ତିବ୍ଦତ ସ୍ୱୟଂଶାସିତ ଅଞ୍ଚଳର ଧାର୍ମିକ ପର୍ବତ From Wikipedia, the free encyclopedia
କୈଳାସ ପର୍ବତ ବା କୈଳାସଗିରି ବା କେବଳ କୈଳାସ (ଇଂରାଜୀରେ Mount Kailash ବା Kailasa; ତିବ୍ବତୀୟ ଭାଷାରେ କାଂରିଂପୋଛେ ବା ଗାଂଗ୍ ରିଂପୋଛେ; གངས་རིན་པོ་ཆེ) ଚୀନର ସ୍ୱୟଂଶାସିତ ତିବ୍ବତ ଅଞ୍ଚଳସ୍ଥ ଟ୍ରାନ୍ସହିମାଳୟ ପର୍ବତମାଳାର ଏକ ପର୍ବତଶୃଙ୍ଗ । ସମୁଦ୍ରପତନରୁ କୈଳାସର ଉଚ୍ଚତା ୬୬୩୮ ମିଟର (୨୧୭୭୮ ଫୁଟ) ।
କୈଳାସ ପର୍ବତ | |
---|---|
ଗାଂଗ୍ ରିଂପୋଛେ (གངས་རིན་པོ་ཆེ) | |
Elevation | ୬୬୩୮ ମିଟର |
Prominence | ୧୩୧୯ ମିଟର |
Location | |
Location | ତିବ୍ବତ, ଚୀନ |
Range | ଟ୍ରାନ୍ସ-ହିମାଳୟ |
Coordinates | 31°4′0″N 81°18′45″E |
Climbing | |
First ascent | ଅଦ୍ୟାବଧି ଅନାରୋହିତ |
ମାନସରୋବର ହ୍ରଦ ଓ ରାକ୍ଷାସତାଲ ହ୍ରଦ ନିକଟରେ ଏହି ପର୍ବତ ଅବସ୍ଥିତ । ଏହି ପର୍ବତ ଆଖପାଖରୁ ସିନ୍ଧୁ, ବ୍ରହ୍ମପୁତ୍ର, ଶତଲେଜ, କର୍ଣ୍ଣାଳୀ (ଘାଘରା) ପ୍ରଭୃତି ନଦୀ ନିଃସୃତ ହୋଇଛନ୍ତି । ହିନ୍ଦୁ, ବୌଦ୍ଧ, ଜୈନ ଓ ବୋନ ଧର୍ମରେ କୈଳାସ ପର୍ବତକୁ ଅତି ପବିତ୍ର ବୋଲି ବିଶ୍ୱାସ ରହିଛି ।
ସଂସ୍କୃତ ଭାଷାରେ ଏହି ପର୍ବତର ନାମ କୈଳାସଃ ବା କୈଳାଶଃ ।[2][3] ଏହି ଶବ୍ଦଟି "ସ୍ଫଟିକ"କୁ ସୂଚାଉଥିବା ଶବ୍ଦ କେଳାସରୁ ସୃଷ୍ଟି ହୋଇଥିବା ସମ୍ଭବପର ।[4] ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ “କେଳାସ” ଶବ୍ଦର ଦୁଇଟି ଅର୍ଥ ଲିଖିତ । ଗୋଟିଏ “ସ୍ଫଟିକ” ଓ ଅନ୍ୟଟି “(ସ୍ଫଟିକ ପରି ସ୍ୱଚ୍ଛ ହୋଇଥିବାରୁ) କୈଳାସ ପର୍ବତ” ।[5] ଚନ୍ଦ୍ରଙ୍କ ତିବ୍ବତୀୟ-ଇଂରାଜୀ ଅଭିଧାନରେ (୧୯୦୨, ପୃଷ୍ଠା ୩୨) କୈ ଲା ସା ବୋଲି ଏକ ଶବ୍ଦ ସ୍ଥାନ ପାଇଛି ଯାହା ସଂସ୍କୃତ ଶବ୍ଦରୁ ଉଦ୍ଧୃତ ।[6]
