କ୍ରାନ୍ତୀୟ ଘୁର୍ଣ୍ଣିବାତ୍ୟାଙ୍କ ନାମକରଣ
From Wikipedia, the free encyclopedia
ବିଭିନ୍ନ ଝଡ଼ ବା ବାତ୍ୟା ସତର୍କ କେନ୍ଦ୍ର ନିଜ ନିଜ ମଧ୍ୟରେ ଯୋଗାଯୋଗ ବେଳେ ଓ ସାଧାରଣ ଜନତାଙ୍କୁ ଆସନ୍ନ ବାତ୍ୟାର ସୂଚନା ଦେବାବେଳେ ସୁବିଧା ପାଇଁ, କ୍ରାନ୍ତୀୟ ଓ ଉପ-କ୍ରାନ୍ତୀୟ ଘୁର୍ଣ୍ଣିବାତ୍ୟାମାନଙ୍କର ନାମକରଣ କରାଯାଇଥାଏ । ଏକ ଅଞ୍ଚଳରେ ବାରମ୍ବାର ଘୁର୍ଣ୍ଣିବାତ୍ୟା ସୃଷ୍ଟି ହେଉଥିଲେ ଅଲଗା ଅଲଗା ନାମ ରଖିବାଦ୍ୱାରା ସେମାନଙ୍କ ସମ୍ପର୍କିତ ଭ୍ରାନ୍ତି ଦୂର ହୁଏ । ସାଧାରଣତଃ ବାତ୍ୟାରେ ପବନର ବେଗ ୩୩ ନଟ୍ସ୍ (୬୧ କି.ମି. ପ୍ରତି ଘଣ୍ଟା ବା ୩୮ ମାଇଲ୍ ପ୍ରତି ଘଣ୍ଟା) ଅତିକ୍ରମ କରି ଦୀର୍ଘ ସମୟ ପର୍ଯ୍ୟନ୍ତ ଏପରି ବେଗ ବଜାୟ ରଖିଲେ, ସେମାନଙ୍କ ନାମକରଣ କରାଯାଏ । ଯେଉଁ ବେସିନ୍ ବା ସାମୁଦ୍ରିକ ଉତ୍ସରୁ ଏମାନେ ସୃଷ୍ଟି ହୁଅନ୍ତି, ତାହା ଅନୁସାରେ ନାମକରଣ କରାଯାଏ । ବେଳେବେଳେ ଏହି ନାମକରଣ ସଂଜ୍ଞାରେ ବ୍ୟତିକ୍ରମ ଦେଖାଯାଏ : ଯଥା କେତେକ କ୍ରାନ୍ତୀୟ ବଳୟ ଘୁର୍ଣ୍ଣିବାତ୍ୟା ପଶ୍ଚିମ ପ୍ରଶାନ୍ତ ମହାସାଗରର ନାମକରଣ ତାଲିକା ବ୍ୟବହାର କରନ୍ତି । କ୍ରାନ୍ତୀୟ ବାତ୍ୟାର ବେଗ ବା ବଳ ଏକ ନିର୍ଦ୍ଦିଷ୍ଟ ବେଗ ପାର କରିବା ପରେ ଦକ୍ଷିଣ ଗୋଲାର୍ଦ୍ଧରେ ଏହା ନାମକରଣ ପାଇଁ ଯୋଗ୍ୟ ବିବେଚିତ ହୁଏ ।
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ନାମକରଣ ପ୍ରକ୍ରିୟାର ପ୍ରଚଳନ ପୂର୍ବରୁ କ୍ରାନ୍ତୀୟ ବାତ୍ୟାଗୁଡିକୁ ସେମାନେ ପ୍ରଭାବିତ କରୁଥିବା ସ୍ଥାନ, ବିଭିନ୍ନ ବସ୍ତୁ, ଘଟୁଥିବା ଦିନ ଅନୁସାରେ ସେମାନଙ୍କ ନାମ ରଖାଯାଉଥିଲା । ଅଷ୍ଟ୍ରେଲିଆର କ୍ୱିନ୍ସ୍ଲ୍ୟାଣ୍ଡ୍ ସରକାରୀ ପାଣିପାଗ ବିଭାଗର ପାଣିପାଗ ବିଜ୍ଞାନୀ କ୍ଲେମୋଁ ରାଗ୍ଗ୍ (Clement Wragge)ଙ୍କୁ ବାତ୍ୟା ନାମକରଣ ପ୍ରକ୍ରିୟାର ଶ୍ରେୟ ଯାଇପାରେ, ଯିଏ ୧୮୮୭ରୁ ୧୯୦୭ ମଧ୍ୟରେ ଅନେକ ବାତ୍ୟାଙ୍କୁ ବ୍ୟକ୍ତିଗତ ନାମ ଦେଇଥିଲେ । କ୍ଲେମୋଁ ଅବସର ନେବା ପରେ ଏପରି ନାମକରଣ ପଦ୍ଧତି ଅନେକ ବର୍ଷ ପର୍ଯ୍ୟନ୍ତ କେହି ବ୍ୟବହାର କଲେନାହିଁ । କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପଶ୍ଚିମ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ପୁଣି ନାମକରଣ ଉପାୟ ବ୍ୟବହୃତ ହେବା ଆରମ୍ଭ ହେଲା । ପରବର୍ତ୍ତୀ ସମୟରେ ପୂର୍ବ, କେନ୍ଦ୍ର, ପଶ୍ଚିମ ଓ ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ, ଅଷ୍ଟ୍ରେଲୀୟ ଅଞ୍ଚଳ, ଆଟ୍ଲାଣ୍ଟିକ୍ ମହାସାଗରୀୟ ଓ ଭାରତୀୟ ମହାସାଗରୀୟ ବାତ୍ୟାମାନଙ୍କ ପାଇଁ ନାମକରଣ ପଦ୍ଧତି ସ୍ଥିରୀକୃତ ହେଲା ଏବଂ ବାତ୍ୟାମାନଙ୍କ ନାମ ତାଲିକା ପ୍ରକାଶ କରାଗଲା ।