ଏକ ସଂକ୍ରାମକ ରୋଗ ଯାହା ପୋଲିଓଭୁତାଣୁଦ୍ୱାରା ହୁଏ From Wikipedia, the free encyclopedia
ପୋଲିଓମାୟେଲାଇଟିସ (ଇଂରାଜୀରେ Poliomyelitis, ଅନେକ ସମୟରେ କୁହାଯାଏ ପୋଲିଓ (polio) ବା ଇନ୍ଫାଣ୍ଟାଇଲ୍ ପାରାଲିସିସ୍ ( infantile paralysis), ଏକ ସଂକ୍ରାମକ ରୋଗ ଯାହା ପୋଲିଓଭୁତାଣୁଦ୍ୱାରା ହୁଏ । ଉଲ୍ଲେଖନୀୟ ଏହି ଯେ ପ୍ରାୟ ୯୦ %ରୁ ୯୫ % କେଶ୍ରେ ସଂକ୍ରମଣ ଥାଇ ମଧ୍ୟ ଲକ୍ଷଣ ପ୍ରକାଶ ପାଏନାହିଁ ।[1] ବାକି ୫ରୁ ୧୦% ଲୋକ ସମାନ୍ୟ ଲକ୍ଷଣ ଦେଖାନ୍ତି ଯେପରିକି ଜ୍ୱର, ମୁଣ୍ଡବଥା, ବାନ୍ତି, ତରଳ ଝାଡ଼ା, ଦୃଢ଼଼ ବେକ ଓ ହାତ ଗୋଡ଼ରେ ଯନ୍ତ୍ରଣା ।[1][2] ସପ୍ତାହେ ଦୁଇ ସପ୍ତାହ ମଧ୍ୟରେ ଏମାନେ ଠିକ୍ ହୋଇଯାଆନ୍ତି । କେବଳ ୦.୫ % ଲୋକଙ୍କର ମାଂସପେଶୀ ଦୁର୍ବଳତା ହୋଇ ଚଳନ ଅକ୍ଷମ ହୁଅନ୍ତି ।[1] ଏହା କିଛି ଘଣ୍ଟାରୁ କିଛି ଦିନ ମଧ୍ୟରେ ହୁଏ ।[1][2] ପେଶୀ ଦୁର୍ବଳତା ଅଧିକାଂଶ ସମୟରେ ଗୋଡ଼ରେ ଦେଖାଯାଏ କିନ୍ତୁ ମୁଣ୍ଡ, ବେକ ଓ ମଧ୍ୟଚ୍ଛଦା ମାଂସପେଶୀ ଏହା ଅପେକ୍ଷା କମ୍ ଦେଖାଯାଏ । ଅନେକ, କିନ୍ତୁ ସମସ୍ତେ ନୁହେଁ, ଆରୋଗ୍ୟ ଲାଭ କରନ୍ତି । ପେଶୀ ଦୁର୍ବଳତା ଥିବା ୨ରୁ ୫ % ପିଲା ଓ ୧୫ରୁ ୩୦ % ବଡ଼ ମଣିଷ ମୃତ୍ୟୁ ବରଣ କରନ୍ତି ।[1] ପୁନରୁଦ୍ଧାର ହେବାର ଅନେକ ବର୍ଷ ପରେ ପୋଷ୍ଟ ପୋଲିଓ ସିଣ୍ଡ୍ରୋମ୍ ହୋଇପାରେ ଯାହା ଆରମ୍ଭ ସମୟ ଭଳି ଧୀରେ ଧୀରେ ପରିସ୍ଫୁଟ ହୁଏ ।[3]
ପୋଲିଓମାୟେଲାଇଟିସ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ସଂକ୍ରାମକ ରୋଗ[*], neurology[*], orthopedics[*] |
ଆଇସିଡ଼ି-୧୦ | A80., B91. |
ଆଇସିଡ଼ି-୯-ସିଏମ୍ | 045, 138 |
ରୋଗ ଡାଟାବେସ | 10209 |
ମେଡ଼ିସିନ-ପ୍ଲସ | 001402 |
ଇ-ମେଡ଼ିସିନ | ped/1843 pmr/6 |
MeSH | C02.182.600.700 |
ପୋଲିଓଭୁତାଣୁ ସାଧାରଣତଃ ସଂକ୍ରମିତ ମଳ ପାଟିକୁ ଗଲେ ରୋଗ ବ୍ୟାପେ ।[1] ଖାଦ୍ୟ ଓ ଜଳ ମାଧ୍ୟମରେ ଏହା ବ୍ୟାପିପାରେ; ଲାଳ ମାଧ୍ୟମରେ ମଧ୍ୟ ସ୍ୱଳ୍ପ ଭାବରେ ବ୍ୟାପିପାଏ ।[1][2] କୌଣସି ଲକ୍ଷଣ ନ ଥିଲେ ମଧ୍ୟ ସଂକ୍ରମିତ ବ୍ୟକ୍ତି ସୁସ୍ଥ ଲୋକକୁ ସଂକ୍ରମିତ କରିପାରିବେ । ମଳରେ ହୁତାଣୁ ମିଳିଲେ ଓ ରକ୍ତରେ ଆଣ୍ଟିବଡି ଚିହ୍ନଟ ହେଲେ ରୋଗ ନିର୍ଣ୍ଣୟ ହୁଏ ।[1]
ପୋଲିଓ ରୋଗ ନିମନ୍ତେ ପୋଲିଓ ଟିକା ଦିଆଯାଉଛି, କିନ୍ତୁ କାର୍ଯ୍ୟକାରୀ ହେବା ନିମନ୍ତେ ଅନେକ ଥର ଦେବାକୁ ପଡ଼ୁଛି ।[2] ୟୁନାଇଟେଡ୍ ସ୍ଟେଟ୍ସ୍ ସେନ୍ଟର୍ ଫର୍ ଡିଜିଜ୍ କଣ୍ଟ୍ରୋଲ (ଇଂରାଜୀ ଭାଷାରେ United States Center for Disease Control) ସଂସ୍ଥା ଭ୍ରମଣକାରୀ ଓ ଏହି ରୋଗପ୍ରବଣ ଇଲାକାର ଲୋକଙ୍କୁ ପୋଲିଓ ଟିକା ବୁଷ୍ଟର ଡୋଜ ଦେବାକୁ ସୁପାରିସ୍ କରୁଛନ୍ତି ।[4] ସଂକରମଣ ଆରମ୍ଭ ହୋଇଗଲା ପରେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ ।[2] ୧୯୮୮ ମସିହାରା ୩୫୦,୦୦୦ ରୋଗୀ ଥିଲାବେଳେ ୨୦୧୩ରେ କମିଯାଇ ୪୧୬ ଜଣଙ୍କୁ ମାତ୍ର ଏହି ରୋଗ ହୋଇଥିଲା ।[2] ସନ ୨୦୧୪ରେ ଏହି ରୋଗ କେବଳ ଆଫ୍ଗାନିସ୍ଥାନ୍, ନାଇଜେରିଆ ଓ ପାକିସ୍ଥାନର ଲୋକଙ୍କ ମଧ୍ୟରେ ବ୍ୟାପୁଥିଲା ।[2]
ପୁରାତନ କଳାକୃତିରେ ପୋଲିଓ ରୋଗ ହଜାର ହଜାର ବର୍ଷ ହେଲା ଥିବାର ଚିତ୍ର ଦର୍ଶାଯାଇଛି ।[1] ସନ ୧୭୮୯ରେ ମାଇକେଲ ଅଣ୍ଡରଉଡ୍ ଏହି ରୋଗକୁ ସର୍ବ ପ୍ରଥମେ ସ୍ୱତନ୍ତ୍ର ରୋଗ ରୂପେ ଚିହ୍ନଟ କରିଥିଲେ [1] ଓ ଏହି ରୋଗ ଜନ୍ମାଉଥିବା ଭୁତାଣୁ ୧୯୦୮ ମସିହାର ପ୍ରଥମେ କାର୍ଲ ଲ୍ୟାଣ୍ଡସ୍ଟିନର ଚିହ୍ନଟ କରିଥିଲେ ।[5] ୟୁରୋପ ଓ ଆମେରିକାରେ ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଏହି ରୋଗ ମହାମାରୀ ରୁପ ଧାରଣ କରିଥିଲା ।[1] ସେହି ସ୍ଥାନମାନଙ୍କରେ ବିଂଶ ଶତାବ୍ଦୀରେ ଏହି ରୋଗ ଶିଶୁ ରୋଗ ହିସାବରେ ଚିନ୍ତାର ବିଷୟ ହୋଇଥିଲା ।[6] ସନ ୧୯୫୦ରେ ଜୋନାସ୍ ସଲ୍କ୍ ପ୍ରଥମେ ପୋଲିଓ ଟିକା ପ୍ରସ୍ତୁତ କରିଥିଲେ ।[7] ସନ ୨୦୧୮ ସୁଦ୍ଧା ଟିକାକରଣଦ୍ୱାରା ଏହି ରୋଗ ସାରା ପୃଥିବୀରୁ ନିର୍ମୁଳ କରାଯିବା ଆଶା କରାଯାଉଛି ।[8] ସନ ୨୦୧୩ରେ କିନ୍ତୁ ସିରିଆରେ ନୂଆ କେଶ୍ ଚିହ୍ନଟ କରାଯିବ ରୋପୋର୍ଟ ମିଳିଛି ।[9] ସନ ୨୦୧୪ ମଇ ମାସରେ ଏସିଆ, ଆଫ୍ରିକା ଓ ମଧ୍ୟ ପୂର୍ବ ଇଲାକାରେ ରୋଗ ଦେଖାଯିବା କାରଣରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ଜନ ସ୍ୱାସ୍ଥ୍ୟ ଏମର୍ଜେନ୍ସି ଘୋଷଣା ଘୋଷଣା କରିଛନ୍ତି ।[10] ଅନ୍ୟ କୌଣସ ପଶୁଙ୍କୁ ଏହି ରୋଗ ଆକ୍ରମଣ କରେନାହିଁ ।[1]
ଫଳାଫଳ | ଆନୁପାତିକ ହାର[11] |
---|---|
ଲକ୍ଷଣ ବିହୀନ | ୯୦–୯୫% |
ସ୍ୱଳ୍ପ ଅସୁସ୍ଥତା | ୪–୮% |
ପଙ୍ଗୁ ବିହୀନ ଅପୂତିକ ମେନିଞ୍ଜାଇଟିସ୍ (Nonparalytic aseptic) |
୧–୨% |
ପଙ୍ଗୁତ୍ୱ ପୋଲିଓ | 0.୧–0.୫% |
— ମେରୁଦଣ୍ଡୀୟ ପୋଲିଓ | ପଙ୍ଗୁ ରୋଗୀଙ୍କର ୭୯% |
— ବଲ୍ବୋସ୍ପାଇନାଲ୍ ପୋଲିଓ | ପଙ୍ଗୁ ରୋଗୀଙ୍କର ୧୯% |
— ବଲ୍ବାର ପୋଲିଓ | ପଙ୍ଗୁ ରୋଗୀଙ୍କର ୨% |
ତିନି ପ୍ରଜାତିର ଭୁତାଣୁଦ୍ୱାରା ପୋଲିଓ ବେମାରୀ ହୁଏ । ପୋଲିଓ ଦୁଇ ପ୍ରକାର ଦେଖାଯାଏ । କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳ ଆକ୍ରମିତ ନ ହୋଇ ଅଳ୍ପ ଅସୁସ୍ଥତା ଓ ମୂଖ୍ୟ ପୋଲିଓ । ମୂଖ୍ୟ ପୋଲିଓ ପଙ୍ଗୁତ୍ୱସହ ଓ ପଙ୍ଗୁତ୍ୱବିହୀନ; ଏହି ଦୁଇ ପ୍ରକାର ହୁଏ । ଅଧିକାଂଶ ଲୋକ ଯାହାଙ୍କର ପ୍ରତିରୋଧ ଶକ୍ତି ଯଥେଷ୍ଟ ଅଛି, ସେମାନେ ଲକ୍ଷଣ ବିହୀନ ହୁଅନ୍ତି[12] । କ୍ୱଚିତ ସ୍ୱଳ୍ପ ଲକ୍ଷଣଯୁକ୍ତ ପୋଲିଓ ଦେଖାଯାଏ ଯେଉଁଥିରେ ତଣ୍ଟି ପୀଡ଼ା, ବାନ୍ତି ଲାଗିବା, ପେଟରେ କଷ୍ଟ ହେବା, କୋଷ୍ଠ କାଠିନ୍ୟ, ବେଳେବେଳେ ତରଳ ଝାଡା ଓ ଇନ୍ଫ୍ଲୁଏଞ୍ଜା ଭଳି ଲକ୍ଷଣ ପ୍ରକାଶ ପାଏ ।
ପ୍ରାୟ ୩ % ପୋଲିଓ ରୋଗୀଙ୍କର ଦେହରେ ସ୍ନାୟୁ ମଣ୍ଡଳରେ ଭୁତାଣୁ ପ୍ରବେଶ କରନ୍ତି । ସେଥିରୁ ଅଧିକାଂଶ ଲୋକଙ୍କର ଆସେପ୍ଟିକ୍ ମେନିଞ୍ଜାଇଟିସ୍ ହୋଇ ମୁଣ୍ଡ ବଥା, ବେକ, ପିଠି, ପେଟ ଓ ଅବୟବରେ ଯନ୍ତ୍ରଣା, ଜର, ବାନ୍ତି, ଅଳସୁଆମି ଓ ବିରକ୍ତିଭାବ ପ୍ରକାଶ ପାଏ ।[13][14] ଏମାନଙ୍କ ମଧ୍ୟରୁ ପ୍ରତି ଏକ ହଜାରରେ ୧ରୁ ୫ ଜଣଙ୍କର ପାରାଲିସିସ୍ ବା ପଙ୍ଗୁତ୍ୱହୁଏ । ମାଂସପେଶୀ ଦୁର୍ବଳ ହୁଏ, ନିୟନ୍ତ୍ରଣ ରହେ ନାହିଁ ଓ ସମ୍ପୁର୍ଣ୍ଣ ପାରାଲିସିସ୍ ହୋଇଯାଏ । ଏହାକୁ ତୀବ୍ର ଶିଥିଳ ପଙ୍ଗୁତ୍ୱ (acute flaccid paralysis) କହନ୍ତି । ମେରୁଦଣ୍ଡ ଓ ମସ୍ତିଷ୍କର ସଂକ୍ରମିତ ସ୍ଥାନ ଅନୁସାରେ ପାରାଲିସିସର ସ୍ଥାନ ନିରୁପିତ ହୁଏ । ପୋଲିଓ ମସ୍ତିଷ୍କ ପ୍ରଦାହ କ୍ୱଚିତ ହୁଏ ଓ ଶିଶୁମାନଙ୍କୁ ଆକ୍ରମଣ କରେ । ଏଥିରେ ମାନସିକ ସ୍ଥିତିର ପରିବର୍ତ୍ତନ, ଜର, ମୁଣ୍ଡ ବଥା, ବାତ ଓ ସଙ୍କୁଚିତ ପାରାଲିସିସ୍ ହୁଏ (spastic paralysis) ।[15]