ସାମାନ୍ୟ ତିବ୍ବତୀୟ ଭାଷାରେ କୈଳାସ ପର୍ବତର ନାମ ହେଲା – ଗାଂଗ୍ ରିଂପୋଛେ (གངས་རིན་པོ་ཆེ)। ତିବ୍ବତୀୟ ଭାଷାରେ ଗାଂଗ୍ ଶବ୍ଦର ଅର୍ଥ ହେଲା ହିମାବୃତ ଶୃଙ୍ଗ ବା ତୁଷାରାଚ୍ଛନ୍ନ ଶୃଙ୍ଗ ଏବଂ ରିଂପୋଛେ ଶବ୍ଦର ଅର୍ଥ ହେଲା ମୂଲ୍ୟବାନ । ତେଣୁ ଗାଂଗ୍ ରିଂପୋଛେ ଅର୍ଥ ‘ହିମାବୃତ ଶୃଙ୍ଗଙ୍କ ମଧ୍ୟରେ ମୂଲ୍ୟବାନ ମଣି (ଶ୍ରେଷ୍ଠ)’ ବୋଲି ବୁଝିବାକୁ ହେବ । ଏଲିସ୍ ଆଲ୍ବିନିଆ କୈଳାସର ଅନେକ ନାମ ଓ ବିଭିନ୍ନ ଧାର୍ମିକ ବିଶ୍ୱାସରେ ସେମାନଙ୍କ ମହତ୍ତ୍ୱ ବର୍ଣ୍ଣନା କରିଛନ୍ତି :
"ତିବ୍ବତୀୟ ବୌଦ୍ଧମାନେ କୈଳାସକୁ “କାଂଗ୍ରି ରିଂପୋଛେ” (ମୂଲ୍ୟବାନ ହିମାବୃତ ପର୍ବତ) ବୋଲି କୁହନ୍ତି । ବୋନ ଲେଖାମାନଙ୍କରେ କୈଳାସକୁ ‘ଜଳର ପୁଷ୍ପ’, ‘ସମୁଦ୍ରଜଳର ପର୍ବତ’, ‘୯ ସୋପାନବିଶିଷ୍ଟ ସ୍ୱସ୍ତିକା ପର୍ବତ’ ବୋଲି ବର୍ଣ୍ଣନା କରାଯାଇଛି । ହିନ୍ଦୁମାନେ କୈଳାସ ପର୍ବତକୁ ମହାଦେବ ଶିବଙ୍କ ଆବାସସ୍ଥଳୀ ବୋଲି ବିଶ୍ୱାସ କରନ୍ତି । ଜୈନମାନେ ବିଶ୍ୱାସ କରନ୍ତି ଯେ ତାଙ୍କର ପ୍ରଥମ ଧର୍ମଗୁରୁ କୈଳାସରେ ଜ୍ଞାନାଲୋକ ପ୍ରାପ୍ତ କରିଥିଲେ । ବୌଦ୍ଧଙ୍କ ପାଇଁ କୈଳାସ ସମଗ୍ର ବ୍ରହ୍ମାଣ୍ଡର ନାଭି ଓ ବୋନ ଧର୍ମୀଙ୍କ ପାଇଁ କୈଳାସ ହେଲା ଆକାଶର ଦେବୀ ସିପାଇମେନଙ୍କ ଆବାସସ୍ଥଳ ।"[7]
ଝାଂଗ୍ ଝୁଆଂଗ୍ ଭାଷାରେ କୈଳାସ ପର୍ବତର ଆଉ ଏକ ନାମ ହେଲା ତି ସେ ପର୍ବତ । ଏହି ନାମଟି ସେହି ଭାଷାର ଶବ୍ଦ ତି ତ୍ସେରୁ ଗୃହୀତ, ଯାହାର ଅର୍ଥ ହେଲା “ଜଳ ଶୃଙ୍ଗ” ବା “ନଦୀ ଶୃଙ୍ଗ” । ଏହି ପର୍ବତରୁ ପୌରାଣିକ ସିଂହ ସ୍ରୋତ, ମୟୂର ସ୍ରୋତ ଏବଂ ହସ୍ତୀ ସ୍ରୋତ ବାହାରିଥିବାରୁ ଏପରି ନାମ ରଖାଯାଇଛି । ପ୍ରକୃତରେ କୈଳାସ ନିକଟସ୍ଥ ମାନସରୋବର ଅଞ୍ଚଳରୁ ସିନ୍ଧୁ ନଦୀ, ୟାରଲୁଂ ତ୍ସାଙ୍ଗପୋ ନଦୀ, ଝେଲମ ନଦୀ ଓ ଘାଘରା ନଦୀ ବାହାରିଛନ୍ତି ।[8]
