ଅଜନ୍ତା ଗୁମ୍ଫା
From Wikipedia, the free encyclopedia
ଅଜନ୍ତା ଗୁମ୍ଫା (ଇଂରାଜୀରେ Ajanta Caves,ମରାଠୀ ଭାଷାରେ अजिंठा लेणी - ଅର୍ଥାତ୍ ଅଜିଣ୍ଠା ଗୁମ୍ଫା) ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ ପଞ୍ଚମ ଶତାବ୍ଦୀ ମଧ୍ୟରେ ଭାରତରେ ନିର୍ମିତ ପ୍ରାୟ ୩୦ଟି ବୌଦ୍ଧ ଗୁମ୍ଫାକୁ ବୁଝାଇଥାଏ । ଏହି ଗୁମ୍ଫାଗୁଡ଼ିକ ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ ଅବସ୍ଥିତ ।[1][note 1] ଏହି ଗୁମ୍ଫାମାନଙ୍କରେ ପ୍ରସ୍ତରକୁ କାଟି ନିର୍ମିତ ମୂର୍ତ୍ତି ସହିତ ଗୁମ୍ଫା କାନ୍ଥ ଓ ଛାତରେ ବହୁ ସୁନ୍ଦର ଚିତ୍ର ମଧ୍ୟ ଦେଖିବାକୁ ମିଳେ । ମୂର୍ତ୍ତିଗୁଡ଼ିକ ପ୍ରାଚୀନ ଭାରତୀୟ ସ୍ଥାପତ୍ୟ କଳାର ଜୀବନ୍ତ ଦୃଷ୍ଟାନ୍ତ ଏବଂ ଚିତ୍ରଗୁଡ଼ିକରେ ଭାବଭଙ୍ଗୀ ଅତି ନିଖୁଣ ଭାବରେ ପ୍ରକାଶିତ ।[3][4][5]
ଅଜନ୍ତା ଗୁମ୍ଫା ଅଜିଣ୍ଠା ଗୁମ୍ଫା | |
---|---|
ଅବସ୍ଥାନ | ଔରଙ୍ଗାବାଦ ଜିଲ୍ଲା, ମହାରାଷ୍ଟ୍ର, ଭାରତ |
ଦିଗବାରେଣି | 20°33′12″N 75°42′01″E |
କ୍ଷେତ୍ରଫଳ | ୮୨୪୨ ହେକ୍ଟର୍ |
UNESCO World Heritage Site | |
ପ୍ରକାର | ସାଂସ୍କୃତିକ |
ମାନଦଣ୍ଡ | i, ii, iii, vi |
Designated | ୧୯୮୩ |
Reference no. | 242 |
UNESCO Region | ଏସିଆ-ପ୍ୟାସିଫିକ୍ |
ୟୁନେସ୍କୋ (UNESCO) ଅନୁସାରେ ଭାରତୀୟ କଳାକୁ ପ୍ରଭାବିତ କରିଥିବା ବୌଦ୍ଧ ଧାର୍ମିକ କଳାର ଏକ ଶ୍ରେଷ୍ଠ ଉଦାହରଣ ହେଉଛି ଅଜନ୍ତା ।[6] ଏହି ଗୁମ୍ଫାଗୁଡ଼ିକ ମୁଖ୍ୟତଃ ଦୁଇଟି ପର୍ଯ୍ୟାୟରେ ନିର୍ମିତ ହୋଇଥିଲା । ପ୍ରଥମ ନିର୍ମାଣ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରୁ ଆରମ୍ଭ ହୋଇଥିଲା । ଦ୍ୱିତୀୟ ନିର୍ମାଣ ପାରମ୍ପରିକ ଲେଖା ଅନୁସାରେ ଖ୍ରୀ. ୪୦୦-୬୫୦ ମଧ୍ୟରେ ଓ ନୂତନ ଗବେଷକଙ୍କ ମତରେ ଖ୍ରୀ. ୪୬୦-୪୮୦ ମଧ୍ୟରେ ହୋଇଥିଲା ।[7] ଅଜନ୍ତା ଗୁମ୍ଫା ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗଦ୍ୱାରା ସଂରକ୍ଷିତ ଐତିହାସିକ ସ୍ଥଳ[8] ଏବଂ ୧୯୮୩ ମସିହାରୁ ଏହାକୁ ୟୁନେସ୍କୋ (UNESCO) ବିଶ୍ୱଐତିହ୍ୟ ସ୍ଥଳ ମାନ୍ୟତା ଦିଆଯାଇଛି ।