ପୋଲିଓମାୟେଲାଇଟିସ ରୋଗ ଏକ ପ୍ରକାର ଭୁତାଣୁ ଯୋଗୁ ହୁଏ ଯାହାର ନାମ ପୋଲିଓ ଭୁତାଣୁ ।ଏହା ଏକ ପ୍ରକାର ଆର୍.ଏନ୍.ଏ. ଭୁତାଣୁ; ଖାଦ୍ୟ ନଳୀରେ କଲୋନି କରି ରହନ୍ତି । ଏହାର ରୋଗ ପୁଷ୍ଟି ସମୟ (incubation time) ୩ରୁ ୩୫ ଦିନ, ସାଧାରଣତଃ ୬ରୁ ୨୦ ଦିନ । ଏହାର ଗଠନ ସରଳ ଓ କାପ୍ସିନ୍ ନାମକ ପ୍ରୋଟିନ୍ ଘୋଡଣି ମଧ୍ୟରେ ଥାଏ । ଏହି କାପ୍ସିଡ କେତେକ ନିର୍ଦ୍ଦିଷ୍ଟ କୋଷମାନଙ୍କୁ ଆକ୍ରମଣ କରେ । ଟାଇପ ୧, ୨ ଓ ୩ ଏହି ତିନି ପ୍ରକାର ଭୁତାଣୁ ଅଛନ୍ତି । ଏମାନେ ଅତ୍ୟନ୍ତ ଆକ୍ରମଣକାରୀ ଓ ଏକା ପ୍ରକାର ଲକ୍ଷଣ ଦେଖାନ୍ତି । ଟାଇପ୍ ୧ ଭୁତାଣି ଅତି ସାଧାରଣ ଓ ପାରାଲିସିସ୍ କରେଇବାରେ ଅଗ୍ରଣୀ ।
ଭୁତାଣୁ ଦେହକୁ ଗଲେ ବା ଟିକା ନେଲେ ଦେହରେ ପ୍ରତିରୋଧ ଶକ୍ତି ସୃଷ୍ଟି ହୁଏ । ଖାଦ୍ୟନଳୀରେ ଓ ଟନସିଲରେ ଆଇ.ଜି.ଏ. ଆଣ୍ଟିବଡି ରହି ଭୁତାଣୁ ବିଭାଜନ ରୋକନ୍ତି । ଆଇ.ଜି.ଜି. ଓ ଆଇ.ଜି.ଏମ୍ ଆଣ୍ଟିବଡି ସ୍ନାୟୁମଣ୍ଡଳକୁ ଯିବାକୁ ରୋକନ୍ତି । ଗୋଟିଏ ପ୍ରଜାତିର ଟିକା ଅନ୍ୟ ପ୍ରଜାତିର ଭୁତାଣୁକୁ ରୋକି ପାରେନାହିଁ । ଏଣୁ ତିନୋଟି ପ୍ରକାର ପ୍ରଜାତି ନିମନ୍ତେ ଟିକା ଆବଶ୍ୟକ ହୁଏ ।
ପୋଲିଓ ଖାଦ୍ୟ ମାଧ୍ୟମରେ ବ୍ୟାପେ । ଏହା ଏକ ଡିଆଁ ରୋଗ । ରୋଗ ପ୍ରବଣ ଇଲାକାରେ ସର୍ବଦା ରୋଗ ଥାଏ, କିନ୍ତୁ ଗ୍ରୀଷ୍ମ ଋତୁରେ ଅଧିକ ସଂଖ୍ୟକ ରୋଗ ଦେଖାଯାଏ । ଗ୍ରୀଷ୍ମ ମଣ୍ଡଳୀୟ ଜାଗାରେ ଋତୁର ବିଶେଷ ପ୍ରଭାବ ପଡେ ନାହିଁ । ମଳରେ ଥିବା ଭୁତାଣୁ ସଂକ୍ରମିତ ହୁଏ । ଭୁତାଣୁ ଦେହରେ ପ୍ରବେଶ କରିବା ପରଠାରୁ ଲକ୍ଷଣ ପ୍ରକାଶ ପାଇବା ପର୍ଯ୍ୟନ୍ତ ସମୟକୁ ଇନ୍କ୍ୟୁବେସନ ସମୟ କୁହାଯାଏ । ଭୁତାଣୁ ଅଣୁ ଅନେକ ସପ୍ତାହ ପର୍ଯ୍ୟନ୍ତ ମଳ ମାଧ୍ୟମରେ ନିସ୍କାସିତ ହୁଏ । ପୋଲିଓ ରୋଗର ୧୦ ଦିନ ପୂର୍ବରୁ ଓ ୧୦ଦିନ ପରେ ସଂକ୍ରମଣ ହୋଇପାରେ । ଲାଳ ଓ ମଳ ମାଧ୍ୟମରେ ଏହା ବିସ୍ତାର ହୁଏ ଯେ ପର୍ଯ୍ୟନ୍ତ ଭୁତାଣୁ ସେଠାରେ ବଞ୍ଚି ରହିଥାଆନ୍ତି ।
ପ୍ରତିରୋଧ ଅକ୍ଷମତା, ପୋଷକ ଅଭାବ ଓ ଟନସିଲ ଅପରେଶନ ପରେ, ଗର୍ଭାବସ୍ଥରେ ରୋଗ ବ୍ୟାପିବା ସମ୍ଭାବନା ଅଧିକ ରହେ । ଭୁତାଣୁ ପ୍ଲାସେଣ୍ଟା ଭିତରକୁ ଯାଇପାରେ କିନ୍ତୁ ମାଆ ପାଖାରୁ ସଂକ୍ରମିତ ହୋଇ ପାରେ ନାହିଁ । ମାଆ ଦେହରେ ଥିବା ଆଣ୍ଟିବଡି ପ୍ଲାସେଣ୍ଟା ଭିତରକୁ ଯାଇ ଗର୍ଭସ୍ଥ ଶିଶୁର ପ୍ରତିରୋଧ ଶକ୍ତି ବଢାଏ ।
ପୋଲିଓ ଭୁତାଣୁ ଖାଦ୍ୟ ସହ ପାଟିରେ ପ୍ରବେଶ କରି ଗଳା ଓ ଅନ୍ତନଳୀରେ ଥିବା ଜୀବକୋଷମାନଙ୍କୁ ଆକ୍ରମଣ କରେ । ଏହି କୋଷମାନଙ୍କର କୋଷ ପରଦାରେ ସି.ଡି.୧୫୫ ନାମକ ରେସେପ୍ଟର ସାଥୀରେ ଭୁତାଣୁ ଲାଗି ରହି ସଂଖ୍ୟା ବୃଦ୍ଧି କରନ୍ତି । ପାକ-ଅନ୍ତନଳୀରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ବିଭକ୍ତ ହେଲା ପରେ ଟନସିଲକୁ ଯାଆନ୍ତି । ଲସିକା ଗ୍ରନ୍ଥିମାନଙ୍କରେ ବହୁଧା ବିଭକ୍ତ ହେବାପରେ ଭୁତାଣୁ ରକ୍ତରେ ପ୍ରବେଶ କରନ୍ତି ।
ଲସିକା ନଳୀ ଓ ରକ୍ତରେ ଭୁତାଣୁ ୧୭ ସପ୍ତାହ ପର୍ଯ୍ୟନ୍ତ ବଞ୍ଚି ପାରନ୍ତି ।[16] ମାଂସପେଶୀ ଓ ଆର୍.ଇ. ତନ୍ତୁରେ ମଧ୍ୟ କିଛି ଭୁତାଣୁ ରହି ପାରନ୍ତି ।[17] ଏହା କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳରେ କ୍ୱଚିତ ପ୍ରବେଶ କରନ୍ତି । ମେନିଞ୍ଜେସକୁ ସଂକ୍ରମିତ କରନ୍ତି କିନ୍ତୁ ପାରାଲିସିସ୍ ହୁଏ ନାହିଁ ।
ସମୁଦାୟ ପୋଲିଓ ସଂକ୍ରମଣର ମାତ୍ର ୧%ରେ ଭୁତାଣୁ ସ୍ନାୟୁକୁ ଆକ୍ରମଣ କରେ । ଏହା କେବଳ ମୋଟର ସ୍ନାୟୁକୁ ଆକ୍ରମଣ କରି ତା ଭିତରେ ବଂଶ ବିସ୍ତାର କରି ସ୍ନାୟୁକୁ ନଷ୍ଟ କରିଦିଏ । ଏହା ସ୍ନାୟୁ ପ୍ରଦାହ ମଧ୍ୟ ସୃଷ୍ଟି କରେ । କେଉଁ ସ୍ନାୟୁ ନଷ୍ଟ ହେବ ତାହାର କୌଣସି ସ୍ଥିରତା ନ ଥାଏ । ମେରୁଦଣ୍ଡର ସ୍ନାୟୁ, ବଲ୍ବାର ସ୍ନାୟୁ ଓ ବଲ୍ବୋସ୍ପାଇନାଲ୍ ସ୍ନାୟୁମାନଙ୍କୁ ଆକ୍ରମଣ କରେ । ବିଭିନ୍ନ ପରିମାଣରେ ସ୍ନାୟୁ ନଷ୍ଟ ହୁଏ ଓ ତାହା ଉପରେ ପାରାଲିସିସ୍ ନିର୍ଭର କରେ ।
ମସ୍ତିଷ୍କର ବିଭିନ୍ନ ଅଂଶ ଯଥା ରେଟିକୁଲାର ଫରମେସନ, ଭେସ୍ଟିବୁଲାର ନ୍ୟୁକ୍ଲିଆଇ, ସେରେବେଲାର ନ୍ୟୁକ୍ଲିଆଇ ଇତ୍ୟାଦି ନଷ୍ଟ ହୁଏ । ପ୍ରଦାହ ଓ ସ୍ନାୟୁ ନଷ୍ଟ ହେବା ଯୋଗୁ ଗ୍ରେ ମ୍ୟାଟରର ରଙ୍ଗ ରୁପ ବଦଳି ଯାଉ ନାଲିଚିଆ ଦେଖାଯାଏ ଓ ଫୁଲିଯାଏ । ହାଇପୋଥାଲାମସ୍ ଓ ଥାଲାମସ୍ ମଧ୍ୟ ନଷ୍ଟ ହୁଏ ।
ଏହି ପୋଲିଓରେ ପ୍ରଥମାବସ୍ଥାରେ ଜର, ମୁଣ୍ଡ ବଥା, ବେକ ଓ ପିଠି ମାଂସପେଶୀ ଦୃଢ଼ ହୋଇଯାଏ । ଢୋକିବାକୁ କଷ୍ଟ ହୁଏ, ପେଶିମାନଙ୍କରେ ଯନ୍ତ୍ରଣା ହୁଏ, ରିଫ୍ଲେକ୍ସ କମିଯାଏ ବା ମୋଟେ ହୁଏ ନାହିଁ, ବିରକ୍ତି ଭାବ ହୁଏ, କୋଷ୍ଠ କାଠିନ୍ୟ ହୁଏ, ପରିସ୍ରା କରିବା ବେଳେ କଷ୍ଟ ହୁଏ ଓ ଛୁଇଁଲେ ମଧ୍ୟ କଷ୍ଟ ହୁଏ । ପାରାଲିସିସ୍ ସାଧାରଣତଃ ଏକରୁ ଦଶ ଦିନ ମଧ୍ୟରେ ଆରମ୍ଭ ହୁଏ, ଦୁଇ ବା ତିନି ଦିନ ଧରି ବଢେ ଓ ଜର ଛାଡିଲା ବେଳକୁ ପାରାଲିସିସ୍ ପ୍ରକ୍ରିୟା ବନ୍ଦ ହୋଇଯାଏ ।[18]
ପିଲାମାନଙ୍କଠାରେ ପାରାଲିସିସ୍ ବିହୀନ ମେନିଞ୍ଜାଇଟିସ୍ ହୁଏ ଓ ମାତ୍ର ୧୦୦୦ରେ ଜଣଙ୍କଠାରେ ପାରାଲିସିସ୍ ହୁଏ । ବୟଷ୍କ ଲୋକଙ୍କ ମଧ୍ୟରୁ ପ୍ରତି ୭୫ ଜଣଙ୍କ ମଧ୍ୟରୁ ଜଣେ ପାରାଲିସିସ୍ ଭୋଗେ ।[19] ୫ ବର୍ଷ ବୟଷ ମଧ୍ୟରେ ପିଲାଙ୍କର ଗୋଟିଏ ଗୋଡରେ ସାଧାରଣତଃ ପାରାଲିସିସ୍ ହୁଏ । ବଡମାନଙ୍କର ବିସ୍ତାରିତ ପାରାଲିସିସ୍ ହୁଏ, ଛାତି, ପେଟ ଓ ଚାରି ଅବୟବରେ ପାରାଲିସିସ୍ ହୁଏ ।[20] ପୋଲିଓ ଭାଇରସ ଟାଇପ ୧ରେ ସର୍ବାଧିକ ଓ ଟାଇପ୍ ୨ରେ ସର୍ବ ନିମ୍ନ ପାରାଲିସିସ୍ ହୁଏ ।[21]
ପୋଲିଓ ଭୁତାଣୁ ମେରୁଦଣ୍ଡ ମଧ୍ୟସ୍ଥ ଗ୍ରେ ମ୍ୟାଟର, ମୋଟର ସ୍ନାୟୁ ଓ କୋଷମାନଙ୍କୁ ନଷ୍ଟ କରିଦିଏ । ଫଳରେ ଗଣ୍ଡି, ଛାତି ଓ ଅବୟବ ମାଂସପେଶୀଗୁଡ଼ିକ କାମ କରିବାରେ ସମ୍ପୁର୍ଣ୍ଣ ବା ଆଶିଂକ ଅକ୍ଷମ ହୋଇଯାଆନ୍ତି ।[22] ସ୍ନୟୁକୋଷ ପ୍ରଦାହ ଯୋଗୁ ମୋଟର ସ୍ନାୟୁ ଗ୍ୟାଙ୍ଗ୍ଲିଅନ ନଷ୍ଟ ହୋଇଯାଆନ୍ତି । ମେରୁଦଣ୍ଡିୟ ସ୍ନାୟୁରେ ବାଲେରିଆନ ଡିଜେନେରେସନ୍ ହୁଏ । ସ୍ନାୟୁଦ୍ୱାରା ଉତ୍ତେଜିତ ନ ହେଉ ଥିବାରୁ ମାଂସପେଶୀ ଶୀର୍ଣ୍ଣ ହୋଇ ଯାଆନ୍ତି । ଦୁଇରୁ ଚାରି ଦିନ ମଧ୍ୟରେ ଜର ଓ ପେଶୀ ଯନ୍ତଣା ସହ ସମ୍ପୁର୍ଣ୍ଣ ପାରାଲିସିସ୍ ହୋଇଯାଏ ।[23] ସମ୍ବେଦନ ଶୀଳତା ରହେ ନାହିଁ । ପେଶୀରଜ୍ଜୁର ରିଫ୍ଲେକ୍ସ୍ କମିଯାଏ ।
ମେରୁଦଣ୍ଡର ସ୍ଥାନ ଯଥା ବେକ, ଛାତି ଓ କଟି ଉପରେ ପାରାଲିସିସ୍ ନିର୍ଭର କରେ ।[24] ଶରୀରର ଉଭୟ ପାର୍ଶ୍ୱର ମାଂସପେଶୀ ଆକ୍ରାନ୍ତ ହୋଇ ପାରେ ବା ଗୋଟିଏ ପାଖ ବା ହୋଇପାରେ । ଗୋଟିଏ ଗୋଡ ବା ହାତ ମଧ୍ୟ ଆକ୍ରାନ୍ତ ହୋଇପାରେ । ଗଣ୍ଡିର ସନ୍ନିକଟ ଅଂଶ ଅଧିକ ପ୍ରଭାବିତ ହୁଏ ।
ସମୁଦାୟ ପୋଲିଓ ପାରାଲିସିସର ୨ % ବଲ୍ବାର ପାରାଲିସିସ୍ ହୁଏ । ମସ୍ତିଷ୍କର ସ୍ଟେମ୍ରେ (Brain Stem) ବଲ୍ବାର୍ ସ୍ଥାନ ଏକ ଶ୍ୱେତ ମ୍ୟାଟର() ସ୍ଥାନ ଯାହା ମସ୍ତିଷ୍କ କର୍ଟେକ୍ସକୁ ମସ୍ତିଷ୍କ ସ୍ଟେମ ସହ ସଂଯୋଗ କରେ । ଏହି ସ୍ଥାନ ସଂକ୍ରମିତ ହୋଇଗଲେ କ୍ରାନିଆଲ୍ ସ୍ନାୟୁ ଦୁର୍ବଳ ହୋଇଯାଏ, ମସ୍ତିଷ୍କ ପ୍ରଦାହ ଲକ୍ଷଣ ପ୍ରକାଶ ପାଏ, ଶ୍ୱାସ କ୍ରିୟା ଓ ଗିଳିବାରେ ଅସୁବିଧା ହୁଏ । ଗ୍ଲସୋଫାରିଞ୍ଜିଆଲ୍ ସ୍ନାୟୁ(ଗିଳିବା କାମ), ଆକ୍ସେସରି ସ୍ନାୟୁ(ବେକର ଅପରାର୍ଦ୍ଧର ପ୍ରଚଳନ କ୍ରିୟା) ଓ ଭେଗସ୍ ସ୍ନାୟୁ(ହୃତ୍ପିଣ୍ଡ, ଅନ୍ତନଳୀ ଓ ଫୁସ୍ଫୁସ୍କୁ ସଂକେତ ପଠେଇବା କାମ) ଦୁର୍ବଳ ବା ନଷ୍ଟ ହୁଏ । ଗିଳି ନ ପାରିଲେ ଲାଳ ତଣ୍ଟିରେ ଜମା ହୋଇ ବାୟୁ ପଥ ବନ୍ଦ କରିଦିଏ । ଫେସିଆଲ୍ ଓ ଟ୍ରାଇଜେମିନାଲ୍ ସ୍ନାୟୁଗୁଡ଼ିକ ମୂଖମଣ୍ଡଳ ପେଶୀମାନଙ୍କୁ ଚଳାନ୍ତି, ଗାଲ ଓ ଲୁହ ନଳୀଙ୍କର କର୍ମ ସମ୍ପାଦନ କରନ୍ତି । ଏହି ସ୍ନାୟୁ ଦୁର୍ବଳ ହେଲେ ଦ୍ୱିଗୁଣ ଦୃଷ୍ଟି ହୁଏ, ଚୋବେଇବାରେ ଅସୁବିଧା ହୁଏ, ଶ୍ୱସକ୍ରିୟା ହାର, ଗଭୀରତା ଓ ତାଳରେ ବିଘ୍ନ ହୋଇ ବନ୍ଦ ହୋଇ ଯାଇପାରେ । ଫୁସ୍ଫୁସୀୟ ଜଳାର୍ଣ୍ଣବ ଓ ସକ୍ ହୋଇ ପ୍ରାଣ ଘାତକ ହୋଇପାରେ ।