କୈଳାସ ପର୍ବତ ଏବଂ ସିନ୍ଧୁ ନଦୀର ଉତ୍ପତ୍ତି ସ୍ଥଳର ଭୂବୈଜ୍ଞାନିକ ଅଧ୍ୟୟନରୁ ଏଠାକାର ଶିଳା କ୍ରିଟେସିୟସ୍ କଳ୍ପରୁ ନେଇ ସେନୋଜୋଇକ୍ କଳ୍ପ ସମୟର ବୋଲି ଅନୁମାନ କରାଯାଉଛି । ଏହି ଅଞ୍ଚଳରେ ସ୍ତରୀଭୂତ ଶିଳା ପ୍ରମୁଖ ଉପାଦାନ ହୋଇଥିବା ବେଳେ ସ୍ଥାନେ ସ୍ଥାନେ ଆଗ୍ନେୟ ଶିଳା ମଧ୍ୟ ପରିଲକ୍ଷିତ ହୋଇଥାଏ । କୈଳାସ ପର୍ବତ ଏକ ବୃହତ ମୁଗୁନି ପଥର ଭିତ୍ତି ଉପରେ ଦଣ୍ଡାୟମାନ । ଟେଥିଜ୍ ସାଗର ପୋତି ହେବା ପରେ ସେଠାରେ ସେନୋଜୋଇକ୍ କାଳରୁ ରହିଥିବା ସାମୁଦ୍ରିକ ଚୂନପଥର କୈଳାସର ଶୈଳସଜ୍ଜାର ଅଂଶ ପାଲଟିଯାଇଛି । ଭାରତୀୟ ପ୍ଲେଟ୍ ଏସୀୟ ପ୍ଲେଟ୍ ସହ ଧକ୍କା ପୂର୍ବରୁ ଏହି ସ୍ତରୀଭୂତ ଶିଳାଗଣ ସୃଷ୍ଟି ହୋଇଥିଲେ ।[9][10]
କୈଳାସ ପର୍ବତ ଉପରେ ମହାଦେବ ଶିବ ନିଜ ପତ୍ନୀ ମାତା ପାର୍ବତୀ, ଦୁଇ ପୁତ୍ର ଗଣେଶ ଓ କାର୍ତ୍ତିକେୟଙ୍କ ସହ ବାସ କରନ୍ତି ବୋଲି ହିନ୍ଦୁ ଧର୍ମାବଲମ୍ବୀମାନେ ବିଶ୍ୱାସ କରନ୍ତି ।
ଲେଖକ ଚାର୍ଲସ୍ ଆଲେନ୍ ବିଷ୍ଣୁ ପୁରାଣରେ କୈଳାସ ପର୍ବତ ବିଷୟରେ ବର୍ଣ୍ଣନା ରହିଥିବା କଥା ଉଲ୍ଲେଖ କରିଛନ୍ତି । ବିଷ୍ଣୁପୁରାଣରେ କୈଳାସର ଚାରି ପାର୍ଶ୍ୱକୁ ସ୍ଫଟିକ, ରୁବି, ସୁନା ଓ ଲାପିସ୍ ଲାଜୁଲିରେ ଗଠିତ ବୋଲି ସେ ଲେଖିଛନ୍ତି ।[11] ୬ଟି ପର୍ବତଦ୍ୱାରା ଘେରି ହୋଇ ରହିଥିବା କୈଳାସ ଏକ ପଦ୍ମପୁଷ୍ପର ମଧ୍ୟଭାଗ ପରି ବୋଲି ପୁରାଣରେ କୁହାଯାଇଛି ।[11]
ରାବଣାନୁଗ୍ରହ ପୌରାଣିକ ଗଳ୍ପରେ କୈଳାସ ପର୍ବତର ଉଲ୍ଲେଖ ରହିଛି । ଶିବଭକ୍ତ ରାବଣ ମହାଦେବଙ୍କୁ ସପରିବାର ଲଙ୍କାକୁ ସ୍ଥାନାନ୍ତରିତ ହେବାକୁ ପ୍ରାର୍ଥନା କରିଥିଲା । ଶିବ ଏହାକୁ ଅଗ୍ରାହ୍ୟ କରନ୍ତେ ରାବଣ କୈଳାସ ପର୍ବତ ଉପାଡ଼ି ଦେବାକୁ ଉଦ୍ୟମ କରିଥିଲା । ରାବଣର ଗର୍ବ ଭାଙ୍ଗିବା ପାଇଁ ଶିବ ନିଜ ପାଦର ବୁଢ଼ାଆଙ୍ଗୁଠିରେ କୈଳାସ ଓ ତାହାକୁ ଧରିଥିବା ରାବଣକୁ ଦବାଇ ରଖିଲେ ।[12] ରାବଣ ଶିବଙ୍କ ଉଦ୍ଦେଶ୍ୟରେ ସ୍ୱରଚିତ ଶିବତାଣ୍ଡବ ସ୍ତୋତ୍ର ଗାଇ ଶିବଙ୍କୁ ତୁଷ୍ଟ କରିବାରୁ ଶିବ ତାହାକୁ କ୍ଷମା ପ୍ରଦାନ କରିଥିଲେ ।