ଏଡା ଲଭ୍ଲେସ୍
ବ୍ରିଟିଶ ଗଣିତଜ୍ଞ,ପୃଥିବୀର ପ୍ରଥମ କମ୍ପ୍ୟୁଟର ପ୍ରୋଗ୍ରାମର / From Wikipedia, the free encyclopedia
ଅଗଷ୍ଟା ଏଡା କିଙ୍ଗ, କାଉଣ୍ଟେସ୍ ଅଫ୍ ଲଭ୍ଲେସ୍ (୧୦ ଡିସେମ୍ବର ୧୮୧୫-୨୭ ନଭେମ୍ବର ୧୮୫୨, ଜନ୍ମନାମ - ଅଗଷ୍ଟା ଏଡା ବାଇରନ୍) ଜଣେ ବ୍ରିଟିଶ ଗଣିତଜ୍ଞ ଥିଲେ ଏବଂ ଏଡା ଲଭ୍ଲେସ୍ ନାମରେ ଜଣାଶୁଣା । ସେ ମୁଖ୍ୟତଃ ଭାବେ ଚାର୍ଲସ୍ ବ୍ୟାବେଜ୍ଙ୍କଦ୍ୱାରା ଆଦ୍ୟ ନିର୍ମିତ ଯାନ୍ତ୍ରିକ କମ୍ପ୍ୟୁଟର ଆନାଲିଟିକାଲ୍ ଇଞ୍ଜିନ ଉପରେ ଅନେକ କାର୍ଯ୍ୟ କରିଥିଲେ । ତାଙ୍କଦ୍ୱାରା ପ୍ରସ୍ତୁତ ନୋଟ୍ ବା ତମସୁକ ଗୁଡ଼ିକୁ କୌଣସି ଏକ ଯନ୍ତ୍ର ବା ମେସିନ ଉଦ୍ଦେଶ୍ୟରେ ଲିଖିତ ପ୍ରଥମ ଆଲ୍ଗୋରିଦମ୍ ବୋଲି ମାନ୍ୟତା ମିଳିଛି ଏବଂ ସେଥି ନିମନ୍ତେ ଏଡାଙ୍କୁ ପୃଥିବୀର ପ୍ରଥମ କମ୍ପ୍ୟୁଟର ପ୍ରୋଗ୍ରାମର କୁହାଯାଇଥାଏ ।[1][2][3]
ଏଡା ଲଭ୍ଲେସ୍ଙ୍କ ଜନ୍ମ ୧୦ ଡିସେମ୍ବର ୧୮୧୫ରେ ପ୍ରସିଦ୍ଧ ଇଂରାଜୀ କବି ଲର୍ଡ ବାଇରନ୍ ଓ ଆନେ ଇଜାବେଲା ବାଇରନ୍ଙ୍କ ଔରସରୁ ହୋଇଥିଲା ।[4] ଏଡାଙ୍କ ଜନ୍ମର ଏକମାସ ପରେ ତାଙ୍କ ବାପା, ମାଆଙ୍କଠାରୁ ଅଲଗା ହୋଇଯାଇଥିଲେ ଓ ଚାରିମାସ ପରେ ଇଂଲଣ୍ଡ ଛାଡ଼ି ଚାଲିଯାଇଥିଲେ; ଏବଂ ଶେଷରେ "ଗ୍ରୀକ୍ ସ୍ୱାଧୀନତା ସଂଗ୍ରାମ" ସମୟରେ ରୋଗରେ ପୀଡ଼ିତ ହୋଇ ଏଡାଙ୍କୁ ୮ ବର୍ଷ ହୋଇଥିବା ସମୟରେ ମୃତ୍ୟୁବରଣ କରିଥିଲେ । ଏଡାଙ୍କ ମାଆ ଲର୍ଡ ବାଇରନ୍ଙ୍କ ପ୍ରତି ତିକ୍ତତା ହେତୁ ଏଡାଙ୍କୁ ତାଙ୍କଠାରୁ ଦୂରେଇ ରଖିବାକୁ, ଏଡାଙ୍କୁ ଗଣିତ ଓ ତର୍କ ପଢ଼ିବାକୁ ଅଧିକା ଉତ୍ସାହିତ କରିଥିଲେ । ଏହା ସତ୍ତ୍ୱେ ଏଡା ନିଜ ବାପାଙ୍କ ପ୍ରତି ଆଗ୍ରହ ରଖିଥିଲେ (ଏବଂ ନିଜର ଶେଷ ଇଚ୍ଛା ଅନୁସାରେ, ନିଜ ବାପାଙ୍କ ସମାଧି କଡ଼ରେ ସମାଧି ନେବାର ଅଭିଳାଷ ପୂରଣ କରିଥିଲେ ।)