ପାରାଲିସିସ୍ ହେଉଥିବା ପୋଲିଓ ରୋଗୀଙ୍କ ମଧ୍ୟରୁ ୧୯ % ରୋଗୀ ବଲ୍ବୋସ୍ପାଇନାଲ୍ ବା ଶ୍ୱାସକୀୟ ପୋଲିଓଦ୍ୱାରା ଆକ୍ରାନ୍ତ ହୁଅନ୍ତି । ଭୁତାଣୁ ଉପର ବେକର ମେରୁଦଣ୍ଡକୁ ଆକ୍ରମଣ କରି ଫ୍ରେନିକ ସ୍ନାୟୁକୁ ଅକ୍ଷମ କରିଦିଏ । ଏହା ଫଳରେ ମଧ୍ୟଚ୍ଛଦା(Diaphragm) ଅଚଳ ହୋଇଯାଏ । ବିନା ଭେଣ୍ଟିଲେଟର ସାହାଯ୍ୟରେ ରୋଗୀର ଶ୍ୱାସ କ୍ରିୟା ସମ୍ପାଦନ ହୋଇ ପାରେନାହିଁ । ଦୁର୍ବଳ ଅବୟବ, ଗିଳିବାରେ ଅସୁବିଧା ଓ ହୃତ୍ପିଣ୍ଡ କ୍ରିୟାରେ ମଧ୍ୟ ଅସୁବିଧା ହୁଏ ।
କୌଣସି ରୋଗୀର ହଠାତ୍ ଶିଥିଳ ପାରାଲିସିସ୍ ହେଲେ, ପେଶୀ ରଜ୍ଜୁ ରିଫ୍ଲେକ୍ସ କମିଗଲେ ବା ଅନୁପସ୍ଥିତ ରହିଲେ ଓ ସମ୍ବେଦନଶୀଳତା(Sensory loss) ନ ଥିଲେ ପୋଲିଓ ହୋଇଛି ବୋଲି ସନ୍ଦେହ କରାଯାଏ ।[25]
ମଳ ଓ ତଣ୍ଟିରୁ ନିଆ ଯାଇଥିବା ସ୍ୱାବରେ ଭୁତାଣୁ ଉପସ୍ଥିତି ପରୀକ୍ଷା କରି ଦେଖାଯାଏ । ରକ୍ତରେ ଆଣ୍ଟିବଡି ଉପସ୍ଥିତି ମଧ୍ୟ ରୋଗ ନିର୍ଣ୍ଣୟ କରେ । କଟି ରନ୍ଧ୍ରଦ୍ୱାରା ସି.ଏସ୍.ଏଫ୍.(C.S.F.) ବାହାର କରି ପରୀକ୍ଷା କଲେ ଶ୍ୱେତ ରକ୍ତ କଣିକା, ବିଶେଷତଃ ଲିମ୍ଫୋସାଇଟ୍ ଅଧିକ ଦେଖାଯାଅନ୍ତି ଓ ପ୍ରୋଟିନ୍ ମାତ୍ରା ସାମାନ୍ୟ ଅଧିକ ରହେ । ଭୁତାଣୁ ଉପସ୍ଥିତି ନିର୍ଣ୍ଣୟାତ୍ମକ, କିନ୍ତୁ କ୍ୱଚିତ ଦେଖାଯାଏ ।
ଭୁତାଣୁ ଅଲଗା କଲା ପରେ ତାହାର ପ୍ରକାର ଜାଣିବା ନିମନ୍ତେ ଓଲିଗୋନ୍ୟୁକ୍ଲିଓଟାଇଡ୍ ମ୍ୟାପିଙ୍ଗ ବା ପି.ସି.ଆର୍. ଆମ୍ପ୍ଲିଫିକେସନ୍ ପରୀକ୍ଷା କରାଯାଏ । ଏହାଦ୍ୱାରା ଭୁତଣୁ ଟିକା ଶ୍ରେଣୀର ବା ବଣୁଆ(Wild) ଶ୍ରେଣୀର ତାହା ଜଣାଯାଏ ।[26] ବଣୁଆ ଜଣା ପଡ଼ିଲେ ସନ୍ଦେହ ହୁଏ ଏହି ଭୁତାଣୁ ଯେଉଁଠୁ ଆସିଛି ସେଠାରେ ୨୦୦ରୁ ୩୦୦୦ ପର୍ଯ୍ୟନ୍ତ ଭୁତାଣୁବାହୀ ଲୋକ(Carrier) ଅଛନ୍ତି ।[27]
ଉଇଲିଅମ୍ ହାମୋନ୍ ୧୯୫୦ ମସିହାରେ ପିଟ୍ସଗର୍ଗରେ ପ୍ରଥମେ ବଞ୍ଚି ଯାଇଥିବା ପୋଲିଓ ରୋଗୀଙ୍କର ରକ୍ତରେ ଥିବା ଗାମା ଗ୍ଲୋବ୍ୟୁଲିନରେ ଥିବା ଆଣ୍ଟିବଡିକୁ ପୋଲିଓ ରୋଗର ପ୍ରତିଷେଧକ ରୂପେ ଓ ଭୟାବହତା ରୋକିବା ନିମନ୍ତେ ବ୍ୟବହାର କରିବାକୁ ପ୍ରସ୍ତାବ ଦେଲେ । ଡାକ୍ତରୀ ନିରୀକ୍ଷାରେ ଏହା ୮୦ % ଫଳପ୍ରଦ ବୋଲି ଜଣା ପଡ଼ିଲା ।[28] ଗାମା ଗ୍ଲୋବ୍ୟୁଲିନ ବ୍ୟବହାର ବହୁଳ ବ୍ୟବହାର ନିମନ୍ତେ ସୁବିଧା ଜନକ ନୁହେଁ କାରଣ ଏତେ ପରିମାଣ ରକ୍ତ ମିଳିବା ଅସମ୍ଭବ । ଏଣୁ ଡାକ୍ତର ଗୋଷ୍ଠୀ ଟିକା ଉଦ୍ଭାବନ ନିମନ୍ତେ ଲାଗିପଡ଼ିଲେ ।[29]
ସଲ୍କ ଓ ସାବିନ ନାମରେ ଦୁଇ ପ୍ରକାର ଟିକା ଦିଆଯାଉଛି । ଉଭୟ ଉପଯୁକ୍ତ ପ୍ରତିରୋଧ ସୃଷ୍ଟି କରିବାରେ ସକ୍ଷମ ହେଉଛନ୍ତି । ଏହି ଟିକାଦ୍ୱାରା ନେଉଥିବା ଲୋକର ପ୍ରତିରୋଧ ଶକ୍ତି ଉତ୍ପନ୍ନ ହେବା ସଙ୍ଗେ ସଙ୍ଗେ ଗୋଷ୍ଠୀ ପ୍ରତିରୋଧ ମଧ୍ୟ ଉତ୍ପନ୍ନ ହେଉଛି ।
୧୯୫୦ ମସିହାରେ ହିଲାରୀ କପ୍ରୋବିସ୍କି ପ୍ରଥମେ ଦୁର୍ବଳିକୃତ ଭୁତାଣୁ ନେଇ ଟିକା ତିଆରି କଲେ । ୧୯୫୨ ମସିହାରେ ନିଷ୍କ୍ରିୟ ଭୁତାଣୁ ନେଇ ଜୋନାସ୍ ସଲ୍କ୍ ଟିକା ତିଆରି କଲେ । ପୋଲିଓ ଭୁତାଣୁକୁ ମାଙ୍କଡ କଲିଜାରେ କଲ୍ଚର କରି ଫର୍ମାଲିନ୍ଦ୍ୱାରା ନିଷ୍କ୍ରିୟ କଲେ । ଏହାକୁ ଦୁଇ ଡୋଜ୍ ଇଞ୍ଜେକସନ୍ଦ୍ୱାରା ଲୋକଙ୍କୁ ଦିଆଗଲା ।