[13] [14] କୈଳାସ ଓ ମାନସରୋବର ରହିଥିବାରୁ ସ୍କନ୍ଧ ପୁରାଣରେ ହିମାଳୟକୁ ପର୍ବତଙ୍କ ମଧ୍ୟରେ ଶ୍ରେଷ୍ଠ ବୋଲି କୁହାଯାଇଛି । ଶ୍ରୀମଦ ଭଗବତ ଗୀତାରେ ଶ୍ରୀକୃଷ୍ଣ ନିଜକୁ ସମସ୍ତ ପର୍ବତଙ୍କ ମଧ୍ୟରେ କୈଳାସ (ମେରୁ) ବୋଲି କହିଛନ୍ତି । ରାମାୟଣ କାବ୍ୟର କିସ୍କିନ୍ଧା କାଣ୍ଡ ଓ ବାଳ କାଣ୍ଡରେ ଏବଂ ମହାଭାରତ କାବ୍ୟର ଭୀଷ୍ମ ପର୍ବ, ଦ୍ରୋଣ ପର୍ବ, ବନ ପର୍ବ ଓ ଅନୁଶାସନ ପର୍ବରେ କୈଳାସ ପର୍ବତର ଉଲ୍ଲେଖ ରହିଛି । ଏହା ବ୍ୟତୀତ କବୀରଙ୍କ ଗୀତ ଓ ଆଦି ଶଙ୍କରାଚାର୍ଯ୍ୟଙ୍କ ଚନ୍ଦ୍ରଶେଖର ଅଷ୍କକରେ ମଧ୍ୟ କୈଳାସର ଉଲ୍ଲେଖ ରହିଛି । [15]
ଜୈନ ଶାସ୍ତ୍ର ଅଷ୍ଟପଦ ଅନୁସାରେ ପ୍ରଥମ ଜୈନ ତୀର୍ଥଙ୍କର ଋଷଭନାଥଙ୍କୁ କୈଳାସସଂଲଗ୍ନ ପର୍ବତରେ ମୋକ୍ଷପ୍ରାପ୍ତି ହୋଇଥିଲା ।[16] ଜୈନ ପରମ୍ପରାନୁଯାୟୀ ଋଷଭନାଥ ନିର୍ବାଣ ଲାଭ କରିବା ପରେ ତାଙ୍କ ପୁତ୍ର ଚକ୍ରବର୍ତ୍ତୀ ସମ୍ରାଟ ଭରତ ସେଠାରେ ତିନୋଟି ସ୍ତୁପ, ୨୪ ତୀର୍ଥଙ୍କରଙ୍କ ପାଇଁ ୨୪ଟି ପୀଠ ଓ ମୂଲ୍ୟବାନ ପଥର ଖଚିତ ୨୪ଟି ମୂର୍ତ୍ତି ନିର୍ମିତ କରାଇଥିଲେ ।[17]
ଜୈନ କଥା ଅନୁସାରେ ଶେଷ (୨୪ତମ) ତୀର୍ଥଙ୍କର ବର୍ଦ୍ଧମାନ ମହାବୀରଙ୍କ ଜନ୍ମ ପରେ ଇନ୍ଦ୍ର ମହାବୀରଙ୍କ ମାତା ତ୍ରିଶାଳାଙ୍କୁ ଗଭୀର ନିଦ୍ରାରେ ଶୁଆଇ ଦେଇ ମହାବୀରଙ୍କୁ ଧରି ମେରୁ ପର୍ବତର ଶିଖରକୁ ଚାଲି ଯାଇଥିଲେ । ସେଠାରେ ମହାବୀରଙ୍କୁ ସ୍ନାନ କରାଇ ଅଭିଷିକ୍ତ କରାଯାଇଥିଲା ।[18][19]
ବୌଦ୍ଧ ଶାସ୍ତ୍ରମାନଙ୍କରେ କୈଳାସ ପର୍ବତକୁ “ମେରୁ ପର୍ବତ” ବୋଲି କୁହାଯାଇଛି । ବୌଦ୍ଧ ସଂସ୍କୃତିରେ କୈଳାସ ଏକ ମୁଖ୍ୟ ତୀର୍ଥସ୍ଥଳ ଭାବେ ପରିଗଣିତ ।[20]
ବଜ୍ରଯାନ ବୌଦ୍ଧ ଧର୍ମାବଲମ୍ବୀମାନେ କୈଳାସକୁ ଚକ୍ରସମ୍ବର ବୁଦ୍ଧଙ୍କ (ବା ଡେମଚୋକ) ଆବାସସ୍ଥଳୀ ବୋଲି ବିଶ୍ୱାସ କରନ୍ତି ।[21] ଡେମଚୋକ ହେଉଛନ୍ତି ପରମାନନ୍ଦର ପ୍ରତୀକ ।
ଖ୍ରୀଷ୍ଟାବ୍ଦ ୭ମ-୮ମ ଶତାବ୍ଦୀରେ ତିବ୍ବତ ଅଞ୍ଚଳରେ ବୌଦ୍ଧ ଧର୍ମର ପ୍ରଚାର ଓ ପ୍ରସାରର ଶ୍ରେୟ ପଦ୍ମସମ୍ଭବ ତନ୍ତ୍ର ପରମ୍ପରାକୁ ଦିଆଯାଏ ଓ ଏହି ପରମ୍ପରାର ଅନେକ ପୀଠ କୈଳାସରେ ବିକ୍ଷିପ୍ତ ଭାବରେ ରହିଛନ୍ତି ।[22]
