ବାକ୍ କୁତ୍ ତେଃ
From Wikipedia, the free encyclopedia
ବାକ୍ କୁତ୍ ତେଃ ବା ବାଃ କୁତ୍ ତେଃ (ଇଂରାଜୀରେ Bak kut teh (also spelt bah kut teh, ଚୀନୀ ଭାଷାରେ 肉骨茶) ଘୁଷୁରୀ ପଞ୍ଜରା ହାଡ଼ ଓ ମାଂସରୁ ପ୍ରସ୍ତୁତ ଏକ ବ୍ୟଞ୍ଜନ । ଏହି ଖାଦ୍ୟ ମୁଖ୍ୟତଃ ମାଲେସିଆ ଓ ସିଙ୍ଗାପୁରରେ ରହୁଥିବା ହୋକ୍ଲୋ ଏବଂ ତ୍ୟୋଚ୍ୟୁ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଅତି ଲୋକପ୍ରିୟ । ଇଣ୍ଡୋନେସିଆ ଓ ଥାଇଲାଣ୍ଡରେ ମଧ୍ୟ ଏହି ଖାଦ୍ୟ ପ୍ରସ୍ତୁତ କରାଯାଏ ।
ମୂଳ ସ୍ଥାନ | ଫୁଜିୟାନ, ଚୀନ, ମାଲେସିଆର କ୍ଲାଂଗ୍ ନଗର[1][2][3][4], ସିଙ୍ଗାପୁର[5] |
---|---|
ଅଞ୍ଚଳ ବା ରାଜ୍ୟ | ମାଲେସିଆ, ସିଙ୍ଗାପୁର ଓ ଇଣ୍ଡୋନେସିଆ[6] |
ସମ୍ବନ୍ଧିତ ଜାତୀୟ ଖାଦ୍ୟ | ଇଣ୍ଡୋନେସୀୟ, ମାଳୟ ଓ ସିଙ୍ଗାପୁରି |
ମୁଖ୍ୟ ଉପାଦାନ | ଘୁଷୁରୀ ପଞ୍ଜରା ହାଡ଼ ଓ ମାଂସ, ଅନାସି ଫୁଲ-ଲବଙ୍ଗ-ଡାଲଚିନି-ଡାଂଗ୍ ଗ୍ୱି-ପାନମହୁରି-ରସୁଣ ସହିତ ବିଭିନ୍ନ ମସଲା ଓ ପତ୍ର ମିଶି ପ୍ରସ୍ତୁତ ହୋଇଥିବା ବ୍ରଥ୍ |
ପ୍ରକାର ଭେଦ | ହୋକିଏନ୍ ଓ ତ୍ୟୋଚ୍ୟୁ |
|
ହୋକ୍କିଏନ୍ ଭାଷାରେ ଏହି ଖାଦ୍ୟର ନାମର ଅର୍ଥ ହେଉଛି - "ମାଂସ ଅସ୍ଥି ଚା" । ମୌଳିକ ବାକ୍ କୁତ୍ ତେଃ ପାଇଁ ଘୁଷୁରୀ ପଞ୍ଜରା ହାଡ଼, ମାଂସ, ବିଭିନ୍ନ ପତ୍ର, ଅନାସୀ ଫୁଲ, ଡାଲଚିନି, ଲବଙ୍ଗ, ଡାଂଗ୍ ଗ୍ୱି, ପାନ ମହୂରି, ଅଦା ପ୍ରଭୃତିର ମିଶ୍ରଣକୁ ଅଳ୍ପ ଜାଳରେ ବହୁ ସମୟ ଧରି ରାନ୍ଧିବା ପରେ ଏକ ଜଟିଳ ବ୍ରଥ୍ ପ୍ରସ୍ତୁତ ହୁଏ ।[7] ଏହାର ନାମରେ ଚା’ ଶବ୍ଦର ବ୍ୟବହାର ସତ୍ତ୍ୱେ ଏଥିରେ ଚା’ ସମ୍ବନ୍ଧୀୟ କୌଣସି ଉପାଦାନ ପଡ଼େନାହିଁ । କିନ୍ତୁ ପରଷିବା ସମୟରେ ଏହା ସହିତ ଊଲଂଗ୍ ଚୀନୀ ଚା’ ବଢ଼ାଯାଇଥାଏ । ଘୁଷୁରୀ ମାଂସରେ ରହିଥିବା ଅତ୍ୟଧିକ ଚର୍ବିକୁ ଏହି ଚା’ ହଜମ କରିବାରେ ସାହାଯ୍ୟ କରେ ।
ଏଥିରେ ଟୋଫୁ, ଚୀନୀ ବନ୍ଧା କୋବି, ଛତୁ, ଅନ୍ୟ ମାଂସ ମଧ୍ୟ ମିଶାଯାଇପାରେ । ୟୁ ଝୁ, ଜୁ ଝି ପରି ଚୀନୀ ଉପାଦାନ ଏବଂ ସୋୟା ସସ୍ ପ୍ରଭୃତି ଉପାଦାନ ମଧ୍ୟ ମିଶାଇ ହେବ । ବ୍ୟଞ୍ଜନକୁ ବାଢ଼ିବା ସମୟରେ ପାର୍ଶ୍ୱରେ କିଛି କଟା ଧନିଆ ପତ୍ର ଓ ଭଜା ଶାଲଟ୍ ପିଆଜ ମଧ୍ୟ ରଖାଯାଏ ।
ମାଲେସିଆରେ ଅଟାକୁ ଛାଣି ପ୍ରସ୍ତୁତ ଏକ ରୁଟି ‘‘ୟୁ ଚାର୍ କ୍ୱେ’’ ବା ‘‘ୟୁତ୍ୟାଓ’’ ସହ ବାକ୍ କୁତ୍ ତେଃକୁ ପରଷାଯାଏ । ଚର୍ବିକୁ ହଜମ କରିବାରେ ସାହାଯ୍ୟ କରିବା ପାଇଁ ବ୍ୟଞ୍ଜନ ସହିତ ଚା’ ମଧ୍ୟ ପରଷାଯାଏ । ସିଙ୍ଗାପୁରରେ ମଧ୍ୟ ତ୍ୟୋଚ୍ୟୁ ଶୈଳୀର ବାକ୍ କୁତ୍ ତେଃ ଅନୁରୂପ ଆକାରରେ ପରଷାଯାଏ । ବାକ୍ କୁତ୍ ତେଃକୁ ସାଧାରଣତଃ ଜଳଖିଆ କିମ୍ବା ମଧ୍ୟାହ୍ନ ଭୋଜନ ସମୟରେ ଖିଆଯାଏ । ହୋକ୍କିଏନ୍ ଓ ତ୍ୟୋଚ୍ୟୁ ସମ୍ପ୍ରଦାୟର ପାନୀୟ ସଂସ୍କୃତିରେ ଚା’ର ଏକ ବିଶେଷ ଭୂମିକା ରହିଆସିଛି ।