୧୯୫୭ ମସିହାରେ ଆଲ୍ବର୍ଟ ସାବିନ୍ ଖାଇବା ଟିକା(OPV ବା Oral polio vaccine) ପ୍ରସ୍ତୁତ କଲେ । ଏହି ନିଷ୍କ୍ରିୟ ଭୁତାଣୁ ଖାଦ୍ୟ ନଳିରେ ବଂଶ ବିସ୍ତାର କରନ୍ତି କିନ୍ତୁ ସ୍ନାୟୁରେ ପ୍ରଭାବହୀନ ରହନ୍ତି । ଫଳରେ ଏହି ନିଷ୍କ୍ରିୟ ଭୁତାଣୁ ଯେତେ ବ୍ୟାପିଲେ ମଧ୍ୟ କେବଳ ପ୍ରତିରୋଧ ସୃଷ୍ଟି କରିବାରେ ସହାୟକ ହୁଏ ।
ସାବିନ ଟିକା ପାଟିରେ ଦିଆ ଯାଉଥିବାରୁ ପିଲାମାନେ ସହଜରେ ଗ୍ରହଣ କରନ୍ତି ଓ ଏହା ଶସ୍ତାରେ ଉପଲବ୍ଧ ହୁଏ ।
ପୋଲିଓ ରୋଗରୁ ନିଷ୍କୃତି(Cure) ନାହିଁ । ଆଧୁନିକ ଚିକିତ୍ସା ପଦ୍ଧତିରେ ଏହାର ଲକ୍ଷଣ ଉପଶମ, ଜଟୀଳତା ପ୍ରତିରୋଧ ଓ ଯଥା ଶୀଘ୍ର ଆରୋଗ୍ୟ ନିମନ୍ତେ ଚେଷ୍ଟା କରାଯାଏ । ସାହାଯ୍ୟକାରୀ ବ୍ୟବସ୍ଥା ଅନୁସାରେ ଦୁର୍ବଳ ପେଶୀରେ ସଂକ୍ରମଣ ନିରୋଧ ନିମନ୍ତେ ଆଣ୍ଟିବାୟୋଟିକ ଦିଆଯାଏ, ଯନ୍ତ୍ରଣା ଉପଶମକାରୀ ଔଷଧ ଦିଆଯାଏ, ବ୍ୟାୟାମ କରାଯାଏ ଓ ପୁଷ୍ଟିଯୁକ୍ତ ଖାଦ୍ୟ ଦିଆଯାଏ ।[30] ଦୀର୍ଘକାଳୀନ ପୁନର୍ବାସନ ନିମନ୍ତେ ଧନ୍ଦାଗତ ଚିକିତ୍ସା, ଅର୍ଥୋଟିକ୍ ବ୍ୟବହାର, ଫିଜିକାଲ ଥେରାପି ଓ ଅନେକ କ୍ଷେତ୍ରରେ ଶଲ୍ୟ ଚିକିତ୍ସା ଆବଶ୍ୟକ ହୁଏ ।
ଅର୍ଥୋଟିକ ଉପଚାରରେ ବିଶେଷ ଧରଣର ଯୋତା, ଏ.ଏଫ୍.ଓ., କେ.ଏ.ଏଫ୍.ଓ., ଭଳି ଉପକରଣ ବ୍ୟବହାର ନିମନ୍ତେ ଉପଦେଶ ଦିଆଯାଏ । ଉପଯୁକ୍ତ ଅର୍ଥୋଟିକ ବ୍ୟବହାର କଲେ ଚାଲି ଉତ୍ତମ ହୁଏ, ଯନ୍ତ୍ରଣା ଶୂନ୍ୟ ହୁଏ ଓ ବିପଦମୁକ୍ତ ହୁଏ ।[31]
ଛାତି ମାଂସପେଶୀ ପାରାଲିସିସ ଭୋଗୁଥିବା ରୋଗୀଙ୍କ ନିମନ୍ତେ ଅଧୁନା ଜ୍ୟାକେଟ ଭଳି ଦେଖାଯାଉଥିବା ବିଯୁକ୍ତାତ୍ମକ ଭେଣ୍ଟିଲେଟର ପିନ୍ଧି ଚଳ ପ୍ରଚଳ ହେଉଛନ୍ତି ।
ଫଳହୀନ(Abortive) ପୋଲିଓ ସମ୍ପୁର୍ଣ୍ଣ ଆରୋଗ୍ୟ ହୁଏ । ଆସେପ୍ଟିକ ମେନିଞ୍ଜାଇଟିସ୍ ଦୁଇରୁ ଦଶ ଦିନ ରହି ଆରୋଗ୍ୟ ଲାଭ କରେ । ମେରୁଦଣ୍ଡୀୟ ପୋଲିଓରେ ସ୍ନାୟୁ କୋଷ ସମ୍ପୁର୍ଣ୍ଣ ନଷ୍ଟ ହୋଇ ଯାଇଥିଲେ ପାରାଲିସିସ ଚିରଦିନ ରହେ । କୋଷ ସମ୍ପୁର୍ଣ୍ଣ ନଷ୍ଟ ନ ହୋଇଥିଲେ ୪ରୁ ୬ ସପ୍ତାହ ମଧ୍ୟରେ ଭଲ ହୋଇଯାଏ ।[32] ଅର୍ଦ୍ଧେକ ରୋଗୀ ସମ୍ପୁର୍ଣ୍ଣ ଭଲ ହୁଅନ୍ତି, ଏକ ଚତୁର୍ଥାଂଶ ରୋଗୀଙ୍କର ସାମାନ୍ୟ ଅସୁବିଧା ରହେ ଓ ବାକି ରୋଗୀମାନଙ୍କର ବହୁତ ଅକର୍ମନ୍ୟତା ରହେ ।[33] ପ୍ରତିରୋଧ ଶକ୍ତି ବେଶୀ ଥିଲେ କମ ପାରାଲିସିସ୍ ହୁଏ ଓ ଭୁତାଣୁ ରକ୍ତରେ ଅଧିକ ଥିଲେ ଅଧିକ ପାରାଲିସିସ୍ ହୁଏ ।
ଶ୍ୱାସକୀୟ ସାହାଯ୍ୟ ନ ମିଳିଲେ ଶ୍ୱାସରୁଦ୍ଧ ହୁଏ ବା ତରଳ ପଦାର୍ଥ ଶ୍ୱାସ ନଳୀରେ ଜମା ହୋଇ ନିମୋନିଆ ହୁଏ । ୫ରୁ ୧୦ % ରୋଗୀ ଛାତି ପେଶୀ ପାରାଲିସିସ୍ ଯୋଗୁ ମୃତ୍ୟୁ ବରଣ କରନ୍ତି ।
ଅଧିକାଂଶ ପୋଲିଓ ପାରାଲିସିସ୍ ଅଳ୍ପ ଦିନ ରହେ । ପେଶୀ ଶକ୍ତି ୬ରୁ ୮ ମାସ ମଧ୍ୟରେ ଫେରି ଆସେ । ସ୍ନାୟୁ ଅଧା ନଷ୍ଟ ହୋଇଗଲେ ମଧ୍ୟ ପୂର୍ଣ୍ଣ ଶକ୍ତି ମିଳିଯାଏ ।[34] ଯଦି ପାରାଲିସିସ୍ ଏକ ବର୍ଷରୁ ଅଧିକ କାଳ ରହେ, ତାହା ହେଲେ ପ୍ରାୟ ସବୁ ଦିନ ନିମନ୍ତେ ରହିଯାଏ ଯଦିଓ ସ୍ୱଳ୍ପ କେତେକ ଆଂଶିକ ଭଲ ହୁଏ ।
ସ୍ନାୟୁ ନଷ୍ଟ ହେବା ପରେ ଅଗ୍ରଭାଗରୁ କିଛି ନୂଆ ଶାଖା ବା ଆକ୍ସନ ସ୍ପ୍ରାଉଟ ବାହାରେ ।[35] ଏହି ଶାଖାଗୁଡିକ ପାରାଲିସିସ୍ ହୋଇ ଯାଇଥିବା ପେଶୀମାନଙ୍କ ସାଥୀରେ ପୁନର୍ବାର ସଂଯୁକ୍ତ ହୋଇ ଯାଏ[36] ଓ ସେମାନଙ୍କୁ କାର୍ଯ୍ୟକ୍ଷମ କରାଏ ।[37] ଏହି ସ୍ପ୍ରାଉଟିଙ୍ଗଦ୍ୱାରା ୨୦୦ ପେଶୀ କୋଷ ସଂଯୋଗ କରୁଥିବା ସ୍ନାୟୁ ୮୦୦ ରୁ୧୦୦୦ ପେଶୀକୋଷ ସହ ସଂଯୁକ୍ତ ହୋଇ ପାରେ । ବ୍ୟାୟାମଦ୍ୱାରା ଟାଇପ ୨ ପେଶୀ ସୂତ୍ର ଟାଇପ ୧ରେ ପରିଣତ ହୋଇଯାଏ ଓ ପେଶୀ ଶକ୍ତ ହୁଏ ।[38]
