From Wikipedia, the free encyclopedia
ନେତ୍ରାବରଣ ପ୍ରଦାହ, ଇଂରାଜୀ ଭାଷାରେ କଞ୍ଜକ୍ଟିଭାଇଟିସ୍ (Conjunctivitis), ଅନ୍ୟ ନାମ ପିଙ୍କ ଚକ୍ଷୁ (pink eye), ଏକ ପ୍ରଦାହ ଯାହା ଚକ୍ଷୁ ପତାର ଭିତର ସ୍ତର ଓ ଧଳା ଡୋଳାର ବାହ୍ୟ ସ୍ତରକୁ ଆକ୍ରମଣ କରିଥାଏ ।[1] ଏହା ହେବାଦ୍ୱାର ଆଖି ପିଙ୍କ ବା ଲାଲ୍ ଦେଖାଯାଏ । ଆଖିରେ ଯନ୍ତ୍ରଣା, ଜଳାପୋଡ଼ା, ରାମ୍ପୁଡ଼ା ଓ ଗଲୁ ଅନୁଭବ ହୁଏ । ପ୍ରଭାବିତ ଚକ୍ଷୁରୁ ଅଧିକ ଲୁହ ବୁହେ ଓ ସକାଳେ ଆଖି ପତା ଲାଖିଯାଇ ବନ୍ଦ ହୋଇଥାଏ । ଆଖିର ଧଳା ଅଂଶ ଫୁଲିଯାଏ ।[2] ଆଲର୍ଜି ଯୋଗୁ ହୋଇଥିଲେ ଗଲୁ କରେ ।[3] ଏହି ରୋଗ ଏକ ବା ଉଭୟ ଆଖିକୁ ଆକ୍ରମଣ କରିପାରେ । [2]
ସଂକ୍ରମଣର ସର୍ବାଧିକ କାରଣମାନଙ୍କ ମଧ୍ୟରୁ ଭୁତାଣୁ ପ୍ରଥମ ଓ ତା'ପରେ ଜୀବାଣୁ ସଂକ୍ରମଣ ।[3] ଭୁତାଣୁ ସଂକ୍ରମଣରେ ଶର୍ଦ୍ଦିର ଲକ୍ଷଣ ମଧ୍ୟ ଦେଖାଯାଇପାରେ । ଭୁତାଣୁ ଓ ଜୀବାଣୁ ସହଜରେ ଚାରିଆଡ଼େ ବ୍ୟାପିପାରେ ।[2] ପଶୁ ଲୋମ ଓ ପଲେନ ଆଲର୍ଜି ମଧ୍ୟ ହୋଇପାରେ ।[3] ଚିହ୍ନ ଓ ଲକ୍ଷଣ ଅନୁସାରେ ରୋଗ ନିର୍ଣ୍ଣୟ କରାଯାଏ । ବେଳବେଳେ ଆଖିରୁ ବାହାରୁଥିବା ଲୁହକୁ କଲ୍ଚର୍ ନିମନ୍ତେ ପଠାଯାଇପାରେ । [2]
ହାତଧୁଆଦ୍ୱାରା ନେତ୍ରାବରଣ ପ୍ରଦାହର ଆଂଶିକ ଭାବରେ ପ୍ରତିଷେଧ ହୁଏ । ଅନ୍ତର୍ନିହିତ କାରଣ ଉପରେ ଏହି ରୋଗର ଚିକିତ୍ସା ନିର୍ଭର କରେ ।[2] ଭୁତାଣୁ ସଂକ୍ରମଣର ଅଧିକାଂଶ ରୋଗୀଙ୍କର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ ।[3] ଅଧିକାଂଶ ଜୀବାଣୁ ଜନିତ ସଂକ୍ରମଣ ବିନା ଚିକିତ୍ସାରେ ଆପେ ଆପେ ଭଲ ହୋଇଯାଏ କିନ୍ତୁ ଆଣ୍ଟିବାୟୋଟିକ ଦେବାଦ୍ୱାରା ରୋଗ ସମୟ କମିଯାଏ ।[3][2] କଣ୍ଟାକ୍ଟ ଲେନ୍ସ ବ୍ୟବହାର କରୁଥିବା ଲୋକ, ଗନୋରିଆ ଓ କ୍ଲାମିଡିଆ ସଂକ୍ରମଣ ଥିଲେ କାରଣ ଅନୁସାରେ ଉପଯୁକ୍ତ ଚିକିତ୍ସା କରାଯାଏ । ଆଲର୍ଜି ଥିଲେ ଆଣ୍ଟିହିସ୍ଟାମିନ ବା ମାସ୍ଟ ସେଲ ଇନହିବିଟର ଡ୍ରପ ଆଖିରେ ପକାଯାଏ [3]
ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ବର୍ଷ ପ୍ରାୟ ୩ରୁ ୬ ନିୟୁତ ଲୋକଙ୍କର ନେତ୍ରାବରଣ ପ୍ରଦାହ ହୁଏ ।[3][2] ବଡ଼ ମଣିଷଙ୍କର ଅଧିକ ଭୁତାଣୁ ସଂକ୍ରମଣ ଓ ପିଲାଙ୍କର ଅଧିକ ଜୀବାଣୁ ସଂକ୍ରମଣ ହୁଏ ।[3] ସ୍ୱାଭାବିକ ଭାବରେ ଏକ ବା ଦୁଇ ସପ୍ତାହ ମଧ୍ୟରେ ଏହି ରୋଗ ଭଲ ହୋଇଯାଏ ।[3][2] ଯଦି ଏକ ସପ୍ତାହ ମଧ୍ୟରେ କିଛି ସୁଫଳ ମିଳେନି, ଦୃଷ୍ଟିହାନୀ, ଯନ୍ତ୍ରଣା ଲାଗିରହିଥାଏ, ଆଲୋକ ସମ୍ବେଦନ ବା ହର୍ପିସ ଲକ୍ଷଣ ଜଣାଯାଏ ତେବେ ଅଧିକ ରୋଗ ନିର୍ଣ୍ଣୟ ଓ ଚିକିତ୍ସା ଆବଶ୍ୟକ ହୁଏ ।[3] ନବଜାତ ଶିଶୁର ଏହି ପ୍ରଦାହକୁ ନିଓନାଟାଲ ନେତ୍ରାବରଣ ପ୍ରଦାହ କୁହାଯାଏ ଓ ଏହା ନିମନ୍ତେ ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ ହୁଏ ।[2]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.