ୍ଡ କୋମାନ୍ | |||
ଲିଗ୍ | ଲା ଲିଗା | |||
୨୦୧୯-୨୦ କ୍ରୀଡ଼ାବର୍ଷ (ସିଜନ୍) | ଲା ଲିଗା (୨ୟ) | |||
ୱେବସାଇଟ୍ | Club website | |||
| ||||
୧୮୯୯ ମସିହାରେ ହୋଆନ୍ ଗାମ୍ପରଙ୍କ ନେତୃତ୍ୱରେ କିଛି ସ୍ୱିସ୍, ସ୍ପେନୀୟ, ଇଂରାଜୀ ଓ କାଟାଲାନ୍ ଫୁଟବଲ ଖେଳାଳି ମିଶି ଏହି କ୍ଲବ୍ର ପ୍ରତିଷ୍ଠା କରିଥିଲେ । ପରେ ଏହି କ୍ଲବ୍ କାଟାଲାନ୍ ସଂସ୍କୃତିର ଏକ ସଙ୍କେତ ଚିହ୍ନ ପାଲଟି ଯାଇଥିଲା । ବାର୍ସେଲୋନା ଫୁଟବଲ କ୍ଲବର ଆଦର୍ଶ ବାକ୍ୟ ହେଉଛି - "ମେସ୍ କୋ ଉନ୍ କ୍ଲୁବ୍ (Més que un club)" (ଅର୍ଥାତ୍ - "କେବଳ କ୍ଲବ୍ଠାରୁ ଆହୁରି ଅଧିକ") । ବାର୍ସେଲୋନା ଫୁଟବଲ କ୍ଲବ୍ର ସମର୍ଥକମାନେ ଏହି କ୍ଲବ୍ ଦଳର ମାଲିକ ତଥା ନିୟନ୍ତ୍ରଣକାରୀ ଯାହା ଅନ୍ୟ ପ୍ରମୁଖ ଫୁଟବଲ କ୍ଲବ୍ମାନଙ୍କରେ ଦେଖିବାକୁ ମିଳେ ନାହିଁ । ଏହି କ୍ଲବ୍ର ବ୍ୟାବସାୟିକ ମୂଲ୍ୟ ପ୍ରାୟ ୪୦୬ କୋଟି ଆମେରିକୀୟ ଡଲାର୍ ଓ ବିଶ୍ୱର ସବୁଠାରୁ ଧନୀ ଫୁଟବଲ କ୍ଲବ୍ ତାଲିକାରେ ଏହାର ସ୍ଥାନ ଚତୁର୍ଥ । ଏହି କ୍ଲବ୍ର ବାର୍ଷିକ ଆୟ ୮୪୦.୮ କୋଟି ୟୁରୋ ହୋଇଥିବାରୁ ଡେଲୋଏ ଫୁଟବଲ ମନି ଲିଗ୍ ଏହାକୁ ବିଶ୍ୱର ସବୁଠାରୁ ଧନୀ ଫୁଟବଲ କ୍ଲବ୍ ବୋଲି ମାନ୍ୟତା ଦେଇଥିଲା ।[2][3] ହାଉମେ ପିକାସ୍ ଓ ଜୋସେଫ୍ ମାରିଆ ଏସ୍ପିନାସଙ୍କ ଲିଖିତ "କାଣ୍ଟ୍ ଡେଲ୍ ବାର୍ସା (Cant del Barça)" ଏହି କ୍ଲବ୍ର ଦଳୀୟ ଗୀତ (ଆନ୍ଥେମ୍) ।[4] ସାଧାରଣତଃ ବାର୍ସେଲୋନା ଫୁଟବଲ ଦଳର ଖେଳାଳିମାନେ ନୀଳ ଓ ଲାଲ୍ ପଟି ପଡ଼ିଥିବା ପୋଷାକ ପିନ୍ଧି ଖେଳୁଥିବାରୁ ଏହି କ୍ଲବ୍ର ଆଉ ଏକ ଡାକ ନାମ ହେଲା ବ୍ଲାଉଗ୍ରାନା (Blaugrana) (ବ୍ଲାଉ – ନୀଳ, ଗ୍ରାନା – ରକ୍ତ ପରି ଲାଲ) ।
ସ୍ପେନର ଘରୋଇ କ୍ଲବ୍ ଫୁଟବଲ ପ୍ରତିଯୋଗିତାମାନଙ୍କରେ ବାର୍ସେଲୋନା ୭୪ ଥର ବିଭିନ୍ନ ଟ୍ରଫି ଜିତିଛି : ୨୬ ଥର ଲା ଲିଗା, ୩୦ ଥର କୋପା ଡେଲ୍ ରେ, ୧୩ ଥର ସୁପରକୋପା ଡି ଇସ୍ପାନା, ୩ ଥର କୋପା ଇଭା ଦୁଆର୍ତେ, ଏବଂ ୨ ଥର କୋପା ଡେ ଲା ଲିଗା । ଅନ୍ତର୍ଜାତୀୟ କ୍ଲବ୍ ଫୁଟବଲ ପ୍ରତିଯୋଗିତାମାନଙ୍କରେ ବାର୍ସେଲୋନା ୨୦ ଥର ବିଭିନ୍ନ ଟ୍ରଫି ଜିତିଛି : ୫ ଥର ୟୁଇଫା ଚାମ୍ପିୟନ୍ସ ଲିଗ, ୪ ଥର ୟୁଇଫା କପ୍ ୱିନର୍ସ କପ, ୫ ଥର ୟୁଇଫା ସୁପର କପ, ୩ ଥର ଇଣ୍ଟର୍-ସିଟିସ୍ ଫେୟାର୍ସ କପ ଓ ୩ ଥର ଫିଫା କ୍ଲବ୍ ବିଶ୍ୱକପ ।[5] ୧୯୯୭, ୨୦୦୯, ୨୦୧୧, ୨୦୧୨ ଓ ୨୦୧୫ ମସିହାରେ ଅନ୍ତରାଷ୍ଟ୍ରୀୟ ଫୁଟବଲ ଇତିହାସ ଓ ପରିସଂଖ୍ୟାନ ସଂଘ (International Federation of Football History & Statistics)ଦ୍ୱାରା ପ୍ରକାଶିତ ବିଶ୍ୱ ସ୍ତରର ଶ୍ରେଷ୍ଠ କ୍ଲବ୍ ତାଲିକାରେ ବାର୍ସେଲୋନା ଫୁଟବଲ କ୍ଲବ୍ ସର୍ବୋଚ୍ଚ ସ୍ଥାନ ଅକ୍ତିଆର କରିଥିଲା ।[6][7] ୨୦୧୬ ମସିହାରେ ଏହା ୟୁଇଫା କ୍ଲବ୍ ତାଲିକାରେ ଦ୍ୱିତୀୟ ଶ୍ରେଷ୍ଠ ଦଳର ମାନ୍ୟତା ପାଇଥିଲା ।[8] ସ୍ପେନର ଆଉ ଏକ ଫୁଟବଲ କ୍ଲବ୍ ରିଆଲ ମାଦ୍ରିଦ ହେଉଛି ବାର୍ସେଲୋନା ଫୁଟବଲ ଦଳର ପାରମ୍ପରିକ ପ୍ରତିଦ୍ୱନ୍ଦୀ । ଏମାନଙ୍କ ମଧ୍ୟରେ ହେଉଥିବା ଫୁଟବଲ ମ୍ୟାଚକୁ ଏଲ୍ କ୍ଲାସିକୋ (El Clásico) ବୋଲି କୁହାଯାଇଥାଏ ।
ବିଶ୍ୱର ବହୁ ଦେଶରେ ବାର୍ସେଲୋନା ଫୁଟବଲ ଦଳର ସମର୍ଥକ ରହିଛନ୍ତି ଏବଂ ସାମାଜିକ ମାଧ୍ୟମରେ ଏହାର ଅନୁସରଣକାରୀଙ୍କ (ଫଲୋଅର୍) ସଂଖ୍ୟା ସମସ୍ତ ଖେଳର ଦଳଙ୍କ ମଧ୍ୟରେ ସର୍ବାଧିକ ।[9][10] ବାର୍ସେଲୋନା ଫୁଟବଲ କ୍ଲବର ଖେଳାଳିମାନେ ୧୨ ଥର ବଲୁନ୍ ଡି’ଓର୍ ଓ ୭ ଥର ଫିଫା ୱଲ୍ଡ ପ୍ଲେୟର୍ ଅଫ୍ ଦ ଇୟର୍ ସମ୍ମାନ ଲାଭ କରିଛନ୍ତି । ରୋନାଲ୍ଡୋ (ବ୍ରାଜିଲ), ରୋନାଲ୍ଡିନୋ, ରିଭାଲ୍ଡୋ, ରୋମାରିଓ ପ୍ରଭୃତି ପ୍ରଖ୍ୟାତ ଖେଳାଳି ବାର୍ସେଲୋନା କ୍ଲବ୍ ପାଇଁ ଖେଳିଛନ୍ତି । ୨୦୧୦ ମସିହାରେ ବାର୍ସେଲୋନା କ୍ଲବ୍ର ତରୁଣ ଦଳରୁ ତିନି ଜଣ ଖେଳାଳି ଲିଓନେଲ୍ ମେସି, ଆଣ୍ଡ୍ରେଆସ୍ ଇନିଏସ୍ତା ଓ ଜାଭି ବାର୍ସେଲୋନା ମୁଖ୍ୟ ଦଳ ପାଇଁ ଖେଳିବା ଆରମ୍ଭ କରିଥିଲେ ଏବଂ ସେହି ବର୍ଷର ଫିଫା ବେଲୁନ୍ ଡି’ଓର୍ ସମ୍ମାନ ହାସଲ କରିଥିଲେ । ଗୋଟିଏ ଫୁଟବଲ ଦଳରୁ ୩ ଜଣ ଖେଳାଳି ଏକା ବର୍ଷରେ ଏହି ପୁରସ୍କାର ପାଇବା ଘଟଣା ପୂର୍ବରୁ କେବେ ହୋଇନଥିଲା । ବାର୍ସେଲୋନା କ୍ଲବ୍ ପାଇଁ ଖେଳୁଥିବା ଖେଳାଳିମାନେ ୮ ଥର “ୟୁରୋପୀୟ ଗୋଲ୍ଡେନ୍ ସୁ” ପୁରସ୍କାର ମଧ୍ୟ ଜିତିଛନ୍ତି ।
