ଧ୍ରୁବୀୟ ଜ୍ୟୋତି
From Wikipedia, the free encyclopedia
ଧ୍ରୁବୀୟ ଜ୍ୟୋତି (ଈଂରାଜୀରେ aurora ବା polar lights ବା northern lights ବା southern lights) ଆକାଶରେ ଦୃଶ୍ୟମାନ ହେଉଥିବା ଏକ ପ୍ରକାରର ପ୍ରାକୃତିକ ଜ୍ୟୋତି । ଏହା ମୁଖ୍ୟତଃ କୁମେରୁ ବୃତ୍ତ/କୁମେରୁ ଓ ସୁମେରୁ ବୃତ୍ତ/ସୁମେରୁ ପରି ଉଚ୍ଚ ଅକ୍ଷାଂଶ ଅଞ୍ଚଳରେ ଦେଖାଯାଇଥାଏ । ଉତ୍ତର ଗୋଲାର୍ଦ୍ଧର ଧ୍ରୁବୀୟ ଜ୍ୟୋତିକୁ ଈଂରାଜୀରେ "ଔରୋରା ବୋରିଆଲିସ୍" (aurora borealis) ଓ ଦକ୍ଷିଣ ଗୋଲାର୍ଦ୍ଧର ଧ୍ରୁବୀୟ ଜ୍ୟୋତିକୁ “ଔରୋରା ଅଷ୍ଟ୍ରାଲିସ୍” (aurora australis) ବୋଲି କୁହାଯାଏ ।
ପୃଥିବୀର ଚୁମ୍ବକୀୟ ଗୋଲକ ଯୋଗୁଁ ପୃଥିବୀ ଚାରିପଟେ ଏକ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହୁଏ । ଚୁମ୍ବକୀୟ ଗୋଲକର ଦୁଇ ମେରୁ ପୃଥିବୀର ଦୁଇ ମେରୁ ନିକଟରେ ରହିଥାଏ । ଏହି ଚୁମ୍ବକୀୟ ଗୋଲକ ଦୁଇ ମେରୁ ନିକଟରେ ସୀମିତ ଓ ଦୁର୍ବଳ । କିନ୍ତୁ ସୁମେରୁ ବୃତ୍ତରୁ କୁମେରୁ ବୃତ୍ତ ମଧ୍ୟରେ ଚୁମ୍ବକୀୟ କ୍ଷେତ୍ର ବିସ୍ତୃତ । ସୌର ପ୍ରବାହ ସମୟରେ ସୂର୍ଯ୍ୟରୁ ପୃଥିବୀ ଆଡକୁ ଆସୁଥିବା ଆୟନ୍, ଇଲେକ୍ଟ୍ରନ୍ ଓ ପ୍ରୋଟୋନ୍ ରୂପୀ ଚାର୍ଜ୍ କଣିକାମାନ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବାକୁ ଚେଷ୍ଟା କରନ୍ତି । ଅଧିକାଂଶ ଚାର୍ଜ୍ କଣିକା ଚୁମ୍ବକୀୟ କ୍ଷେତ୍ରରୁ ବିକର୍ଷିତ ହୋଇଥାନ୍ତି । କିନ୍ତୁ ଉଭୟ ମେରୁ ନିକଟରେ କିଛି କିଛି କଣିକା ପୃଥିବୀର ବାୟୁ ମଣ୍ଡଳରେ ପ୍ରବେଶ କରିଯାନ୍ତି । ବାୟୁମଣ୍ଡଳକୁ ଆସିଲା ପରେ ଏହି ଚାର୍ଜ୍ କଣିକାମାନ ଅନ୍ୟ ଗ୍ୟାସ୍ ଯଥା ଯବକ୍ଷାରଜାନ, ଅମ୍ଳଜାନରେ ରହିଥିବା କଣିକାମାନଙ୍କୁ ଶକ୍ତି ପ୍ରଦାନ କରନ୍ତି ଓ ନିଜ ଶକ୍ତି ହରାନ୍ତି ।
ଏହି ଶକ୍ତି ପୁଣି ଗ୍ୟାସୀୟ ଅଣୁମାନଙ୍କଦ୍ୱାରା ଫୋଟୋନ୍ ରୂପରେ ବିକିରିତ ହୁଏ । ବିକିରିତ ଫୋଟୋନ୍ ବିଭିନ୍ନ ରଙ୍ଗର ଅନୁପମ ଜ୍ୟୋତି ସୃଷ୍ଟି କରନ୍ତି । କେଉଁ ସ୍ଥାନରେ ଏହି ଚାର୍ଜ୍ କଣିକାଗୁଡ଼ିକ ଗ୍ୟାସୀୟ ଅଣୁଙ୍କ ସହିତ ଧକ୍କା ହୁଅନ୍ତି ତାହା ଅନୁସାରେ ଧ୍ରୁବୀୟ ଜ୍ୟୋତିର ରଙ୍ଗ ନିରୂପିତ ହୁଏ । ପୃଥିବୀ ପୃଷ୍ଠରୁ ୧୫୦ ମାଇଲ୍ ପର୍ଯ୍ୟନ୍ତ ଉଚ୍ଚତାରେ ଅମ୍ଳଜାନ ଅଣୁମାନେ ହଳଦିଆ ଓ ସବୁଜ ରଙ୍ଗର ଫୋଟୋନ୍ ବିକିରିତ କରନ୍ତି । ୧୫୦ ମାଇଲ୍ରୁ ଅଧିକ ଉଚ୍ଚତାରେ ଅମ୍ଳଜାନ ଅଣୁ ଲାଲ୍ ଓ ଗୋଲାପୀ ରଙ୍ଗ ସୃଷ୍ଟି କରନ୍ତି । ଭୂପୃଷ୍ଠରୁ ୬୦ ମାଇଲ୍ ଉଚ୍ଚତା ମଧ୍ୟରେ ଯବକ୍ଷାରଜାନ ଅଣୁ ସହିତ ଚାର୍ଜ୍ମାନଙ୍କ ଧକ୍କା ହେଲେ ନୀଳ ରଙ୍ଗର ଜ୍ୟୋତି ସୃଷ୍ଟି ହୁଏ । ପୁଣି ସବୁ ରଙ୍ଗ ମିଶିଲେ ବାଇଗଣୀ, ଗୋଲାପୀ ଏପରି ଅନେକ ରଙ୍ଗ ମଧ୍ୟ ସୃଷ୍ଟି ହୋଇପାରେ । ମେରୁ ଅଞ୍ଚଳରେ ଚାର୍ଜ୍ କଣିକାମାନଙ୍କଦ୍ୱାରା ବାୟୁମଣ୍ଡଳୀୟ ଅଣୁମାନଙ୍କୁ କେତେ ଶକ୍ତି ମିଳେ ତାହା ଅନୁସାରେ ଧ୍ରୁବୀୟ ଜ୍ୟୋତିର ପ୍ରକାର ଭେଦ ଦେଖାଦିଏ । ନିମ୍ନ ଅକ୍ଷାଂଶରେ ସାଧାରଣତଃ ପ୍ରୋଟୋନ୍ ଧ୍ରୁବୀୟ ଜ୍ୟୋତି ଦେଖାଯାଏ ।[1] ପ୍ରୋଟୋନ୍ମାନେ ବାୟୁମଣ୍ଡଳରେ ଇଲେକ୍ଟ୍ରନ୍ ଗ୍ରହଣ କରି ଉଦ୍ଜାନରେ ପରିଣତ ହୋଇ ପ୍ରକାଶୀୟ ବିକିରଣ କରନ୍ତି ।