ଜ୍ୟୋତିର୍ଲିଙ୍ଗ
From Wikipedia, the free encyclopedia
ବ୍ରହ୍ମା-ବିଷ୍ଣୁ-ମହେଶ୍ୱରଙ୍କୁ ହିନ୍ଦୁଧର୍ମ ବିଶ୍ୱାସରେ ସୃଷ୍ଟି,ସ୍ଥିତି ଓ ସଂହାରର ନିୟନ୍ତା ରୂପେ ବିବେଚନା କରାଯାଏ ।ମହେଶ୍ୱର ଶିବ ସୃଷ୍ଟିର ସମସ୍ତ ଅନିଷ୍ଟକାରୀ, ଅପଶକ୍ତି, ଅନ୍ୟାୟ ଓ ଅନୀତିକୁ ସଂହାର କରି ସଂସାରକୁ ସୁଖଶାନ୍ତି ପ୍ରଦାନ କରନ୍ତି । ସେ ଦେବଦେବ ମହାଦେବ-ସତ୍ୟ, ଶିବ, ସୁନ୍ଦର ଆଶୁବର ପ୍ରଦାନକାରୀ ଆଶୁତୋଷ । ସେ ଅକାଳମୃତ୍ୟୁ ହରଣର ମହାଶକ୍ତି ମୃତ୍ୟୁଞ୍ଜୟ । ସାଗର ମନ୍ଥନରୁ ଜାତ ହଳାହଳ ବିଷ ପ୍ରକୋପରୁ ସମଗ୍ର ସୃଷ୍ଟିକୁ ରକ୍ଷା କରିବା ପାଇଁ ଶିବ ସେହି ବିଷ ନିଜେ ପାନ କରିଦେବାରୁ ତାଙ୍କର କଣ୍ଠ ନୀଳବର୍ଣ୍ଣ । ତେଣୁ ତାଙ୍କର ନାମ ନୀଳକଣ୍ଠ ମୃତ୍ୟୁଞ୍ଜୟ । ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ଶିବଙ୍କ କୃପାରୁ ମନୁଷ୍ୟ ଅକାଳ ମୃତ୍ୟୁକୁ ଜୟ କରିପାରେ । ଶିବ ପଞ୍ଚାକ୍ଷର ମନ୍ତ୍ର ଓଁ ନମଃ ଶିବାୟ ଜପର ଫଳ ସ୍ୱରୂପ ମନୁଷ୍ୟ ସଦଜ୍ଞାନ ଲାଭକରି ସାଂସାରିକ ଦୁଃଖତାପରୁ ମୁକ୍ତି ପାଏ ।ଜୀବଜଗତର ଜନ୍ମ ମୃତ୍ୟୁର କାଳ ସ୍ୱରୂପ ଶିବ ହେଉଛନ୍ତି ମହାକାଳେଶ୍ୱର ।
ଶିବଙ୍କର ତେଜୋଦୀପ୍ତ ଜ୍ୟୋତିଙ୍କର ସ୍ୱୟଂପ୍ରକିଆଶ ହିଁ ଜ୍ୟୋତିର୍ଲିଙ୍ଗ । ଫାଲ୍ଗୁନ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ରାତ୍ରିରେ ଶିବ ଦିବ୍ୟଜ୍ୟୋତିସ୍ତମ୍ଭ ରୂପରେ ଆବିର୍ଭୂତ ହୋଇଥିବାରୁ ଏହି ତିଥିଟି ପବିତ୍ର ମହାଶିବରାତ୍ରି ରୂପେ ପାଳିତ ହେଉଅଛି । ଭକ୍ତମାନେ ଶିବ ମନ୍ଦିରରେ ସାରା ରାତ୍ରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶିବ ଆରାଧନା ବ୍ରତ ପାଳନ କରୁଥିବାରୁ ଏହା ମହାଶିବରାତ୍ରି ବା ଜାଗରଯାତ୍ରା ରୂପେ ପ୍ରସିଦ୍ଧ ।ପୌରାଣିକ ବର୍ଣ୍ଣନା ଅନୁସାରେ ଦେବଦେବ ମହାଦେବ ଜ୍ୟୋତିସ୍ୱରୂପ ଜ୍ୟୋତିସ୍ତମ୍ଭ ବା ଜ୍ୟୋତିର୍ଲିଙ୍ଗ ରୂପେ ଭାରତର ବାର ଗୋଟି ପବିତ୍ର ସ୍ଥଳରେ ଆବିର୍ଭୂତ ହୋଇ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ରୂପେ ପୁଜା ପାଉଛନ୍ତି ।[1]