ବାର୍ସେଲୋନା ଫୁଟବଲ କ୍ଲବ୍, ରିଆଲ୍ ମାଦ୍ରିଦ୍ ଓ ଆଥଲେଟିକ୍ ବିଲ୍ବାଓ – ଏହି ତିନି କ୍ଲବ୍ ମିଶି ଲା ଲିଗା ପ୍ରିମେରା ଡିଭିଜନ୍ ପ୍ରତିଷ୍ଠା କରିଥିଲେ ଏବଂ ଏମାନେ ୧୯୨୯ରେ ଆରମ୍ଭ ହୋଇଥିବା ଲା ଲିଗାରେ ଆଜି ଯାଏଁ ସବୁ ବର୍ଷ ଯୋଗ୍ୟତା ହାସଲ କରିଆସିଛନ୍ତି । ୨୦୦୯ ମସିହାରେ ପ୍ରଥମ ସ୍ପେନୀୟ କ୍ଲବ୍ ଦଳ ଭାବେ ବାର୍ସେଲୋନା ଲା-ଲିଗା, କୋପା ଡେଲ୍ରେ ଓ ୟୁଇଫା ଚାମ୍ପିୟନ୍ସ ଲିଗ୍ ଜିତି ମହାଦେଶୀୟ ତ୍ରି-ବିଜୟୀ ଦଳ ହୋଇଥିଲା । ସେହି ବର୍ଷ ବାର୍ସେଲୋନା କ୍ଲବ୍ ଦଳ ସୁପର୍କୋପା ଡି ଇସ୍ପାନା, ୟୁଇଫା ସୁପର କପ ଓ ଫିଫା କ୍ଲବ୍ ବିଶ୍ୱକପ ଜିତି ସେ ବର୍ଷର ୬ରୁ ୬ଟି ପ୍ରତିଯୋଗିତାରେ ବିଜୟ ଗୌରବ ଲାଭ କରିଥିବା ସ୍ପେନର ପ୍ରଥମ ଫୁଟବଲ କ୍ଲବ୍ ହୋଇଥିଲା ।[11] ୨୦୧୧ରେ ବାର୍ସେଲୋନା କ୍ଲବ୍ ପୁଣି ୟୁରୋପୀୟ ଚାମ୍ପିୟନ୍ ହେବା ସହ ୫ଟି ଟ୍ରଫି ଜିତିଥିଲା । ପେପ୍ ଗାର୍ଡିଓଲା ମୁଖ୍ୟ ପ୍ରଶିକ୍ଷକ ଥିବାବେଳେ ୪ ବର୍ଷରୁ କମ୍ ସମୟ ମଧ୍ୟରେ ବାର୍ସେଲୋନା କ୍ଲବ୍ ୧୪ଟି ଟ୍ରଫି ଜିତିଥିବାରୁ କେହି କେହି ସେ କାଳର ଦଳକୁ ବିଶ୍ୱର ସର୍ବକାଳୀନ ଶ୍ରେଷ୍ଠ ଫୁଟବଲ ଦଳ ବୋଲି ମଧ୍ୟ କୁହନ୍ତି ।[12][13][14] ୬-ଜୁନ-୨୦୧୫ ମସିହାରେ ପଞ୍ଚମ ଥର ପାଇଁ ୟୁଇଫା ଚାମ୍ପିୟନ୍ସ ଲିଗ୍ ଜିତିଥିଲା । ଏଥି ସହିତ ବାର୍ସେଲୋନା ଦଳ ବିଶ୍ୱର ପ୍ରଥମ ୟୁରୋପୀୟ ଦଳ ଭାବେ ଦୁଇ ଥର ମହାଦେଶୀୟ ତ୍ରି-ବିଜୟୀ ଜିତିବାର ଗୌରବ ମଧ୍ୟ ଲାଭ କରିଥିଲା । ୨୦୧୮ ମସିହା ନଭେମ୍ବରରେ ଏହାର ପ୍ରମୁଖ ଦଳର ପରିଚାଳନା ପାଇଁ ୧୩ କୋଟି ଆମେରିକୀୟ ଡଲାରରୁ ଅଧିକ ବ୍ୟୟ କରିଥିଲା ଯାହା ଅନ୍ୟ କ୍ରୀଡ଼ା କ୍ଲବ୍ମାନଙ୍କ ମଧ୍ୟରେ ସର୍ବାଧିକ ଥିଲା ।[15][16]
ବାର୍ସେଲୋନାରେ ଏକ ଫୁଟବଲ କ୍ଲବ୍ ଗଢ଼ିବାର ଉଦ୍ଦେଶ୍ୟ ନେଇ ହୋଆନ ଗାମ୍ପର ୧୮୯୯ ମସିହା ଅକ୍ଟୋବର ୨୨ ତାରିଖରେ ଲୋସ୍ ଡେପୋର୍ଟେସରେ ଏକ ବିଜ୍ଞାପନ ଦେଇଥିଲେ । ତାଙ୍କ ବିଜ୍ଞାପନ ପଢ଼ି ଲୋକେ ଆଗ୍ରହୀ ହେବାରୁ ନଭେମ୍ବର ୨୯ ତାରିଖରେ ଏକ ବୈଠକ ରଖାଗଲା । ୱାଲ୍ଟର୍ ୱାଇଲ୍ଡ୍, ଲୁଇ ଡି’ଓସୋ, ବାର୍ତ୍ତୋମ୍ୟୁ ଟେରାଡାସ, ଓଟ୍ଟୋ କୁଞ୍ଜଲ୍, ଓଟ୍ଟୋ ମାୟର୍, ଏନ୍ରିକ୍ ଡୁକାଲ, ପେରେ କାବୋଟ, କାର୍ଲେସ୍ ପୁୟୋଲ୍, ଜୋସେଫ୍ ଲୋବେଟ, ଜନ୍ ପାର୍ସନ୍ସ, ୱିଲିୟମ୍ ପାର୍ସନ୍ସ ଆଦି ୧୧ ଜଣ ଖେଳାଳି ଏହି ବୈଠକରେ ଯୋଗ ଦେଇଥିଲେ । ଏହିଠାରୁ ବାର୍ସେଲୋନା କ୍ଲବର ଜନ୍ମ ହୋଇଥିଲା ।[17]
ବାର୍ସେଲୋନା ଦଳ ପ୍ରାଦେଶିକ ଓ ଜାତୀୟ ସ୍ତରରେ କ୍ଲବ ଫୁଟବଲ ଖେଳିବା ଆରମ୍ଭ କଲା । କାମ୍ପିଓନାଟ୍ ଡି କାଟାଲୁନିଆ ଓ କୋପା ଡେଲ୍ରେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କଲା । ୧୯୦୨ରେ ବାର୍ସେଲୋନା ଦଳ ନିଜ ପ୍ରଥମ ଟ୍ରଫି କୋପା ମକାୟା ଜିତିଲା ଏବଂ ନିଜର ପ୍ରଥମ କୋପା ଡେଲ୍ରେ ପ୍ରତିଯୋଗିତାରେ ଖେଳି ଆଥଲେଟିକ ବିଲବାଓଠାରୁ ଫାଇନାଲରେ ୧-୨ ଗୋଲରେ ପରାସ୍ତ ହେଲା ।[18] ୧୯୦୫ କାମ୍ପିଓନାଟ୍ ଡି କାଟାଲୁନିଆ ପରଠାରୁ କୌଣସି ପ୍ରତିଯୋଗିତା ନ ଜିତିପାରି ହତୋତ୍ସାହ ଏବଂ ଆର୍ଥିକ ଅନଟନ ଦେଇ ଗତି କରୁଥିବା ବାର୍ସେଲୋନା ଦଳର ଅଧ୍ୟକ୍ଷ ପଦ ହୋଆନ ଗାମ୍ପର ସମ୍ଭାଳିଲେ । ୧୯୦୮ରୁ ୧୯୨୫ ମଧ୍ୟରେ ସେ ବିଭିନ୍ନ ସମୟରେ କ୍ଲବ୍ର ଅଧ୍ୟକ୍ଷ ପଦବୀ ସମ୍ଭାଳିଥିଲେ ।
୧୯୦୯ ମସିହା ମାର୍ଚ୍ଚ ୧୪ ତାରିଖରେ ବାର୍ସେଲୋନା ଦଳ ୮୦୦୦ ଦର୍ଶକ କ୍ଷମତାବିଶିଷ୍ଟ କ୍ୟାମ୍ପ ଡେ ଲା ଇଣ୍ଡୁଷ୍ଟ୍ରିଆକୁ ନିଜର ଘର ମ୍ୟାଚ ଷ୍ଟାଡ଼ିୟମ ଭାବେ ଗ୍ରହଣ କଲା । ତାହା ଆଗାମୀ ବର୍ଷ ଏକ ଲୋଗୋ ନିଶ୍ଚିତ କରିବା ଉଦ୍ଦେଶ୍ୟରେ କ୍ଲବ୍ ଏକ ପ୍ରତିଯୋଗିତାର ଆୟୋଜନ କଲା । କାର୍ଲେସ୍ କୋମାମାଲାଙ୍କ ଲୋଗୋକୁ ଏଥିରେ ବିଜୟୀ ଘୋଷଣା କରି ଦଳ ପାଇଁ ଏହାକୁ ଗ୍ରହଣ କରାଗଲା । ଏଥିରେ କିଛି ଛୋଟ ପରିବର୍ତ୍ତନ କରି ଏହାକୁ ଆଜି ପର୍ଯ୍ୟନ୍ତ ଦଳର ଚିହ୍ନ ଭାବେ ବ୍ୟବହାର କରାଯାଉଛି ।[19]
