![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/9/9e/Amitabh_Bachchan_December_2013.png/640px-Amitabh_Bachchan_December_2013.png&w=640&q=50)
ଅମିତାଭ ବଚ୍ଚନ
ଭାରତୀୟ ଅଭିନେତା / From Wikipedia, the free encyclopedia
ଅମିତାଭ ବଚ୍ଚନ (ହିନ୍ଦୀ: अमिताभ बच्चन, ଉଚ୍ଚାରଣ [əmɪtaːbʱ bəttʃən]) ଜଣେ ଭାରତୀୟ ହିନ୍ଦୀ କଥାଚିତ୍ର ଅଭିନେତା ଓ ପ୍ରଯୋଜକ । ତାଙ୍କର ପୂରାନାମ ଅମିତାଭ ହରିବଂଶ ରାୟ ଶ୍ରୀବାସ୍ତବ ବଚ୍ଚନ । ସେ ୧୯୪୨ ମସିହା ଅକ୍ଟୋବର ମାସ ୧୧ ତାରିଖରେ ଭାରତର ଉତ୍ତର ପ୍ରଦେଶଠାରେ ଜନ୍ମଗ୍ରହଣ କରିଥିଲେ । ୧୯୬୯ ମସିହା ନଭେମ୍ବର ମାସ ୭ ତାରିଖରେ ମୁକ୍ତିଲାଭ କରିଥିବା ସାତ୍ ହିନ୍ଦୁସ୍ତାନୀ ହେଉଛି ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର । ୧୯୭୦ ଦଶକର ପ୍ରଥମାର୍ଦ୍ଧରେ ଜଞ୍ଜିର୍ ଓ ଦିୱାର୍ ଭଳି ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ତାଙ୍କୁ ଲୋକପ୍ରିୟ କରାଇଥିଲା । ବଲିଉଡ୍ରେ ସେ ଅଭିନୟ କରିଥିବା ଚରିତ୍ରଗୁଡ଼ିକ ପାଇଁ ତାଙ୍କୁ ଭାରତର ପ୍ରଥମ ୟାଙ୍ଗ୍ରି ୟଙ୍ଗ୍ ମ୍ୟାନ୍ ଆଖ୍ୟା ମଧ୍ୟ ଦିଆଯାଇଛି । ହିନ୍ଦୀ ସିନେ ଜଗତରେ ସେ ବଲିଉଡ୍ର ଶେହେନ୍ଶାହ, ସୁପର୍ଷ୍ଟାର୍ ଅଫ୍ ଦ ମିଲେନିୟମ୍ ଓ ବିଗ୍ ବି ନାମରେ ବେଶ୍ ଜଣାଶୁଣା ।[1][2][3][4] ସେ ୪ ଦଶନ୍ଧୀରୁ ଅଧିକ ସମୟ ଧରି ପ୍ରାୟ ୧୮୦ଟି ଭାରତୀୟ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ।[5][6] ସେ କଭି କଭି ମେରେ ଦିଲ୍ ମେ (ଚଳଚ୍ଚିତ୍ର : କଭି କଭି), ଏକ୍ଲା ଚଲୋ ରେ (ଚଳଚ୍ଚିତ୍ର : କାହାନୀ), ବାତେଁ ହୱା ହେ ସାରି (ଚଳଚ୍ଚିତ୍ର : ଚିନି କମ୍), ନୂର୍ (ଚଳଚ୍ଚିତ୍ର : ଦିଲ୍ଲୀ ୬), ଚଲି ଚଲି (ଚଳଚ୍ଚିତ୍ର : ବାଗ୍ବାନ୍) ଓ ହୋରି ଖେଲେ (ଚଳଚ୍ଚିତ୍ର : ବାଗ୍ବାନ୍) ଭଳି ଅନେକ ଗୀତରେ ସେ କଣ୍ଠଦାନ ମଧ୍ୟ କରିଛନ୍ତି ।