ସୀତା ନବମୀ
ବୈଶାଖ ମାସ ଶୁକ୍ଳପକ୍ଷ ନବମୀ / From Wikipedia, the free encyclopedia
ବୈଶାଖ ମାସ ଶୁକ୍ଳପକ୍ଷ ନବମୀକୁ ସୀତା ନବମୀ ଭାବେ ପାଳନ କରାଯାଏ । ଏହିଦିନରେ ସୀତା ଆବିର୍ଭାବ ହୋଇଥିଲେ ବୋଲି ଜନମାନସରେ ବିଶ୍ୱାସ ରହିଛି । ସୀତା ନବମୀକୁ ଜାନକୀ ନବମୀ ମଧ୍ୟ କହାଯାଏ ।
ସୀତା ନବମୀ | |
---|---|
ଅନ୍ୟ ନାମ | ସୀତା ଜୟନ୍ତୀ, ଜାନକୀ ନବମୀ |
ପାଳନକାରୀ | ଓଡ଼ିଆ ଲୋକ |
ତାରିଖ | ବୈଶାଖ ଶୁକ୍ଳ ନବମୀ |
୨୦୨୪ ତାରିଖ | ୧୬ ମଇ (ଗୁରୁବାର) |
ସମ୍ପର୍କିତ | ସୀତାଙ୍କ ଜନ୍ମ |
ବୈଶାଖ ମାସ ନବମୀ ତିଥିରେ ଦେବୀ ସୀତାଙ୍କର ଜନ୍ମ ହୋଇଥିଲା ତେଣୁ ଏହି ଦିନଟି ସୀତା ନବମୀ ଭାବେ ପାଳିତ ହୋଇଥାଏ । ଉତ୍ତର ରାମାୟଣର ବର୍ଣ୍ଣନା ଅନୁସାରେ ବାଲ୍ମିକୀ ଋଷିଙ୍କ ଆଶ୍ରମରେ ଥିବା ବାଳକ ଲବ କୁଶ ଭଗବାନ ରାମଙ୍କର ଅଶ୍ବମେଧ ଯଜ୍ଞର ଘୋଡ଼ାକୁ ବାନ୍ଧି ରଖିଥିଲେ । ଯେପର୍ଯ୍ୟନ୍ତ ରାମ ନ ଆସିବେ ସେମାନେ ଘୋଡ଼ାକୁ ଛାଡ଼ିବେ ନାହିଁବୋଲି ଅଡ଼ିବସିଥିଲେ ।
ପ୍ରଥମେ ଘୋଡ଼ା ସହିତ ସେନାପତି ସୈନ୍ୟବାହିନୀ ଧରି ଆସିଥିଲେ । ସେମାନେ ଦୁଇ ବାଳକଙ୍କୁ ଯେତେ ବୁଝାଇଲେ ମଧ୍ୟ ଦୁଇ ଭାଇ ମାନିନଥିଲେ । ଶେଷରେ ଉଭୟଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ପରାକ୍ରମଶାଳୀ ଦୁଇ ବାଳକ ସୈନ୍ୟବାହିନୀ ସହ ସେନାପତିଙ୍କୁ ଅଚେତ କରିଦେଇଥିଲେ । ପରେ ଶ୍ରୀରାମଙ୍କ ସାନ ଭାଇ ଶତ୍ରୁଘ୍ନ ଆସିଲେ, ସେ ମଧ୍ୟ ବାଳକ ଦୁଇ ଜଣଙ୍କୁ ବୁଝାଇବାକୁ ଚେଷ୍ଟା କଲେ, ହେଲେ ସବୁ ବିଫଳ ହେଲା, ତାଙ୍କୁ ମଧ୍ୟ ଯୁଦ୍ଧରେ ପରାସ୍ତ କଲେ ଲବ ଆଉ କୁଶ । ସେହିପରି ମହାପରାକ୍ରମୀ ଭରତ ପରେ ଲକ୍ଷ୍ମଣଙ୍କୁ ମଧ୍ୟ ଦୁଇ ଭାଇ ପରାସ୍ତ କଲେ । ତିନି ଭାଇ ଅଚେତ ହେବା ପରେ ନିଜେ ଶ୍ରୀରାମ ଘଟଣା ସ୍ଥଳକୁ ଆସିଥିଲେ । ତେବେ ଯେଉଁ ଲକ୍ଷ୍ମଣ ନିଜ ବାଣରେ ମେଧନାଦ ଭଲି ବୀରକୁ ପରାସ୍ତ କରିଥିଲେ, ଯେଉଁ ଭରତ ନିଜ ବାଟୁଳିରେ ହନୁମାନଙ୍କୁ ଅଚେତ କରିଥିଲେ, ସେମାନଙ୍କୁ କିପରି ଏହି ଦୁଇ ବାଳକ ପରାସ୍ତ କରିପାରିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ ଦୁଇ ବାଳକଙ୍କ ଭିତରେ ଏଭଳି ପରାକ୍ରମ ସମ୍ଭବ ହୋଇପାରିଥିଲା ମାତା ସୀତାଙ୍କ ଆଶୀର୍ବାଦର ପ୍ରଭାବରେ । ଦେବୀ ସୀତା ହେଉଛନ୍ତି ସ୍ବୟଂ ଶକ୍ତିସ୍ବରୂପା । ଦେବୀ ଦୁର୍ଗା ବାଳିକା ଥିବାବେଳେ ସୀତା ଶିବଧନୁକୁ ନିଜ ବାମ ହାତରେ ଉଠାଇ ଦେଇଥିଲେ, ଯାହାକୁ ପରବର୍ତ୍ତୀ ସମୟରେ ବୀର ଯୋଦ୍ଧାମାନେ ଉଠାଇବା ତ ଦୂରର କଥା ଘୁଞ୍ଚାଇପାରିନଥିଲେ । ଦେବୀ ସୀତାଙ୍କର ଇଚ୍ଛା ଅନୁସାରେ ଭଗବାନ ଶ୍ରୀରାମ ଏହି ଶିବଧନୁକୁ ଭାଙ୍ଗିଥିଲେ ।