ଓଡ଼ିଆ ଚେସ ଖେଳାଳି From Wikipedia, the free encyclopedia
ପଦ୍ମିନୀ ରାଉତ (ହିନ୍ଦୀ : पद्मिनी राउत, ଇଂରାଜୀ: Padmini Rout, ଜନ୍ମ: ୫ ଜାନୁଆରୀ ୧୯୯୪) ଜଣେ ଭାରତୀୟ ଚେସ ଖେଳାଳି। ସେ ଉଭୟ ଇଣ୍ଟରନେସନାଲ ମାଷ୍ଟର[1] ଓ ମହିଳା ଗ୍ରାଣ୍ଡମାଷ୍ଟର ଉପାଧୀ ହାସଲ କରିଛନ୍ତି।[2] ୨୦୧୪ରୁ ୧୭ ପର୍ଯ୍ୟନ୍ତ ୪ ବର୍ଷ ଧରି ସେ ଭାରତୀୟ ମହିଳା ପ୍ରିମିୟର ଚାମ୍ପିୟନ[3] ଓ ୨୦୧୮ରେ ଏସୀୟ ମହିଳା ଚାମ୍ପିୟନ ଥିଲେ। ୨୦୦୭ ମସିହାରେ ସେ ବିଜୁ ପଟ୍ଟନାୟକ ଖେଳ ସମ୍ମାନ ଓ ୨୦୦୯ରେ ଏକଲବ୍ୟ ପୁରସ୍କାର ହାସଲ କରିଥିଲେ।[4]
୨୦୦୫ ମସିହାରେ ପଦ୍ମିନୀ ନାଗପୁରଠାରେ ୧୧ବର୍ଷରୁ କମ ସ୍ପର୍ଦ୍ଧାରେ ଜାତୀୟ ପ୍ରତିଯୋଗିତା ଜିତିଥିଲେ। ଏହାଥିଲା ତାଙ୍କର ପ୍ରଥମ ଜାତୀୟ ପ୍ରତିଯୋଗିତା ବିଜୟ। ୨୦୦୬ରେ ସେ ୧୩ବର୍ଷରୁ କମ ଜାତୀୟ ପ୍ରତିଯୋଗିତା ଓ ୧୨ବର୍ଷରୁ କମ ଏସୀୟ ପ୍ରତିଯୋଗିତା ଜିତିଥିଲେ।[5] ୨୦୦୮ରେ ସେ ୧୪ବର୍ଷରୁ କମ ସ୍ପର୍ଦ୍ଧାରେ ଉଭୟ ଏସୀୟ ପ୍ରତିଯୋଗିତା[6] ଓ 'ବିଶ୍ୱ ଯୁବ ଚେସ ପ୍ରତିଯୋଗିତା' ଜିତିଥିଲେ। ୨୦୦୯ରେ ସେ ୨୦ବର୍ଷରୁ କମ ଏସୀୟ ଜୁନିୟର ମହିଳା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିଲେ।[7] ୨୦୧୦ରେ ସେ ୧୯ବର୍ଷରୁ କମ ଜାତୀୟ ଜୁନିୟର ମହିଳା ପ୍ରତିଯୋଗିତା ଜିତିଥିଲେ। ସେହିବର୍ଷ ସେ ଉଭୟ ଏସୀୟ ଜୁନିୟର ମହିଳା ପ୍ରତିଯୋଗିତାରେ[8] ଓ ବିଶ୍ୱ ଜୁନିୟର ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରିଥିଲେ।[9][10]
ପଦ୍ମିନୀ, ଜାତୀୟ ମହିଳା ଚେସ ଚାମ୍ପିୟନସିପ ଲଗାତାର ୨୦୧୪, ୨୦୧୫, ୨୦୧୬ ଓ ୨୦୧୭ ୪ବର୍ଷ ଧରି ଜିତିଥିଲେ। ୨୦୧୫ରେ ସେ ରାଷ୍ଟ୍ରମଣ୍ଡଳ ମହିଳା ଚାମ୍ପିୟନସିପି ମଧ୍ୟ ଜିତିଥିଲେ।[11] ୨୦୧୮ରେ ସେ ଏସୀୟ ମହିଳା ଚେସ ଚାମ୍ପିୟନସିପ ମଧ୍ୟ ଜିତିଥିଲେ।[12]
ଭାରତୀୟ ଜାତୀୟ ମହିଳା ଚେସ ଦଳ ତରଫରୁ ସେ "ମହିଳା ଚେସ ଅଲିମ୍ପିୟାଡ଼", "ୱାର୍ଲଡ଼ ଟିମ ଚେସ ଚାମ୍ପିୟନସିପ", "ୱିମେନସ ଏସୀୟା ଟିମ ଚାମ୍ପିୟନସିପ" ମଧ୍ୟ ଖେଳିଥିଲେ ।[13]
ପଦ୍ମିନୀ ୧୯୯୪ ମସିହା ଜାନୁଆରୀ ୫ତାରିଖରେ ବଡ଼ମ୍ବାଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଅଧ୍ୟାପକ ଅଶୋକ କୁମାର ରାଉତ ଓ ମାତା ସସ୍ମିତା ଧଳ। ସେ ତାଙ୍କ ପିତାଙ୍କ କଥାରେ ଅନୁପ୍ରାଣିତ ହୋଇ ୯ବର୍ଷ ବୟସରୁ ଚେସ ଖେଳିବା ଆରମ୍ଭ କରିଥିଲେ।[14] ସେ 'ଇଣ୍ଡିଆନ ଅଏଲ" କମ୍ପାନୀରେ କାର୍ଯ୍ୟ କରନ୍ତି। ଭାରତ ସରକାର ତାଙ୍କୁ ସ୍ୱଚ୍ଛ ଭାରତ ଆମ୍ବାସଡ଼ର ଭାବରେ ମଧ୍ୟ ମନୋନୀତ କରିଛନ୍ତି।[15] ୨୦୨୪ ମସିହାରେ ସେ ଜୟକିଶିନ ମନକାନୀଙ୍କୁ ବିବାହ କରିଥିଲେ।[16]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.