ଏକ ଲୋକକଥାନୁସାରେ, ବଜ୍ରଯାନ ତାନ୍ତ୍ରିକ ମିଳାରେପା (ଆନୁମାନିକ ୧୦୫୨ରୁ ୧୧୩୫) ବୋନ ତାନ୍ତ୍ରିକ ନାରୋ ବୋଞ୍ଚୁଂଗଙ୍କୁ ଆହ୍ୱାନ ଦେବା ପାଇଁ ତିବ୍ବତରେ ପହଞ୍ଚିଥିଲେ । ଉଭୟ ତାନ୍ତ୍ରିକ ଏକ ତନ୍ତ୍ରଯୁଦ୍ଧରେ ମାତିଗଲେ କିନ୍ତୁ କେହି ବିଜୟଲାଭ କରିପାରିଲେ ନାହିଁ । ଯିଏ ସର୍ବ ପ୍ରଥମେ କୈଳାସ ପର୍ବତ ଉପରକୁ ଚଢ଼ିପାରିବ ତାକୁ ବିଜୟୀ ଘୋଷିତ କରାଯିବ ବୋଲି ସ୍ଥିର କରାଗଲା । ନାରୋ ବୋଞ୍ଚୁଂଗ୍ ନିଜ କୁହୁକ ଢୋଲ ଉପରେ ବସି କୈଳାସ ଆରୋହଣ କରିବା ଆରମ୍ଭ କଲେ । ମିଳାରେପା କିନ୍ତୁ ଧ୍ୟାନମଗ୍ନ ବସି ରହିବା ତାଙ୍କ ସମର୍ଥକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଥିଲା । ନାରୋ ବୋଞ୍ଚୁଂଗ୍ ଶିଖରକୁ ପହଞ୍ଚିବାକୁ ଆଉ ଅଳ୍ପ ବାଟ ଥିବା ବେଳେ ହଠାତ୍ ମିଳାରେପା ସୂର୍ଯ୍ୟକିରଣଙ୍କୁ ନିଜ ବାହନ କରି ତୁରନ୍ତ ଶିଖରକୁ ଚଢ଼ିଯାଇଥିଲେ ଓ ବିଜୟୀ ହୋଇଥିଲେ । ସେ କୈଳାସ ଉପରେ କିଛି ତୁଷାର ଛିଞ୍ଚି ଦେଇଥିଲେ ଯାହାକୁ ବୋନ୍ରି କୁହାଯାଏ ଓ ଏହି ଅଞ୍ଚଳ ସହିତ ରହିଥିବା ବୋନ୍ପୋ ସମ୍ପର୍କକୁ ପୃଷ୍ଠପୋଷକତା ପ୍ରଦାନ କରିଥାଏ ।[23][24][25]
ତିବ୍ବତରେ ଜାତ ବୋନ ଧର୍ମରେ ରହସ୍ୟମୟ କୈଳାସକୁ "ନଅ ତଳବିଶିଷ୍ଟ ସ୍ୱସ୍ତିକା ପର୍ବତ" ଓ ଜଗତର ଅକ୍ଷ “ତାଗ୍ଜିଗ୍ ଓଲ୍ମୋ ଲୁଂଗ୍ ରିଂଗ୍” ବୋଲି କୁହାଯାଏ ।
ହଜାର ବର୍ଷରୁ ରହି ଆସିଥିବା ପରମ୍ପରା ଅନୁଯାୟୀ ପ୍ରତିବର୍ଷ ବହୁ ସଂଖ୍ୟକ ତୀର୍ଥଯାତ୍ରୀ କୈଳାସ ଅଭିମୁଖେ ଯାତ୍ରା କରିଥାନ୍ତି । ଅନେକ ଧର୍ମାବଲମ୍ବୀ ତୀର୍ଥଯାତ୍ରୀ ବିଶ୍ୱାସ କରନ୍ତି ଯେ ଚାଲି ଚାଲି କୈଳାସ ପର୍ବତର ପ୍ରଦକ୍ଷିଣା କଲେ ସୌଭାଗ୍ୟ ଲାଭ ହୋଇଥାଏ । ହିନ୍ଦୁ ଓ ବୌଦ୍ଧମାନେ ଘଣ୍ଟାକଣ୍ଟା ଦିଗରେ ଏବଂ ଜୈନ ଓ ବୋନମାନେ ଘଣ୍ଟାକଣ୍ଟା ବିପରୀତ ଦିଗରେ ପ୍ରଦକ୍ଷିଣା କରିଥାନ୍ତି ।[26]