ଏଡା ନିଜର ଦୃଷ୍ଟିକୋଣକୁ "କାବ୍ୟିକ ବିଜ୍ଞାନ(poetical science)"[5] ଓ ନିଜକୁ ଜଣେ "ବିଶ୍ଳେଷିକା (ଓ ତତ୍ତ୍ୱଜ୍ଞାନୀ)[6] ଭାବେ ବର୍ଣ୍ଣନା କରିଛନ୍ତି । ଆଦ୍ୟ ଯୌବନରେ ନିଜର ଗଣିତ ପ୍ରତିଭା ହେତୁ ସମସାମୟିକ ବ୍ରିଟିଶ ଗଣିତଜ୍ଞ ଚାର୍ଲସ୍ ବ୍ୟାବେଜ୍ଙ୍କ ସହିତ ତାଙ୍କର ସଂପର୍କ ଓ ବନ୍ଧୁତା ଥିଲା, ଏବଂ ବିଶେଷ ଭାବେ ସେ ଚାର୍ଲସ୍ ବ୍ୟାବେଜ୍ ଆନାଲିଟିକାଲ୍ ଇଞ୍ଜିନ ଉପରେ କରିଥିବା ଗବେଷଣା ପ୍ରତି ଅଧିକ ଆକର୍ଷିତ ହୋଇଥିଲେ । ୧୮୪୨-୪୩ ମଧ୍ୟରେ ସେ "ଫେଡେରିକୋ ଲୁଇଗି ମେନାବ୍ରିଆ" ନାମକ ଜଣେ ଇଟାଲୀୟ ସେନାବାହିନୀର ଇଞ୍ଜିନିୟରଙ୍କ କାମକୁ ଅନୁବାଦ କରିଥିଲେ, ଏବଂ ନିଜର ଏକ ବିସ୍ତୃତ ନୋଟ୍ ପ୍ରଦାନ କରିଥିଲେ । ଏହି ନୋଟ୍ରେ ମେସିନ୍ ନିମନ୍ତେ ଲିଖିତ ପ୍ରଥମ ପ୍ରୋଗ୍ରାମ ରହିଥିବାର ବିଶ୍ୱାସ କରାଯାଏ । ଏଡାଙ୍କ ନୋଟ୍ ଗୁଡ଼ିକୁ କମ୍ପ୍ୟୁଟରର ଆଦ୍ୟ-ଇତିହାସ ଦୃଷ୍ଟିରୁ ଅତି ଗୁରୁତ୍ତ୍ୱପୂର୍ଣ୍ଣ ମନେକରାଯାଏ ଓ ସେ କମ୍ପ୍ୟୁଟର କେବଳ ସଂଖ୍ୟାଗଣନା ନ କରି ଅନ୍ୟ କାମ ପାଇଁ ଉପଯୋଗୀ ହୋଇପାରିବ ବୋଲି ମଧ୍ୟ କଳ୍ପନା କରିଥିଲେ ।[7] ତାଙ୍କର କାବ୍ୟିକ ବିଜ୍ଞାନ ଦୃଷ୍ଟିକୋଣ ଆନାଲିଟିକାଲ୍ ଇଞ୍ଜିନ ଉପରେ ଅନେକ ପ୍ରଶ୍ନ ଉଠାଇଥିଲା ଏବଂ ସମାଜ ଓ ବ୍ୟକ୍ତିବିଶେଷ ମଧ୍ୟରେ ଟେକ୍ନୋଲୋଜି ବା ପ୍ରଯୁକ୍ତି ବିଦ୍ୟା କିପରି ଭାବେ ସହଯୋଗୀ ହୋଇପାରିବ ସେ ଉପରେ ଅନେକ ପରୀକ୍ଷା ହୋଇଥିଲା ।[8]