ଜଳବିଦ୍ୟୁତ୍
ଜଳ ବିଦ୍ୟୁତ୍ ଦ୍ୱାରା ଉତ୍ପାଦିତ ବିଦ୍ୟୁତ୍ / From Wikipedia, the free encyclopedia
ପ୍ରବହମାନ ଜଳର ଯାନ୍ତ୍ରିକ ଶକ୍ତି ବା ଗଚ୍ଛିତ ଜଳର ସ୍ଥିତିଜ ଶକ୍ତି ବିଦ୍ୟୁତ୍ ଶକ୍ତିରେ ରୂପାନ୍ତରିତ ହେଲେ ତାହାକୁ ଜଳ ବିଦ୍ୟୁତ୍ । ଏକ ଆକଳନ ଅନୁସାରେ ୨୦୧୫ରେ ବିଶ୍ୱରେ ଉତ୍ପାଦିତ ସମସ୍ତ ବିଦ୍ୟୁତ୍ ଶକ୍ତିର ପ୍ରାୟ ୧୬.୬% ଏବଂ ନବୀକରଣୀୟ ଉତ୍ସରୁ ଜାତ ବିଦ୍ୟୁତ୍ ଶକ୍ତିର ପ୍ରାୟ ୭୦% ଅଂଶ ଜଳ ବିଦ୍ୟୁତରୁ ମିଳିଥାଏ । [1] ଏହି ପରିମାଣ ପ୍ରତି ବର୍ଷ ହାରାହାରି ୩.୧% ହିସାବରେ ଏହା ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି । ୨୦୧୩ର ଏକ ଗଣନା ଅନୁସାରେ ବିଶ୍ୱର ପ୍ରାୟ ୧୫୦ଟି ଦେଶରେ ଜଳ ବିଦ୍ୟୁତ୍ ଉତ୍ପାଦନ କରାଯାଏ । ସମଗ୍ର ଜଳ ବିଦ୍ୟୁତର ପ୍ରାୟ ୩୩% ଏସିଆର ପ୍ରଶାନ୍ତ ମହାସାଗର ତଟବର୍ତ୍ତୀ ଦେଶମାନଙ୍କରୁ ମିଳେ । ତନ୍ମଧ୍ୟରୁ ଜଳ-ବିଦ୍ୟୁତ୍ ଉତ୍ପାଦନରେ ଚୀନ ପ୍ରଥମ ।
ଜଳ ଏକ ନବୀକରଣୀୟ ଶକ୍ତିଉତ୍ସ ଓ ଜଳ ବିଦ୍ୟୁତ୍ ଉତ୍ପାଦନରେ ଖର୍ଚ୍ଚ ସବୁଠାରୁ କମ୍ ହୋଇଥାଏ । ତାପଜ ବିଦ୍ୟୁତ୍ କେନ୍ଦ୍ରରେ କୋଇଲା ବା ଗ୍ୟାସ୍ ବ୍ୟବହୃତ ହୋଇ ଶକ୍ତିଉତ୍ସର କ୍ଷୟ ହୁଏ । କିନ୍ତୁ ଜଳ ବିଦ୍ୟୁତ୍ କେନ୍ଦ୍ରରେ ଜଳର କ୍ଷୟ ହୁଏନାହିଁ । ଜଳ ବିଦ୍ୟୁତ୍ କେନ୍ଦ୍ରରେ ଜଳଭଣ୍ଡାର ରହିଥିଲେ, ଆବଶ୍ୟକତା ମୁତାବକ ଜଳ ଛାଡ଼ି ବିଦ୍ୟୁତ୍ ଉତ୍ପାଦନ କରାଯାଇପାରିବ । ସାଧାରଣ ଉପଭୋକ୍ତାଙ୍କଦ୍ୱାରା ବ୍ୟବହୃତ ବିଦ୍ୟୁତ୍ ଶକ୍ତିର ମାପ ଦିନସାରା ସମାନ ନଥାଏ । ସକାଳେ କମ୍, ସନ୍ଧ୍ୟା ସମୟରେ ସର୍ବାଧିକ ଓ ରାତିରେ କମ୍ ବିଦ୍ୟୁତ୍ ଶକ୍ତି ବ୍ୟବହୃତ ହୁଏ । ଦିନସାରାରେ ବ୍ୟବହୃତ ବିଦ୍ୟୁତ୍ ଶକ୍ତିର ଅଧିକାଂଶ ଭାଗ ତାପଜ ବା ନ୍ୟୁକ୍ଳୀୟ ବିଦ୍ୟୁତ୍ ପରିପୂରଣ କରିଥାଏ । କିନ୍ତୁ ଦିନର ଯେ କୌଣସି ସମୟରେ ବିଦ୍ୟୁତ୍ ଚାହିଦା ବଢ଼ିଲେ ତୁରନ୍ତ ଜଳ ବିଦ୍ୟୁତ୍ ସୃଷ୍ଟି କରାଯାଇପାରିବ । ଏହି ପ୍ରକାରର ଜଳ ବିଦ୍ୟୁତ୍ ପ୍ରକଳ୍ପରୁ ପ୍ରାୟ କୌଣସି ବର୍ଯ୍ୟବସ୍ତୁ ନିଷ୍କାସନର ଆବଶ୍ୟକତା ନଥାଏ ଓ ଏଥିରୁ ବାହାରୁଥିବା ସବୁଜଘର ଗ୍ୟାସର ପରିମାଣ ଖୁବ୍ କମ୍ । [2]