ସ୍ୱଳ୍ପ କାମ କରୁଥିବା ସୁସ୍ଥ କିନ୍ତୁ ଦୁର୍ବଳ ମାଂସପେଶୀଗୁଡ଼ିକ ଅଭାବ ଭରଣ କରିବା ନିମନ୍ତେ ନିଜର ସମସ୍ତ ଶକ୍ତିର ବିକାଶ କରନ୍ତି ଓ ଲିଗାମେଣ୍ଟ ଗୁଡିକୁ ବ୍ୟବହାର କରି ଅଙ୍ଗମାନଙ୍କୁ ସ୍ଥିର ରଖନ୍ତି ।
ପାରାଲିସିସର ପ୍ରାଥମିକ ଅବସ୍ଥାରେ କେତେକ ଜଟୀଳତା ଲକ୍ଷ କରାଯାଏ । ଅସ୍ଥି ବକ୍ର ହୁଏ, ଗଣ୍ଠି ଦୃଢ଼ ହୋଇଯାଏ ଓ ଚଳପ୍ରଚଳ ସମ୍ଭବ ହୋଇ ପାରେ ନାହିଁ । କିଛି ପେଶୀ ଶିଥିଳ ହୋଇଗଲେ ଅନ୍ୟ ପେଶୀମାନେ ମଧ୍ୟ ପ୍ରଭାବିତ ହୁଅନ୍ତି । ଏହାର ଗୋଟିଏ ଉଦାହରଣ ହେଲା ଇକ୍ୱିନସ ପାଦ । ପାଦକୁ ଉପରକୁ ଟେକିବା ପେଶୀ ଦୁର୍ବଳ ହେଲେ ଏହିଭଳି ବିକଳାଙ୍ଗ ହୁଏ । ଏହା ତୁରନ୍ତ ଚିକିତ୍ସା ନ ପାଇଲେ ଗୋଛି ରଜ୍ଜୁ ସଙ୍କୁଚିତ ହୋଇଯାଏ ଓ ଏହି ବିକଳାଙ୍ଗ ଚିରଦିନ ପାଇଁ ରହିଯାଏ । ଇକ୍ୱିନସ ପାଦରେ ଚାଲିବା ଅସୁବିଧା ହୁଏ, କାରଣ ଗୋଇଠି ତଳେ ଲାଗେ ନାହିଁ । ସେହି ଭଳି ଉପର ଅବୟବ ପେଶୀ ଦୁର୍ବଳ ହେଲେ ବିକଳାଙ୍ଗ ସୃଷ୍ଟି ହୁଏ ।[39] ପୋଲିଓରେ ଗୋଟିଏ ଗୋଡ଼ ବେଳେ ବେଳେ ବଢେ ନାହିଁ । ଅନ୍ୟ ଗୋଡ଼ ଅପେକ୍ଷା ଛୋଟ ହେବା ଯୋଗୁ ରୋଗୀ ଛୋଟେଇ ଛୋଟେଇ ଚାଲେ । ଏହି କାରଣରୁ ମେରୁ ଅସ୍ଥି ବଙ୍କା(Scoliosis) ହୋଇଯାଏ । ଅସ୍ଥି ଦୁର୍ବଳ ହେବା ଯୋଗୁ ଭାଙ୍ଗିଯାଏ । ଏପିଫିସିଓଡେସିସ ଅପରେଶନ କରି ଦୁଇ ଗୋଡ଼ର ଲମ୍ବା ସମାନ ରଖାଯାଏ । ପେଶୀ ଶକ୍ତି ସମାନତା ନ ଥିଲେ ପେଶୀ ରଜ୍ଜୁ ସ୍ଥାନାନ୍ତର କରି ପେଶୀ ଶକ୍ତି ସମତୁଲ କରାଯାଏ । ଅଧିକ ବ୍ରେସ୍ ଓ ହୁଇଲଚେୟାର ବ୍ୟବହାର କଲେ ସ୍ନାୟୁ ଚିପି ହୋଇ ଦୁର୍ବଳ ହୋଇଯାଏ । ଗୋଡ଼ ଶୀରାରେ ରକ୍ତ ସଞ୍ଚାଳନ ହୋଇ ନ ପାରି ରକ୍ତ ଜମା ହୋଇଯାଏ ।[40][41] ବହୁତ ଦିନ ଧରି ଚଳତ୍ ଶକ୍ତି ହୀନ ହୋଇ ରହିଲେ ପଲ୍ମୋନାରି ଇଡିମା, ଆସ୍ପିରେସନ ନିମୋନିଆ, ମୂତ୍ରାଙ୍ଗ ସଂକ୍ରମଣ, ବୃକ୍କ ପଥର, ପାରାଲିଟିକ୍ ଇଲିଅସ୍, ମାୟୋକାର୍ଡାଇଟିସ୍ ଓ କର୍ ପଲ୍ମୋନେଲ୍ ଭଳି ଜଟିଳତାମାନ ଉତ୍ପନ୍ନ ହୁଏ ।
ପିଲା ଦିନର ପୋଲିଓ ପାରାଲିସିସ ତୀବ୍ର ସଂକ୍ରମଣରୁ ରକ୍ଷା ପାଇଥିବା କେତେକ ଲୋକଙ୍କର ଦଶ ବର୍ଷ ପରେ ମଧ୍ୟ ଅଧିକ ଲକ୍ଷଣ ପ୍ରକାଶ ପାଏ[42], ମାଂସପେଶୀ ଅଧିକ ଦୁର୍ବଳ ହୁଏ ବହୁତ ଥକ୍କା ଲଗେ । ଏହାକୁ ପୋଷ୍ଟ ପୋଲିଓ ସିନ୍ଡ୍ରୋମ୍ କୁହାଯାଏ ।[43] ଭଲ ହୋଇ ଆସିବା ପରେ ବଡ଼ ଆକାରର ମଟର ଏକକ କୌଣସି କାରଣରୁ କାର୍ଯ୍ୟକ୍ଷମ ହୋଇ ପାରେ ନାହିଁ ।[44][45] ଏହି ସଂକଟ ଆସିବାରେ ସାହାଯ୍ୟ କରେ: ଅଧିକ କାର୍ଯ୍ୟ, କମ କାର୍ଯ୍ୟ ଓ ଅତିବାହିତ ସମୟ । ଏହି ଅବସ୍ଥା ସଂକ୍ରମଣ କରେ ନାହିଁ ବା ପୋଲିଓ ଭୁତାଣୁ ବିତରଣ କରେ ନାହିଁ ।
no data
<0.3
0.3-0.75
0.75-1.2
1.2-1.65
1.65-2.1
2.1-2.55 |
2.55-3
3-4
4-5
5-7.5
7.5-10
>10 |
ପଶ୍ଚିମ ପୃଥିବୀରେ ପୋଲିଓ କ୍ୱଚିତ ଥିଲେ ମଧ୍ୟ ଦକ୍ଷିଣ ଏସିଆର ପାକିସ୍ଥାନ, ଆଫ୍ରିକାର ନାଇଜେରିଆ ଦେଶମାନଙ୍କରେ ଏ ପର୍ଯ୍ୟନ୍ତ ଏହାର ପ୍ରାଦୁର୍ଭାବ ରହିଛି । ଡବ୍ଲ୍ୟୁ.ଏଚ୍.ଓ., ୟୁନିସେଫ୍ ଓ ରୋଟାରି ଫାଉଣ୍ଡେସନ୍ ମଳିତ ଭାବେ ୧୯୮୮ ମସିହାଠାରୁ ପୃଥିବୀକୁ ପୋଲିଓ ମୁକ୍ତ କରିବା କାର୍ଯ୍ୟ ଆରମ୍ଭ କଲେ ।[46] ୧୯୮୮ ମସିହାରେ ୩୫୦୦୦୦ ରୋଗୀ ଚିହ୍ନଟ ହୋଇ ଥିବା ବେଳେ ୨୦୦୧ ମସିହାରେ ବର୍ଷକୁ ପ୍ରାୟ ୧୦୦୦ ରୋଗୀ ମାତ୍ର ଚିହ୍ନଟ ହୋଇଛନ୍ତି ।