[7] ଭାରତୀୟ ସିନେ ଇତିହାସରେ ବଚ୍ଚନଙ୍କୁ ଜଣେ ମହାନ ଓ ପ୍ରଭାବଶାଳୀ ଅଭିନେତା ଭାବେ ଜଣାଯାଏ ।[8][9][10][11][12] ୧୯୭୦-୮୦ ଦଶକରେ ତାଙ୍କର ପ୍ରଭାବଶାଳୀ ଅଭିନୟ ପାଇଁ ଫ୍ରେଞ୍ଚ୍ ନିର୍ଦ୍ଦେଶକ ଫ୍ରାନ୍କୋଇସ୍ ଟ୍ରୁଫାଉଟ୍ ତାଙ୍କୁ ୱାନ୍-ମ୍ୟାନ୍-ଇଣ୍ଡଷ୍ଟ୍ରି ଆଖ୍ୟା ଦେଇଥିଲେ ।[13][14] ୧୯୮୦ ମସିହାରେ ବଚ୍ଚନଙ୍କୁ ଲୋକ ସଭାର ଜଣେ ସଦସ୍ୟ ରୂପେ ମନୋନୀତ କରାଯାଇଥିଲା । ୧୯୯୦ ମସିହାରେ ସେ ତାଙ୍କର ନିଜର ଚଳଚ୍ଚିତ୍ର ପ୍ରଯୋଜନାକାରୀ କମ୍ପାନୀ ଆରମ୍ଭ କରିଥିଲେ । ୧୯୯୭ ମସିହାରେ ପୁନର୍ବାର ମୃତ୍ୟୁଦାତା ଚଳଚ୍ଚିତ୍ର ଜରିଆରେ ସେ ଅଭିନୟ ଦୁନିଆକୁ ଫେରିଥିଲେ । ୨୦୦୦ ମସିହାରେ ସେ Who Wants to Be a Millionaire?ର ଭାରତୀୟ ସଂସ୍କରଣ କୌନ୍ ବନେଗା କରୋଡ଼୍ପତି?ର ସଞ୍ଚାଳକ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ।[15] ୨୦୧୩ ମସିହାରେ ଦ ଗ୍ରେଟ୍ ଗ୍ୟାଟ୍ସ୍ବାୟ୍ ଚଳଚ୍ଚିତ୍ରରେ ମେୟର୍ ୱଲ୍ଫ୍ଶିମ୍ ନାମକ ଏକ ଅଣଭାରତୀୟ ଚରିତ୍ରରେ ଅଭିନୟ କରି ସେ ପ୍ରଥମ ଥର ପାଇଁ ହଲିଉଡ୍ରେ ନିଜ ପାଦ ଥାପିଥିଲେ ।[16]
ଅମିତାଭ ବଚ୍ଚନ | |
---|---|
![]() ୨୦୧୩ ମସିହାରେ TeachAIDSର ସାକ୍ଷାତକାରରେ ଅମିତାଭ ବଚ୍ଚନ । | |
ଜନ୍ମ | ଅମିତାଭ ହରିବଂଶ ରାୟ ଶ୍ରୀବାସ୍ତବ ବଚ୍ଚନ (1942-10-11) ୧୧ ଅକ୍ଟୋବର ୧୯୪୨ (ବୟସ ୮୧) ଆଲାହାବାଦ, ବ୍ରିଟିଶ ରାଜ |
ବୃତ୍ତି(ସମୂହ) | ଅଭିନେତା, ପ୍ରଯୋଜକ |
ସକ୍ରିୟ ବର୍ଷ | ୧୯୬୯- ଏପର୍ଯ୍ୟନ୍ତ |
ବୈବାହିକ-ସାଥୀ | ଜୟା ବଚ୍ଚନ (୧୯୭୩- ଏପର୍ଯ୍ୟନ୍ତ) |
ସନ୍ତାନ | ଅଭିଷେକ ବଚ୍ଚନ, ଶ୍ୱେତା ନନ୍ଦା |
ପିତାମାତା(s) | ହରିବଂଶ ରାୟ ବଚ୍ଚନ, ତେଜୀ ବଚ୍ଚନ |
ୱେବସାଇଟ | srbachchan |
ଦସ୍ତଖତ | |
![]() |