ନୂଆ ଷ୍ଟାଡ଼ିୟମ ପାଇବା ପରେ ବାର୍ସେଲୋନା ଦଳ ଦକ୍ଷିଣ ଫ୍ରାନ୍ସ, କାଟାଲୁନିଆ ଏବଂ ବାସ୍କ ଅଞ୍ଚଳର ବିଭିନ୍ନ କ୍ଲବ୍ ସହିତ ପାଇରେନିସ୍ କପ ପ୍ରତିଯୋଗିତାରେ ଖେଳିଲା । ସେ ସମୟରେ ଏଥିରେ ବିଜୟ ଲାଭ କରିବାକୁ ଏକ କୀର୍ତ୍ତିମାନ ରୂପେ ବିବେଚନା କରା ଯାଉଥିଲା ।[20] ଉଦଘାଟନୀ ବର୍ଷ ୧୯୧୦ରୁ ୧୯୧୩ ପର୍ଯ୍ୟନ୍ତ କ୍ରମାଗତ ଚାରି ବର୍ଷ ବାର୍ସେଲୋନା ଦଳ ଏହି ପ୍ରତିଯୋଗିତା ଜିତିଥିଲା । କାର୍ଲେସ୍ କୋମାମାଲା ଏହି ଚାରି ବର୍ଷ ବାର୍ସେଲୋନା ଫୁଟବଲ ଦଳର ସଦସ୍ୟ ଥିଲେ । ୧୯୧୪ ମସିହାରେ ଏହି ପ୍ରତିଯୋଗିତାର ଉଦଯାପନୀ ବର୍ଷରେ ବାର୍ସେଲୋନା ଦଳ ସ୍ଥାନୀୟ ଇସ୍ପାନ୍ୟୋଲ୍ ଆର୍ସିଡି ଦଳଠାରୁ ପରାଜିତ ହୋଇଥିଲା ।[21]
ଏହି ସମୟକାଳରେ ବାର୍ସେଲୋନା କ୍ଲବ୍ କାଷ୍ଟିଲିଆନ୍ ପରିବର୍ତ୍ତେ କାଟାଲାନ୍ ଭାଷାକୁ ଦଳୀୟ ଆଧିକାରିକ ଭାଷା ଭାବେ ସ୍ୱୀକୃତି ଦେଲା । ଏହା ଏହି କ୍ଲବ୍ର କାଟାଲାନ୍ ପରିଚୟକୁ ସୁଦୃଢ଼ କରିଥିଲା । ବହୁ ଲୋକ ଫୁଟବଲ ନୁହେଁ ବରଂ ବାର୍ସେଲୋନା କ୍ଲବ୍ର କାଟାଲାନ୍ ସଂସ୍କୃତି ରୂପକ ଚିହ୍ନ ସହ ଜଡ଼ିତ ରହିବା ପାଇଁ ଏହି କ୍ଲବ୍ର ସମର୍ଥକ ପାଲଟି ଯାଇଥିଲେ ।[22]
ଗାମ୍ପର ବିଧିବଦ୍ଧ ଭାବେ ବାର୍ସେଲୋନା ପାଇଁ ଅଧିକରୁ ଅଧିକ ସଦସ୍ୟ ଜୁଟାଇବାରେ ଲାଗିଥିଲେ ଏବଂ ୧୯୨୨ ମସିହା ବେଳକୁ କ୍ଲବର ସଦସ୍ୟ ସଂଖ୍ୟା ୨୦୦୦୦ରୁ ଅଧିକ ହୋଇଯାଇଥିଲା । ସଦସ୍ୟମାନଙ୍କ ଆର୍ଥିକ ସହାୟତା ଯୋଗୁଁ କ୍ଲବ ଆଉ ଏକ ନୂଆ ଷ୍ଟାଡିୟମ କ୍ୟାମ୍ପ୍ ଡେ ଲେସ୍ କୋର୍ଟ୍ସକୁ ସ୍ଥାନାନ୍ତରିତ ହେବାରେ ସଫଳ ହେଲା ।[23] ୩୦ ହଜାର ଦର୍ଶକ କ୍ଷମତାବିଶିଷ୍ଟ ଲେସ୍ କୋର୍ଟେସ୍ ପରେ ସମ୍ପ୍ରସାରିତ ହୋଇ ୧୯୪୦ରେ ଏହାର କ୍ଷମତା ୬୦ ହଜାର କରାଗଲା ।[24]
ଗାମ୍ପର ଜାକ୍ ଗ୍ରୀନୱେଲଙ୍କୁ ବାର୍ସେଲୋନାର ସ୍ଥାୟୀ ପରିଚାଳକ ରୂପେ ନିଯୁକ୍ତି ଦେଲେ । ଏହା ପରେ ବାର୍ସେଲୋନା ଫୁଟବଲ ଦଳର ପ୍ରଦର୍ଶନରେ ଉନ୍ନତି ଆସିଥିଲା । ଗାମ୍ପରଙ୍କ ଅଧ୍ୟକ୍ଷତା କାଳରେ ବାର୍ସେଲୋନା ଦଳ କାମ୍ପିଓନାଟ୍ସ ଡି କାଟାଲୁନିଆ, କୋପା ଡେଲ୍ ରେ, ପାଇରେନିସ୍ କପ୍ ଯଥାକ୍ରମେ ୧୧, ୬ ଓ ୪ ଥର ଜିତିଥିଲା । ସେ ସମୟକୁ ବାର୍ସେଲୋନା କ୍ଲବର ପ୍ରଥମ "ସୁବର୍ଣ୍ଣ ଯୁଗ" ମଧ୍ୟ କୁହାଯାଏ ।[18]
ସ୍ପେନ ୧୯୭୪ ମସିହାରେ ଗଣତନ୍ତ୍ର ହେବା ପରେ ୧୯୭୮ ମସିହାରେ ଜୋସେଫ୍ ଲୁଇ ନୁନ୍ୟେଜ୍ ବାର୍ସେଲୋନା କ୍ଲବ୍ର ପ୍ରଥମ ନିର୍ବାଚିତ ଅଧ୍ୟକ୍ଷ ହୋଇଥିଲେ । ନିଜ ୨୨ ବର୍ଷର କାର୍ଯ୍ୟକାଳରେ ବାର୍ସେଲୋନାକୁ ଏକ ବିଶ୍ୱ ସ୍ତରୀୟ କ୍ଲବରେ ରୂପାନ୍ତରିତ କରିବା ପାଇଁ ଓ କ୍ଲବରେ ସ୍ଥାୟିତ୍ୱ ପାଇଁ ନୁନ୍ୟେଜ୍ ଚେଷ୍ଟା କଲେ । ସେ ଖେଳାଳିଙ୍କ ଅନୁଶାସନ ଓ ପାରିଶ୍ରମିକକୁ ନେଇ କଡ଼ା ନିୟମ ପ୍ରଚଳନ କରାଇଥିଲେ ଓ ସେଥିପାଇଁ ମାରାଡୋନା, ରୋନାଲ୍ଡୋଙ୍କ ପରି ତତ୍କାଳୀନ କିଛି ପ୍ରଖ୍ୟାତ ଖେଳାଳିଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇ ନଥିଲେ ।[27][28]
୧୯୭୯ ମସିହା ମଇ ୧୬ ତାରିଖରେ ବାର୍ସେଲୋନା ଦଳ ଫୋର୍ଚ୍ୟୁନା ଡୁସେଲଡୋର୍ଫ ଦଳକୁ ୪-୩ ଗୋଲରେ ହରାଇ ପ୍ରଥମ ଥର ପାଇଁ ୟୁଇଫା କପ ୱିନର୍ସ କପ ଜିତିଥିଲେ । ସେହି ବର୍ଷ ନୁନ୍ୟେଜ୍ ପ୍ରତିଭାବାନ ଯୁବ ଖେଳାଳିଙ୍କ ପ୍ରଶିକ୍ଷଣ ଓ ବିକାଶ ପାଇଁ ବାର୍ସେଲୋନାର ଲା ମାସିଆ ଅନୁଷ୍ଠାନର ସ୍ଥାପନା କରିଥିଲେ ।[29]
ଜୁନ୍ ୧୯୮୨ ମସିହାରେ ବାର୍ସେଲୋନା କ୍ଲବ ୫୦ ଲକ୍ଷ ପାଉଣ୍ଡ ମୂଲ୍ୟ ଦେଇ ଡିଏଗୋ ମାରାଡୋନାଙ୍କୁ ଦଳ ପାଇଁ ବୋକା ଜୁନିଅର୍ସ କ୍ଲବଠାରୁ କିଣିଥିଲା ।[30] କିନ୍ତୁ ବାର୍ସେଲୋନା ପାଇଁ ମାରାଡୋନା ଅଧିକ ବର୍ଷ ଖେଳିନଥିଲେ । ଏହାର କିଛି ବର୍ଷ ପରେ ନୁନ୍ୟେଜଙ୍କ ଏକ ବିରୋଧୀ ଗୋଷ୍ଠୀ ସୃଷ୍ଟି ହେଲା । ବାମପନ୍ଥୀ ଓ ଦକ୍ଷିଣପନ୍ଥୀ ରାଜନୈତିକ ମତବାଦର ଅଭ୍ୟୁଦୟ ହେଲା ।[31]
୧୯୮୮ ମସିହାରେ ୟୋହାନ କ୍ରାଫ୍ ବାର୍ସେଲୋନାକୁ ମୁଖ୍ୟ ପରିଚାଳକ ଭାବେ ପ୍ରତ୍ୟାବର୍ତ୍ତନ କଲେ ଓ ଏକ ଦଳର ସଂଯୋଜନାରେ ଲାଗି ପଡ଼ିଲେ ଯାହାକୁ ପରେ ବାର୍ସେଲୋନାର ଡ୍ରିମ୍ ଟିମ୍ ଭାବେ ଅଭିହିତ କରାଯାଇଥିଲା ।[32] କିଛି ସ୍ପେନୀୟ ଓ ଅନ୍ତର୍ଜାତୀୟ ଖେଳାଳିଙ୍କୁ ମିଶାଇ ସେ ଏହି ଡ୍ରିମ୍ ଟିମ୍ ପ୍ରସ୍ତୁତ କଲେ ।[33]