ଅଜନ୍ତାରେ ୭୫ ମିଟର ଉଚ୍ଚ ଏକ ପଥର ଚଟାଣକୁ ଖୋଳି ବିଭିନ୍ନ ବୌଦ୍ଧ ପରମ୍ପରାର ପ୍ରାଚୀନ ବିହାର ଏବଂ ପ୍ରାର୍ଥନା ଗୃହମାନ ନିର୍ମିତ ହୋଇଥିଲା ।[9][10] ଗୁମ୍ଫା କାନ୍ଥ ଓ ଛାତରେ ବୁଦ୍ଧଙ୍କ ପୁନର୍ଜନ୍ମ, ଆର୍ଯ୍ୟସୁରଙ୍କ ଜାତକମାଳା କଥା ଅଙ୍କିତ ହୋଇଛି ଏବଂ ବିଭିନ୍ନ ବୌଦ୍ଧ ଦେବାଦେବୀଙ୍କ ଶିଳାମୂର୍ତ୍ତି ଖୋଦିତ ହୋଇଛି ।[9][11][12] କିଛି ପ୍ରାଚୀନ ଅଭିଲେଖ ଅନୁସାରେ ମୌସୁମୀ ଋତୁରେ ବୌଦ୍ଧ ଭିକ୍ଷୁ ଓ ସନ୍ୟାସୀମାନେ ଅଜନ୍ତାରେ ବାସ କରୁଥିଲେ । ପ୍ରାଚୀନ ଭାରତର ବ୍ୟବସାୟୀ ଓ ତୀର୍ଥଯାତ୍ରୀଙ୍କ ପାଇଁ ଏହା ଏକ ବିଶ୍ରାମ ବା ଆଶ୍ରୟ ସ୍ଥଳ ପରି ବ୍ୟବହୃତ ହେଉଥିଲା ।[9] ଯଦିଓ ପ୍ରାଚୀନ ଭାରତରେ ବିଭିନ୍ନ ରଙ୍ଗ ବ୍ୟବହାର କରି ଶିଳା ବା ଚଟାଣରେ ଚିତ୍ର ଅଙ୍କନ କରାଯାଉଥିଲା, ଅଜନ୍ତା ଗୁମ୍ଫା – ୧୬, ୧୭, ୧, ୨ରେ ତିଷ୍ଠି ରହିଥିବା ଚିତ୍ର ଏହି ପ୍ରାଚୀନ ଚିତ୍ରକଳାର ସର୍ବବୃହତ ଉଦାହରଣ ।[13]
୧୭ଶ ଶତାବ୍ଦୀରେ ମୋଗଲ ସମ୍ରାଟ ଆକବରଙ୍କ ଜଣେ ଅଧିକାରୀ ଓ ଅନେକ ମଧ୍ୟଯୁଗୀୟ ଚୀନୀ ବୌଦ୍ଧ ପରିବ୍ରାଜକଙ୍କ ଭ୍ରମଣ ବିବରଣୀରେ ଅଜନ୍ତାର ଉଲ୍ଲେଖ ଦେଖିବାକୁ ମିଳେ ।[14] ଏହି ଗୁମ୍ଫା ସମୂହ ଜଙ୍ଗଲ ଓ ବଣବୁଦାଦ୍ୱାରା ଆବୃତ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିଲା । ୧୮୧୯ ମସିହାରେ ଜଣେ ପାଶ୍ଚାତ୍ୟ ଅଧିକାରୀ କ୍ୟାପ୍ଟେନ୍ ଜନ୍ ସ୍ମିଥ୍ ଏଠାକୁ ବାଘ ଶିକାର ପାଇଁ ଆସିଥିବା ବେଳେ ଦୈବାତ୍ ଅଜନ୍ତା ଗୁମ୍ଫାର ଆବିଷ୍କାର କରିଥିଲେ ।[15] ଡେକାନ୍ ମାଳଭୂମିରେ ପ୍ରବାହିତ ୱାଘୋରା ନଦୀରେ[16] ସୃଷ୍ଟ ଏକ ଅର୍ଦ୍ଧଚନ୍ଦ୍ରାକାର ଗଣ୍ଡର ଉତ୍ତର ପ୍ରସ୍ତରକାନ୍ଥରେ ଏହି ସବୁ ଗୁମ୍ଫା ଖୋଦିତ ହୋଇଥିଲା ।[17][18] ଗଣ୍ଡ ମଧ୍ୟରେ ଅନେକ ଜଳ ପ୍ରପାତ ଅବସ୍ଥିତ ଏବଂ ଅଧିକ ଜଳପ୍ରବାହ ଥିବା ସମୟରେ ଏହି ପ୍ରପାତମାନଙ୍କ ଶବ୍ଦ ଦୂର ପର୍ଯ୍ୟନ୍ତ ଶୁଣାଯାଏ ।[19]
ଏଲୋରା ଗୁମ୍ଫା ଓ ଅଜନ୍ତା ଗୁମ୍ଫା ମିଳିତ ଭାବେ ମହାରାଷ୍ଟ୍ର ମରାଠୱାଡ଼ା ଅଞ୍ଚଳରେ ପର୍ଯ୍ୟଟନର ପ୍ରମୁଖ ଶ୍ରେୟ ବହନ କରିଥାନ୍ତି । ଅଜନ୍ତା ଫର୍ଦାପୁରରୁ ୬ କିଲୋମିଟର, ଜଳଗାଓଁରୁ ୫୯ କିଲୋମିଟର, ଔରଙ୍ଗାବାଦରୁ ୧୦୪ କିଲୋମିଟର ଏବଂ ମୁମ୍ବାଇରୁ ପୂର୍ବ-ଉତ୍ତରପୂର୍ବ ଦିଗରେ ୩୫୦ କିଲୋମିଟର ଦୂରରେ ଅବସ୍ଥିତ ।[9][20] ହିନ୍ଦୁ, ବୌଦ୍ଧ ଓ ଜୈନ ପରମ୍ପରାର ଗୁମ୍ଫା ଥିବା ସମସାମୟିକ ଏଲୋରାରୁ ଅଜନ୍ତାର ଦୂରତା ପ୍ରାୟ ୧୦୦ କିଲୋମିଟର । ଏହି ଅଜନ୍ତା ଶୈଳୀ ଏଲୋରା ବ୍ୟତୀତ ଏଲିଫେଣ୍ଟା ଗୁମ୍ଫା, ଔରଙ୍ଗାବାଦ ଗୁମ୍ଫା, ଶିବଲେଣୀ ଗୁମ୍ଫା ଓ କର୍ଣ୍ଣାଟକର ଗୁମ୍ଫା ମନ୍ଦିରମାନଙ୍କରେ ମଧ୍ୟ ପରିଲକ୍ଷିତ ହୋଇଥାଏ ।[21]