ଓଡ଼ିଆ ରାଜନୀତିଜ୍ଞ From Wikipedia, the free encyclopedia
ଅଞ୍ଜଳି ବେହେରା (ଜନ୍ମ: ୪ ମଇ ୧୯୭୨) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାକୁ ଜଣେ ବିଧାୟିକା ଭାବରେ ନିର୍ବାଚିତ ହୋଇଥିଲେ । ଅଞ୍ଜଳି ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳ ସହ ସକ୍ରିୟ ଅଛନ୍ତି । ସେ ପ୍ରଥମେ ୨୦୦୪ ମସିହାରେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ୨୦୦୪ ଓ ୨୦୦୯ ମସିହାରେ ଯଥାକ୍ରମେ ୧୩ଶ ଓ ୧୪ଶ ସଭା ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[1] ୨୦୦୯ ମସିହାରେ ଅଞ୍ଜଳି ନବୀନ ପଟ୍ଟନାୟକଙ୍କର ୩ୟ ମନ୍ତ୍ରୀମଣ୍ଡଳରେ ପ୍ରଥମଥର ପାଇଁ ମନ୍ତ୍ରୀ ହୋଇଥିଲେ । ସେ ପ୍ରଥମେ ରାଜ୍ୟ ବୟନଶିଳ୍ପ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ମହିଳା ଓ ଶିଶୁ ବିକାଶ କଲ୍ୟାଣ ମନ୍ତ୍ରୀ ଭାବରେ ୨୦୧୨ ମସିହାଯାଏଁ କାର୍ଯ୍ୟ କରିଥିଲେ ।
ଅଞ୍ଜଳୀ ବେହେରା | |
---|---|
ବିଧାୟିକା: ୧୨ଶ, ୧୩ଶ, ୧୪ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୦ – ୨୦୧୪ | |
ପୂର୍ବ ଅଧିକାରୀ | ମହେଶ ନାୟକ |
ପର ଅଧିକାରୀ | ସୀମାରାଣୀ ନାୟକ |
ନିର୍ବାଚନ ମଣ୍ଡଳୀ | ହିନ୍ଦୋଳ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୪ ମଇ ୧୯୭୨ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ଲକ୍ଷ୍ମୀଧର ବେହେରା |
ସନ୍ତାନ | ୨ ପୁଅ |
ବାପା/ବୋଉ | ତ୍ରିନାଥ ନାୟକ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଅଞ୍ଜଳି ବେହେରା ୧୯୭୨ ମସିହାର ମଇ ମାସ ୪ ତାରିଖରେ ଢେଙ୍କାନାଳ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[2] ତାଙ୍କ ବାପାଙ୍କ ନାମ ତ୍ରିନାଥ ନାୟକ । ସେ କଳାରେ ସ୍ନାତକ କରିଛନ୍ତି ।[2] ସେ ଲକ୍ଷ୍ମୀଧର ବେହେରାଙ୍କୁ ବିବାହ କରିଥିଲେ ।[3] ଏହି ଦମ୍ପତ୍ତିଙ୍କର ଦୁଇଟି ପୁଅ ଅଛନ୍ତି । ଅଞ୍ଜଳିଙ୍କର ବାପା ତ୍ରିନାଥ ନାଏକ ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଆସନରୁ ତିନିଥର ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[1] ସେ ଜନତା ଦଳର ପ୍ରତିନିଧି ଭାବରେ ୧୯୭୭ ମସିହାରେ ପ୍ରଥମଥର ପାଇଁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[4] ଏହା ପୂର୍ବରୁ ସେ ଜିଲ୍ଲାସ୍ତରରେ ବିଭିନ୍ନ ପଦବୀରେ କାର୍ଯ୍ୟ କରିଥିଲେ । ୭ମ ଓଡ଼ିଶା ବିଧାନ ସଭା ପରେ ତ୍ରିନାଥ ୧୯୮୦ ମସିହାରେ ଓ ୧୯୯୦ ମସିହାରେ ଓଡ଼ିଶା ବିଧାନ ସଭାର ଯଥାକ୍ରମେ ୮ମ ଓ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[4] ୧୦ମ ଓଡ଼ିଶା ବିଧାନ ସଭାରେ ସେ ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଥିବାବେଳେ ୧୯୯୨ ତାଙ୍କର ମୃତ୍ୟୁ ହୋଇଥିଲା ।[4]