ଲା ମାସିଆର ପ୍ରତିଷ୍ଠାର ଦଶ ବର୍ଷ ପରେ ପେପ୍ ଗାର୍ଡିଓଲାଙ୍କୁ ଦଳରେ ଅନ୍ତର୍ଭୁକ୍ତ କରାଗଲା ଯିଏ ପରବର୍ତ୍ତୀ ସମୟରେ ବାର୍ସେଲୋନା ଦଳର ପ୍ରଶିକ୍ଷକ ମଧ୍ୟ ହୋଇଥିଲେ ।[34] କ୍ରାଫଙ୍କ ତତ୍ତ୍ୱାବଧାନରେ ୧୯୯୧ରୁ ୧୯୯୪ ଯାଏଁ ବାର୍ସେଲୋନା କ୍ରମାଗତ ୪ ଥର ଲା ଲିଗା ପ୍ରତିଯୋଗିତାରେ ବିଜୟ ହାସଲ କଲା । କ୍ରାଫଙ୍କ ସମୟରେ ବାର୍ସେଲୋନା ୧୧ଟି ଟ୍ରଫି ଜିତିଥିଲା । ସେ ୮ ବର୍ଷ ବାର୍ସେଲୋନା ଦଳର ପରିଚାଳକ ରହିଥିଲେ ।[35] ପରେ କ୍ରାଫ୍ ବାର୍ସେଲୋନାକୁ କୌଣସି ଟ୍ରଫି ଜିତାଇ ନପାରିବାରୁ ଓ ନୁନ୍ୟେଜଙ୍କ ସହିତ ମତାନ୍ତର ହେବାରୁ ବାର୍ସେଲୋନା ଦଳର ପରିଚାଳକ ପଦବୀରୁ ବିଦାୟ ନେଇଥିଲେ ।[27] କ୍ରାଫଙ୍କ ପ୍ରଶିକ୍ଷଣରୁ ଓ ବଲ୍ ପାସ୍ କରିବା ନୀତିରୁ ପ୍ରଭାବିତ ହୋଇ ଗାର୍ଡିଓଲା ପରେ କହିଥିଲେ ଯେ “ସେ ଗୀର୍ଜାଟି ନିର୍ମାଣ କରି ସାରିଛନ୍ତି, ଆମ କାମ ହେଲା ତାହାର ରକ୍ଷଣାବେକ୍ଷଣ ଓ ଉନ୍ନତି କରିବା ।“[36] ୨୦୦୩ ମସିହାରେ ଲାପୋର୍ତା ବାର୍ସେଲୋନା କ୍ଲବର ଅଧ୍ୟକ୍ଷ ହେଲେ ।[37]
୧୯୯୬-୯୭ରେ ଗୋଟିଏ କ୍ରୀଡ଼ା ବର୍ଷ ପାଇଁ ବବି ରବ୍ସନ୍ଙ୍କୁ ବାର୍ସେଲୋନା କ୍ଲବ ଦଳର ପରିଚାଳକ ଦାୟିତ୍ୱ ମିଳିଥିଲା । ବହୁଳ ବ୍ୟୟରେ ସେ ବ୍ରାଜିଲର ଫୁଟବଲ ତାରକା ରୋନାଲ୍ଡୋଙ୍କୁ ଆଇନ୍ଦୋୱେନ୍ ପିଏସ୍ଭି କ୍ଲବଠାରୁ କିଣି ବାର୍ସେଲୋନାରେ ସାମିଲ କରାଇଥିଲେ । ବାର୍ସେଲୋନା କୋପା ଡେଲ୍ ରେ, ୟୁଇଫା କପ ୱିନର୍ସ କପ ଓ ସୁପରକୋପା ଡି ଇସ୍ପାନା ଟ୍ରଫି ଜିତିବାକୁ ସକ୍ଷମ ହୋଇଥିଲା । ରୋନାଲ୍ଡୋ ୪୯ଟି ମ୍ୟାଚରେ ୪୭ଟି ଗୋଲ ଅର୍ଜନ କରିଥିଲେ ।[38] ସଫଳତା ସତ୍ତ୍ୱେ ଲୁଇ ଭାନ୍ ଗାଲ୍ ଉପଲବ୍ଧ ହେବା ପରେ ରବ୍ସନ୍ ପରିଚାଳକ ପଦରୁ ବିଦାୟ ନେଇଥିଲେ ।[39] ମାରାଡୋନାଙ୍କ ପରି ରୋନାଲ୍ଡୋ ମଧ୍ୟ ବାର୍ସେଲୋନା ଦଳ ପକ୍ଷରୁ ଅଳ୍ପ ସମୟ ପାଇଁ ଖେଳିଥିଲେ ଓ ତା’ ପରେ ଇଣ୍ଟର ମିଲାନ ଦଳରେ ଯୋଗ ଦେଇଥିଲେ ।[38] କିନ୍ତୁ ସେତେବେଳକୁ ବାର୍ସେଲୋନାରେ ଲୁଇ ଫିଗୋ, ପ୍ୟାଟ୍ରିକ୍ କ୍ଲୁଇଭର୍ଟ, ଲୁଇ ଏନ୍ରିକେ ଓ ରିଭାଲ୍ଡୋ ପରି ଅନ୍ୟ ତାରକା ଖେଳାଳିମାନଙ୍କ ଅଭ୍ୟୁଦୟ ଘଟିଥିଲା । ୧୯୯୮ରେ ବାର୍ସେଲୋନା ଉଭୟ କୋପା ଡେଲ୍ରେ ଓ ଲା ଲିଗାରେ ବିଜୟ ଲାଭ କରିଥିଲା । ପ୍ରିମେରା ଡିଭିଜନ୍ ଟାଇଟଲ୍ ଜିତି ବାର୍ସେଲୋନା ୧୯୯୯ ମସିହାରେ ନିଜ କ୍ଲବର ଶତବାର୍ଷିକୀ ପାଳନ କରିଥିଲା । ବାର୍ସେଲୋନାର ଚତୁର୍ଥ ଖେଳାଳି ରୂପେ ରିଭାଲ୍ଡୋ ସେ ବର୍ଷର ଶ୍ରେଷ୍ଠ ୟୁରୋପୀୟ ଫୁଟବଲ ଖେଳାଳି ସମ୍ମାନ ଜିତିଥିଲେ । ୨୦୦୦ ମସିହାରେ ନୁନ୍ୟେଜ୍ ଓ ଭାନ୍ ଗାଲ୍ ବାର୍ସେଲୋନାରୁ ବିଦାୟ ନେଇଥିଲେ ।[39]
ତତ୍କାଳୀନ ବାର୍ସେଲୋନା ଦଳର ଖେଳାଳି ଲୁଇ ଫିଗୋ ବାର୍ସେଲୋନା ଛାଡ଼ି ପ୍ରତିଦ୍ୱନ୍ଦୀ ରିଆଲ୍ ମାଦ୍ରିଦ ଦଳରେ ମିଶିବା ବାର୍ସେଲୋନା କ୍ଲବର ସମର୍ଥକଙ୍କୁ ଅତି ମର୍ମାହତ ଓ ଉତ୍କ୍ଷିପ୍ତ କରିଥିଲା । କ୍ୟାମ୍ପ୍ ନୋଉକୁ ଏହାପରେ ଖେଳିବାକୁ ଆସିବା ବେଳେ ଫିଗୋଙ୍କୁ ବାର୍ସେଲୋନା ସମର୍ଥକଙ୍କ ଆକ୍ରୋଶମୂଳକ ସ୍ୱାଗତର ସମ୍ମୁଖୀନ ହେବାକୁ ପଡ଼ିଥିଲା ।[41]
ଏହା ପର ତିନିବର୍ଷ ବାର୍ସେଲୋନା ଦଳର ପ୍ରଦର୍ଶନ ନିମ୍ନଗାମୀ ହୋଇଥିଲା । ଏହାର ପ୍ରଶିକ୍ଷକ ଓ ପରିଚାଳକ ବାରମ୍ବାର ବଦଳିଥିଲେ । ଭାନ୍ ଗାଲ୍ଙ୍କ ପରେ ଲୋରେଞ୍ଜୋ ସେରା ଫେରର୍, କାର୍ଲେସ୍ ରେକ୍ସାକ୍ ବାର୍ସେଲୋନାର ପରିଚାଳକ ପଦବୀ ମଣ୍ଡନ କରିଥିଲେ । ତା’ ପରେ ଭାନ୍ ଗାଲ୍ ବାର୍ସେଲୋନାକୁ ପ୍ରତ୍ୟାବର୍ତ୍ତନ କରିଥିଲେ କିନ୍ତୁ ତଥାପି ବାର୍ସେଲୋନାର ପ୍ରଦର୍ଶନ ଆହୁରି ନିମ୍ନ ମାନର ରହିଲା । ଏହା ପରେ ଭାନ୍ ଗାଲ୍ ଇସ୍ତଫା ଦେଲେ ଓ ରାଡୋମିର ଆଣ୍ଟିଚ୍ଙ୍କୁ ଦାୟିତ୍ୱ ଦିଆଗଲା । ଖରାପ ପ୍ରଦର୍ଶନ ବଜାୟ ରହିବାରୁ ଆଣ୍ଟିଚ୍ ଓ ବାର୍ସେଲୋନା ଅଧ୍ୟକ୍ଷ ହୋଆନ୍ ଗାଷ୍ପାର୍ଟ ଦଳରୁ ବିଦାୟ ନେଲେ ।[42]
ଏହା ପରେ ହୋଆନ ଲାପୋର୍ତା ବାର୍ସେଲୋନାର ଅଧ୍ୟକ୍ଷ ଓ ପୂର୍ବରୁ ଏସି ମିଲାନ ଓ ଓଲନ୍ଦାଜ ଜାତୀୟ ଫୁଟବଲ ଦଳର ପ୍ରଶିକ୍ଷକ ରହିଆସିଥିବା ଫ୍ରାଂକ୍ ରିକାର୍ଡଙ୍କୁ ବାର୍ସେଲୋନାର ପରିଚାଳକ ଭାର ମିଳିଲା । ସେପଟେ ବାର୍ସେଲୋନା ରୋନାଲ୍ଡିନୋ, ଡେକୋ, ସାମୁଏଲ୍ ଏଟୋ, ହେନେରିକ୍ ଲାର୍ସନ, ରାଫାଏଲ୍ ମାର୍କ୍ୱେଜ୍ ପରି ଅନ୍ତର୍ଜାତୀୟ ଏବଂ କାର୍ଲେସ୍ ପୁୟୋଲ୍, ଆନ୍ଦ୍ରେଆସ୍ ଇନିଏସ୍ତା, ଜାଭି, ଭିକ୍ଟର୍ ଭାଲ୍ଡେସ୍ ପରି ସ୍ପେନୀୟ ଖେଳାଳିଙ୍କୁ ନେଇ ଏକ ସୁଦୃଢ଼ ଦଳ ଗଠନ କଲା । ୨୦୦୪-୦୫ ମସିହାର ସୁପରକୋପା ଡି ଇସ୍ପାନା ଓ ଲା ଲିଗା ଜିତିବାରେ ବାର୍ସେଲୋନା ସଫଳ ହେଲା । ଫିଫା ୱଲ୍ଡ୍ ପ୍ଲେୟର୍ ଅଫ୍ ଦ ଇୟର୍ ପାଇଁ ରୋନାଲ୍ଡିନୋ ଓ ଏଟୋଙ୍କୁ ଯଥାକ୍ରମେ ପ୍ରଥମ ଓ ତୃତୀୟ ସର୍ବାଧିକ ଭୋଟ୍ ମିଳିଥିଲା ।[43] ୨୦୦୩ ମସିହାରେ ରୋନାଲ୍ଡିନୋଙ୍କ ଆଗମନ ବାର୍ସେଲୋନା ଦଳରେ ଏକ ନୂତନ ଆଶା ସଞ୍ଚାର କରାଇଥିଲା ।[44][45]
