ନୋଟ୍ରେ ଡାମ୍
ପ୍ୟାରିସ୍ରେ ଥିବା ଏକ କ୍ୟାଥୋଲିକ୍ ଗୀର୍ଜାଘର / From Wikipedia, the free encyclopedia
ନୋଟ୍ରେ ଡାମ୍ ଡି ପାରି (Notre-Dame de Paris – ଏହି ଫରାସୀ ନାମର ଶବ୍ଦାର୍ଥ ହେଲା “ପ୍ୟାରିସ୍ସ୍ଥିତ ଆମ ମହିଳା”) ବା ନୋଟ୍ରେ ଡାମ୍ ଫ୍ରାଂସ୍ର ପ୍ୟାରିସ୍ରେ ଥିବା ଏକ ମଧ୍ୟଯୁଗୀୟ କ୍ୟାଥୋଲିକ୍ ଗୀର୍ଜାଘର ।[1] ଏହି ଗୀର୍ଜାଘର ଫରାସୀ ଗୋଥିକ୍ ସ୍ଥାପତ୍ୟ କଳାର ଏକ ଶ୍ରେଷ୍ଠ ନିଦର୍ଶନ ରୂପେ ପରିଗଣିତ ହୁଏ । ଫ୍ରାଂସ୍ ତଥା ବିଶ୍ୱର ପ୍ରଖ୍ୟାତ ଗୀର୍ଜାଘରମାନଙ୍କ ମଧ୍ୟରୁ ଏହା ଅନ୍ୟତମ । ଗୀର୍ଜା କାନ୍ଥରେ ତିଆରି ହୋଇଥିବା ଜୀବନ୍ତ ସଦୃଶ ପ୍ରତିମୂର୍ତ୍ତି ଓ କାଚର ଝରକାରେ ହୋଇଥିବା ଚିତ୍ରକଳା ଯୋଗୁଁ ଏହା ରୋମାନ୍ ସ୍ଥାପତ୍ୟ କଳାଠାରୁ ଭିନ୍ନ । ନୋଟ୍ରେ ଡାମ୍ ଗୀର୍ଜାଘରର ଦୈର୍ଘ୍ୟ ପ୍ରାୟ ୧୨୮ ମିଟର୍ (୪୨୦ ଫୁଟ୍), ପ୍ରସ୍ଥ ପ୍ରାୟ ୪୮ ମିଟର୍ (୧୫୭ ଫୁଟ୍) ଓ ଏଥିରେ ୧୦ଟି ଘଣ୍ଟି ରହିଛି ।
ନୋଟ୍ରେ ଡାମ୍ ଡି ପାରି ବା ନୋଟ୍ରେ ଡାମ୍ (Cathédrale Notre-Dame de Paris) |
---|
ନୋଟ୍ରେ ଡାମ୍ ହେଉଛି ପ୍ୟାରିସ୍ର ପ୍ରମୁଖ ପାଦ୍ରୀଙ୍କ ଗୀର୍ଜାଘର ଓ ବର୍ତ୍ତମାନ କାର୍ଡିନାଲ୍ ଆଣ୍ଡ୍ରେ ଭିଣ୍ଟ୍-ଟ୍ରୋଏ ଏହାର ମୁଖ୍ୟ ପାଦ୍ରୀ ପଦବୀରେ ଅଧିଷ୍ଠିତ ।[2] ଏହି ଗୀର୍ଜାଘରର କୋଶଗୃହରେ କ୍ୟାଥୋଲିକ୍ ଖ୍ରୀଷ୍ଟଧର୍ମର କିଛି ପ୍ରତୀକ ଯଥା - କଣ୍ଟକ ମୁକୁଟ (ଯୀଶୁଙ୍କୁ କୃଶବିଦ୍ଧ କରାଯିବା ବେଳେ ଏକ କଣ୍ଟକମୟ ପଗଡ଼ି ପିନ୍ଧା ଯାଇଥିଲା । ତାହାର ସ୍ମୃତିରେ ଏକ କଣ୍ଟକ ମୁକୁଟ ନିର୍ମାଣ କରି ରଖାଯାଇଛି ।), ଯୁକ୍ତ ଚିହ୍ନ କାଠର ଏକ ଅଂଶ ଓ ଏକ ପବିତ୍ର କଣ୍ଟା ଇତ୍ୟାଦି ରଖାଯାଇଛି ।
୧୭୯୦ ଦଶନ୍ଧିରେ ଫରାସୀ ବିପ୍ଳବ ସମୟରେ ନୋଟ୍ରେ ଡାମ୍ର ଅନେକ ଧାର୍ମିକ ଚିତ୍ରକଳାକୃତିକୁ ନଷ୍ଟ କରିଦିଆଯାଇଥିଲା । ଏହାପରେ ୧୮୪୫ ମସିହାରେ ୟୁଜିନ୍ ଏମାନୁଏଲ୍ ଭିଓଲେ-ଲେ-ଡୁକ୍ ନାମକ ଜଣେ ସ୍ଥପତିଙ୍କ ପର୍ଯ୍ୟବେକ୍ଷଣରେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ୧୯୯୧ ମସିହାରେ ମଧ୍ୟ ଆଉ ଏକ ପୁନରୁଦ୍ଧାର ଯୋଜନା ଆରମ୍ଭ ହୋଇଥିଲା ।