ନେଲସନ ମଣ୍ଡେଲା
ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରମୁଖ୍ୟ,ଆଫ୍ରିକୀୟ ଜାତୀୟ କଂଗ୍ରେସର ସଭାପତି / From Wikipedia, the free encyclopedia
ନେଲସନ ରୋଲିହ୍ହଲ୍ଲା ମଣ୍ଡେଲା (୧୮ ଜୁଲାଇ ୧୯୧୮ - ୫ ଡିସେମ୍ବର ୨୦୧୩) ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରମୁଖ୍ୟ (୧୯୯୪-୧୯୯୯) ଥିଲେ । ସେ ଦକ୍ଷିଣ ଆଫ୍ରିକାର ପ୍ରଥମ ଅଣ ଶ୍ୱେତାଙ୍ଗ ବା କୃଷ୍ଣକାୟ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କ ଶାସନକାଳ ମଧ୍ୟରେ ଅପାର୍ଥିଡ଼ ନୀତିର ପତନ ହୋଇଥିଲା ତଥା ଚାଲିଆସୁଥିବା ରଙ୍ଗଭେଦ, ଦାରିଦ୍ର୍ୟ, ସାମାଜିକ ଅସମାନତାକୁ ଦୂର କରିବାକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥିଲା । ରାଜନୈତିକ ଭାବେ ସେ ଗଣତାନ୍ତ୍ରିକ ସମାଜବାଦୀ ଚିନ୍ତାଧାରାରେ ବିଶ୍ୱାସ ରଖିଥିଲେ ଏବଂ ଆଫ୍ରିକୀୟ ଜାତୀୟ କଂଗ୍ରେସର ସଭାପତି ଭାବେ ୧୯୯୧ରୁ ୧୯୯୭ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଅନ୍ତର୍ଜାତୀୟ ପଦବୀ ଭାବେ "ନନ-ଆଲାଇନଡ ମୁଭମେଣ୍ଟ"ର ସାଧାରଣ-ସଚିବ ଭାବେ ୧୯୯୮-୧୯୯୯ ପାଇଁ କାର୍ଯ୍ୟରତ ଥିଲେ ।
ନେଲସନ ମଣ୍ଡେଲା | |
---|---|
କାର୍ଯ୍ୟକାଳ ୧୦ ମେ ୧୯୯୪ – ୧୪ ଜୁନ ୧୯୯୯ | |
ପୂର୍ବ ଅଧିକାରୀ | ଫେଡ଼୍ରିକ ୱିଲିଅମ ଦେ କ୍ଲର୍କ |
ପର ଅଧିକାରୀ | ଥାବୋ ମବେକି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ରୋଲିହ୍ହଲ୍ଲା ମଣ୍ଡେଲା (1918-07-18) ୧୮ ଜୁଲାଇ ୧୯୧୮ (ବୟସ ୧୦୫) ମ୍ବେଜୋ, ସଂଯୁକ୍ତ ଦକ୍ଷିଣ ଆଫ୍ରିକା |
ମୃତ୍ୟୁ | ୫ ଡିସେମ୍ବର ୨୦୧୩(2013-12-05) (ବୟସ ୯୫) ହଗଟନ, ଜୋହାନ୍ସବର୍ଗ, ଦକ୍ଷିଣ ଆଫ୍ରିକା |