୨୦୦୫-୦୬ କ୍ରୀଡ଼ା ବର୍ଷରେ ବାର୍ସେଲୋନା ନିଜ ସୁପରକୋପା ସଫଳତାକୁ ଦୋହରାଇବାରେ ସଫଳ ହେଲା । ସେହି କ୍ରୀଡ଼ା ବର୍ଷର ସାଣ୍ଟିଆଗୋ ବର୍ଣ୍ଣାବ୍ୟୁରେ ଖେଳାଯାଇଥିବା (ବାହାର ମ୍ୟାଚ୍) ଏଲ୍ କ୍ଲାସିକୋରେ ବାର୍ସେଲୋନା ୩-୦ରେ ବିଜୟୀ ହୋଇଥିଲା । ରୋନାଲ୍ଡିନୋଙ୍କ ଚମତ୍କାର ଫୁଟବଲ ଖେଳରେ ପ୍ରତିଦ୍ୱନ୍ଦୀ ଦଳର ସମର୍ଥକମାନେ ବିଶେଷ ପ୍ରଭାବିତ ହୋଇ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦେଇଥିଲେ ।[46] ଚାମ୍ପିୟନ୍ସ ଲିଗରେ ବାର୍ସେଲୋନା ଇଂରାଜୀ କ୍ଲବ ଆର୍ସେନାଲ୍ ଏଫ୍ସିକୁ ୨-୧ ଗୋଲରେ ପରାସ୍ତ କରିଥିଲା ।[47]
ବିଭିନ୍ନ ଆହତଜନିତ ସମସ୍ୟା, ଦଳର ଖେଳାଳିଙ୍କ ମଧ୍ୟରେ ବିବାଦ କାରଣରୁ ୨୦୦୬-୦୭ କ୍ରୀଡ଼ାବର୍ଷ ବାର୍ସେଲୋନା ପାଇଁ ବିଶେଷ ସଫଳତା ଆଣି ପାରିନଥିଲା ।[48] ୨୦୦୭-୦୮ କ୍ରୀଡ଼ା ବର୍ଷରେ ବାର୍ସେଲୋନା ଦଳ ଲା ଲିଗାରେ ତୃତୀୟ ସ୍ଥାନରେ ରହିପାରିଥିଲା । ୟୁଇଫା ଚାମ୍ପିୟନ୍ସ ଲିଗ ଏବଂ କୋପା ଡେଲ୍ରେ ପ୍ରତିଯୋଗିତାମାନଙ୍କରେ ସେମି-ଫାଇନାଲ ପର୍ଯ୍ୟନ୍ତ ପହଞ୍ଚିବାରେ ସକ୍ଷମ ହେଲା ଓ ମ୍ୟାଞ୍ଚେଷ୍ଟର୍ ୟୁନାଇଟେଡ଼୍ ତଥା ଭାଲେନ୍ସିଆ ଦଳଠାରୁ ଯଥାକ୍ରମେ ପରାଜୟ ବରଣ କରିଥିଲା । ସେହି ବର୍ଷ ଏଲ୍ କ୍ଲାସିକୋରେ ୧-୪ ଗୋଲରେ ପରାଜିତ ହେବା ପରେ ରିକାର୍ଡଙ୍କ ସ୍ଥାନରେ ଗାର୍ଡିଓଲାଙ୍କୁ ଦଳର ପରିଚାଳନା ଦାୟିତ୍ୱ ପ୍ରଦାନ କରାଯାଇଥିଲା ।[49]
ଗାର୍ଡିଓଲାଙ୍କ ଚାରିବର୍ଷ କାଳରେ ବାର୍ସେଲୋନା ଫୁଟବଲ କ୍ଲବ୍ ଅଭୂତପୂର୍ବ ସଫଳତା ଲାଭ କରିଥିଲା । ୨୦୦୮ରୁ ୨୦୧୨ ବାର୍ସେଲୋନା ସମର୍ଥକମାନେ ‘‘ଗାର୍ଡିଓଲା ଯୁଗ’’ ବୋଲି କୁହନ୍ତି । ନିଜ ଖେଳିବା ସମୟରେ ବାର୍ସେଲୋନାର ଯୁବ ଏକାଡେମୀରେ ଶିଖିଥିବା ଓ ବର୍ତ୍ତମାନ ଫୁଟବଲ ମହଲରେ ପ୍ରସିଦ୍ଧ ଟିକି-ଟାକା ଶୈଳୀକୁ ଗାର୍ଡିଓଲା ପ୍ରୟୋଗ କରାଇଥିଲେ । ରୋନାଲ୍ଡିନୋ ଏବଂ ଡେକୋଙ୍କୁ ବିକି ଗାର୍ଡିଓଲା ଜାଭି, ଇନିଏସ୍ତା ଓ ମେସିଙ୍କୁ ନେଇ ନୂତନ ରଣନୀତି ପ୍ରସ୍ତୁତ କରିଥିଲେ ।
ଆଥଲେଟିକ୍ ବିଲବାଓକୁ ୪-୧, ଏଲ୍ କ୍ଲାସିକୋରେ ରିଆଲ ମାଦ୍ରିଦକୁ ୬-୨ ଏବଂ ମ୍ୟାଞ୍ଚେଷ୍ଟର ୟୁନାଇଟେଡ଼୍କୁ ୨-୦ ଗୋଲରେ ପରାସ୍ତ କରି ବାର୍ସେଲୋନା ଯଥାକ୍ରମେ ୨୦୦୯ କୋପା ଡେଲ୍ ରେ, ୨୦୦୮-୦୯ ଲା ଲିଗା ଏବଂ ଚାମ୍ପିୟନ୍ସ ଲିଗରେ ବିଜୟ ଲାଭ କରିଥିଲା ।[50][51][52] ୨୦୦୯ରେ ଆଥଲେଟିକ୍ ବିଲବାଓକୁ ହରାଇ ସୁପରକୋପା ଡି ଇସ୍ପାନା[53], ଏଫ୍ସି ଶାଖ୍ତାର ଡୋନେସ୍କକୁ ହରାଇ ୨୦୦୯ ୟୁଇଫା ସୁପରକପ[54] ମଧ୍ୟ ବାର୍ସେଲୋନା ଦଳ ଜିତିଥିଲା । ୨୦୦୯ର ଫିଫା କ୍ଲବ ବିଶ୍ୱକପ ମଧ୍ୟ ବାର୍ସେଲୋନା ନିଜ ନାମରେ କରିନେଇଥିଲା ।[55]
ଲାପୋର୍ତାଙ୍କ ପରେ ସାଣ୍ଡ୍ରୋ ରୋସେଲ୍ ବାର୍ସେଲୋନାର ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ ।[56] ରୋସେଲ୍ ୪ କୋଟି ୟୁରୋ ମୂଲ୍ୟରେ ଭାଲେନ୍ସିଆ ଦଳରୁ ଡେଭିଡ୍ ଭିୟା[57] ଏବଂ ୧.୯ କୋଟି ୟୁରୋ ମୂଲ୍ୟରେ ଲିଭର୍ପୁଲ୍ ଦଳରୁ ଜାଭିଅର୍ ମାଶେରାନୋଙ୍କୁ[58] କ୍ରୟ କରିଥିଲେ । ଦକ୍ଷିଣ ଆଫ୍ରିକାରେ ଖେଳା ଯାଇଥିବା ୨୦୧୦ ଫିଫା ବିଶ୍ୱକପରେ ବାର୍ସେଲୋନାର ଲା ମାସିଆରୁ ପ୍ରଶିକ୍ଷିତ ଯୁବ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ସ୍ପେନ ଜାତୀୟ ଫୁଟବଲ ଦଳ ବିଶ୍ୱବିଜୟୀ ହୋଇପାରିଥିଲା ।[59] ୨୦୧୦ ନଭେମ୍ବରର ଏଲ୍ କ୍ଲାସିକୋରେ ବାର୍ସେଲୋନା ୫-୦ ଗୋଲରେ ବିଜୟ ଲାଭ କରିଥିଲା । ସେହି ବର୍ଷ ବଲୁନ୍ ଡି’ଓର୍ ପୁରସ୍କାର ମେସି, ଇନିଏସ୍ତା ଓ ଜାଭିଙ୍କୁ ପ୍ରଦାନ କରାଯାଇଥିଲା । ଏହି ତିନି ଜଣ ଖେଳାଳି ଏକଦା ଲା ମାସିଆର ଛାତ୍ର ଥିଲେ ।[60]
ଏହି କାଳରେ ବାର୍ସେଲୋନା ଫୁଟବଲ କ୍ଲବର ବିଭିନ୍ନ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଥିଲା :
ସେ ସମୟର ବାର୍ସେଲୋନା କ୍ଲବ ଦଳକୁ ବହୁ କ୍ରୀଡ଼ା ବିଶେଷଜ୍ଞ ବିଶ୍ୱର ଶ୍ରେଷ୍ଠ ଫୁଟବଲ ଦଳ ବୋଲି କହିଛନ୍ତି । ୨୦୧୧ ମସିହାର ସୌରେୟସ୍ ୱଲ୍ଡ ସ୍ପୋର୍ଟ୍ସ ଏୱାର୍ଡ୍ର “ଟିମ୍ ଅଫ୍ ଦ ଇୟର୍” ସମ୍ମାନ ବାର୍ସେଲୋନା ଜିତିଥିଲା ।[70]
