![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/f/f4/Johann_Zarco_leads_the_pack_2017_Sepang.jpg/640px-Johann_Zarco_leads_the_pack_2017_Sepang.jpg&w=640&q=50)
ଗ୍ରଁ-ପ୍ରି ମୋଟରସାଇକେଲ୍ ଦୌଡ଼
From Wikipedia, the free encyclopedia
ଗ୍ରଁ-ପ୍ରି ମୋଟରସାଇକେଲ୍ ଦୌଡ଼ (ଇଂରାଜୀରେ Grand Prix motorcycle racing) ହେଉଛି ବିଶ୍ୱର ସର୍ବୋତ୍ତମ ମୋଟରସାଇକେଲ୍ ବା ମୋଟର ବାଇକ୍ ଦୌଡ଼ ପ୍ରତିଯୋଗିତା । ଅନ୍ତର୍ଜାତୀୟ ମୋଟରସାଇକେଲ୍ ଦୌଡ଼ ମହାସଂଘ (ଏଫ୍. ଆଇ. ଏମ୍. - Fédération Internationale de Motocyclisme) ତତ୍ତ୍ୱାବଧାନରେ ଏହି ଦୌଡ଼ ପ୍ରତିଯୋଗିତାର ଆୟୋଜନ ଓ ସଞ୍ଚାଳନ କରାଯାଇଥାଏ । ବିଂଶ ଶତାବ୍ଦୀର ପ୍ରାରମ୍ଭରୁ ସ୍ୱତନ୍ତ୍ର ଭାବେ ବିଭିନ୍ନ ମୋଟରସାଇକେଲ୍ ଦୌଡ଼ର ଆୟୋଜନ କରାଯାଇ ଆସୁଥିଲା[1] ଓ ସାମାନ୍ୟ ବଡ଼ ଧରଣର ଜାତୀୟ ସ୍ତରର ପ୍ରତିଯୋଗିତାମାନଙ୍କୁ ଗ୍ରଁ-ପ୍ରି ଭାବେ ଅଭିହିତ କରାଯାଉଥିଲା ।[2] ୧୯୪୯ ମସିହାରେ ଅନ୍ତର୍ଜାତୀୟ ମୋଟରସାଇକେଲ୍ ଦୌଡ଼ ମହାସଂଘର ସ୍ଥାପନା ପରେ ନିୟମାବଳୀ ପ୍ରଣୟନ କରାଯାଇ ଅନ୍ତର୍ଜାତୀୟ ସ୍ତରରେ ମୋଟରସାଇକେଲ୍ ଦୌଡ଼ର ଆୟୋଜନ ହେଲା ଯାହାକୁ ଇଂରାଜୀରେ FIM Road Racing World Championship Grand Prix ବୋଲି କୁହାଯାଉଥିଲା । ମୋଟରସାଇକେଲ୍ ଦୌଡ଼ ବିଶ୍ୱର ସର୍ବ ପୁରାତନ ମୋଟର ଦୌଡ଼ ପ୍ରତିଯୋଗିତା ।[3]
ଗ୍ରଁ-ପ୍ରିରେ ବ୍ୟବହୃତ ମୋଟର ସାଇକେଲ୍ ବିଶେଷରୂପେ ଦୌଡ଼ ପାଇଁ ଉଦ୍ଦିଷ୍ଟ । ସାଧାରଣ ଲୋକଙ୍କ କ୍ରୟ, ବ୍ୟବହାର ବା ସହରର ସଡ଼କରେ ଏଗୁଡ଼ିକୁ ଚଳାଇବା ମନା । ସାଧାରଣ ଜନତାଙ୍କ ପାଇଁ ନିର୍ମିତ ମୋଟର ସାଇକେଲ୍ମାନଙ୍କୁ କିଛି ମାତ୍ରାରେ ପରିବୃଦ୍ଧ କରି “ସୁପର୍ବାଇକ୍ ବିଶ୍ୱ ଚାମ୍ପିୟନ୍ଶିପ୍” ଓ “ଆଇଲ୍ ଅଫ୍ ମ୍ୟାନ୍ ଟିଟି ରେସ୍” ପରି ପ୍ରତିଯୋଗିତାର ଆୟୋଜନ କରାଯାଏ ଯାହା ଗ୍ରଁ-ପ୍ରି ମୋଟରସାଇକେଲ୍ ଦୌଡ଼ଠାରୁ ଭିନ୍ନ ।
ଗ୍ରଁ-ପ୍ରି ମୋଟରସାଇକେଲ୍ ଦୌଡ଼ ପ୍ରତିଯୋଗିତା ଚାରିଟି ବର୍ଗରେ ବିଭକ୍ତ – ମୋଟୋ ଜେନେରାଲ୍ ପ୍ରାକ୍ଟିସନର୍ (ମୋଟୋ ଜିପି), ମୋଟୋ-୨, ମୋଟୋ-୩ ଓ ମୋଟୋ-ଇ । ୨୦୧୯ ମସିହାରେ ମୋଟୋ-ଇ ନୂତନ ଭାବେ ଆରମ୍ଭ କରାଗଲା । ପ୍ରଥମ ତିନୋଟି ବର୍ଗରେ ୪ ଷ୍ଟ୍ରୋକ୍ ଇଞ୍ଜିନ୍ବିଶିଷ୍ଟ ମୋଟରସାଇକେଲ୍ ବ୍ୟବହୃତ ହେବାବେଳେ ଚତୁର୍ଥ ବର୍ଗରେ ଇଲେକ୍ଟ୍ରିକ୍ ମୋଟରବାଇକ୍ ବ୍ୟବହୃତ ହୋଇଥାଏ । ୨୦୧୯ କ୍ରୀଡ଼ାବର୍ଷରେ ସର୍ବମୋଟ ୧୯ଟି ଦୌଡ଼ (ୟୁରୋପରେ ୧୨, ଏସିଆରେ ୩, ଆମେରିକାରେ ୨, ଅଷ୍ଟ୍ରେଲିଆରେ ୧ ଓ ମଧ୍ୟ-ପୂର୍ବ ଏସିଆରେ ୧) ପ୍ରତିଯୋଗିତା ଅନୁଷ୍ଠିତ ହେବ ।