ଜାତୀୟତା | ଦକ୍ଷିଣ ଆଫ୍ରିକୀୟ |
ରାଜନୀତିକ ଦଳ | ଆଫ୍ରିକୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ଏଭେଲିନ ନତୋକୋ ମାସେ (୧୯୪୪–୧୯୫୭) ୱିନି ମାଦିକିଜେଲା ମଣ୍ଡେଲା (୧୯୫୮–୧୯୬୬) ଗ୍ରାକା ମାସେଲ (୧୯୯୮–୨୦୧୩; ମଣ୍ଡେଲାଙ୍କ ମୃତ୍ୟୁ ପର୍ଯ୍ୟନ୍ତ) |
ସନ୍ତାନ | ମାଦିବା ଥେମ୍ବେକିଲେ ମାକଗାଥୋ ମଣ୍ଡେଲା ମାକାଜିୱେ ମାକି ଜେନାନି ଜିନ୍ଦଜିସ୍ୱା |
ଘର | ହଫଟନ ଇଷ୍ଟେଟ, ଗଉଟେଙ୍ଗ, ଜୋହାନ୍ସବର୍ଗ, ଦକ୍ଷିଣ ଆଫ୍ରିକା |
ଶିକ୍ଷାନୁଷ୍ଠାନ | ଫୋର୍ଟ ହାରେ ବିଶ୍ୱବିଦ୍ୟାଳୟ ୟୁନିଭର୍ସିଟି ଅଫ ଲଣ୍ଡନ ଏକ୍ସଟରନାଲ ସିଷ୍ଟମ ଦକ୍ଷିଣ ଆଫ୍ରିକା ବିଶ୍ୱବିଦ୍ୟାଳୟ ୱିଟୱାଟର୍ସରାଣ୍ଡ ବିଶ୍ୱବିଦ୍ୟାଳୟ |
ସନ୍ତକ | |
ୱେବସାଇଟ | www |
ଯୋସା ସଂପ୍ରଦାୟର ଥେମ୍ବୁ ରାଜପରିବାରରେ ଜନ୍ମ ଗ୍ରହଣ କରି ମଣ୍ଡେଲା ଫୋର୍ଟ ହାରେ ବିଶ୍ୱ ବିଦ୍ୟାଳୟ ଓ ୱିଟୱାଟର୍ସରାଣ୍ଡ ବିଶ୍ୱବିଦ୍ୟାଳୟରେ ଆଇନ ଶିକ୍ଷା କରିଥିଲେ । ଜୋହାନ୍ସବର୍ଗରେ ରହିବା ସମୟରେ ଔପନିବେଶ ବିରୋଧୀ ରାଜନୀତିରେ ଅଂଶଗ୍ରହଣ କରି ଆଫ୍ରିକୀୟ ଜାତୀୟ କଂଗ୍ରେସରେ ଯୋଗଦେଇଥିଲେ ଓ ଏହାର ଯୁବ ସଂଘର ପ୍ରତିଷ୍ଠାତା ସଭ୍ୟ ଥିଲେ । ୧୯୪୮ରେ ନ୍ୟାସନାଲ ପାର୍ଟିର "ଆଫ୍ରିକାନ" ଜାତୀୟତାବାଦୀମାନେ ସରକାର ଗଠନ କରି କ୍ଷମତାକୁ ଆସିବା ପରେ ଅପାର୍ଥିଡ଼କୁ ନୀତିକୁ ପ୍ରାଧାନ୍ୟ ଦେଇଥିଲେ, ଏବଂ ସେହି ସମୟରେ ମଣ୍ଡେଲା ଜାତୀୟ କଂଗ୍ରେସଦ୍ୱାରା ୧୯୫୨ରେ ହୋଇଥିବା ଅସହଯୋଗ ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରି ଟ୍ରାନ୍ସଭାଲ କଂଗ୍ରେସର ସଭାପତି ନିର୍ବାଚିତ ହୋଇଥିଲେ ଏବଂ ୧୯୫୫ରେ "ପିପୁଲ ଅଫ କଂଗ୍ରେସ"କୁ ଉଦବୋଧନ ଦେଇଥିଲେ । ଜଣେ ଓକିଲ ଭାବେ କାର୍ଯ୍ୟ କରୁଥିବା ସମୟରେ ସନ୍ଦେହଜନକ କାର୍ଯ୍ୟକଳାପ ପାଇଁ ଓ ଜାତୀୟ କଂଗ୍ରେସ ନେତା ଭାବେ ୧୯୫୫ରୁ ୧୯୬୧ ଯାଏଁ ଦେଶଦ୍ରୋହ ପାଇଁ ଅଭିଯୁକ୍ତ ହୋଇଥିଲେ ମଧ୍ୟ ଶେଷରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ । ଯଦିଓ ଆନ୍ଦୋଳନ ଆରମ୍ଭରେ ସେ ଅହିଂସା ନୀତିରେ ବିଶ୍ୱାସ ରଖିଥିଲେ; କିନ୍ତୁ ସାଉଥ ଆଫ୍ରିକାନ କମ୍ୟୁନିଷ୍ଟ ପାର୍ଟି ସହ ମିଶି ୧୯୬୧ରେ "ଉମଖୋଂତ ୱେ ସିଜୱେ" ନାମରେ ଏକ ସଶସ୍ତ୍ର ବାହିନୀ ଗଠନ କରି, ସରକାର ବିରୁଦ୍ଧରେ ବହୁ ବୋମାମାଡ଼ର ନେତୃତ୍ୱ ନେଇଥିଲେ । ୧୯୬୨ ମସିହାରେ ଗଣସଂହାର ଓ ଅନ୍ତର୍ଘାତୀ କାର୍ଯ୍ୟପାଇଁ ଦୋଷୀ ସାବ୍ୟସ୍ତ ହୋଇ ରିଭିନିଆ ଶୁଣାଣୀରେ ଆଜୀବନ କାରାବାସ ପାଇଁ ଦଣ୍ଡ ପାଇଥିଲେ ।
ରଙ୍ଗଭେଦ ନୀତି ଓ ଅପାର୍ଥିଡ଼ ବିରୋଧରେ ଲଢ଼ି ସେ ନିଜ ଜୀବନକାଳର ୨୭ ବର୍ଷ କାଳ ରୋବେନ ଦ୍ୱୀପର କାରାଗାର, ପୋଲ୍ସମୁର କାରାଗାର ଓ ଭିକ୍ଟର ଭର୍ଷ୍ଟର କାରାଗାରରେ କଟାଇଥିଲେ । ତାଙ୍କୁ ମୁକ୍ତ କରିବା ପାଇଁ ଆନ୍ତର୍ଜାତିକ ଚାପ ବଢ଼ିବାରୁ ୧୯୯୦ରେ ଛାଡ଼ ପାଇଥିଲେ । ଜାତୀୟ କଂଗ୍ରେସର ସଭାପତି ଥିବା ସମୟରେ ମଣ୍ଡେଲା ନିଜର ଆତ୍ମଜୀବନୀ ପ୍ରକାଶ କରିଥିଲେ ଓ ତତକାଳୀନ ରାଷ୍ଟ୍ରପତି ଏଫ.ଡବଲ୍ୟୁ. ଦେ କ୍ଲାର୍କଙ୍କ ସହିତ ଅପାର୍ଥିଡ଼ର ଅନ୍ତ ପାଇଁ ବୁଝାମଣା କରିଥିଲେ । ସେ ରାଷ୍ଟ୍ରପତି ଥିବା ସମୟରେ ନୂତନ ସମ୍ବିଧାନ ପ୍ରଣୟନ କରିଥିଲେ ଓ ବିତି ଯାଇଥିବା ମାନବଧିକାର ଉଲ୍ଲଙ୍ଘନର ତଦନ୍ତ ପାଇଁ "ଟ୍ରୁଥ ଏଣ୍ଡ ରିକୋନସିଲିଏସନ କମିଶନ"ର ଗଠନ କରିଥିଲେ । ପୂର୍ବ ସରକାରଙ୍କ ଉଦାରବାଦୀ ଅର୍ଥନୈତିକ ନୀତିକୁ ଅନୁସରଣ କରି ଜମି ସୁଧାର ନିୟମକୁ ପ୍ରୋତ୍ସାହନ, ଦାରିଦ୍ର୍ୟ ଦୂରୀକରଣ ଓ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତୀକରଣ ପାଇଁ ଧ୍ୟାନ ଦେଇଥିଲେ । ଅନ୍ତର୍ଜାତୀୟ ସ୍ତରରେ ଲିବ୍ୟା ଓ ସଂଯୁକ୍ତ ରାଜ୍ୟଗୋଷ୍ଠୀର "ପ୍ୟାନ ଆମ ଫ୍ଲାଇଟ ୧୦୩ ବମ୍ବିଙ୍ଗ ଟ୍ରାଏଲ" ବୁଝାମଣାରେ ମଧ୍ୟସ୍ଥି ଭାବେ ଓ ଲେସୋଥୋରେ ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନର ସମାଧାନ କରିଥିଲେ । ରାଷ୍ଟ୍ରପତି ପଦ ପାଇଁ ଦ୍ୱିତୀୟ ବାର ନିର୍ବାଚନ ନ ଲଢ଼ି, ନେଲସନ ମଣ୍ଡେଲା ଫାଉଣ୍ଡେସନଦ୍ୱାରା ଦାରିଦ୍ର୍ୟ ତଥା ଏଚ.ଆଇ.ଭି./ଏଡ଼ସ ଦୂରୀକରଣ ପାଇଁ ଅନେକ ସମାଜସେବା କାର୍ଯ୍ୟରେ ପ୍ରମୁଖ ଭୂମିକା ନେଇଥିଲେ ।
ସାରା ଜୀବନ ସେ ଏକ ବିତର୍କିତ ବ୍ୟକ୍ତିତ୍ୱ ଭାବେ ପରିଚିତ, ଏପରିକି ଉଗ୍ରବାଦୀମାନେ ତାଙ୍କୁ ଆତଙ୍କବାଦୀ ଓ ସାମ୍ୟବାଦର ଚାକର ବୋଲି ଆଖ୍ୟା ଦେଇଥିଲେ । ଏସବୁ ସତ୍ତ୍ୱେ ମଧ୍ୟ ଔପନିବେଶ ବିରୋଧୀ ଆନ୍ଦୋଳନ ଓ ଅଣ-ଅପାର୍ଥିଡ଼ ନୀତି ପାଇଁ ତାଙ୍କୁ ଅନେକ ଆନ୍ତର୍ଜାତିକ ପ୍ରତିଷ୍ଠା ମିଳିଛି । ୧୯୯୩ରେ ନୋବେଲ ଶାନ୍ତି ପୁରସ୍କାର, ଯୁକ୍ତରାଷ୍ଟ୍ର ଆମେରିକାର ସର୍ବୋଚ୍ଚ ବେସାମରିକ "ପ୍ରେସିଡ଼େଣ୍ଟସିଆଲ ମେଡ଼ାଲ ଅଫ ଫ୍ରିଡ଼ମ", ଋଷିଆର ସର୍ବୋଚ୍ଚ ବେସାମରିକ ସମ୍ମାନ "ଅର୍ଡର ଅଫ ଲେନିନ", ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ " ଭାରତ ରତ୍ନ " ସହିତ ୨୫୦ରୁ ଉର୍ଦ୍ଧ୍ୱ ସମ୍ମାନ ଓ ପୁରସ୍କାରରେ ମଣ୍ଡେଲା ସମ୍ମାନିତ ହୋଇଛନ୍ତି । ଦକ୍ଷିଣ ଆଫ୍ରିକାରେ ମଣ୍ଡେଲା ବହୁ ସମ୍ମାନାଷ୍ପଦ ବ୍ୟକ୍ତିତ୍ୱ ଏବଂ ନିଜର ଯୋସା ନାମ "ମାଦିବା" ବା "ତାତା", ଯାହାର ଆକ୍ଷରିକ ଅର୍ଥ ପିତା, ସେ "ଜାତିର ପିତା" ଓ "ଦକ୍ଷିଣ ଆଫ୍ରିକାର ଗାନ୍ଧୀ" ଭାବେ ପରିଚିତ ।