[47][48][49] ନିର୍ମୂଳ ତାଲିକାରେ ମାତ୍ର ଦୁଇଟି ରୋଗ ଅଛି: ପୋଲିଓ ଓ ଗିନିବର୍ମ । ବସନ୍ତ ରୋଗ ୧୯୭୯ ମସିହାରୁ ଧରା ପୃଷ୍ଠରୁ ନିଶ୍ଚିହ୍ନ ହୋଇ ଯାଇଛି ।[50] ୧୯୯୪ ମସିହାରେ ଆମେରିକା ପୋଲିଓ ମୁକ୍ତ ହେବା ଘୋଷଣା କରଗଲା ।[51] ୨୦୦୦ ମସିହାରେ ଚୀନ ଓ ଅଷ୍ଟ୍ରେଲିଆ ସହ ୩୬ଟି ଦେଶଙ୍କୁ ପୋଲିଓ ମୁକ୍ତ ଘୋଷଣା କରାଗଲା ।[52][53] ୟୁରୋପକୁ ୨୦୦୦ ମସିହାରେ ପୋଲିଓ ମୁକ୍ତ ଘୋଷଣା କରାଗଲା ।[54] ୨୦୧୨ ସୁଦ୍ଧା ନାଇଜେରିଆ, ଆଫ୍ଗାନିସ୍ଥାନ ଓ ପାକିସ୍ଥାନ[47][55] ଦେଶମାନଙ୍କରେ ପୋଲିଓ ସୀମିତ ରୋଗ ଭାବେ ରହିଛି ଓ ନିକଟବର୍ତ୍ତୀ ଦେଶମାନଙ୍କୁ ବ୍ୟାପୁଛି ।[56] ଚୀନ ଦେଶ ଦଶ ବର୍ଷ ଧରି ପୋଲିଓ ମୁକ୍ତ ଥିଲେ ମଧ୍ୟ ୨୦୧୧ରେ ପାକିସ୍ଥାନରୁ ଭୁତାଣୁ ଆସି ମହାମାରୀ ହୋଇଥିଲା ।[57] ୨୦୧୧ ମସିହାରେ ଭାରତରେ ପୋଲିଓ ହେବା ଖବର ନ ଥିବାରୁ ୨୦୧୨ ମସିହାରେ ସୀମିତ ରୋଗଗ୍ରସ୍ତ ଦେଶ ତାଲିକାରୁ ଏହାର ନାମ ଉଠାଇ ଦିଆଗଲା । ଆଉ ଦୁଇ ବର୍ଷ ପୋଲିଓ ରିପୋର୍ଟ ନ ମିଳିଲେ ଭାରତ ପୋଲିଓ ମୁକ୍ତ ବୋଲି ଘୋଷଣା କରାଯିବ ।[58][59]
ଉତ୍ତର ନାଇଜେରିଆ ଏକ ସମୟରେ ପୋଲିଓ ମୁକ୍ତ ବୋଲି ଧରା ଯାଉଥିବା ବେଳେ ସେଠାରେ ଏକ ମୁସ୍ଲିମ ଫତବା ଜରି କୁହାଗଲା ଯେ ପୋଲିଓ ବୁନ୍ଦା ଦେଇ ଆମେରିକା ଓ ୟୁ.ଏନ୍.ଓ. ଲୋକମାନଙ୍କୁ ବନ୍ଧ୍ୟା କରୁଛନ୍ତି । ଫଳତଃ ଏହି ଦେଶରେ ପୁନର୍ବାର ପୋଲିଓ ମହାମାରୀ ହୋଇ ନିକଟବର୍ତ୍ତୀ ଦେଶମାନଙ୍କୁ ବ୍ୟାପିବାକୁ ଲାଗିଲା ।[60]
ପ୍ରାଗ୍ଐତିହାସିକ ଯୁଗରେ ପୋଲିଓ ରୋଗର ପରିଣାମ ବିଷୟରେ ଜଣାଥିଲା । ମିଶାରୀୟ ଚିତ୍ରକଳା ଓ ଶିଳାଲେଖରେ ସରୁ ଅବୟବ ଥିବା ମଣିଷ ଓ ବାଡି ଧରିଥିବା ପିଲାର ଚିତ୍ର ଦେଖିବାକୁ ମିଳେ । ଏହି ରୋଗ ବିଷୟରେ ପ୍ରଥମ ଲେଖା ମାଇକେଲ୍ ଅଣ୍ଡରଉଡ୍ ୧୭୮୯ ମସିହାରେ ପ୍ରଥମେ ପୋଲିଓକୁ "ନିମ୍ନ ଅବୟବର ଦୁର୍ବଳତା" ଆକାରରେ ଲେଖିଥିଲେ । ଜାକୋବ ହେଇନ୍ଙ୍କଦ୍ୱାରା ୧୮୪୦ ଓ କାର୍ଲ ଓସ୍କାରଙ୍କଦ୍ୱାରା ୧୮୯୦ ମସିହାରେ ହେନିମେଡିନ(Heine-Medin disease.) ନାମ ଦିଆଯାଇଥିଲା । ପରେ ଏହାର ନାମ ଇନ୍ଫାଣ୍ଟାଇଲ୍ ପାରାଲିସିସ୍ ରଖାଗଲା ।
ଶିଶୁମାନଙ୍କୁ ୬ ମାସ ହେବା ପୂର୍ବରୁ ପୋଲିଓ ହେବା ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଜଣା ନ ଥିଲା । ଏହା ୬ ମାସରୁ ୪ ବର୍ଷ ବୟଷ୍କ ପିଲାମାନଙ୍କୁ ହେଉଥିଲା । ସେ କାଳର ଦରିଦ୍ର ସ୍ୱାସ୍ଥ୍ୟ ପରିବେଶ ଯୋଗୁ ଭୁତାଣୁ ସଂସ୍ପର୍ଶରେ ଆସିବାଦ୍ୱାରା ପ୍ରାକୃତିକ ପ୍ରତିରୋଧ ସୃଷ୍ଟି ହେଉଥିଲା । ଉନବିଂଶ ଓ ବିଂଶ ଶତାବ୍ଦୀ ବେଳକୁ ଗୋଷ୍ଠି ସ୍ୱାସ୍ଥ୍ୟରକ୍ଷା, ଶୌଚ ବ୍ୟବସ୍ଥା ଓ ଉନ୍ନତ ପରିବେଶ ସୃଷ୍ଟି କରାଗଲା, ପରିଷ୍କାର ଜଳ ଯୋଗାଣ ହେଲା ଓ ଦୂଷିତ ପଦାର୍ଥ ନିଷ୍କାସନ ବନ୍ଦବୋସ୍ତ କରାଗଲା । କିନ୍ତୁ ଏହା ଫଳରେ ପ୍ରତିରୋଧ ଶକ୍ତି କମିଯାଇ ରୋଗ ସଙ୍କଟ ବୃଦ୍ଧି ପାଇଲା ।
୧୯୦୦ ମସିହା ଆଡ଼କୁ ଛୋଟ ଛୋଟ ମହାମାରୀ ଦେଖାଗଲା ।[61] ୧୯୫୦ ମସିହାରେ ଆମେରିକାରେ ୫ରୁ ୯ ବର୍ଷ ବୟସ୍କ ପିଲାଙ୍କୁ ପୋଲିଓ ହେଲା ଓ ୧୫ ବର୍ଷ ବୟଷ ଉପର ଲୋକଙ୍କ ସଂଖ୍ୟା ଏକ ତୃତୀୟାଂଶ ହେବା କେଖାଗଲା ।[62] ସେଠାରେ ୧୯୫୨ ମସିହାରେ ୫୮୦୦୦ ଲୋକଙ୍କୁ ପୋଲିଓ ହୋଇଥିଲା, ୩୧୪୫ ଲୋକ ମୃତ୍ୟୁ ବରଣ କରିଥିଲେ ଓ ୨୧୨୬୯ ଲୋକ ପାରାଲିସିସର ଶିକାର ହୋଇଥିଲେ । ଏତିକି ବେଳେ ଇଣ୍ଟେନସିଭ କେୟାର ମେଡିସିନ ସୃଷ୍ଟି ହୋଇଥିଲା ।[63]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.