୨୦୧୧-୧୨ କ୍ରୀଡ଼ାବର୍ଷରେ ଚେଲ୍ସି ଏଫ୍ସି ଦଳଠାରୁ ଚାମ୍ପିୟନ୍ସ ଲିଗ୍ ସେମି-ଫାଇନାଲରେ ପରାସ୍ତ ହେବା ପରେ ଗାର୍ଡିଓଲାଙ୍କ ଖେଳାଳି ଚୟନ ଏବଂ ରଣନୀତିର ସମାଲୋଚନା କରାଯାଇଥିଲା ।[71][72] ଟିଟୋ ଭିଲାନୋୱାଙ୍କୁ ଗାର୍ଡିଓଲାଙ୍କ ପରବର୍ତ୍ତୀ ପରିଚାଳକ ଭାବେ ନିଯୁକ୍ତି ଦିଆଗଲା ଓ ଗାର୍ଡିଓଲା ବିଦାୟ ନେଇଥିଲେ ।[73][74]
୨୦୧୪ରୁ ୨୦୧୬ କାଳରେ ଜୋସେଫ୍ ମାରିଆ ବାର୍ଟୋମ୍ୟୁ ଅଧ୍ୟକ୍ଷ ଦାୟିତ୍ୱ ବହନ କରିଥିଲେ ଓ ବାର୍ସେଲୋନା ସମର୍ଥକ ଏହି ସମୟକୁ ବାର୍ଟୋମ୍ୟୁ ଯୁଗ ବୋଲି କହିଥାନ୍ତି ।
୨୦୧୩-୧୪ କ୍ରୀଡ଼ାବର୍ଷର ୟୁଇଫା ଚାମ୍ପିୟନ୍ସ ଲିଗରେ ବାର୍ସେଲୋନା ଓ ଆଥଲେଟିକୋ ମାଦ୍ରିଦ ମଧ୍ୟରେ ମ୍ୟାଚ୍ ୧-୧ ଗୋଲରେ ଅମିମାଂଶିତ ରହିବା ପରେ ଆଥଲେଟିକୋକୁ ବିଜୟୀ ଘୋଷିତ କରାଯାଇଥିଲା ।[75] ବାର୍ସେଲୋନା ଦଳ ୨୦୧୪-୧୫ କ୍ରୀଡ଼ାବର୍ଷର ଲା ଲିଗା, କୋପା ଡେଲ୍ରେ ଏବଂ ଚାମ୍ପିୟନ୍ସ ଲିଗରେ ବିଜୟୀ ହୋଇଥିଲା ।[76][77][78][79][80] ଏହି ସମସ୍ତ ପ୍ରତିଯୋଗିତାରେ ବାର୍ସେଲୋନା ପକ୍ଷରୁ ମେସି, ସୁଆରେଜ୍ ଓ ନେମାର୍ ସର୍ବମୋଟ ୧୨୨ଟି ଗୋଲ କରିଥିଲେ ଏବଂ ସ୍ପେନୀୟ କ୍ଲବ ଫୁଟବଲ ଇତିହାସରେ ଏପରି ଆକ୍ରମଣକାରୀ ତ୍ରୟକର ଦୃଷ୍ଟାନ୍ତ ଅତି ବିରଳ ।[81]
ବାର୍ସେଲୋନା ସେଭିୟା ଏଫ୍ସିକୁ ହରାଇ ୨୦୧୫-୧୬ ୟୁରୋପୀୟ ସୁପରକପ ଓ କ୍ଲବ୍ ଆଥଲେଟିକୋ ରିଭର୍ ପ୍ଲେଟ୍କୁ ହରାଇ ୨୦୧୫ ଫିଫା କ୍ଲବ ବିଶ୍ୱକପ ଜିତିଥିଲା ।[82][83][84] ୨୦୧୫ କ୍ରୀଡ଼ାବର୍ଷରେ ବାର୍ସେଲୋନା ନିଜ ସମସ୍ତ ଖେଳରେ ୧୮୦ଟି ଗୋଲ କରିଥିଲା ଯାହା ଏକ ରେକର୍ଡ ।[85] ୨୦୨୦ ମସିହା ଅକ୍ଟୋବର ମାସରେ ବାର୍ଟୋମ୍ୟୁ ଇସ୍ତଫା ଦେଇଥିଲେ ।[86]
ବାର୍ସେଲୋନା ଫୁଟବଲ କ୍ଲବର ଯେଉଁ ମୂଳ ଫଳକ ରହିଥିଲା ସେଥିରେ ଆରାଗନ ରାଜମୁକୁଟ ଓ ରାଜା ଜେମ୍ସ୍ଙ୍କ ରାଜକୀୟ ବାଦୁଡ଼ିର ଚିହ୍ନ ରହିଥିଲା । ଏହି ଚିହ୍ନ ଦ୍ୱୟ ଦୁଇପଟୁ ତାଳ ଓ ଲୌରେଲ୍ ଗଛର ଡାଳଦ୍ୱାରା ବେଷ୍ଟିତ ।[19] ବାର୍ସେଲୋନା ନଗର ସହ ନିଜର ପରିଚୟ ଜଡ଼ିତ ଥିବାରୁ ନଗରର ସରକାରୀ ଚିହ୍ନକୁ ମଧ୍ୟ କ୍ଲବ୍ ବ୍ୟବହାର କଲା ।[87] ୧୯୧୦ ମସିହାରେ ନୂଆ ଫଳକ ପାଇଁ କ୍ଲବ୍ ନିଜ ସଦସ୍ୟମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତାର ଆୟୋଜନ କରିଥିଲା । ସେ ସମୟରେ ବାର୍ସେଲୋନା କ୍ଲବ୍ ପାଇଁ ଖେଳୁଥିବା କାର୍ଲେସ୍ କୋମାମାଲା ଏହି ପ୍ରତିଯୋଗିତା ଜିତିଥିଲେ ଏବଂ ତାଙ୍କଦ୍ୱାରା ପ୍ରସ୍ତୁତ ଚିହ୍ନରେ କିଛି ଛୋଟମୋଟ ପରିବର୍ତ୍ତନ କରାଯାଇ ଦଳର ପୋଷାକରେ ବର୍ତ୍ତମାନ ସୁଦ୍ଧା ବ୍ୟବହାର କରାଯାଉଛି । ଏହି ଫଳକର ଉପର-ବାମ ପଟେ ସନ୍ଥ ଜର୍ଜଙ୍କ ଯୁକ୍ତ ଚିହ୍ନ (କ୍ରସ୍), ତା’ ନିକଟରେ କାଟାଲାନ୍ ପତାକା ଓ ନିମ୍ନରେ ବାର୍ସେଲୋନା ଦଳୀୟ ରଙ୍ଗ ରହିଛନ୍ତି ।[19]
୧୯୦୦ ମସିହାରେ ହିଷ୍ପାନିଆ ସହିତ ଖେଳାଯାଇଥିବା ମ୍ୟାଚରେ ବାର୍ସେଲୋନା ଦଳ ପ୍ରଥମ ଥର ପାଇଁ ଲାଲ୍-ନୀଳ ପୋଷାକ ପରିଧାନ କରିଥିଲା ।[88] ବାର୍ସେଲୋନା ଦଳର ଜର୍ସିରେ (ପୋଷାକ) ରହିଥିବା ନୀଳ-ଲାଲ୍ ରଙ୍ଗ ପାଇଁ ଅନେକ ମତବାଦ ରହିଛି । ବାର୍ସେଲୋନାର ପ୍ରଥମ ଅଧ୍ୟକ୍ଷ ଆର୍ଥର୍ ୱିଟିଙ୍କ ପୁତ୍ର ମତ ଦେଇଥିଲେ ଯେ ତାଙ୍କ ପିତା ମର୍ଚାଣ୍ଟ୍ ଟେଲର୍ସ ସ୍କୁଲ ଦଳର ରଙ୍ଗ ଅନୁସାରେ କ୍ଲବ୍ ଦଳର ରଙ୍ଗ ରଖିଥିଲେ । ଆଉ ଏକ ମତାନୁସାରେ ଲେଖକ ଟନି ଷ୍ଟ୍ରୁବେଲ ଏହାକୁ ପ୍ରଥମ ଫରାସୀ ଗଣରାଜ୍ୟର ରଙ୍ଗରୁ ଉଦ୍ଧୃତ ହୋଇଥିବା ବିଷୟ କହିଛନ୍ତି । କାଟାଲୁନିଆର ଜନସାଧାରଣଙ୍କ ମଧ୍ୟରେ ପ୍ରଚଳିତ ମତାନୁସାରେ ହୋଆନ୍ ଗାମ୍ପର୍ ନିଜ ପୂର୍ବ ବାସେଲ୍ ଫୁଟବଲ କ୍ଲବର ରଙ୍ଗରୁ ବାର୍ସେଲୋନାର ରଙ୍ଗ ଉଦ୍ଧାର କରିଥିଲେ ।[89]
୧୯୯୮ ମସିହାରୁ ନାଇକି (Nike) କମ୍ପାନୀ ସହ ବାର୍ସେଲୋନାର ବ୍ୟାବସାୟିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହା ଅନୁଯାୟୀ ନାଇକି ବାର୍ସେଲୋନା ଦଳକୁ ସମସ୍ତ ଖେଳ ପୋଷାକ, ଉପକରଣ ଆଦି ଯୋଗାଇଦେବ । ୨୦୧୬ ମସିହାରେ ଏହି ଚୁକ୍ତିର ଅବଧି ୨୦୨୮ ପର୍ଯ୍ୟନ୍ତ ବୃଦ୍ଧି କରିଦିଆ ଯାଇଛି । ବାର୍ଷିକ ୧୫.୫ କୋଟି ୟୁରୋର ଏହି ବହୁମୂଲ୍ୟ ବ୍ୟାବସାୟିକ ଚୁକ୍ତି ଅନୁସାରେ ବାର୍ସେଲୋନା ଦଳ ଲା ଲିଗାରେ ଯୋଗ୍ୟତା ହାସଲ କରିବାରେ ବିଫଳ ହେଲେ କିମ୍ବା କୌଣସି ବର୍ଷ ୟୁରୋପୀୟ ପ୍ରତିଯୋଗିତା ଖେଳିବାକୁ ଅସମର୍ଥ ହେଲେ ବାର୍ସେଲୋନା କ୍ଲବ୍ ନାଇକି କମ୍ପାନୀକୁ ଉପଯୁକ୍ତ କ୍ଷତିପୂରଣ ମଧ୍ୟ ଦେବ ।[90][91]