କୈଳାସର ପରିକ୍ରମା ପଥ ୫୨ କିଲୋମିଟର ଦୀର୍ଘ । କିଛି ତୀର୍ଥଯାତ୍ରୀଙ୍କ ଅନୁସାରେ ଗୋଟିଏ ଦିନରେ ଏହି ପରିକ୍ରମା ସମ୍ପୂର୍ଣ୍ଣ ହେବା ଉଚିତ । କିନ୍ତୁ ଗୋଟିଏ ଦିନରେ ଓ ନିମ୍ନ ତାପମାତ୍ରାରେ ଏହି ପରିକ୍ରମା କରିବା ଆଦୌ ସରଳ କାର୍ଯ୍ୟ ନୁହେଁ । ଉତ୍ତମ ସ୍ୱାସ୍ଥ୍ୟାବସ୍ଥାରେ ଥିବା ଜଣେ ମନୁଷ୍ୟ ୧୫ ଘଣ୍ଟା ଚାଲିଲେ ଏହି ପ୍ରଦକ୍ଷିଣା ସମ୍ପୂର୍ଣ୍ଣ ହୋଇପାରେ । ବନ୍ଧୁର ପଥ, ଉଚ୍ଚତା ବେମାରୀ ଓ ଅସହ୍ୟ ଥଣ୍ଡା ଓ କାଲୁଆ ପବନ ସତ୍ତ୍ୱେ କିଛି ଭକ୍ତ ଏହି ପ୍ରଦକ୍ଷିଣା ପୂର୍ଣ୍ଣ କରିବାରେ ସମର୍ଥ ହୋଇଥାନ୍ତି । ଆଉ କିଛି ଭକ୍ତ ପଥସାରା ଆଣ୍ଠୁରେ ବସି ସାଷ୍ଟାଙ୍ଗ ପ୍ରଣାମ କରି ପ୍ରଦକ୍ଷିଣା କରନ୍ତି ଯାହା ଅଧିକ କଷ୍ଟଦାୟକ । ଏପରି କରିବାକୁ ଅତି କମରେ ଚାରି ସପ୍ତାହ ପର୍ଯ୍ୟନ୍ତ ଶାରୀରିକ କଷ୍ଟ ଭୋଗ କରିବାକୁ ପଡ଼ିଥାଏ । କୈଳାସ ପର୍ବତ ନିକଟରେ ପହଞ୍ଚିବା ପାଇଁ ତିବ୍ବତୀୟ ହିମାଳୟର ଦୁର୍ଗମ୍ୟ ପଥ ଓ ଅସହ୍ୟ ଜଳବାୟୁ ଅତିକ୍ରମ କରିବାକୁ ପଡ଼ିଥାଏ । ଆଧୁନିକ କାଳରେ ଯାତ୍ରାପଥରେ ତୀର୍ଥଯାତ୍ରୀଙ୍କ ବସିବା ଓ ଶୋଇବା ପାଇଁ ବିଶ୍ରାମ ସ୍ଥାନ, ମେଜ, ରିଫ୍ରେସମେଣ୍ଟ୍ କିଓସ୍କ ଆଦି ସ୍ଥାପିତ ହୋଇଛି । ଯେହେତୁ ସବୁ ଧର୍ମ ପାଇଁ କୈଳାସ ଏକ ପବିତ୍ର ସ୍ଥଳ, ତେଣୁ ଏହା ଉପରେ ପାଦ ଦେବା ସବୁ ଧର୍ମରେ ମହାପାପ ବୋଲି କୁହାଯାଇଛି । କୈଳାସରୁ ସ୍ୱର୍ଗକୁ ପାହାଚ (ସୋପାନ) ରହିଥାଏ ବୋଲି ଲୋକେ ବିଶ୍ୱାସ କରନ୍ତି ।
ଭାରତ-ଚୀନ ସୀମା ବିବାଦ ଯୋଗୁଁ ୧୯୫୪ରୁ ନେଇ ୧୯୭୮ ପର୍ଯ୍ୟନ୍ତ କୈଳାସ ଯାତ୍ରା ସ୍ଥଗିତ ରହିଥିଲା । ପରବର୍ତ୍ତୀ ସମୟରେ ଭାରତୀୟ ତୀର୍ଥଯାତ୍ରୀଙ୍କ ପାଇଁ କୈଳାସ ଯାତ୍ରା ପୁଣି ଖୋଲାଗଲା । କିନ୍ତୁ ପୂର୍ବ ତୀର୍ଥ ସଡ଼କ ପରିବର୍ତ୍ତେ ହିମାଳୟର ଅତି ଦୁର୍ଗମ୍ୟ ପଥରେ ଭାରତୀୟ ଓ ଚୀନୀ ସେନାଙ୍କ ଗୋଚରରେ ପଦଚାରଣ କରି କିମ୍ବା କାଠମାଣ୍ଡୁରୁ ଲାସା ପର୍ଯ୍ୟନ୍ତ ବିମାନରେ ଓ ଲାସାରୁ ଆଗକୁ ଗାଡ଼ିରେ ଯିବାର ବ୍ୟବସ୍ଥା କରାଗଲା । ଚାରି