![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/a/af/Endothelial_dysfunction_Atherosclerosis.png/640px-Endothelial_dysfunction_Atherosclerosis.png&w=640&q=50)
ଆଥେରୋସ୍କ୍ଲେରୋସିସ
ମଣିଷମାନଙ୍କ ରୋଗ / From Wikipedia, the free encyclopedia
ଆଥେରୋସ୍କ୍ଲେରୋସିସ (ଇଂରାଜୀ ଭାଷାରେ Atherosclerosis) ଏକ ବେମାରୀ ଯେଉଁଥିରେ ଆଥେରୋମା ନାମକ ଏକ ପ୍ଲେକ ବା ମଇଳା ପ୍ୟାଚ ଦାଗ ଧମନୀ (artery) ଭିତରେ ଜମା ହୋଇ ତାକୁ ଅଣଓସାରିଆ କରିଦିଏ ।[7] ପ୍ରାରମ୍ଭରେ କୋଣସି ଲକ୍ଷଣ ଦେଖାଯାଏନାହିଁ ।[1] ଅଧିକ ଅଣଓସାରିଆ ହୋଇଗଲେ ଧମନୀ ସ୍ଥାନ ଅନୁସାରେ କରୋନାରୀ ଧମନୀ ରୋଗ, ଷ୍ଟ୍ରୋକ, ପ୍ରାନ୍ତୀୟ ଧମନୀ ରୋଗ, ବୃକ୍କ ସମସ୍ୟା (kidney problems) ସୃଷ୍ଟି ହୁଏ । [1] ପ୍ରାୟ ମଧ୍ୟ ବୟସ ନହେଲେ ଲକ୍ଷଣ ପ୍ରକାଶ ପାଏନାହିଁ । [3]
ଆଥେରୋସ୍କ୍ଲେରୋସିସ (Atherosclerosis) | |
---|---|
ଆର୍ଟେରିଓସ୍କ୍ଲେରୋଟିକ ଭାସ୍କୁଲାର ଡିଜିଜ (Arteriosclerotic vascular disease/ ASVD) | |
![]() ଆଥେରୋସ୍କ୍ଲେରୋସିସ ରୋଗର ଅଗ୍ରଗତି The progression of atherosclerosis (narrowing exaggerated) | |
ବିଭାଗ | ହୃଦ୍ରୋଗ ବିଜ୍ଞାନ (Cardiology), ରକ୍ତନଳୀ ବିଜ୍ଞାନangiology |
ଲକ୍ଷଣ | ନାହିଁ[1] |
ଆକ୍ରାନ୍ତ ସମୟ | ଯୁବାବସ୍ଥାର (ଅଧିକ ବୟସରେ ଅବନତି )[2] |
କାରଣ | ଅଜ୍ଞାତ[1] |
ବିପଦ କାରକ | ଉଚ୍ଚ ରକ୍ତଚାପ, ମଧୁମେହ, ଧୂମ୍ରପାନ (smoking), ମୋଟାପଣ, ପାରବିବାରିକ ଇତିହାସ, ଅସ୍ୱାସ୍ଥ୍ୟକର ଖାଦ୍ୟ[3] |
ପ୍ରତିକାର | ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ, ବ୍ୟାୟାମ, ଧୂମ୍ରପାନ ନିଷେଧ, ସାଧାରଣ ଓଜନ କାଏମ [4] |
ଔଷଧ | ସ୍ଟାଟିନ (Statins), ଉଚ୍ଚ ରକ୍ତଚାପ ଔଷଧ (high blood pressure medication), ଆସ୍ପିରିନ[5] |
ପୁନଃପୌନିକ | ~୧୦୦% (>୬୫ ବର୍ଷ ବୟସ)[6] |