ସମୟ | କିଟ୍ ନିର୍ମାତା | ପୋଷାକରେ ମୁଖ୍ୟ ପ୍ରାୟୋଜକ | ପୋଷାକରେ ଉପ-ପ୍ରାୟୋଜକ |
---|---|---|---|
୧୮୯୯–୧୯୮୨ | କେହି ନାହିଁ | କେହି ନାହିଁ | କେହି ନାହିଁ |
୧୯୮୨-୧୯୯୨ | ମେବା | ||
୧୯୯୨-୧୯୯୮ | କାପ୍ପା | ||
୧୯୯୮-୨୦୦୬ | ନାଇକି | ||
୨୦୦୬-୨୦୧୧ | ୟୁନିସେଫ୍ | ||
୨୦୧୧-୨୦୧୩ | କାତାର ଫାଉଣ୍ଡେସନ୍ | ୟୁନିସେଫ୍ | |
୨୦୧୩-୧୪ | କାତାର ଏୟାରୱେସ୍ | ||
୨୦୧୪-୧୭ | ବେକୋ ଏବଂ ୟୁନିସେଫ୍ | ||
୨୦୧୭- | ରାକୁଟେନ |
ପ୍ରାରମ୍ଭିକ ସମୟରେ ବାର୍ସେଲୋନା କ୍ଲବ୍ ‘‘କ୍ୟାମ୍ପ୍ ଡେ ଲା ଇଣ୍ଡୁଷ୍ଟ୍ରିଆ’’ରେ ନିଜର ଘର ମ୍ୟାଚ୍ ସବୁ ଖେଳୁଥିଲା । ଏହି ପଡ଼ିଆର ଦର୍ଶକ କ୍ଷମତା ପ୍ରାୟ ୬୦୦୦ ଥିଲା । କ୍ଲବ୍ର ସମର୍ଥକ ଓ ସଦସ୍ୟ ସଂଖ୍ୟା ବଢ଼ୁଥିବାରୁ ଏହାକୁ ନିଜର ଘର ମ୍ୟାଚ୍ ପଡ଼ିଆ କରିହେବ ନାହିଁ ବୋଲି ବାର୍ସେଲୋନା କ୍ଲବ୍ର ଅଧିକାରୀମାନେ ଆଶଙ୍କା ବ୍ୟକ୍ତ କରିଥିଲେ ।[92]
୧୯୨୨ ମସିହାରେ ବାର୍ସେଲୋନା ଫୁଟବଲ କ୍ଲବ୍ର ସମର୍ଥକଙ୍କ ସଂଖ୍ୟା ୨୦୦୦୦ରୁ ଅଧିକ ହୋଇ ସାରିଥିଲା । ସେମାନେ କ୍ଲବ୍କୁ ଅର୍ଥ ଋଣ ଆକାରରେ ଦେବାରୁ କ୍ଲବ୍ ନିଜ ପାଇଁ କ୍ୟାମ୍ପ୍ ଡେ ଲେସ୍ କୋର୍ଟ୍ସ ନାମକ ଏକ ବୃହତ୍ତର ଷ୍ଟାଡ଼ିୟମ୍ର ନିର୍ମାଣ କରାଇବାକୁ ସମର୍ଥ ହୋଇଥିଲା । ଏହି ପଡ଼ିଆର ଦର୍ଶକ କ୍ଷମତା ପ୍ରଥମେ ୨୦୦୦୦ ଥିଲା । ସ୍ପେନ ଗୃହଯୁଦ୍ଧ ପରେ ବାର୍ସେଲୋନା କ୍ଲବ୍ର ସମର୍ଥକ ଓ ଏହାର ମ୍ୟାଚରେ ଦର୍ଶକ ସଂଖ୍ୟା ପ୍ରତି ବର୍ଷ ବଢ଼ିବାକୁ ଲାଗିଲା । ତେଣୁ ଷ୍ଟାଡ଼ିୟମରେ ଅନେକ ନୂତନ ନିର୍ମାଣ କରାଇବାକୁ ପଡ଼ିଲା । ୧୯୪୪ ମସିହାରେ ଗ୍ରାଣ୍ଡ୍ ଷ୍ଟାଣ୍ଡ୍, ୧୯୪୬ରେ ଦକ୍ଷିଣ ଷ୍ଟାଣ୍ଡ୍ ଓ ୧୯୫୦ ମସିହାରେ ଉତ୍ତର ଷ୍ଟାଣ୍ଡ୍ ପ୍ରଭୃତିରେ ଦର୍ଶକ କ୍ଷମତା ବଢ଼ାଇବା ପାଇଁ ନୂତନ ନିର୍ମାଣ କରାଗଲା । ସବୁ ନିର୍ମାଣ ପରେ ଲେସ୍ କୋର୍ଟ୍ସର ଦର୍ଶକ ଧାରଣ କ୍ଷମତା ପ୍ରାୟ ୬୦୦୦୦ ହୋଇ ଆସିଥିଲା ।[93]
ଏତେ ନିର୍ମାଣ ପରେ ଲେସ୍ କୋର୍ଟ୍ସରେ ଆଉ ଅଧିକ ସମ୍ପ୍ରସାରଣ ପାଇଁ ସ୍ଥାନ ରହିଲା ନାହିଁ । ୧୯୪୮ ଓ ୧୯୪୯ ମସିହାରେ ଦୁଇ ବର୍ଷ କ୍ରମାଗତ ଲା ଲିଗାରେ ବିଜୟ ହାସଲ କରିବା ପରେ ଏବଂ କ୍ଲବ୍ ସେ ସମୟରେ ଫୁଟବଲ ଖେଳାଳି ଲାଜଲୋ କୁବାଲା (ଯିଏ ୨୫୬ ମ୍ୟାଚରେ ୧୯୬ଟି ଗୋଲ କରିଥିଲେ) ବାର୍ସେଲୋନା ଦଳରେ ଯୋଗ ଦେବା ପରେ ବାର୍ସେଲୋନାର ମ୍ୟାଚ୍ ସବୁ ଦେଖିବାକୁ ଆହୁରି ଅଧିକ ଦର୍ଶକ ଆସିବାକୁ ଲାଗିଲେ ।[93][94][95] ଆଉ ଏକ ନୂତନ ଷ୍ଟାଡ଼ିୟମ୍ ନିର୍ମାଣ କରିବାକୁ କ୍ଲବ୍ ଯୋଜନା କରିବା ଆରମ୍ଭ କଲା ।[93] ୧୯୫୪ ମସିହା ମାର୍ଚ୍ଚ ୨୮ ତାରିଖରେ ୬୦୦୦୦ ବାର୍ସେଲୋନା ସମର୍ଥକଙ୍କ ସମ୍ମୁଖରେ କ୍ୟାମ୍ପ୍ ନୋଉର ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା । ବାର୍ସେଲୋନାର ଆର୍ଚ୍ବିଶପ୍ ଗ୍ରେଗୋରିଓ ମୋଡ୍ରେଗୋଙ୍କ ଆଶୀର୍ବାଦ ନେଇ ଓ ଗଭର୍ଣ୍ଣର ଫେଲିପେ ଆସେଡୋ କୋଲୁଂଗାଙ୍କ ପୃଷ୍ଠପୋଷକତାରେ ନୂଆ ଷ୍ଟାଡ଼ିୟମ୍ର ଶିଳାନ୍ୟାସ କରାଗଲା । ତିନି ବର୍ଷ ଧରି ନିର୍ମାଣ କାର୍ଯ୍ୟ ଚାଲିଲା ଏବଂ ୧୯୫୭ ମସିହା ସେପ୍ଟେମ୍ବର ୨୪ ତାରିଖ ଦିନ ସମାପ୍ତ ହୋଇଥିଲା । ଏଥିପାଇଁ ୨୮.୮ କୋଟି ସ୍ପେନୀୟ ପେସେଟା ଖର୍ଚ୍ଚ କରାଯାଇଥିଲା ଯାହା ପୂର୍ବ ବ୍ୟୟ ଅଟକଳରୁ ୩୩୬% ଅଧିକ ଥିଲା ।[93]
୧୯୮୦ ମସିହାରେ ୟୁଇଫାର କିଛି ସର୍ତ୍ତାବଳୀର ପୂରଣ କରିବା ପାଇଁ କ୍ୟାମ୍ପ୍ ନୋଉ ଷ୍ଟାଡ଼ିୟମ୍ର କିଛି ଅଂଶର ପୁନର୍ନିର୍ମାଣ କରିବା ଦରକାର ହେଲା । ଏଥିପାଇଁ ବାର୍ସେଲୋନା କ୍ଲବ୍ ନିଜର ସମର୍ଥକମାନଙ୍କ ସହାୟତାରେ ଏହି ଅର୍ଥ ସଂଗ୍ରହ କଲା । ସୁଲଭ ମୂଲ୍ୟରେ ସମର୍ଥକମାନେ ସେମାନଙ୍କ ନାମ ଲେଖାଥିବା ଇଟା ଷ୍ଟାଡ଼ିୟମ ପାଇଁ ଦେଇପାରିବେ ବୋଲି ଏକ ପ୍ରସ୍ତାବ ଦିଆଗଲା । ସମର୍ଥକଙ୍କ ମଧ୍ୟରେ ଏହି ପ୍ରସ୍ତାବ ଖୁବ୍ ଲୋକପ୍ରିୟ ହୋଇଥିଲା ଓ ବହୁ ଲୋକ ନିଜ ନାମର ଇଟା ପାଇଁ ଆବଶ୍ୟକୀୟ ଶୁଳ୍କ ପୈଠ ମଧ୍ୟ କରିଥିଲେ । ପରେ ଜଣେ ଦୀର୍ଘକାଳୀନ ରିଆଲ ମାଦ୍ରିଦ୍ ଅଧ୍ୟକ୍ଷ ଓ ଫ୍ରାଂକୋ ସମର୍ଥକ ସାଣ୍ଟିଆଗୋ ବେର୍ଣ୍ଣାବେଉଙ୍କ ନାମର ଇଟା ରହିଥିବା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିବାଦ ସୃଷ୍ଟି ହୋଇଥିଲା ।[96][97][98] ୧୯୯୨ ମସିହାର ଗ୍ରୀଷ୍ମକାଳୀନ ଅଲିମ୍ପିକ୍ ଖେଳର ପ୍ରସ୍ତୁତି ବେଳେ ଦର୍ଶକଙ୍କ ବସିବା ପାଇଁ ଆହୁରି ଅଧିକ ଦୁଇଟି ସୋପାନ ନିର୍ମାଣ କରାଗଲା ।[99] ବର୍ତ୍ତମାନ ସମୟରେ କ୍ୟାମ୍ପ୍ ନୋଉର ଦର୍ଶକ କ୍ଷମତା ପ୍ରାୟ ୯୯୩୫୪ ଓ ଏହା ୟୁରୋପର ସର୍ବବୃହତ ଷ୍ଟାଡ଼ିୟମ୍ ।[1]
