ଗୋମତେଶ୍ଵର ପ୍ରତିମୂର୍ତ୍ତି
From Wikipedia, the free encyclopedia
ଗୋମତେଶ୍ୱର ପ୍ରତିମା (କନ୍ନଡ଼ ଭାଷାରେ ಗೊಮ್ಮಟೇಶ್ವರ) ୫୭ ଫୁଟ୍ (୧୭ ମିଟର୍) ଉଚ୍ଚତାବିଶିଷ୍ଟ ଓ ଗୋଟିଏ ପ୍ରସ୍ତରରେ ଗଢ଼ା ଭଗବାନ ବାହୁବଳୀଙ୍କର ଏକ ବିରାଟକାୟ ମୂର୍ତ୍ତି । ଭାରତର କର୍ଣ୍ଣାଟକ ରାଜ୍ୟର ଶ୍ରବଣବେଳାଗୋଲା ସହରରେ ଥିବା ବିନ୍ଧ୍ୟଗିରି ନାମକ ପାହାଡ଼ ଉପରେ ଏହି ମୂର୍ତ୍ତିଟି ଅବସ୍ଥିତ । ଶ୍ରବଣବେଳାଗୋଲାରେ ଦୁଇଟି ପାହାଡ଼ ରହିଛି, ଗୋଟିକର ନାମ ବିନ୍ଧ୍ୟଗିରି ଓ ଅନ୍ୟଟିର ନାମ ଚନ୍ଦ୍ରଗିରି । ଗୋମତେଶ୍ୱର ପ୍ରତିମା ନିର୍ମିତ ହେବାର ବହୁ ପୂର୍ବରୁ ଏହି ଦୁଇଟି ପର୍ବତରେ ଜୈନ ଧାର୍ମିକସ୍ଥଳୀମାନ ବିକାଶ ଲାଭ କରିଥିଲେ ।
ଗୋମତେଶ୍ୱର ಗೊಮ್ಮಟೇಶ್ವರ ବାହୁବଳୀ | |
---|---|
Religion | |
ଅନୁବନ୍ଧଗୁଡ଼ିକ | ଜୈନ |
ଦେବାଦେବୀ | ବାହୁବଳୀ |
Location | |
ସ୍ଥାନ | ଶ୍ରବଣବେଳାଗୋଲା, ହାସାନ୍ ଜିଲ୍ଲା, କର୍ଣ୍ଣାଟକ, ଭାରତ |
ଭୌଗଳିକ ଅବସ୍ଥିତି | 12.854026°N 76.484677°E / 12.854026; 76.484677 |
ଜୈନ ଧର୍ମର ଭଗବାନ ବାହୁବଳୀଙ୍କ ଉଦ୍ଦେଶ୍ୟରେ ଗୋମତେଶ୍ୱର ପ୍ରତିମା ନିର୍ମିତ । ଖ୍ରୀ. ୯୮୩ ବେଳକୁ ଏହା ନିର୍ମିତ ହୋଇଥିଲା ଓ ମୁକ୍ତ ଭାବେ ବିନା କୌଣସି ସମର୍ଥନରେ ଦଣ୍ଡାୟମାନ ପ୍ରତିମାମାନଙ୍କ ମଧ୍ୟରେ ଏହା ଅନ୍ୟତମ ।[1] ପଶ୍ଚିମ ଗଙ୍ଗ ବଂଶର ରାଜୁତି କାଳରେ ସେମୀନଙ୍କର ଜଣେ ପ୍ରମୁଖ ମନ୍ତ୍ରୀ ତଥା ସେନାପତି ଚବୁନ୍ଦରାୟ ଏହି ପ୍ରତିମୂର୍ତ୍ତିର ନିର୍ମାଣ ଓ ସ୍ଥାପନା କରାଇଥିଲେ । ସେତେବେଳେ ଆଖପାଖର ଅଞ୍ଚଳରେ ଅନେକ ଜୈନ ମନ୍ଦିର ଓ ଅନେକ ତୀର୍ଥଙ୍କରଙ୍କ ପ୍ରତିମା ରହିଥିଲା । ଚନ୍ଦ୍ରଗିରି ପାହାଡ଼ଟି ପ୍ରଥମ ତୀର୍ଥଙ୍କର ଆଦିନାଥଙ୍କ ପୁତ୍ର ତଥା ଭଗବାନ ବାହୁବଳୀଙ୍କ ଭ୍ରାତା ଜୈନ ଭଗବାନ ଭରତଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ।
ପାହାଡ଼ ଶୀର୍ଷଦେଶରୁ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ମନୋରମ ଦୃଶ୍ୟ ଦେଖି ହେବ । ମହାମସ୍ତକାଭିଷେକ ନାମରେ ପାଳିତ ଏକ ଉତ୍ସବ ଦେଖିବାକୁ ପୃଥିବୀର ଅନେକ ସ୍ଥାନରୁ ତୀର୍ଥଯାତ୍ରୀ ଓ ଭକ୍ତ ଆସିଥାନ୍ତି ।[2] ଏହି ମହାମସ୍ତକାଭିଷେକ ଉତ୍ସବ ପ୍ରତି ୧୨ ବର୍ଷରେ ଥରେ ପାଳିତ ହୋଇଥାଏ । ଏହି ଉତ୍ସବ ଦିନ ଗୋମତେଶ୍ୱର ପ୍ରତିମୂର୍ତ୍ତିଙ୍କ ମୁଣ୍ଡ ପଟରୁ କ୍ଷୀର, କେଶର, ଘିଅ, ଆଖୁରସ ଇତ୍ୟାଦି ଢାଳି ତାଙ୍କର ଅଭିଷେକ ଓ ଅର୍ଚ୍ଚନା କରାଯାଇଥାଏ । ଏହି ଅଭିଷେକ ଯୋଗୁଁ ମୂର୍ତ୍ତିଟିରେ ଅପୂର୍ବ ସତେଜତା ଦେଖାଯାଏ ବୋଲି ହାଇନ୍ରିଖ୍ ଜିମ୍ମର୍ ମତ ଦେଇଥିଲେ ।[1] ୨୦୩୦ ମସିହାରେ ଆଗାମୀ ମହାମସ୍ତକାଭିଷେକ ଅନୁଷ୍ଠିତ ହେବ ।[3]
୨୦୦୭ ମସିହାରେ ଟାଇମ୍ସ୍ ଅଫ୍ ଇଣ୍ଡିଆ ଖବର କାଗଜଦ୍ୱାରା କରାଯାଇଥିବା ଏକ ସର୍ବେକ୍ଷଣରେ ଏହି ପ୍ରତିମୂର୍ତ୍ତିକୁ ଭାରତର ସପ୍ତାଶ୍ଚର୍ଯ୍ୟ ରୂପେ ମାନ୍ୟତା ଦେବା ପାଇଁ ଅନେକ ଲୋକ ମତ ରଖିଥିଲେ । ସମୁଦାୟ ମତର ୪୯% ଲୋକ ଏହାର ସପକ୍ଷରେ ମତ ଦେଇଥିଲେ ।[4]