ଦିନର ଏହି ଯାତ୍ରା ପରେ ସମୁଦ୍ରପତନରୁ ୪୬୦୦ ମିଟର ଉଚ୍ଚତାରେ ଥିବା ଡାର୍ଚେନରେ ବିଭିନ୍ନ ପାନ୍ଥନିବାସରେ ରହିବାକୁ ପଡ଼େ । ତୀର୍ଥଯାତ୍ରୀ ନିଜ ତମ୍ବୁରେ ମଧ୍ୟ ବିଶ୍ରାମ କରନ୍ତି । ୧୯୯୭ ମସିହାରେ ସ୍ୱିସ୍ ଙ୍ଗାରି କୋର୍ସୁମ୍ ଫାଉଣ୍ଡେସନଦ୍ୱାରା ଏଠାରେ ଏକ କ୍ଷୁଦ୍ର ଚିକିତ୍ସାଳୟ ପ୍ରତିଷ୍ଠା କରାଯାଇଥିଲା ।
କୈଳାସର ପରିକ୍ରମା ପଥ ଏହାର ଉଦ୍ୟାନର ଏକ ଅଂଶ । ଏହା ଚାରିପଟେ ପାଦରେ, କୁଜି ଘୋଡ଼ା ବା ଗୃହପାଳିତ ୟାକ୍ ପିଠିରେ ବସି ପୂର୍ଣ୍ଣ କରାଯାଏ । ଚାଲି ପରିକ୍ରମା କରିବା ପାଇଁ ୧୫୦୦୦ ଫୁଟ ଉଚ୍ଚତାରୁ ଆରମ୍ଭ କରି, ଟାର୍ବୋଚେ ଧ୍ୱଜସ୍ତମ୍ଭ ଅତିକ୍ରମ କରି ଡ୍ରୋଲ୍ମା ଗିରିପଥ (୧୮୨୦୦ ଫୁଟ ଉଚ୍ଚତା) ଦେଇ ଯିବାକୁ ହୋଇଥାଏ । ବାଟରେ ଦୁଇ ରାତି କଟାଇବାକୁ ପଡ଼େ । ଏହି ପଥରେ ଯିବାବେଳେ ଦୂରରୁ ଗୌରୀ କୁଣ୍ଡକୁ ଦେଖିହେବ ।
କୈଳାସ ପର୍ବତ ନିମ୍ନ ଭାଗରେ କିଆଂଗ୍ (ବନ୍ୟ ଗଧ), ତିବ୍ବତୀୟ ଆଣ୍ଟିଲୋପ, ବନ୍ୟ ୟାକ୍, ହଂସ, କଳାବେକିଆ ବଗ ପ୍ରଭୃତି ଜୀବଜନ୍ତୁ ପରିଲକ୍ଷିତ ହୁଅନ୍ତି ।[27]
ଧାର୍ମିକ ବିଶ୍ୱାସ ଯୋଗୁଁ କୈଳାସ ପର୍ବତରେ ଆରୋହଣ କରାଯାଏନାହିଁ । ୧୯୨୬ ମସିହାରେ ହ୍ୟୁଗ୍ ରଟଲେଜ୍ କୈଳାସ ପର୍ବତର ଉତ୍ତର ପଟର ଅନୁଶୀଳନ କରିଥିଲେ । ୬୦୦୦ ଫୁଟ (୧୮୦୦ ମିଟର) ଉଚ୍ଚ ଏହି ପଟରୁ ଆରୋହଣ ଅତି କଷ୍ଟକର ବୋଲି ସେ ଅନୁମାନ କରିଥିଲେ ।[28] ସେ ପର୍ବତର ଉତ୍ତର-ପୂର୍ବ ପଟରୁ ଆରୋହଣ କରିବାକୁ ସ୍ଥିର କଲେ କିନ୍ତୁ ବହୁ ସମୟ ଅତିବାହିତ ହେବାରୁ ଆରୋହଣ କରିପାରିନଥିଲେ । ରଟଲେଜ୍ଙ୍କ ସହିତ ପର୍ବତ ଅପର ପାର୍ଶ୍ୱରୁ କର୍ଣ୍ଣେଲ୍ ଆର୍. ସି. ୱିଲ୍ସନ୍ ଓ ତାଙ୍କ ଶେର୍ପା ତ୍ସେଟେନ୍ କୈଳାସକୁ ଆରୋହଣ ବାଟ ଖୋଜୁଥିଲେ ଏବଂ ଏହି ଅଞ୍ଚଳର ଅନୁଧ୍ୟାନ କରିଥିଲେ । ପର୍ବତର ଦକ୍ଷିଣ-ପୂର୍ବ ପଟ ଆରୋହଣ ଯୋଗ୍ୟ ବୋଲି ତ୍ସେଟେନ୍ ୱିଲ୍ସନ୍ଙ୍କୁ ଜଣାଇଥିଲେ ।