ବାର୍ସେଲୋନା ଫୁଟବଲ କ୍ଲବ୍ ଅଧୀନରେ ଆଉ କିଛି ଅଟ୍ଟାଳିକା ଓ ପଡ଼ିଆ ବା ଷ୍ଟାଡ଼ିୟମ୍ ମଧ୍ୟ ରହିଛି :[100]
ପ୍ରକାର | ପ୍ରତିଯୋଗିତା | ବିଜୟ ସଂଖ୍ୟା | କ୍ରୀଡ଼ାବର୍ଷ |
---|---|---|---|
ଜାତୀୟ | ଲା ଲିଗା | ୨୬ | ୧୯୨୯, ୧୯୪୪-୪୫, ୧୯୪୭-୪୮, ୧୯୪୮-୪୯, ୧୯୫୧-୫୨, ୧୯୫୨-୫୩, ୧୯୫୮-୫୯, ୧୯୫୯-୬୦, ୧୯୭୩-୭୪, ୧୯୮୪-୮୫, ୧୯୯୦-୯୧, ୧୯୯୧-୯୨, ୧୯୯୨-୯୩, ୧୯୯୩-୯୪, ୧୯୯୭-୯୮, ୧୯୯୮-୯୯, ୨୦୦୪-୦୫, ୨୦୦୫-୦୬, ୨୦୦୮-୦୯, ୨୦୦୯-୧୦, ୨୦୧୦-୧୧, ୨୦୧୨-୧୩, ୨୦୧୪-୧୫, ୨୦୧୫-୧୬, ୨୦୧୭-୧୮, ୨୦୧୮-୧୯ |
କୋପା ଡେଲ୍ ରେ | ୩୦ | ୧୯୦୯-୧୦, ୧୯୧୧-୧୨, ୧୯୧୨-୧୩, ୧୯୧୯-୨୦, ୧୯୨୧-୨୨, ୧୯୨୪-୨୫, ୧୯୨୫-୨୬, ୧୯୨୭-୨୮, ୧୯୪୧-୪୨, ୧୯୫୦-୫୧, ୧୯୫୧-୫୨, ୧୯୫୨-୫୩, ୧୯୫୬-୫୭, ୧୯୫୮-୫୯, ୧୯୬୨-୬୩, ୧୯୬୭-୬୮, ୧୯୭୦-୭୧, ୧୯୭୭-୭୮, ୧୯୮୦-୮୧, ୧୯୮୨-୮୩, ୧୯୮୭-୮୮, ୧୯୮୯-୯୦, ୧୯୯୬-୯୭, ୧୯୯୭-୯୮, ୨୦୦୮-୦୯, ୨୦୧୧-୧୨, ୨୦୧୪-୧୫, ୨୦୧୫-୧୬, ୨୦୧୬-୧୭, ୨୦୧୭-୧୮ | |
ସୁପରକୋପା ଡି ଇସ୍ପାନା | ୧୩ | ୧୯୮୩, ୧୯୯୧, ୧୯୯୨, ୧୯୯୪, ୧୯୯୬, ୨୦୦୫, ୨୦୦୬, ୨୦୦୯, ୨୦୧୦, ୨୦୧୧, ୨୦୧୩, ୨୦୧୬, ୨୦୧୮ | |
କୋପା ଇଭା ଦୁଆର୍ତେ | ୩ | ୧୯୪୮, ୧୯୫୨ ଓ ୧୯୫୩ | |
କୋପା ଡେ ଲା ଲିଗା | ୨ | ୧୯୮୩ ଓ ୧୯୮୬ | |
ୟୁରୋପୀୟ | ୟୁଇଫା ଚାମ୍ପିୟନ୍ସ ଲିଗ୍ | ୫ | ୧୯୯୧-୯୨, ୨୦୦୫-୦୬, ୨୦୦୮-୦୯, ୨୦୧୦-୧୧, ୨୦୧୪-୧୫ |
ୟୁଇଫା କପ୍ ୱିନର୍ସ କପ୍ | ୪ | ୧୯୭୮-୭୯, ୧୯୮୧-୮୨, ୧୯୮୮-୮୯, ୧୯୯୬-୯୭ | |
ୟୁଇଫା ସୁପର କପ୍ | ୫S | ୧୯୯୨, ୧୯୯୭, ୨୦୦୯, ୨୦୧୧, ୨୦୧୫ | |
ଇଣ୍ଟର୍-ସିଟିସ୍ ଫେୟାର୍ସ କପ୍ | ୩ | ୧୯୫୫-୫୮, ୧୯୫୮-୬୦, ୧୯୬୫-୬୬ | |
ବିଶ୍ୱ ସ୍ତରୀୟ | ଫିଫା କ୍ଲବ୍ ବିଶ୍ୱକପ | ୩ | ୨୦୦୯, ୨୦୧୧, ୨୦୧୫ |
୨୦୧୫ ମସିହାରେ ବାର୍ସେଲୋନା କ୍ଲବ ଦଳକୁ ନାଇନ୍ ଭେଲ୍ୟୁସ୍ କପ (Nine Values Cup) ସମ୍ମାନ ମିଳିଥିଲା । ଏହା ଶିଶୁମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଏକ ଅନ୍ତର୍ଜାତୀୟ ସାମାଜିକ କାର୍ଯ୍ୟକ୍ରମଦ୍ୱାରା ଦିଆ ଯାଉଥିବା ଏକ ସମ୍ମାନ ।[101]
ସ୍ପେନୀୟ ଦଳମାନଙ୍କରେ ସର୍ବାଧିକ ୩ ଜଣ ଅଣ-ୟୁରୋପୀୟ ନାଗରିକ ଖେଳାଳି ଖେଳିବାର ନିୟମ ରହିଛି । ତେଣୁ ଦଳରେ ପ୍ରାଥମିକ ଭାବେ ଅଧିକ ୟୁରୋପୀୟ ଖେଳାଳି ରହିଥାନ୍ତି । ଦଳରେ ଅନେକ ଅଣ-ୟୁରୋପୀୟ ଖେଳାଳି ମଧ୍ୟ ରହିଥାନ୍ତି ଯେଉଁମାନେ ୟୁରୋପୀୟ ସଂଘର କୌଣସି ଏକ ଦେଶ ଓ ନିଜ ଦେଶର ଦ୍ୱୈତ ନାଗରିକତା ଗ୍ରହଣ କରିଥାନ୍ତି । କୋଟୋନୁ ଚୁକ୍ତି ଅନ୍ତର୍ଭୁକ୍ତ ଆଫ୍ରିକା, ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜ ଏବଂ ପ୍ରଶାନ୍ତ ମହାସାଗରୀୟ ଦେଶର ଖେଳାଳିମାନେ କୋଲ୍ପାକ୍ ନିୟମାବଳୀ ଅନୁସାରେ ସ୍ପେନୀୟ କ୍ଲବରେ ଖେଳିପାରିବେ ଓ ସେମାନଙ୍କୁ ଅଣ-ୟୁରୋପୀୟ ଖେଳାଳି ଭାବେ ଗଣନା କରାଯାଏ ନାହିଁ ।
ବର୍ଷ | ନାମ | ନିର୍ଦ୍ଦେଶକ |
---|---|---|
୧୯୭୪ | Barça, 75 años de historia del Fútbol Club Barcelona | ଜୋର୍ଡି ଫେଲ୍ୟୁ |
୧୯୯୮-୯୯ | Aquest any, cent![102] | ଆଣ୍ଟୋନି ବାସାସ୍ |
୨୦୧୪ | Història del FC Barcelona[103] | ସାଣ୍ଟିଆଗୋ ଗାର୍ଗାଲୋ |
୨୦୧୮ | Gamper, l'inventor del Barça[104] | ଜୋର୍ଡି ଫେରେରୋନ୍ସ |
୨୦୧୯ | La Sagi, una pionera del Barça[105] | ଫ୍ରାନ୍ସେସ୍କ ଏସ୍କ୍ରିବାନୋ ଇ ଜୋସେଫ୍ ସେରା ମାଟଏ |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.