ପଞ୍ଚତୀର୍ଥ, ପୁରୀ
ପୁରୀରେ ଥିବା ପାଞ୍ଚଟି ପବିତ୍ର ଜଳାଶ୍ରୟ / From Wikipedia, the free encyclopedia
ହିନ୍ଦୁଧର୍ମାବଲମ୍ବୀମାନେ ପୁରୀରେ ଥିବା ପବିତ୍ର ପଞ୍ଚ ତୀର୍ଥରେ ବୁଡ଼ ପକାଇଲେ ପୁରୀକୁ କରିଥିବା ତୀର୍ଥଯାତ୍ରା ସଫଳ ହୁଏ ବୋଲି ବିଶ୍ୱାସ ରଖନ୍ତି । [1][2][3] ସେହି ପାଞ୍ଚଟି ପବିତ୍ର ଜଳାଶ୍ରୟ ହେଉଛି ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ,ରୋହିଣୀ କୁଣ୍ଡ,ମାର୍କଣ୍ଡେୟ ପୁଷ୍କରିଣୀ,ଶ୍ୱେତଗଙ୍ଗା ପୁଷ୍କରିଣୀ ଏବଂ ମହୋଦଧି ।
'ବ୍ରହ୍ମପୁରାଣ'ରେ ଏହି ପଞ୍ଚତୀର୍ଥ ହେଲା- ମାର୍କଣ୍ଡେୟ ପୁଷ୍କରିଣୀ, ବଟମନ୍ଦିର କୃଷ୍ଣ (ଅର୍ଥାତ୍ ଜଗନ୍ନାଥ), ରୋହିଣେୟ (ବଳଭଦ୍ର), ମହୋଦଧି ଓ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ । ଏହି ରୋହିଣେୟ 'ରୋହିଣୀକୁଣ୍ଡ' ମଧ୍ୟ ହୋଇପାରେ । 'ସ୍କନ୍ଧ ପୁରାଣ'ରେ ଲେଖାଅଛି ମାର୍କଣ୍ଡେୟ, କଳ୍ପବୃକ୍ଷ, ଦାରୁବ୍ରହ୍ମ, ମହୋଦଧି ଓ ଇନ୍ଦ୍ରଦ୍ୟୁମ୍ନ ସରୋବର । 'ମୁକ୍ତି ଚିନ୍ତାମଣି' ଓ ହଳଧରକୃତ 'ସ୍ମରତି ଦର୍ପଣ' ଅନୁସାରେ ପଞ୍ଚତୀର୍ଥ ହେଲା- ମାର୍କଣ୍ଡେୟ ପୁଷ୍କରିଣୀ, ଶ୍ୱେତଗଙ୍ଗା, ରୋହିଣୀକୁଣ୍ଡ, ମହୋଦଧି ଓ ଇନ୍ଦ୍ରଦ୍ୟୁମ୍ନ ସରୋବର । ସାରଳା ଦାସଙ୍କ ମହାଭାରତ (ବନପର୍ବ)ରେ ଉଲ୍ଲେଖ ପ୍ରକାରେ ପଞ୍ଚତୀର୍ଥ ହେଉଛି- ମହୋଦଧି, ରୋହିଣୀକୁଣ୍ଡ, ଶ୍ୱେତଗଙ୍ଗା, ଇନ୍ଦ୍ରଦ୍ୟମ୍ନ ଓ ମାର୍କଣ୍ଡେୟ ସରୋବର । ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ମାର୍କଣ୍ଡେୟ, ଶ୍ୱେତଗଙ୍ଗା, ସମୁଦ୍ର ସ୍ୱର୍ଗଦ୍ୱାର, ଚକ୍ରତୀର୍ଥ ଓ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀକୁ ପଞ୍ଚତୀର୍ଥ କୁହାଯାଇଛି ।[4]