[29] ଆଲ୍ପାଇନ୍ ଜର୍ଣ୍ଣାଲ୍ର (୧୯୨୮) ଖଣ୍ଡ-୪୦ରେ ପ୍ରକାଶିତ ୱିଲ୍ସନ୍ଙ୍କ ଲେଖାରୁ ଜଣାପଡ଼େ ଯେ କୈଳାସ ଆରୋହଣ କରିବାକୁ ସେ ଅତି ଆଗ୍ରହୀ ଥିଲେ କିନ୍ତୁ ଆରୋହଣ ସମୟ ଉପନୀତ ହୁଅନ୍ତେ ଭୀଷଣ ତୁଷାରପାତ ହୋଇ ଆରୋହଣ ଅସମ୍ଭବ ହୋଇପଡ଼ିଥିଲା । ୧୯୩୬ ମସିହାରେ ହର୍ବର୍ଟ୍ ଟିଚି “ଗୁର୍ଲା ମାନ୍ଧାତା” ପର୍ବତର ଆରୋହଣ କରିବା ପାଇଁ ଏହି ଅଞ୍ଚଳକୁ ଆସିଥିଲେ । କୈଳାସ ପର୍ବତ ଆରୋହ୍ୟ ନା ନୁହେଁ ସେ ଙ୍ଗାରିର ଗାର୍ପୋମାନଙ୍କୁ ପଚାରିଥିଲେ । ପ୍ରତ୍ୟୁତ୍ତରରେ ଗାର୍ପୋ ଜଣେ କହିଲା, “କେବଳ ସମ୍ପୂର୍ଣ୍ଣ ପାପମୁକ୍ତ ବ୍ୟକ୍ତି କୈଳାସକୁ ଚଢ଼ିପାରିବ । ତା’କୁ କୈଳାସର ବରଫାବୃତ ଚଟ୍ଟାଣ କଷ୍ଟକରି ଚଢ଼ିବାର ଆବଶ୍ୟକତା ନଥିବ । ସେ ପକ୍ଷୀଟିଏ ହୋଇ କୈଳାସର ଶିଖରକୁ ଉଡ଼ିଯିବ ।“[30] ଚୀନ ସରକାର ୧୯୮୦ ଦଶନ୍ଧିରେ ରାଇନହୋଲ୍ଡ ମେସ୍ନରଙ୍କୁ କୈଳାସ ପର୍ବତ ଆରୋହଣ କରିବା ପାଇଁ ଆମନ୍ତ୍ରଣ କରିଥିଲେ ଯାହାକୁ ମେସ୍ନର୍ ପ୍ରତ୍ୟାଖ୍ୟାନ କରିଥଦେଇଥିଲେ ।[31]
୨୦୦୧ ମସିହାରେ କୈଳାସ ଚଢ଼ିବା ପାଇଁ ଏକ ସ୍ପେନୀୟ ପର୍ବତାରୋହୀ ଦଳକୁ ଚୀନ ସରକାର ଅନୁମତି ପ୍ରଦାନ କରିଥିଲେ । ଏହାକୁ ସମଗ୍ର ବିଶ୍ୱରେ ନିନ୍ଦା କରାଯାଇଥିଲା । ପରେ କିନ୍ତୁ ଚୀନୀ ଅଧିକାରୀମାନେ କୈଳାସ ଉପରକୁ କେହି ମଧ୍ୟ ଚଢ଼ିବା ନିଷିଦ୍ଧ ଓ ଅନ୍ତର୍ଜାତୀୟ ସ୍ତରରେ ଏପରି ଚୀନର ନିନ୍ଦା ଅମୂଳକ ବୋଲି କହିଥିଲେ ।[31] ପୂର୍ବରୁ ଚଢ଼ିବାକୁ ମନା କରିଥିବା ମେସ୍ନର୍ ସ୍ପେନୀୟ ପର୍ବତାରୋହଣକାରୀ ଦଳର ଯୋଜନାକୁ ନିନ୍ଦା କରି କହିଥିଲେ :
ଯଦି ଏହି ପର୍ବତ ଶିଖରକୁ ଆମେ ଆରୋହଣ କରିବା, ତେବେ ଆମେ ବହୁ ଲୋକଙ୍କ ଆତ୍ମାର ଭାବନାକୁ ପଦାଘାତ କରିବା । ବରଂ ମୁଁ କହିବି ଯେ ଆମେ କୌଣସି କଷ୍ଟ ଓ ଉଚ୍ଚ ପାହାଡ଼ ଚଢ଼ିବାକୁ ଚେଷ୍ଟା କରିବା ଉଚିତ । କୈଳାସ ବେଶୀ ଉଚ୍ଚ ନୁହେଁ କିମ୍ବା ଏହା ଚଢ଼ିବା ସେତିକି କଷ୍ଟସାଧ୍ୟ ନୁହେଁ ।[32]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.