ଅଞ୍ଜଳି ଓଡ଼ିଶାରେ ବିଜୁ ଜନତା ଦଳର ଗଠନ ହେବାପରେ ସେଥିରେ ଯୋଗ ଦେଇଥିଲେ ଏବଂ ୨୦୦୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[2] ଏହି ବିଧାନ ସଭାରେ ସେ ୨୦୦୦ ମସିହାରୁ ୨୦୦୪ ମସିହାରେ ବିଜୁ ଜନତା ଦଳର ସରକାର ଭଙ୍ଗ ହେବାଯାଏଁ ଚାରି ବର୍ଷ ଧରି କାର୍ଯ୍ୟ କରିଥିଲେ ।
ଏହାର ପରବର୍ତ୍ତୀ ନିର୍ବାଚନରେ ୨୦୦୪ ମସିହାରେ ଅଞ୍ଜଳି ପୁଣିଥରେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ଅଞ୍ଜଳି ବିଜୟୀ ହୋଇ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[5] ଏହି ବିଧାନ ସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହାଯାଏଁ କାର୍ଯ୍ୟ କରିଥିଲେ ।
୨୦୦୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ଅଞ୍ଜଳି ବିଜୁ ଜନତା ଦଳର ପ୍ରତିନିଧି ଭାବରେ ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୬୦,୨୯୧ ଖଣ୍ଡ ଭୋଟ ପାଇ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[2] ଏହି ବିଧାନ ସଭାରେ ସେ ୨୦୦୯ ମସିହାରୁ ୨୦୧୪ ମସିହାଯାଏଁ କାର୍ଯ୍ୟ କରିଥିଲେ ।
ଅଞ୍ଜଳି ୨୦୦୯ ମସିହାରେ ପ୍ରଥମ ଥର ପାଇଁ ଓଡ଼ିଶା ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିଲେ । ନବୀନ ପଟ୍ଟନାୟକଙ୍କର ୩ୟ ମନ୍ତ୍ରୀମଣ୍ଡଳରେ ସେ ୨୨ ମଇ ୨୦୦୯ରେ ରାଜ୍ୟ ବୟନଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ଏହି ବିଭାଗରେ ସେ ୧୦ ମଇ ୨୦୧୧ ମସିହାଯାଏଁ କାର୍ଯ୍ୟ କରିଥିଲେ ।[1] ୧୦ ମଇ ୨୦୧୧ରୁ ସେ ମହିଳା ଓ ଶିଶୁ ବିକାଶ କଲ୍ୟାଣ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ[6] ଏବଂ ୧ ଜୁନ ୨୦୧୨ ଯାଏଁ ସେ ଏହି ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[1]
୨୦୧୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ଅଞ୍ଜଳିଙ୍କୁ ବିଜୁ ଜନତା ଦଳର ପକ୍ଷରୁ ପ୍ରାର୍ଥୀ କରାଯାଇନଥିଲା, ଫଳରେ ସେ ହିନ୍ଦୋଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[7] ମାତ୍ର ଏହି ନିର୍ବାଚନରେ ସେ ବିଜୟୀ ହୋଇପାରିନଥିଲେ ।
ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୨୦୦୦ | ୨୦୦୪ | ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା | ହିନ୍ଦୋଳ | ବିଜୁ ଜନତା ଦଳ |
୨୦୦୪ | ୨୦୦୯ | ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା | ହିନ୍ଦୋଳ | ବିଜୁ ଜନତା ଦଳ |
୨୦୦୯ | ୨୦୧୪ | ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା | ହିନ୍ଦୋଳ | ବିଜୁ ଜନତା ଦଳ |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.