ଏହି ରୋଗର ସଠିକ କାରଣ ନିର୍ଣ୍ଣୟ ହୋଇନାହିଁ ।[1] ଉଚ୍ଚ ରକ୍ତଚାପ, ମଧୁମେହ, ଧୂମ୍ରପାନ (smoking), ମୋଟାପଣ, ପାରିବାରିକ ଇତିହାସ, ଅଧିକ କୋଲେସ୍ଟେରଲ ଥବା ଖାଦ୍ୟ (abnormal cholesterol levels) ଇତ୍ୟାଦି ଅବସ୍ଥା ଥିଲେ ଏହି ରୋଗ ସଙ୍କଟ ରହେ ।[3] ରକ୍ତରେ ଥିବା ଚର୍ବି, କୋଲେସ୍ଟେରଲ (cholesterol), କ୍ୟାଲସିଅମ (calcium) ଓ ଅନ୍ୟାନ୍ୟ କେତେକ ପଦାର୍ଥକୁ ନେଇ ପ୍ଲେକ ଗଠିତ ହୁଏ । [7] ଧମନୀରେ ଅଭ୍ୟନ୍ତର ସରୁ ହେବା ଫଳରେ ଅମ୍ଳଜାନ ଥବା ରକ୍ତ ସରବରାହ ବିଭିନ୍ନ ସ୍ଥାନକୁ ଯାଇପାରେନାହିଁ ।[7] ରୋଗୀ ପରୀକ୍ଷା, ଇସିଜି (electrocardiogram) କରି ରୋଗ ନିର୍ଣ୍ଣୟ କରାଯାଏ ।[8]
ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ, ବ୍ୟାୟାମ, ଧୂମ୍ରପାନ ନିଷେଧ, ସାଧାରଣ ଓଜନ କାଏମ ସାହାଯ୍ୟରେ ଏ ରୋଗ ପ୍ରତିରୋଧ କରିବା ସମ୍ଭବପର ହୁଏ ।[4] ରୋଗ ନିଶ୍ଚିତ ହେଲା ପରେ ଉଚ୍ଚ ରକ୍ତଚାପ କମେଇବା ଔଷଧ, ରକ୍ତ ଜମାଟ କମ କରିବା ଔଷଧ ଯେପରିକି ଆସ୍ପିରିନ ଓ ସ୍ଟାଟିନ (statin) ଭଳି କୋଲେସ୍ଟେରଲ କମ କରିବା ଔଷଧ ଦିଆଯାଏ ।[5] ଏହା ବ୍ୟତୀତ ଆବଶ୍ୟକ ସ୍ଥଳେ ପରକ୍ୟୁଟାନିଅସ କରୋନାରି ଇଣ୍ଟରଭେନସନ (percutaneous coronary intervention), କରୋନାରୀ ଅର୍ଟେରି ବାଇପାସ ଗ୍ରାଫ୍ଟ (coronary artery bypass graft) ବା କ୍ୟାରୋଟିଡ ଏଣ୍ଡଆର୍ଟେରେକ୍ଟୋମି (carotid endarterectomy) ଆଦି ଅପରେଶନ କରାଯାଇପାରେ ।[5]
ଯୁବାବସ୍ଥାରେ ଲୋକଙ୍କୁ ଏହି ରୋଗ ଆରମ୍ଭ ହୋଇ ବୟସ ବୃଦ୍ଧି ସହିତ ଦିନକୁ ଦିନ ଖରାପ ଆଡ଼କୁ ଯାଏ ।[2] ୬୫ ବର୍ଷ ବୟସ ବେଳକୁ ପ୍ରାୟ ସବୁ ମଣିଷଙ୍କର ଆଥେରୋସ୍କ୍ଲେରୋସିସ ହୋଇଯାଏ ।[6] ବିକଶିତ ଦେଶରେ (developed world) ପଙ୍ଗୁତ୍ୱ ଓ ମୃତ୍ୟୁର ପ୍ରଥମ କାରଣ ରୂପେ ଏ ରୋଗ ବିବେଚିତ ହୁଏ ।[9] ସନ ୧୫୭୫ରେ ପ୍ରଥମେ ଏହି ରୋଗ ବିଷୟ ବର୍ଣ୍ଣନା କରାଯାଇଥିଲା ।[10] କିନ୍ତୁ ପ୍ରାୟ ୫,୦୦୦ ବର୍ଷ ପୂର୍ବରୁ ଏହି ରୋଗ ଆକ୍ରମଣ କରୁଥିବାର ପ୍ରମାଣ ମିଳୁଛି ।[10]